ଗୁରୁବାର ସକାଳ ସାତରୁ ଧାମନଗର ପାଇଁ ପଡିବ ଭୋଟ

ଧାମନଗର: କିଏ ଜିତିବ ଧାମନଗର ବ୍ୟାଟେଲ । ମତଦାନ ପାଇଁ ସଜବାଜ ହେଉଛନ୍ତି ଧାମନଗରବାସୀ । କାହାକୁ ସମର୍ଥନ କରିବେ ଭୋଟର । ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ । ମୋଟ ୨ଲକ୍ଷ ୪୦ ହଜାର ୯୨ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ ଲକ୍ଷ ୧୬ ହଜାର ୫୭୯ ମହିଳା ଓ ୧ଲକ୍ଷ ୨୪ ହଜାର ୯୨ଜଣ ପୁରୁଷ ଅଛନ୍ତି ।

ଧାମନଗର ନିର୍ବାଚନମଣ୍ଡଳୀର ୨୫୨ଟି ବୁଥ ମଧ୍ୟରୁ ୬୦ଟି ଉତ୍ତେଜନାପ୍ରବଣ ଓ ୫୦ଟି ଅତି ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ ହୋଇଛି । କେବଳ ମହିଳାଙ୍କ ପାଇଁ ୫ଟି ବୁଥକୁ ପିଙ୍କ ବୁଥ ଭାବେ ଚିହ୍ନଟ କରାଯାଇଛି । ୨୫୨ ପୋଲିଂ ପାର୍ଟି, ୧ ହଜାର ୮ଜଣ ପୋଲିଂ ଅଧିକାରୀ, ୩୦ଜଣ ସେକ୍ସନ ଅଫିସର ଓ ୨ଜଣ ପର୍ଯ୍ୟବେକ୍ଷକ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଛନ୍ତି । ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ୪ କମ୍ପାନୀ ସିଆରପିଏଫ୍ ଓ ୨୫ ପ୍ଲାଟୁନ ସଶସ୍ତ୍ର ପୋଲିସ ବାହିନୀକୁ ନିୟୋଜିତ କରାଯାଇଛି । ଅବାଧ ଓ ନିରପେକ୍ଷ ଭୋଟ ଗ୍ରହଣ ପାଇଁ ୧୭୫ଟି ବୁଥର ୱେବକାଷ୍ଟିଂ କରାଯିବ ।