spot_img
Home Blog Page 4000

ପାର୍ଥ ଚାଟାର୍ଜୀଙ୍କ ଉପରକୁ ଚପଲ ଫିଙ୍ଗିଲେ ମହିଳା

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଫସିଥିବା ପାର୍ଥ ଚାଟାର୍ଜୀ ଜଣେ ମହିଳାଙ୍କ ଆକ୍ରୋଶର ଶିକାର ହେଇଛନ୍ତି । ସ୍ୱାସ୍ଥ୍ୟ ଚେକଅପ୍ ପାଇଁ କୋଲକାତାର ଇଏସଆଇ ହସ୍ପିଟାଲ ଆସିଥିବା ସମୟରେ ସେଠାରେ ଉପସ୍ଥିତ ଜଣେ ମହିଳା ଚାଟାର୍ଜୀଙ୍କ ଉଫରକୁ ଚପଲ ଫିଙ୍ଗିଥିଲେ । ଅବଶ୍ୟ ତାଙ୍କ ଦେହରେ ଚପଲ ଟି ବାଜିନଥିଲା । ସୂଚନାଥାଉକି, ଚାଟାର୍ଜୀ ଏବଂ ତାଙ୍କ ମହିଳା ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଇଡି ଏସଏସସି ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ କରିଛି ।

ଆଜି ଇଡି ଟିମ୍ ଚାଟାର୍ଜୀଙ୍କୁ ମେଡିକାଲ ଚେକଅପ୍ ପାଇଁ ହସ୍ପିଟାଲ ଆଣିଥିଲେ, ସେଠାରେ ଉପସ୍ଥିତ ଜଣେ ମହିଳା ପାର୍ଥଙ୍କୁ ଦେଖି ରାଗି ଯାଇଥିଲେ ଏବଂ ନିଜ ଚପଲ କାଢ଼ି ତାଙ୍କ ଉପରକୁ ପକାଇଥିଲେ । ଏଥିସହିତ ଜୋରରେ ପାଟି କରି କହିଥିଲେ ଏ ନେତା ସାଧାରଣ ଗରିବ ଲୋକଙ୍କ ଧନ ଲୁଟୁଛନ୍ତି । ଖବର ସରବରାହ ସଂସ୍ଥା ଏଏନଆଇକୁ ପ୍ରତିକ୍ରିୟା ଦେଇ କହିଥିଲେ, “ମୁଁ ଏପରି ଦୁର୍ନୀତି ନେତା ଉପରକୁ ଚପଲ ଫୋପାଡିବାକୁ ଆସିଥିଲି । ସେ ଗରିବଙ୍କ ପଇସା ଲୁଟିଛି । ମୁଁ ଖୁସି ହୋଇଥାନ୍ତି ଯଦି ଚପଲ ତାଙ୍କ ମୁଣ୍ଡରେ ବାଜିଥାନ୍ତା ।”

ମମତା ସରକାରର ପ୍ରମୁଖ ମନ୍ତ୍ରୀ ରହିଥିବା ଚାଟାର୍ଜୀ ଏବଂ ତାଙ୍କ ସମ୍ପର୍କୀୟ ଅର୍ପିତାଙ୍କ ଠିକଣାରୁ କୋଟି କୋଟି ଟଙ୍କା ଏବଂ ସୁନା ଜବତ କରାଯାଇଛି । କିନ୍ତୁ ଏସବୁ ପଇସା ତାଙ୍କର ବୋଲି ପାର୍ଥ ମନା କରିଦେଇଛନ୍ତି । ଏଥିସହ ସେ କହିଥିଲେ ଯେ ମୋ ବିରୁଦ୍ଧରେ କେହି ଷଡଯନ୍ତ୍ର କରାଯାଉଛି । କିନ୍ତୁ ଅର୍ପିତା କହିଥିଲେ ଏସବୁ ପଇସା ପାର୍ଥଙ୍କର ବୋଲି । ସିବିଆଇ ଓ ଇଡି ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଅଭିଯୁକ୍ତଙ୍କ ସହ ଜଡିତ ୧୭ଟି ସ୍ଥାନରେ ରେଡ୍ ମାରି ସାରିଲାଣି । ଏହି ସମୟରେ ୫୦ କୋଟିରୁ ଅଧିକ ଟଙ୍କା ଏବଂ ବିପୁଳ ମାତ୍ରାରେ ସୁନା ଜବତ କରିଛନ୍ତି ।

ରାଷ୍ଟ୍ରପତିଙ୍କ ଅତିରିକ୍ତ ସଚିବ (ଗଣମାଧ୍ୟମ) ଭାବେ ନିଯୁକ୍ତି ପାଇଲେ ବିଜୟ ନାୟକ

ନୂଆଦିଲ୍ଲୀ: ଅବସରପ୍ରାପ୍ତ ପ୍ରଶାସକ ତଥା ଜଣାଶୁଣା ସାହିତ୍ୟିକ ବିଜୟ ନାୟକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅତିରିକ୍ତ ଗଣମାଧ୍ୟମ ସଚିବ ଭାବେ ନିଯୁକ୍ତି ମିଳିଛି । ସଂସ୍କୃତି ବିଭାଗର ନିର୍ଦ୍ଦେଶକ ପଦବୀରୁ ଅବସର ନେବା ପରେ ସେ ସାକ୍ଷୀଗୋପାଳରେ ନିର୍ମାଣ ହେଉଥିବା ଓଡ଼ିଆ ବିଶ୍ୱବିଦ୍ୟାଳୟର ଓଏସ୍‌ଡି ଭାବେ ନିଯୁକ୍ତି ପାଇଥିଲେ ।  ଏହି ପଦବୀରୁ ସେ ଜୁନ ଶେଷ ସପ୍ତାହରେ ଇସ୍ତଫା ଦେଇଥିବା ବେଳେ ନୂଆ  ପଦବୀରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଦ୍ରୌପଦୀ ମୁର୍ମୁ ୨୦୦୦ରୁ ୨୦୦୨ ମସିହା ପର୍ଯ୍ୟନ୍ତ ବାଣିଜ୍ୟ ଓ ପରିବହନ ଓ ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ମନ୍ତ୍ରୀ ଥିବା ବେଳେ ବିଜୟ ନାୟକ ତାଙ୍କର ବ୍ୟକ୍ତିଗତ ସଚିବ ଥିଲେ । ବିଜୟ ନାୟକ ଓଡ଼ିଶା ସାହିତ୍ୟ ଜଗତର ଜଣେ ଜଣାଶୁଣା ଚେହେରା ହୋଇଥିବା ବେଳେ ଦୀର୍ଘ ୨୦ ବର୍ଷ ହେଲା ସାହିତ୍ୟ ପତ୍ରିକା ‘କାହାଣୀ’ର ସଂପାଦକ ଅଛନ୍ତି। ଛାତ୍ର ଜୀବନରେ ସେ ଭଦ୍ରକ କଲେଜ ଛାତ୍ର ୟୁନିୟନ ଓ ଉତ୍କଳ ୟୁନିଭରସିଟି ଛାତ୍ର ୟୁନିୟନର ସଭାପତି ଥିଲେ। ଶ୍ରୀ ନାୟକ ତାଙ୍କ କଲେଜ ସମୟରେ ପରିଚିତ ଛାତ୍ର ନେତା ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ଓ ଭଦ୍ରକ କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

ଏଥିସହିତ ପଢ଼ନ୍ତୁ: କାଷ୍ଟିଂ କାଉଚ ମାମଲାରେ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ହାଇକୋର୍ଟଙ୍କ କ୍ଳିନ୍‌ଚିଟ୍

କାଷ୍ଟିଂ କାଉଚ ମାମଲାରେ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ହାଇକୋର୍ଟଙ୍କ କ୍ଳିନ୍‌ଚିଟ୍

କଟକ: କାଷ୍ଟିଂ କାଉଚ ମାମଲା, ଅଭିନେତା ପପୁ ପମପମ୍‌ଙ୍କୁ କ୍ଲିନଚିଟ୍ । ୨୦୧୬ରେ ପପୁଙ୍କ ନାଁରେ କାଷ୍ଟିଂ କାଉଚ୍ ମାମଲା ଦାୟର କରିଥିଲେ ନାବାଳିକା । ପପୁଙ୍କ ସହଯୋଗୀ ଗିଟୁ ମଧ୍ୟ ନିର୍ଦ୍ଦୋଷ ସାବ୍ୟସ୍ତ । ୨୦୧୬ ଜୁନ୍‌ ୨୨ରେ ମାମଲା ରୁଜୁ ହୋଇଥିଲା । ଜଗନ୍ନାଥବିହାର ସ୍ଥିତ ଘରୁ ଫେରାର ଥିଲେ ପପୁ । ୩୦ଜୁନ୍‌ରେ ପୁରୀର ଆପାର୍ଟମେଣ୍ଟରୁ ହୋଇଥିଲେ ଗିରଫ । ଅଗଷ୍ଟ ୧୦ରୁ ବେଲ୍‌ରେ ଥିଲେ ପପୁ ପମପମ୍‌ ।

ପପୁ ପମ୍‌ପମ୍‌ ୨୦୧୬ ମସିହାରେ ନିଜ କ୍ୟାରିଅର୍‌ର ପିକ୍‌ରେ ଥିବା ବେଳେ ତାଙ୍କ ନାମରେ ଆସିଥିଲା ଏହି ସାଂଘାତିକ ଅଭିଯୋଗ । ଫିଲ୍ମରେ ଏଣ୍ଟ୍ରି କରାଇଦେବାକୁ କହି ପପୁ ପମ୍‌ପମ୍‌ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଥିଲେ ନାବାଳିକା। ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏପରି ଅଭିଯୋଗ ଆସିବା ପରେ ଫେରାର ହୋଇଯାଇଥିବା ପପୁ ପମ୍‌ପମ୍‌ଙ୍କ ସମେତ ତାଙ୍କ ସହଯୋଗୀ ଦୀପୁଙ୍କୁ ପୁରୀ ଜିଲ୍ଲା ନିମାପଡ଼ାରୁ ଗିରଫ କରିଥିଲା ପୁଲିସ୍‌। ଏହାପରେ ସେ ଜାମିନରେ ବାହାରିଥିଲେ।

ପୀଡ଼ିତା ଜଣକ ନାବାଳିକା ହୋଇଥିବାରୁ  ପୋସ୍କୋ କୋର୍ଟରେ ଏହାର ଶୁଣାଣି ଚାଲିଥିଲା। ଦୀର୍ଘ ୬ ବର୍ଷ ପରେ ଏହି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି ପପୁ ପମପମ୍‌ ।

ଏଥିସହିତ ପଢ଼ନ୍ତୁ: ଆଫଗାନିସ୍ତାରେ ପଶି ଅଲ୍‌କାଏଦା ମୁଖ୍ୟକୁ ନିପାତ କଲା ଆମେରିକା

ଆଫଗାନିସ୍ତାରେ ପଶି ଅଲ୍‌କାଏଦା ମୁଖ୍ୟକୁ ନିପାତ କଲା ଆମେରିକା

ଓ୍ୱାସିଂଟନ: ଖୋଜିଲୁ,ମାରିଲୁ । ଅଲ-ଜଓ୍ୱାହିରିକୁ ଡ୍ରୋନ୍ ଆକ୍ରମଣରେ ଉଡ଼ାଇବା ପରେ ଏହା ଥିଲା ଆମେରିକାର ଆଧିକାରିକ ବୟାନ । ଆଫଗାନିସ୍ତାନ ରାଜଧାନୀ କାବୁଲର ସେଫ୍ ହାଉସରେ ଲୁଚିଥିବା ଜୱାହିରିର ମୃତ୍ୟୁ ସହିତ ସରିଛି ଆତଙ୍କରେ ଲାଦେନ ଯୁଗ । ପେଶାରେ ଡାକ୍ତର ଜୱାହିରି ଖାଲି ଲାଦେନର ସାଥୀ ନଥିଲା ସେ ମଧ୍ୟ ଥିଲା ଅଲକାଏଦାର ମାଷ୍ଟର ପ୍ଲାନର । ୯-୧୧ ଆକ୍ରମଣଠାରୁ ବିଦେଶରେ ଆମେରିକା ଦୂତାବାସ ଉପରେ ହେଉଥିବା ଆକ୍ରମଣ ପଛରେ ଥିଲା ଏହି ଆତଙ୍କୀ ଡାକ୍ତରର ମସ୍ତିଷ୍କ । ଲାଦେନ୍ ଯଦି ଥିଲା ଅଲ-କାଏଦା ଜିହାଦୀ ବ୍ରାଣ୍ଡର ବ୍ରାଣ୍ଡ୍ ଆମ୍ବାସଡାର ତେବେ ଜୱାହିରି ଥିଲା ଏହାର ବ୍ରେନ୍ । ଯିଏ ପୁରା ନେଟୱର୍କର ମେସିନକୁ ଚଲାଉଥିଲା ।
ଆମେରିକାର କାବୁଲ ଆଟାକ ପରେ ଖାଲି ଅଲ-କାଏଦା ନୁହେଁ ତାଲିବାନ ଓ ପାକିସ୍ତାନକୁ ମଧ୍ୟ ଜୋରଦାର ଝଟକା ଲାଗିଛି । କାରଣ ଅଲ-ଜୱାହାରୀ ତାଲିବାନର ନମ୍ବର ଦୁଇ,ହକ୍କାନୀ ନେଟୱର୍କର ମୁଖିଆ ଘରେ ହିଁ ଥିଲା । ଯାହା ପ୍ରମାଣିତ କରୁଛି ଯେ, ତାଲିବାନ ଓ ଅଲ କାଏଦା ମଧ୍ୟରେ ବନ୍ଧୁତା ଏବେବି ରହିଛି । ପାକିସ୍ତାନ ପାଇଁ ଏହା ଏଥିଲାଗି ଝଟକା ଯେ, ଜୱାହିରିର ଆଶ୍ରୟଦାତା ହକ୍କାନୀ ନେଟୱର୍କ ମୁଖିଆ ପାକିସ୍ତାନୀ ଏଜେନ୍ସି ଆଇ ଏସ ଆଇର ପେ’ରୋଲରେ ଅଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଅଲ୍ ଜଓ୍ୱହିରି ନିହତ ହେବା ପରେ ରାଷ୍ଟ୍ରକୁ ସମ୍ୱୋଧିନ କରିଛନ୍ତି । ସେ କହିଛନ୍ତି, ଆମେ ଜଓ୍ୱାହିରିକୁ ଖୋଜି ମାରିଛୁ । ଆମେରିକା ଏବଂ ଏଠାକାର ଲୋକଙ୍କ ପାଇଁ ଯିଏ କେହିଁ ବି ବିପଦ ସୃଷ୍ଟି କରିବ ଆମେ ତାକୁ ଛାଡ଼ିବୁ ନାହିଁ । ଆତଙ୍କବାଦୀଙ୍କ ବିରୋଧରେ ଆଫଗାନିସ୍ତାନରେ ଆମେରିକାର ଅପରେସନ୍ ଜାରି ରହିବ । ବାଇଡେନ୍ ଟ୍ୱିଟ୍ କରି ମଧ୍ୟ କହିଛନ୍ତି ଶନିବାର ମୋ ନିର୍ଦ୍ଦେଶ ଅନୁଯାୟୀ ଆମେରିକା ଆଫଗାନିସ୍ତାନର କାବୁଲରେ ଡ୍ରୋନ୍ ଆକ୍ରମଣ ହୋଇଥିଲା । ଯେଉଁଥିରେ ଅଲକାଏଦା ମୁଖ୍ୟ ଅୟମାନ ଅଲ୍ ଜଓ୍ୱହିରି ନିପାତ ହୋଇଛି ।

ଶନିବାର ଦିନ ହୋଇଥିବା ଡ୍ରୋନ୍ ଆକ୍ରମଣର ତିନି ଦିନରେ ଆମେରିକା ଏହି ଘୋଷଣା କରିବାର ଅର୍ଥ ହେଉଛି ସେମାନେ କୌଣସି ସୂଯୋଗ ନେବାକୁ ଚାହୁଁନଥିଲେ । ସୁନିଶ୍ଚିତ ହେବାକୁ ଚାହୁଁଥିଲେ ଯେ, ମରିଥିବା ବ୍ୟକ୍ତି ଜଓ୍ୱାହିରି । ଆମେରିକା ରାଷ୍ଟ୍ରପତିଙ୍କ ଘୋଷଣା ସହିତ ତାଲିବାନ ମୁହଁ ଖୋଲି ଦୋହା ଚୁକ୍ତି କଥା ଉଠାଇଛି । କାବୁଲ ଉପରେ ଆକ୍ରମଣ ଦ୍ୱାରା ଆମେରିକା ଦୋହା ଚୁକ୍ତିର ଉଲ୍ଲଂଘନ କରିଛି ବୋଲି ତାଲିବାନ କହିଛି । ଆଗକୁ ଏହାକୁ ନେଇ ତାଲିବାନ ଓ ଆମେରିକା ମଧ୍ୟରେ ବାକଯୁଦ୍ଧ ହୋଇପାରେ । ଅଲ-କାଏଦା ପ୍ରତିଶୋଧର ଘୋଷଣା ମଧ୍ୟ କରିପାରେ ।

୧୧ ସେପ୍ଟେମ୍ୱର ୨୦୦୧ରେ ୧୯ଜଣ ଆତଙ୍କବାଦୀ ୪ କମର୍ସିଆଲ ପ୍ଳେନ୍ ହାଇଜାକ୍ କରି ଆମେରିକାର ଓ୍ୱାର୍ଲ୍ଡ ଟ୍ରେଡ୍ ସେଣ୍ଟର ଉପରେ ଆକ୍ରମଣ କରିଥିଲେ । ଆମେରିକାରେ ଏହାକୁ ୯/୧୧ ଆଟାକ୍ ଭାବେ ପାଳନ କରାଯାଏ । ଏହି ଆକ୍ରମଣରେ ୯୩ ଦେଶର ୨ହଜାର ୯୭୭ ନାଗରିକଙ୍କ ପ୍ରାଣହାନୀ ଘଟିଥିଲା । ଏହି ଆକ୍ରମଣରେ ଓସାମା ବିନ୍ ଲାଦେନ୍ ଅଲ୍ ଜଓ୍ୱାହିରି ସମେତ ଅଲକାଏଦାର ସମସ୍ତ ଆତଙ୍କବାଦୀଙ୍କୁ ଆମେରିକୀୟ ତଦନ୍ତକାରୀ ସଂସ୍ଥା ଦାୟୀ କରିଥିଲା ।

ପୂର୍ବରୁ ଜଓ୍ୱହିରିକୁ ମାରିବାକୁ ୨ଥର ଚେଷ୍ଟା କରି ବିଫଳ ହୋଇଥିଲା ଆମେରିକା । ୨୦୦୧ରେ ଜଓ୍ୱହିରି ଆଫଗାନିସ୍ତାନର ତୋରାବୋରେ ଲୁଚିଥିବା ନେଇ ଖବର ଆସିଥିଲା । ମାତ୍ର ଆକ୍ରମଣ ହେବା ପୂର୍ବରୁ ସେଠାରୁ ପଳାୟନ କରିବାରେ ସଫଳ ହୋଇଥିଲା । ତେବେ ଏହି ଆକ୍ରମଣରେ ତା’ ସ୍ତ୍ରୀ ଏବଂ ପିଲାମାନଙ୍କ ମୃତ୍ୟୁ ଘଟିଥିଲା । ୨୦୦୬ରେ ଜଓ୍ୱହିରିକୁ ମାରିବା ପାଇଁ ଆମେରିକାର ଗୁଇନ୍ଦା ଏଜେନ୍ସି ପୁଣି ଥରେ ଜାଲ ବିଛାଇଥିଲା । ସେହି ସମୟରେ ପାକିସ୍ତାନର ଦାମଦୋଲରେ ଲୁଚିଥିବା ନେଇ ସୂଚନା ମିଳିଥିଲା । କିନ୍ତୁ ମିସାଇଲ ଆକ୍ରମଣ ପୂର୍ବରୁ ପଳାୟନ କରିବାରେ ସଫଳ ହୋଇଥିଲା । ଜଓ୍ୱହିରି ଏପ୍ରିଲ ୯ ତାରିଖରେ ନିଜର ଶେଷ ଭିଡିଓ ଜାରି କରିଥିଲା । ଭିଡଓରେ ସେ ଫ୍ରାନ୍ସ, ମିଶର ଏବଂ ହଲାଣ୍ଡକୁ ଇସ୍ଲାମ ବିରୋଧୀ ଦେଶ କହିଥିଲା । ଏହା ସହିତ ଭିଡିଓରେ ଭାରତରେ ହିଜାବ ବିବାଦ ନେଇ ମଧ୍ୟ ବିତଣ୍ଡା ଯୁକ୍ତି ବାଢ଼ିଥିଲା ।

ଏଥିସହିତ ପଢ଼ନ୍ତୁ: ଶିବସେନା ନେତା ସଞ୍ଜୟ ରାଉତଙ୍କୁ ୪ଦିନିଆ ରିମାଣ୍ଡରେ ନେଲା ED

ନ୍ୟାସନାଲ ହେରାଲ୍ଡ ଅଫିସ ଉପରେ ED ଚଢ଼ଉ

ନୂଆଦିଲ୍ଲୀ : କଂଗ୍ରେସ ମୁଖପତ୍ର ନ୍ୟାସନାଲ ହେରାଲ୍ଡ ଅଫିସ ଉପରେ ମଙ୍ଗଳବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ED ପକ୍ଷରୁ ଚଢ଼ଉ ହୋଇଛି । ନ୍ୟାସନାଲ  ହେରାଲ୍ଡ ମାମଲାରେ ଇଡି ଦେଶର ୧୨ଟି ସ୍ଥାନର ଚଢ଼ଉ କରିଥିବା ସୂଚନା ରହିଛି । ସୂଚନା ଅନୁସାରେ ଦିଲ୍ଲୀ ଓ କୋଲକତା ସମେତ ଦେଶର ଅନ୍ୟ ୧୨ ସ୍ଥାନରେ ଏକକାଳୀନ ଏହି ଚଢ଼ଉ ଚାଲିଛି ।
ଦିଲ୍ଲୀ ସ୍ଥିତ ନ୍ୟାସନାଲ ହେରାଲ୍ଡ ଅଫିସ ଉପରେ ଚଢ଼ଉ ବେଳେ କେବଳ ସୁରକ୍ଷାକର୍ମୀଙ୍କ ବ୍ୟତିତ ଆଉ କେହି ନଥିଲେ ବୋଲି ଜଣା ପଡିଛି । ଅନ୍ୟପକ୍ଷରେ କଂଗ୍ରେସ ନେତା ଉତ୍ତମ ରେଡ୍ଡୀ ଏହାକୁ ରାଜନୈତିକ ପ୍ରତିଶୋଧମୂଳଳ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ।
ସୂଚନାଯୋଗ୍ୟ ଯେ,ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପଚରା ଉଚରା କରିଛି । ଯାହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ସତ୍ୟାଗ୍ରହ କରାଯାଉଛି ।
ସୂଚନାଯୋଗ୍ୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଜୱାହରଲାଲ ନେହେରୁଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନ୍ୟାସନାଲ ହେରାଲ୍ଡ,,ଆସୋସିଏଟ୍ ଜର୍ଣ୍ଣାଲ ଲିମିଟେଡ୍ ଓ ୟଙ୍ଗ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ହୋଇଥିବା ଅର୍ଥ ଦେଣନେଣ ସନ୍ଦେହାସ୍ପଦ ଥିଲା ବୋଲି ଅଭିଯୋଗ ହେଉଛି । ପ୍ରଥମେ ଏହି ମାମଲାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଅଦାଲତ ଯାଇଥିଲେ । ଅଦାଲତ ମାମଲାର ତଦନ୍ତ ପାଇଁ ଆଦେଶ ଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: ଜୀବନ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟିଆରଙ୍କ ଝିଅ

ଅଲ୍‌ କାଏଦା ମୁଖ୍ୟ ଅୟମାନ ଅଲ୍ ଜଓ୍ୱାହିରି ନିହତ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ଅଲ-କାଏଦା ମୁଖ୍ୟ ଅୟମାନ ଅଲ୍-ଜଓ୍ବାହିରି ନିହତ । ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ବା ସିଆଇଏ ଆଫଗାନିସ୍ତାନରେ ଡ୍ରୋନ୍ ଆକ୍ରମଣରେ ଅଲ୍-ଜଓ୍ବାହିରିକୁ ନିହତ କରିଥିବା ଦାବି କରିଛି । ଏନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ୨୦୧୧ରେ ଓସାମା ବିନ୍ ଲାଡେନର ମୃତ୍ୟୁ ପରେ ଅଲ-କାଏଦାକୁ ଏବେ ସବୁଠାରୁ ବଡ଼ ଝଟକା ଲାଗିଛି । ୭୧ ବର୍ଷୀୟ ଜଓ୍ବାହିରି ଏକ ସମୟରେ ଲାଡେନର ଘରୋଇ ଡାକ୍ତର ଭାବେ କାମ କରୁଥିଲା ।

୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାରେ ହୋଇଥିବା ବିମାନ ଆକ୍ରମଣରେ ଅଲ୍-ଜଓ୍ବାହିରି ଥିଲା ମାଷ୍ଟର ମାଇଣ୍ଡ । ଆତଙ୍କୀ ଆକ୍ରମଣରେ ପାଖାପାଖି ୩ ହଜାର ଲୋକ ପ୍ରାଣ ହରାଇଥିଲେ । ଆମେରିକୀୟ ଅଧିକାରୀଙ୍କ କହିବା ଅନୁସାରେ, ଜଓ୍ବାହିରି କାବୁଲର ଏକ ସୁରକ୍ଷିତ ଘରେ ଶରଣ ନେଇଥିଲା । ଆମେରିକା କୌଣସି ସୂତ୍ରରୁ ଖବର ପାଇ ଜୁଲାଇ ୩୧ ତାରିଖ ରାତିରେ ଆକାଶମାର୍ଗରୁ ଡ୍ରୋନ୍ ସହାୟତାରେ ମିସାଇଲ୍ ମାଡ କରିଥିଲା । ଯେଉଁଥିରେ ଅଲ-କାଏଦା ମୁଖ୍ୟ ଅୟମାନ ଅଲ୍-ଜଓ୍ବାହିରିର ମୃତ୍ୟୁ ହୋଇଥିଲା । ଆମେରିକାର ଏଭଳି ଆକ୍ରମଣକୁ କଡ଼ା ନିନ୍ଦା କରିଛି ତାଲିବାନ ।

ଏଥିସହିତ ପଢ଼ନ୍ତୁ: ଆମେରିକା ବାଚସ୍ପତିଙ୍କ ସମ୍ଭାବ୍ୟ ତାଇଓ୍ୱାନଗସ୍ତ ନେଇ ଚୀନ କ୍ଷୁବ୍ଧ

ମୌସୁମୀ ଦୁର୍ବଳ; ୩ଦିନ ଯାଏଁ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର: ଦୁର୍ବଳ ମୌସୁମୀ ପାଇଁ ରାଜ୍ୟରେ ଜାରି ରହିଛି ତାତି । ଆସନ୍ତା ୩ ଦିନ ତାତିରୁ ନାହିଁ ନିସ୍ତାର । ମେଘମୁକ୍ତ ଆକାଶ ପାଇଁ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିଛି ତାପମାତ୍ରା । ୪ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୫ ତାରିଖ ସୁଦ୍ଧା ରାଜ୍ୟର ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଅଗଷ୍ଟରେ ସ୍ବାଭାବିକ ବର୍ଷା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ୯୪ରୁ ୧୦୬ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି । ଦକ୍ଷିଣ, ପଶ୍ଚିମ କେନ୍ଦ୍ରୀୟ ଭାରତ ଓ ଉତ୍ତର ଭାରତକୁ ଛାଡ଼ି ପଶ୍ଚିମ ଉପକୂଳ ଏବଂ ପୂର୍ବ-କେନ୍ଦ୍ରୀୟ ଭାରତରେ କମ୍ ବର୍ଷା ହୋଇପାରେ । ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକ ବର୍ଷା ହେବ । କିନ୍ତୁ ପଶ୍ଚିମ ଭାରତରେ ସ୍ଥିତି ଗମ୍ଭୀର ରହିପାରେ । ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ରାଜ୍ୟରେ ୫୧୨.୨ ମିଲିମିଟର ବର୍ଷା ହୋଇଛି । ଯାହା ସ୍ବାଭାବିକଠାରୁ ୯ ପ୍ରତିଶତ କମ୍ । ୫ ଜିଲ୍ଲାରେ ନିଅଣ୍ଟିଆ, ୨ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ଓ ୨୩ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଆଜି ଦିଲ୍ଲୀଗସ୍ତରେ ଯିବେ ଓଡ଼ିଶା ବିଧାୟକ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯିବେ ଓଡ଼ିଶା ବିଧାୟକ । ଆଜି ଦିନ ୧ଟା ୫୦ ମିନଟରେ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ବାହାରିବେ ୨୬ ଜଣିଆ ବିଧାୟକ ଟିମ୍ । ଦିଲ୍ଲୀରେ ପହଞ୍ଚିବା ପରେ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ଦଳ ଭେଟି ସମ୍ବର୍ଦ୍ଧନା ଜଣାଇବେ । ବାଚସ୍ପତି ବିକ୍ରମକେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାୟକମାନେ ଦିଲ୍ଲୀ ଯିବେ ।

ଉପବାଚସ୍ପତି ରଜନୀକାନ୍ତ ସିଂ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ସୁଦାମ ମାର୍ଣ୍ଡି, ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ପଦ୍ମିନୀ ଦିଆନ, ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ମୋହନ ମାଝୀ, କୁସୁମ ଟେଟେ ପ୍ରମୁଖ ଦିଲ୍ଲୀ ଯିବେ ମହାମହିମଙ୍କୁ ଓଡିଶା ବିଧାନସଭା ପକ୍ଷରୁ ଧନ୍ୟବାଦ ଦେବା ପାଇଁ ଆଗତ ସଂକଳ୍ପକୁ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା । ସେଥିପାଇଁ ବାଚସ୍ପତିଙ୍କ ନେତୃତ୍ବରେ ବିଧାୟକ ଟିମ୍ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବେ ।

ଏଥିସହିତ ପଢ଼ନ୍ତୁ: ନବ ନିଯୁକ୍ତ ଶିକ୍ଷକଙ୍କୁ ନବୀନଙ୍କ ମନ୍ତ୍ର: ଶିକ୍ଷକ ରାଷ୍ଟ୍ର ନିର୍ମାତା, ଜାତିର ଗୌରବ

ଭୋଗ ଖାଇ ଜଣେ ମୃତ, ଅନ୍ୟ ଗୁରୁତରଙ୍କୁ ବାଲେଶ୍ୱର ଚିକିତ୍ସାଳୟକୁ ସ୍ଥାନାନ୍ତର

ଜଳେଶ୍ୱର: ଭୋଗରୁ ବିଷକ୍ରିୟା, ଜଣଙ୍କର ମୃତ୍ୟୁ ହୋଇଥିବା ବେଳ, ୨୧ ଜଣ ଗୁରୁତର ଅଛନ୍ତି । ମୃତକ ହେଲେ ସଞ୍ଜୁରାଣୀ ସାହୁ । ଭୋଗରାଇ ବ୍ଲକ ଦାରୁହା କିଟିସାହିରେ ସୁଜନ ଦାସଙ୍କ ଘରେ ପ୍ରସାଦ ଖାଇ ପ୍ରାୟ ୨୦୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ୨୧ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା । ଆକ୍ରାନ୍ତଙ୍କୁ ଜଳେଶ୍ବର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ପରେ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତରୀ ଟିମ ଗାଁରେ କ୍ୟାମ୍ପ କରି ସ୍ଥିତି ପରଖିଛନ୍ତି । ସକାଳୁ ଗ୍ରାମବାସୀ ଜଣ ଜଣ କରି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ଶିବସେନା ନେତା ସଞ୍ଜୟ ରାଉତଙ୍କୁ ୪ଦିନିଆ ରିମାଣ୍ଡରେ ନେଲା ED

 

 

ଆମେରିକା ବାଚସ୍ପତିଙ୍କ ସମ୍ଭାବ୍ୟ ତାଇଓ୍ୱାନଗସ୍ତ ନେଇ ଚୀନ କ୍ଷୁବ୍ଧ

ନୂଆଦିଲ୍ଲୀ: ଆମେରିକା ବାଚସ୍ପତି ନାନସି ପେଲୋସିଙ୍କ ଏସିଆ ଗସ୍ତକୁ ନେଇ ବିବାଦ । ତାଇଓ୍ବାନରେ ସ୍ଥିତି ଜଟିଳ । ସମ୍ଭାବ୍ୟ ଯୁଦ୍ଧ ଲାଗି ପ୍ରସ୍ତୁତ ତାଇଓ୍ବାନ । ସାରା ତାଇଓ୍ବାନରେ ବାଜିଛି ସାଇରନ । ଲୋକମାନେ ବିଭିନ୍ନ ଆଶ୍ରୟସ୍ଥଳୀକୁ ଚାଲିଯାଇଥିବା ସୂଚନା ମିଳିଛି । ଆରମ୍ଭ ହୋଇଛି ସାମରିକ ଡ୍ରିଲ । ସେନାକୁ ସତର୍କ ରଖାଯାଇଥିବାବେଳେ ସମସ୍ତ ସାମରିକ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଗସ୍ତର ପ୍ରଥମ ଦିନରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସେନ୍ ଲୁଙ୍ଗଙ୍କୁ ଭେଟିଛନ୍ତି ପେଲୋସି । ଲୁଙ୍ଗଙ୍କ ସହ ପେଲୋସି ତାଇଓ୍ବାନ ଓ ଚୀନ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ମିଳିଛି ।

ତାଇଓ୍ବାନ ପ୍ରସଂଗରେ ହସ୍ତକ୍ଷେପ ନ କରିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଗତ ୩୦ ତାରିଖରେ ଚୀନ ପ୍ରତିପକ୍ଷ ସି ଜିନପିଙ୍ଗଙ୍କ ଚେତାବନୀ ଦେଇଥିବା ବେଳେ ପେଲୋସି ତାଇଓ୍ବାନ ଗସ୍ତ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଆଜି ସନ୍ଧ୍ୟାରେ ପେଲୋସି ତାଇଓ୍ବାନକୁ ଗସ୍ତ କରିପାରନ୍ତି ବୋଲି ସୂଚନା ମିଳିଛି ।

ଯଦି ପେଲୋସି ତାଇଓ୍ବାନ ଯାଆନ୍ତି ତେବେ ବିଗତ ୨୫ ବର୍ଷ ମଧ୍ୟରେ ଆମେରିକାର ଜଣେ ତୁଙ୍ଗ ପ୍ରତିନିଧି ତାଇଓ୍ବାନ ଗସ୍ତରେ ଯିବାରେ ପ୍ରଥମ ବ୍ୟକ୍ତି ହେବେ । ସିଙ୍ଗାପୁର ପରେ ପେଲୋସି ମାଲେସିଆ ଯିବେ ଏବଂ ସେଠାରୁ ସେ ତାଇଓ୍ବାନ ରାଜଧାନୀ ତାଇପେଇକୁ ଯିବେ ବୋଲି ତାଇଓ୍ବାନର ୩ଟି ପ୍ରମୁଖ ଗଣମାଧ୍ୟମ ସୂତ୍ରରୁ କୁହାଯାଇଛି । ପେଲୋସିଙ୍କ ଏହି ସମ୍ଭାବ୍ୟ ଗସ୍ତକୁ ନେଇ ବେଜିଂ ଉତ୍‌କ୍ଷିପ୍ତ ହେବା ଆଶଙ୍କା ରହିଛି । ଆମେରିକା ଓ ଚୀନ ମଧ୍ୟରେ ବିବାଦ ପରିପ୍ରେକ୍ଷୀରେ ତାଇଓ୍ବାନ ସମୁଦ୍ରରେ ସମରାଭ୍ୟାସ କରିଛି । ଆସନ୍ତା ଗୁରୁବାର ପେଲୋସି ସାଉଥ କୋରିଆ ବି ଯିବାର କାର୍ଯ୍ୟକ୍ରମ ରହିଛି । ଚୀନ ବୈଦେଶିକ ମନ୍ତ୍ରୀ ଝାଓ ଲିଜିଆନ କହିଛନ୍ତି ଯଦି ପେଲୋସି ତାଇଓ୍ବାନ ଯାଆନ୍ତି ତେବେ ଏହାର ଫଳ ଭୋଗିବାକୁ ପଡ଼ିବ । ଶେଷ ଥର ଲାଗି ୧୯୯୭ରେ ଆମେରିକା ବାଚସ୍ପତି ନ୍ୟୁଟ ଗିଙ୍ଗରିଚ ତାଇଓ୍ବାନ ଗସ୍ତ କରିବା ପରେ ଆମେରିକା ଓ ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ଜୀବନ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟିଆରଙ୍କ ଝିଅ