ବିଶ୍ବବିଦ୍ୟାଳୟ ଉପରେ ଖପ୍ପା ୟୁଜିସି, ରଦ୍ଦ ହୋଇପାରେ ଫିଟନେସ୍‌ ଅନୁମତି

ଭୁବନେଶ୍ବର: ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକୁ ୟୁଜିସିର କଡ଼ା ଚେତାବନୀ । କାହିଁକି କୋରୋନା କାଳରେ ନେଇଥିବା ନାମଲେଖା ଫିସ୍ ଫେରାଇ ନାହାନ୍ତି ସେନେଇ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକରେ ୟୁଜିସି ଖପ୍ପା । କୋରୋନା ସମୟରେ ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନଥିଲା । ତେଣୁ ନାମ ଲେଖା ଓ ମାଇଗ୍ରେସନର ସମ୍ପୂର୍ଣ୍ଣ ଫି ଫେରାଇବାକୁ ୟୁଜିସି ନିର୍ଦ୍ଦେଶ ଦେଇଥିଲେ । ହେଲେ ବିଭିନ୍ନ ସୂତ୍ରରୁ ଖବର ପାଇଁ ଅନେକ କଲେଜ ଖିଲାପ କରିଥିବା ଜାଣିବାକୁ ପାଇଛି ୟୁଜିସି।

ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଗୁଡ଼କର ଫିଟନେସ୍ ଅନୁମତି ରଦ୍ଦ କରାଯିବ । ଏଥିସହ ୟୁଜିସିର ଅନୁଦାନ ମଧ୍ୟ ସେହି କଲେଜକୁ ସ୍ଥଗିତ ରଖାଯାଇଛି । ଏ ସମ୍ପର୍କରେ ସବୁ ବିଶ୍ବବିଦ୍ୟାଳୟ କୂଳପତି ଓ କଲେଜ ଅଧ୍ୟକ୍ଷକୁ ଚିଠି ଲେଖାଯାଇଛି । ନିର୍ଦ୍ଦେଶକୁ ଅବମାନନା କରିଥିବା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ୟୁଜିସିର କୌଣସି କାମରେ ସାମିଲ କରାଯିବନି । ଯଦି ଡିମ୍ଡ ୟୁନିଭର୍ସିଟି ହୋଇଥିବ, ତେବେ କେନ୍ଦ୍ର ସରକାରଙ୍କୁ ଅନୁମତି ହଟାଇବାକୁ ସୁପାରିଶ କରାଯିବ । ସେହିପରି ରାଜ୍ୟ ସରକାରଙ୍କ ଅଧିନରେ ଥିବା ବିଶ୍ବବିଦ୍ୟାଳୟର ଅନୁମତି ରଦ୍ଦ ପାଇଁ ଆବେଦନ କରାଯିବ ।