ଆଖି ହରାଇଲେ ବିଶିଷ୍ଟ ଲେଖକ ସଲମାନ ରଶଦି

1 min read

ନ୍ୟୁୟର୍କ: ଆକ୍ରମଣର ଶିକାର ହୋଇଥିବା ଭାରତୀୟ ବଂଶୋଦ୍ଭବ ଲେଖକ ସଲମାନ ରଶଦି ଏକ ଆଖି ହରାଇଛନ୍ତି । ତାଙ୍କର ଗୋଟିଏ ହାତ ମଧ୍ୟ ଅକାମୀ ହୋଇଯାଇଛି । ଏନେଇ ତାଙ୍କ ଏଜେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଅଗଷ୍ଟରେ ଆମେରିକାର ନ୍ୟୁୟର୍କ ସହରରେ ଏକ ସାହିତ୍ୟ କାର୍ଯ୍ୟକ୍ରମ ବେଳେ ରଶଦିଙ୍କ ଉପରେ ହିଂସକ ଆକ୍ରମଣ ହୋଇଥିଲା ।

ବୁକର୍ ପୁରସ୍କାର ବିଜେତା ତଥା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଲେଖକ ସଲମାନ ରଶଦିଙ୍କୁ ଷ୍ଟେଜ ଉପରେ ଜଣେ ଦୁର୍ବୃତ୍ତ ଛୁରାମାଡ କରିଥିଲା । ଏଥିରେ ସଲମାନଙ୍କ ବେକରେ ୩ଟି ଗମ୍ଭୀର ଆଘାତ ଲାଗିଥିଲା ହାତର ସ୍ନାୟୁ କଟିଯାଇଥିବାରୁ ତାଙ୍କର ଏକ ହାତ ଅକାମୀ ହୋଇଯାଇଛି । ଆକ୍ରମଣ ପରେ ତାଙ୍କ ଛାତି ଓ ଶରୀରରେ ୧୫ ଟି ଆଘାତ ହୋଇଥିଲା । ସଲମାନ ରଶଦି ନିଜ ଲେଖା ପାଇଁ ସାରା ବିଶ୍ବରେ ପରିଚିତ । ରଶଦିଙ୍କ ପୁସ୍ତକ The Satanic Versesକୁ ୧୯୮୮ ମସିହାରେ ଇରାନରେ ବ୍ୟାନ କରାଯାଇଥିଲା ।