spot_img
Home Blog Page 3999

ଆଇପିଏସ୍ ଓ ଓପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ଆଇପିଏସ୍ ଏବଂ ଓପିଏସ୍ ସ୍ତରରେ ଅଦଳବଦଳ କରିଛନ୍ତି । ସେହିପରି ଆଡିସନାଲ ସୁପରିଟେଣ୍ଡେଣ୍ଟ ରାଙ୍କର ପୋଲିସ ଅଧିକାରୀଙ୍କୁ ସୁପରିଟେଣ୍ଡେଣ୍ଟ ରାଙ୍କ (ସୁପରଟାଇମ ସ୍କେଲ)କୁ ପଦୋନ୍ନତୀ କରାଯାଛି । ବୌଦ୍ଧ ଏସପି ଭାବେ ବଦଳି ହେଲେ ପ୍ରହ୍ଲାଦ ସାହାଇ ମୀନା । ସେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଏଆଇଜିପି ଭାବେ ଏବେ କାର୍ଯ୍ୟରତ ।

ସେହିଭଳି ଦେବଗଡ଼ ଏସପି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରମୋଦ କୁମାର ରଥ । ସେ ଭୁବନେଶ୍ବର- କଟକ କ୍ରାଇମ ଡିସିପି ଭାବେ କାର୍ଯ୍ୟରତ ଥିଲେ । ଜ୍ଞାନରଂଜନ ମହାପାତ୍ର ହେଲେ ସ୍ପେଶାଲ ବ୍ରାଞ୍ଚ ଏସପି । ଚିତ୍ତରଞ୍ଜନ ସାମନ୍ତ ହେଲେ ଭୁବନେଶ୍ବର ଏସପି- କମ୍ପ୍ୟୁଟର, ଭୁବନେଶ୍ୱର । ସେହିଭଳି ସୁଦାମ ଚରଣ ସାହୁ ହେଲେ କ୍ରାଇମ ଡିସିପି କମିଶନରେଟ ପୋଲିସ । ସୟଦ ମୁଜିବୁର ରେହମାନ ହେଲେ ଏସପି ସିଗନାଲସ, କଟକ । କିଶୋର କୁମାର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ଏସଟିଏଫ ଏସପି ଭାବେ ନିଯୁକ୍ତି ମିଳିଛି । ଏବେ ସେ କମିଶନରେଟ ପୋଲିସର ଡିସିପି ଭାବେ ନିଯୁକ୍ତ ଅଛନ୍ତି ।

୧୦୬ କନିଷ୍ଠ ଯନ୍ତ୍ରୀଙ୍କୁ ଜଳସମ୍ପଦ ବିଭାଗରେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜଳ ସଂପଦ ବିଭାଗରେ ୧୦୬ଜଣ ନୂତନ ମେକାନିକାଲ ଇଞ୍ଜିନିୟରଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ । ନିଯୁକ୍ତି ପତ୍ର ସହିତ ସମସ୍ତଙ୍କୁ ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ଟେକ୍ନୋଲୋଜି ମାଧ୍ୟମରେ ସମସ୍ତେ କାମ କରିବା ଆବଶ୍ୟକ । କଠିନ ପରିଶ୍ରମ ସହ ଫାଇବ-ଟି ଆଧାରରେ ସ୍ବଚ୍ଛତା ଆଣିବାକୁ ପରାମର୍ଶ ଦେଇଛନ୍ତି ନବୀନ ।

ରାଜ୍ୟର ବିଭିନ୍ନ ନଦୀରେ ଚାଲିଥିବା ଜଳ ପ୍ରକଳ୍ପ ଉପରେ ବୁଝାଇଛନ୍ତି ମୁଖ୍ୟମନ୍ତ୍ରୀ । ଜଳ ସଂରକ୍ଷଣ ଉପରେ ଗୁରୁତ୍ବ ଦେବାକୁ ସେ ଆହ୍ବାନ ଦେଇଛନ୍ତି । ଜଳ ସଂରକ୍ଷଣ ଦ୍ବାରା ବନ୍ୟା, ବାତ୍ୟା ସମୟରେ ଜନସାଧାରଣ ଉପକୃତ ହେବେ । ଚାଷୀ ମାନେ କିପରି ସହାୟତା ପାଇବେ ସେନେଇ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ଭୂତଳ ଜଳସ୍ତରରକୁ ବଢାଇବା ଦିଗରେ କାମ କରିବାକୁ ଗୁରୁତ୍ବ ଦେଇଛନ୍ତି ନବୀନ । କାର୍ଯ୍ୟକ୍ରମରେ ଜଳ ସଂପଦ ମନ୍ତ୍ରୀ ଟୁକୁନି ସାହୁ ଓ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବିଭାଗୀୟ ସଚିବ ଉପସ୍ଥିତ ଥିଲେ । ଫାଇବ ଟି ସଚିବ ଭି କେ ପାଣ୍ଡିଆନ ନବ ନିଯୁକ୍ତ ଇଞ୍ଜିନିୟରଙ୍କ ସହିତ ଆଲୋଚନା କରି ନିଜ ଉପରେ ବିଶ୍ବାସ ରଖି କାମ କରିବାକୁ ପରାମର୍ଶ ଦେଇଛନ୍ତି ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ବଡ଼ ସଫଳତା: ଲନ ବଲ୍ସରେ ସ୍ୱର୍ଣ୍ଣ ଜିତିଲା ଭାରତୀୟ ମହିଳା ଦଳ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଦଳ ରଚିଲା ନୂଆ ଇତିହାସ । ଲନ ବଲ୍ସରେ ମହିଳା ଟିମ ଜିତିଲା ସ୍ୱର୍ଣ୍ଣ ପଦକ । ଦକ୍ଷିଣ ଆଫ୍ରିକାକୁ ୧୭-୧୦ ପଏଣ୍ଟରେ ପରାଜିତ କରି ଇତିହାସ ରଚିଛି । ୯୨ ବର୍ଷ ଇତିହାସରେ ପ୍ରଥମଥର ପାଇଁ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି । ମହିଳା ଟିମର ଏହି ଇଭେଣ୍ଟରେ ଭାରତୀୟ ଦଳରେ ଲଭଲି ଚୌବେ, ପିଙ୍କି, ନୟାନମୋନି ସାଇକିୟା, ରୁପା ରାଣୀ ସାମିଲ ଅଛନ୍ତି ।

ଏମାନେ ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ । ଗତ ସେମିଫାଇନାଲ ମ୍ୟାଚରେ ନିଉଜିଲାଣ୍ଡକୁ ହରାଇ ଭାରତ ମେଡାଲ ପକ୍କା କରିଥିଲା । ଆଜିର ମ୍ୟାଚ ପ୍ରାୟ ଅଢ଼େଇ ଘଣ୍ଟା ଚାଲିଥିଲା । ମ୍ୟାଚର ପ୍ରଥମ ଭାଗରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲା ହେଲେ ମଧ୍ୟଭାଗରେ ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତ୍ତନ କରି ଭାରତ ପାଇଁ ସମସ୍ୟା ସୃଷ୍ଟି କରିଥିଲା ।

ହେଲେ ଭାରତୀୟ ମହିଳା ଶେଷରେ ଶ୍ରେଷ୍ଠ ପ୍ରଦର୍ଶନ କରି ୧୭-୧୦ରେ ମ୍ୟାଚଟିକୁ ଜିତି ଭାରତ ପାଇଁ ସ୍ୱର୍ଣ୍ଣ ଦେଇଛନ୍ତି । ଭାରତର ମୋଟ ମେଡାଲ ସଂଖ୍ୟା ଏବେ ୧୦କୁ ବୃଦ୍ଧି ପାଇଛି । ଏଥିରେ ୪ଟି ସ୍ୱର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି କାଂସ୍ୟ ପଦକ ସାମିଲ ରହିଛି । ଭାରତକୁ ଭାରତ୍ତୋଳନରେ ୭ଟି ପଦକ ମିଳିଥିବା ବେଳେ ଜୁଡୋରେ ଦୁଇଟି ପଦକ ଓ ଲନ ବଲରେ ଗୋଟିଏ ପଦକ ମିଳିଛି ।

ତାତିରୁ ମିଳିବ ଆଶ୍ୱସ୍ତି, ଆସନ୍ତାକାଲିଠୁ ସକ୍ରିୟ ହେବ ମୌସୁମୀ

ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ବସ୍ତି, କାଲିଠୁ ସକ୍ରିୟ ହେବ ମୌସୁମୀ । ଧାରା ଶ୍ରାବଣର ଶେଷ ଭାଗରେ ହେବ ପ୍ରବଳ ବର୍ଷା । ୪ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ପ୍ରଭାବରେ ୫ତାରିଖରୁ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସାମ୍ଭାବ୍ୟ ଲଘୁଚାପର ମୁକାବିଲା କରିବା ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସ୍ଆରସି ।

ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ସେପଟେ ଲଗାତର ୨ମାସରୁ ଅଧିକ ସମୟ ନିଅଣ୍ଟିଆ ବର୍ଷା ସ୍ଥିତି ପାଇଁ ଚିନ୍ତାରେ ଚାଷୀ । ଜୁନ୍ ମାସର ନିଅଣ୍ଟିଆ ବର୍ଷାକୁ କିଛି ପରିମାଣରେ ଭରଣା କରିଥିଲା ଜୁଲାଇର ଦୁଇଟି ଲଘୁଚାପ । କିନ୍ତୁ ମାସ ଶେଷରେ ଟାଣ ଖରା ପାଇଁ ଢିପ ଜମିରୁ ପାଣି ଶୁଖିଯାଇଛି ।

ଏହାସହ ସମତଳ ଜମିରେ ମଧ୍ୟ ଠିକ୍ ସମୟରେ ଚାଷ ହୋଇପାରିନି। ଶ୍ରୀଗୁଣ୍ଡିଚା ଠାରୁ ଧାନ ରୁଆ କାମ ଆରମ୍ଭ ହେବା କଥା । କିନ୍ତୁ ଏବେବି ପାଣି ପାଇଁ ଅଧିକାଂଶ ଜମିରେ ରୁଆ ଆରମ୍ଭ ହୋଇନାହିଁ। ଚାଷ କାମ ଦୁଇମାସ ବିଳମ୍ବ ହୋଇଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ବର୍ଷା ସ୍ୱାଭାବିକ ନହେବାରୁ ଚାଷ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଥିଲା । ବର୍ଷା ଖବର ଶୁଣିବା ପରେ ଚାଷୀ ଟିକେ ଆଶ୍ୱସ୍ତି ଲାଭ କରିଛନ୍ତି ।

ଦୁର୍ବଳ ମୌସୁମୀ ଏବଂ ମେଘମୁକ୍ତ ଆକାଶ ପାଇଁ ଗତ ଜୁନ୍ ୨୫ ତାରିଖରୁ ରାଜ୍ୟରେ ଚାଲିଛି ତାତିର ଅଘୋଷିତ କର୍ଫ୍ୟୁ । ୩୬ ଡିଗ୍ରୀ ଉପରେ ତାପାମାତ୍ରା ସହ ୬୦ରୁ ୭୦ ପ୍ରତିଶତ ହ୍ୟୁମିଡିଟି ପାଇଁ ଉପାନ୍ତରୁ ଉପକୂଳ ସବୁଠି ଚାଲିଛି ତାତିର ରାଜ୍। କିନ୍ତୁ କାଲିଠୁ ପାଗ ବଦଳିବା ସହ ସକ୍ରିୟ ହେବ ମୌସୁମୀ । ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୫୧୬.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ବର୍ଷା ଠାରୁ ୧୦ ପ୍ରତିଶତ କମ୍ । ୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୨ଟିରେ ସ୍ବାଭାବିକ ଠାରୁ ଅଧିକ ଏବଂ ୨୧ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।

୩ଦିନିଆ ମାଲକାନଗିରି ଗସ୍ତରେ ବିଏସଏଫ ଏଡିଜି ଆଶିଷ ଗୁପ୍ତା

ନନ୍ଦିଘୋଷ ବ୍ୟୁରୋ: ବିଏସ୍‌ଏଫ୍ ଏଡିଜି ଆଶିଷ ଗୁପ୍ତାଙ୍କ ୩ଦିନିଆ ମାଲକାନଗିରି ଓ ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ଏହି ସବୁ ଅଞ୍ଚଳ ଗସ୍ତ କରି ଏଡିଜି ଯବାନମାନଙ୍କ ସହ ଆଲୋଚନା କରିବା ସହ, ମାଓ ସ୍ଥିତି ନେଇ ସମୀକ୍ଷା କରିଥିଲେ । ସ୍ବାଭିମାନ ଅଞ୍ଚଳରେ ଏଡିଜି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ମାଓବାଦୀଙ୍କ ଗତିବିଧି ସଂପର୍କରେ ଅଧିକାରୀଙ୍କ ସହ କଥା ହୋଇଥିଲେ । କୋରାପୁଟ ଜିଲ୍ଲାର ବିଭିନ୍ନ ମାଓ କ୍ୟାମ୍ପରେ ୩ ହଜାର ଚାରା ଲଗାଇଥିଲେ ।

ବନ୍ତାଳଗୁଡାରେ ଆୟୋଜିତ ବିଏସଏଫ ସୈନିକ ସମ୍ମିଳନୀରେ ଯୋଗଦେଇ ଯବାନମାନଙ୍କ କଠିନ ପରିଶ୍ରମକୁ ପ୍ରସଂଶା କରିଥିଲେ ଏଡିଜି ଆଶିଷ ଗୁପ୍ତା । ବାଲିମେଳା ଜଳଭଣ୍ଡାରରେ ଅନ୍ୟ ଅଧିକାରୀଙ୍କ ସହ ଡଙ୍ଗାରେ ପାଟ୍ରୋଲିଂରେ ସାମିଲ ହେବା ସହ ବେଞ୍ଜେଓ୍ବାରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧି ଓ ଓଡିଶା-ଛତିଶଗଡ ସୀମାନ୍ତର ସ୍ଥିତି ନେଇ ଆକାଶମାର୍ଗରୁ ଅନୁଧ୍ୟାନ କରିଥିଲେ । ପୁର୍ବରୁ ଦିନେ ମାଓବାଦୀଙ୍କ ଗଡ ଥିବା ମାଲକାନଗିରି ଓ ସ୍ବାଭିମାନ ଅଞ୍ଚଳ ଏବେ ମାଓମୁକ୍ତ ହୋଇଥିବା ଓ ବିକାଶ ଧାରାରେ ସାମିଲ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ ।

ରାଜଧାନୀରେ ଚାଞ୍ଚଲ୍ୟ; ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ । ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ । ନହରକଣ୍ଟାସ୍ଥିତ ଶ୍ରୀଜୟଦେବ କଲେଜରେ ଘଟିଛି ଏଭଳି ଘଟଣା । NCC ଅଫିସରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଅଭିଯୋଗ ପାଇବା ପରେ ଆଭ୍ୟନ୍ତରୀଣ କମିଟି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ନେଇ ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି ।

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ଖୁବଶୀଘ୍ର ସତ୍ୟସତ୍ୟ ପଦାକୁ ଆସିବ । ଯଦି ଏଥିରେ ସଂପୃକ୍ତ ଅଧ୍ୟାପକଙ୍କ ସଂପୃକ୍ତି ନେଇ ସୂଚନା ମିଳେ ତେବେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ ବିଭାଗର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ତିର୍ତ୍ତୋଲ ଶାରଳା ସୂତାକଳ ପୁନରୁଦ୍ଧାର ପାଇଁ ପଦଯାତ୍ରା

ଭୁବନେଶ୍ୱର: ସୂତାକଳର ପୁନରୁଦ୍ଧାର ପାଇଁ ପଦଯାତ୍ରା । ତିର୍ତ୍ତୋଲ ଠାରୁ ଭୁବନେଶ୍ବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି ପୂର୍ବତନ କର୍ମଚାରୀ ଓ ସାମାଜିକ କର୍ମୀ। ତିର୍ତ୍ତୋଲର କଂଗ୍ରେସ ନେତା ତଥା ସାମାଜିକ କର୍ମୀ ଇଞ୍ଜିନିୟର ହିମାଂଶୁ ଭୂଷଣ ମଲ୍ଲିକ ଓ ତାଙ୍କ ସହଯୋଗୀ ମାନେ ଶାରଳା ସୂତାକଳକୁ ଋଣ ମୁକ୍ତ ଓ ପୁନଃଉଦ୍ଧାର କରିବା ଦାବିରେ ଗତକାଲି ଠାରୁ ପଦଯାତ୍ରାରେ ବାହାରି ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ।

ପୂର୍ବରୁ ଦସ୍ତଖତ ସଂଗ୍ରହ ଅଭିଯାନରେ ତିର୍ତ୍ତୋଲ ଜନତାଙ୍କ ପ୍ରାୟ ଦଶହଜାରରୁ ଅଧିକ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ତିର୍ତ୍ତୋଲରେ ଥିବା ଶାରଳା ସୂତାକଳ ଗତ ୧୯୯୯ ମସିହା ମହାବାତ୍ୟା ପରଠାରୁ ବନ୍ଦ ହୋଇ ପଡିଛି । ଏହି ସୂତାକଳରେ ୧୬ ଶହରୁ ଅଧିକ କର୍ମଚାରୀ କାମ କରୁଥିଲେ । ହାରାହାରି ୩୨ ଏକର ଜମିରେ ନିର୍ମିତ ହୋଇଥିବା ଏହି ସୂତାକଳର ୪ କୋଟି ୭୪ ଲକ୍ଷ ୩୭ ହଜାର ୮୬୫ ଟଙ୍କା ୠଣ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ୧୫ ଏକରରୁ ଅଧିକ ଜମି ଅକ୍ତିଆର କରିଛି।

ଯାହାର ବଜାର ମୂଲ୍ୟ ୫୬ କୋଟି ଟଙ୍କା ହେବ। ତେଣୁ ରାଜ୍ୟ ସରକାର ସୂତାକଳକୁ ନିଜ ଅକ୍ତିଆରକୁ ନେଇ ୠଣ ପରିଶୋଧ କରି ଜମି ଫେରାଇ ଆଣିବା ପାଇଁ ଅନୁରୋଧ କରାଯାଇଛି । ଏହା ସହ ସୂତାକଳର ପୁନରୁଦ୍ଧାର କରି ପୁଣି ଚାଲୁ କରାଯାଉ । ଯଦି ତାହା ଲାଭଦାୟକ ହେଉନାହିଁ ତେବେ ସେହି ଜମିକୁ ବ୍ୟବହାର କରି ଅନ୍ୟ ଶିଳ୍ପ ପ୍ରତିଷ୍ଠା କଲେ ସ୍ଥାନୀୟ ଅଞ୍ଚଳର ଯୁବକ ମାନେ ନିଯୁକ୍ତି ପାଇପାରିବେ ବୋଲି ହିମାଂଶୁ ଦାବି କରିଛନ୍ତି ।

କଳିଙ୍ଗ ଷ୍ଟାଡିୟମରେ ନେପାଳ-ବାଂଲାଦେଶ ମ୍ୟାଚ ବେଳେ ଠେଲାପେଲା

ଭୁବନେଶ୍ୱର: ନେପାଳ ଓ ବାଂଲାଦେଶ ମ୍ୟାଚ ସମୟରେ ଠେଲାପେଲା ଓ ଧକା ମରାମରି । ସାଫ ଅଣ୍ଡର ୨୦ ପ୍ରତିଯୋଗିତା ସମୟରେ ଏହି ଉତ୍ତେଜନା ସ୍ଥିତି ଦେଖିବାକୁ ମିଳିଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରତିଯୋଗିତାରେ ପ୍ରଥମ ମ୍ୟାଚରେ ଗଣ୍ଡଗୋଳ ହୋଇଛି । ମ୍ୟାଚ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ପକ୍ଷର ଖେଳାଳି ମାନେ ଉଭୟ ଉଭୟଙ୍କ ଉପରେ ଆକ୍ରମଣ କରିଥିଲେ ।

ଖେଳାଳିମାନେ ବିଧା, ମୁଥ ମାରୁଥିବାର ମଧ୍ୟ ଦେଖାଯାଇଛି । ମ୍ୟାଚ ସମୟରେ ଯୁକ୍ତତର୍କରୁ ଏହି ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଉଭୟ ଦଳର ଖେଳାଳି ଏହି ଗଣ୍ଡଗୋଳରେ ଆହତ ହୋଇଛନ୍ତି ।  ଫଳରେ କିଛି ସମୟ ପାଇଁ ମ୍ୟାଚ ସ୍ଥଗିତ ରହିଥିଲା । ଶେଷରେ ଉତ୍ତେଜନା କମିବା ପରେ ମ୍ୟାଚ ରେଫରି ଉଭୟ ପକ୍ଷର ଜଣେ ଲେଖା ଖେଳାଳିଙ୍କୁ ରେଡ଼ କାର୍ଡ ଦେଖାଇଥିଲେ ।

ଭିଜିଲାନ୍ସ ଜାଲରେ ଆରଆଇ ଓ ସ୍ୱାସ୍ଥ୍ୟକେନ୍ଦ୍ର କିରାଣୀ, ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବାଲେଶ୍ୱର: ଏବେ ଆକ୍ସନ ମୋଡରେ ଭିଜିଲାନ୍ସ ଦେଖାଯାଇଛି । ଦୁର୍ନୀତିଖୋର ଅଫିସର ଓ କର୍ମଚାରୀ ଏବେ ଭିଜିଲାନ୍ସ ସ୍କାନରରେ ରହିଛନ୍ତି । ସାଧାରଣ ଲୋକଙ୍କୁ ଶୋଷଣ କରି ଲାଞ୍ଚ ନେଉଥିବା ଅଧିକାରୀଙ୍କୁ ରେଡ ହ୍ୟାଣ୍ଡ ଧରୁଛି ଭିଜିଲାନ୍ସ । ଆଜି ମଧ୍ୟ ଦୁଇଟି ପୃଥକ ସ୍ଥାନରେ ଭିଜିଲାନ୍ସ ଲାଞ୍ଚ ନେବା ସମୟରେ ଧରିଛି ।ବାଲେଶ୍ୱର ଓ ଖୋର୍ଦ୍ଧାର ଦୁଇଟି ସ୍ଥାନରେ କର୍ମଚାରୀ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ଭିଜିଲାନ୍ସ ବାଲେଶ୍ବର ଜିଲ୍ଲା ସଦର ତହସିଲ ବଇଁଚା ଆରଆଇ ଡଲି ସେଠୀ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଡଲିଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଛି । ପାଣିରେ ବୁଡ଼ିଯାଇ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମାମଲାରେ ଆରଆଇ ତଦନ୍ତ ରିପୋର୍ଟ ଦେବାକୁ ଡଲି ସେଠୀ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବ ଯୋଜନା ଅନୁସାରେ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀ ତୁରନ୍ତ ଡ଼ଲିଙ୍କୁ କାବୁ କରି ନେଇଥିଲେ । ଭିଜିଲାନ୍ସ ଏକ ମାମଲା ରୁଜୁ କରି ଡଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସେହିପରି ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସ୍ବାସ୍ଥ୍ୟକେନ୍ଦ୍ର କିରାଣୀ । ମୃତ ବ୍ୟକ୍ତିଙ୍କ ପ୍ରମାଣପତ୍ର କରିଦେବାକୁ ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ ଖୋର୍ଦ୍ଧା ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କିରାଣୀ ଅନୁପ ଶତପଥୀ । ମାଡି ବସିଲା ଭିଜିଲାନ୍ସ । ଲାଞ୍ଚଟଙ୍କା ସହ କିରାଣୀଙ୍କୁ ରେଡହ୍ୟାଣ୍ଡେଡ ଧରିଛି ଭିଜିଲାନ୍ସ । ଚମ୍ପାଝର ଗାଁର ସୁନିଲ ତ୍ରିପାଠୀ ତାଙ୍କ ଜେଜେ ବାପା ଜେଜେ ମାଆଙ୍କ ମୃତ ପ୍ରମାଣ ପତ୍ର ପାଇଁ ହଳଦିଆ ସ୍ବାସ୍ଥ୍ୟ କେନ୍ଦ୍ରର କିରାଣୀ ଅନୁପ ଶତପଥୀଙ୍କ ସହ ଯୋଗାଯୋଗ କରିଥିଲେ । ପ୍ରମାଣପତ୍ର ପାଇଁ ଅନୁପ ୬ହଜାର ଟଙ୍କା ଦାବି କରିଥିଲେ । ଆଜି ନିଜ କାର୍ଯ୍ୟାଳୟରେ ଅନୁପ ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ।

ଦିଲ୍ଲୀରେ ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀରେ ଆଉ ଜଣେ ବ୍ୟକ୍ତି ମଙ୍କିପକ୍ସରେ ସଂକ୍ରମିତ ହୋଇଛନ୍ତି । ସଂକ୍ରମିତ ଜଣକ ନାଇଜେରିଆର ବୋଲି ଜଣାପଡିଛି । ସେ ଅନେକ ଦିନ ଧରି ଦିଲ୍ଲୀରେ ରହୁଥିଲେ । ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ତିନିରେ ପହଞ୍ଚିଛି । ସେପଟେ କେରଳରେ ମଧ୍ୟ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ରବିବାର ରାଜ୍ୟରେ ଜଣଙ୍କ ମୃତ୍ୟୁ ପରେ ଆଜି ଆଉ ଜଣେ ଚିହ୍ନଟ ହେବା ଆତଙ୍କ ସୃଷ୍ଟି କରିଛି । ୟୁଏଇ ଫେରନ୍ତା ଯୁବକ ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୦ ବର୍ଷୀୟ ସଂକ୍ରମିତ ମାଲାପୁରମରେ ଚିକିତ୍ସିତ ହେଉଛନ୍ତି ।

ଜୁଲାଇ ୨୭ରେ ୟୁଏଇରୁ ଫେରି କୋଜିକୋଡ୍ ଏୟାରପୋର୍ଟରେ ଓହ୍ଲାଇଥିଲେ । କେରଳରେ ମଙ୍କିପକ୍ସ ସଂକ୍ରମିତ ସଂଖ୍ୟା ୫ରେ ପହଞ୍ଚିଛି । ଏନେଇ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି। ଏଥିସହ ଦେଶରେ ୮ରେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ଆମେରିକାର କାଲିଫର୍ଣ୍ଣିଆରେ ବଢ଼ିଛି ସଂକ୍ରମଣ ସଂଖ୍ୟା । ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି କାଲିଫର୍ଣ୍ଣିଆ ସରକାର ଏଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । କାଲିଫର୍ଣ୍ଣିଆ ଆମେରିକାର ତୃତୀୟ ରାଜ୍ୟ, ଯେଉଁଠି ଏହି ଭାଇରସ୍‌କୁ ନେଇ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।