ଏନକାଉଣ୍ଟରରେ ଏଲଇଟି କମାଣ୍ଡର ମୁଖତାର ଭଟ୍ଟ ନିପାତ, ସେନା ଶିବିରରେ କରିଥାନ୍ତେ ବଡ ଧରଣର ଆକ୍ରମଣ

1 min read

ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଲୱାମାର ଅବନ୍ତୀପୋରାରେ ଏନକାଉଣ୍ଟରେ ତିନି ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା । ଏନକାଉଣ୍ଟରରେ ଜଣେ ବିଦେଶୀ ଆତଙ୍କବାଦୀ ସାମିଲ ଥିବା ଜଣାପଡିଛି । କାଶ୍ମୀର ପୋଲିସର କହିବା ଅନୁସାରେ, ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଏ-ତୋଇବାର କମାଣ୍ଡର ମୁଖତାର ଭଟ୍ଟ ଅଛି । ମୁଖତାର ଅନ୍ୟ ଆତଙ୍କବାଦୀଙ୍କ ସହ ମିଶି ସୁରକ୍ଷାକର୍ମୀଙ୍କ ଶିବିରରେ ଆତ୍ମଘାତୀ ଆକ୍ରମଣ କରିବାକୁ ଷଡଯନ୍ତ୍ର ରଚିଥିଲା । ସେନା ଏବଂ ପୋଲିସ ମିଳିତ ଭାବେ ଏକ ବଡ଼ ଅଘଟଣକୁ ଏଡାଇବାରେ ସଫଳ ହୋଇଛନ୍ତି ।

ଆତଙ୍କବାଦୀଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ, ଗୋଟିଏ ୫୬ ରାଇଫଲ ଏବଂ ଗୋଟିଏ ପିସ୍ତଲ ଜବତ କରାଯାଇଛି । ମୁଖତାର ଭଟ୍ଟ ଜଣେ ଏଏସଆଇ ଏବଂ ସିଆରପିଏଫ, ଆରପିଏଫ ଯବାନଙ୍କ ହତ୍ୟାରେ ସାମିଲ ଥିଲା । ଆତଙ୍କବାଦୀଙ୍କ ନିପାତ ପରେ ସୁରକ୍ଷାକର୍ମୀ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି । ଆତଙ୍କବାଦୀ ଲୁଚି ରହିବା ନେଇ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା । ଏହାପରେ ସେମାନେ ଲୁଚି ରହିଥିବା ଘରକୁ ଘେରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ଆତଙ୍କୀମାନେ ଗୁଳି ମାଡ ଆରମ୍ଭ କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ତିନି ଆତଙ୍କବାଦୀ ନିପାତ ହୋଇଛନ୍ତି ।