spot_img
Home Blog Page 3970

ହାର ମାନିଲା ଜନସନ୍ ଆଣ୍ଡ ଜନସନ୍ କମ୍ପାନୀ, ଆସନ୍ତାବର୍ଷଠୁ ବନ୍ଦ ହେବ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ପାଉଡର 

ନୂଆଦିଲ୍ଲୀ: ଆସନ୍ତାବର୍ଷଠାରୁ ଜନସନ୍ ଆଣ୍ଡ ଜନସନ୍ ପକ୍ଷରୁ ଶିଶୁଙ୍କ ପାଇଁ ବିକ୍ରି ହେଉଥିବା ପାଉଡର ବନ୍ଦ ହୋଇଯିବ । ବଜାରରେ ଆଉ ଏହି ପାଉଡରର ବିକ୍ରି ହେବ ନାହିଁ । ପାଉଡର ଲଗାଇଲେ କ୍ୟାନସର ଭଳି ଦୁରାରୋଗ୍ୟ ହେଉଥିବାରୁ ଏନେଇ ଅନେକ ଅଭିଯୋଗ ହୋଇଥିଲା । ଗତ ଦୁଇ ବର୍ଷ ଭିତରେ କମ୍ପାନୀ ନାଁରେ ଅନେକ ଅଭିଯୋଗ ଆସିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ଏବେ ବି କମ୍ପାନୀ ପକ୍ଷରୁ କ୍ୟାନସର ଅଭିଯୋଗକୁ ଖଣ୍ଡନ କରାଯାଇଛି । ଅନେକ ବୈଜ୍ଞାନିକ ଗବେଷଣା କରିବା ପରେ ଏହା ସ୍ପଷ୍ଟ ଯେ ପାଉଡର ଲଗାଇଲେ କୌଣସି ରୋଗ ହୁଏ ନାହିଁ । କିନ୍ତୁ ଆଇନଗତ ଦିଗରେ କମ୍ପାନୀ ଅନେକ କ୍ଷତି ସହୁଥିବାରୁ ପାଉଡରକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଆଜି ଜଗାବଳିଆଙ୍କୁ ରାକ୍ଷୀ ପିନ୍ଧାଇବେ ଦେବୀ ସୁଭଦ୍ରା

ପୁରୀ: ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମୋତ୍ସବ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଦୁଇ ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ । ଭାଇ- ଭଉଣୀ ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୂପ ପାଟରା ବିଶୋୟୀଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ  ମହାପ୍ରଭୁଙ୍କୁ  ସେବକମାନେ ଲାଗି କରାଇବେ । ସେହିପରି ଆଜି ପ୍ରଭୁ ସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିବାକୁ ଥିବା ବେଳେ ମାର୍କଣ୍ଡ ପୁଷ୍କରିଣୀରେ ବଳଭଦ୍ରଙ୍କ ଜନ୍ମନୀତି ହେବ । ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଚଉଦୋଳରେ ବିଜେ କରାଇ ନୀତି ସମାପନ କରିବେ ।

ଓଡ଼ିଶା ଆହୁରି ଆଗକୁ ବଢ଼ିବ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ଦୁଇଟି ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାସଗୋବିନ୍ଦପୁର ବ୍ଲକ ଟିକପଦାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଓ କରଞ୍ଜିଆ ହାତୀବାରିରେ ଦେଓ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ କି ମୟୂରଭଞ୍ଜ ଚାଷୀମାନଙ୍କ ପାଇଁ ଆଜି ଖୁସିର ଦିନ । ଆଜି ଗୋଟିଏ ଦିନରେ ମୟୂରଭଞ୍ଜରେ ଦୁଇ ଦୁଇଟି ବଡ଼ ଜଳସେଚନ ପ୍ରକଳ୍ପ ଚାଷୀଭାଇ ମାନଙ୍କ ସେବାରେ ଉଦଘାଟନ୍ ହୋଇଛି । ସୁବର୍ଣ୍ଣରେଖା ପ୍ରକଳ୍ପରେ ୧୭ ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚନ କରାଯିବ । ଏହାଦ୍ୱାରା ଦୁଇଟି ଜିଲ୍ଲାର ୫୦ ହଜାରରୁ ଅଧିକ ଚାଷୀ ଉପକାର ପାଇବେ । ପ୍ରକଳ୍ପରେ ଏବେସୁଦ୍ଧା ୫୦ହଜାର ହେକ୍ଟରରୁ ଅଧିକ ଜମିକୁ ପାଣି ଯୋଗାଇ ଦିଆଯାଉଛି । ପୂରା ପ୍ରକଳ୍ପରେ ମୋଟ୍ ୭୦ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ହେବ । ସେହିପରି ଦେଓ ପ୍ରକଳ୍ପ ଦ୍ୱାରା କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ୧୦ ହଜାର ହେକ୍ଚର ଜମି ଖରିଫ ଋତୁରେ ଜଳସେଚିତ ହେବ । ଏଥିରେ ଶହେଟି ଗାଁର ପ୍ରାୟ ୨ ଲକ୍ଷ ଚାଷୀ ପରିବାର ଉପକାର ପାଇବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ରାଜ୍ୟ ସରକାର କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା, ଜନଜାତି କଲ୍ୟାଣ, ମହିଳା ସଶକ୍ତିକରଣକୁ ଫୋକସ୍ କରିଛନ୍ତି । କାଳିଆ ଯୋଜନା ହେଉ କି ମିଶନ୍ ଶକ୍ତି ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଏସବୁ କାର୍ଯ୍ୟକ୍ରମ ଲୋକଙ୍କ ଆଦର ପାଇଛି । ସେହିପରି 5T ଜରିଆରେ ସ୍କୁଲ ରୂପାନ୍ତରଣ ସରକାରୀ ସ୍କୁଲ ପିଲାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇଛି । ମୟୂରଭଞ୍ଜର ଗାଁ ସ୍କୁଲରେ ବସି ଗୋଟେ ପିଲା ବିଶ୍ୱସ୍ତରର ଶିକ୍ଷା ଓ ସୁବିଧା ପାଉଛି । ଏହାଦ୍ୱାରା କେବଳ ସେ ପିଲା ନୁହେଁ ସାରା ଓଡ଼ିଶା ଆଗକୁ ବଢୁଛି । ଜନଜାତିଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ ମିଳୁଛି । ଶିକ୍ଷା ଓ ରୋଜଗାର ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରହିଛି । ଜନଜାତି ପିଲାମାନେ ନିଜ ଦକ୍ଷତା ବଳରେ ଦେଶ ବିଦେଶରେ ସୁନାମ ଆଣୁଛନ୍ତି ।

ରାଜ୍ୟ ବିକାଶରେ ମୟୂରଭଞ୍ଜର ବିଶେଷ ଭୂମିକା ରହିଛି । ଏହି ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ପବିତ୍ର ମାଟିକୁ ପ୍ରଣାମ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୟୂରଭଞ୍ଜ ମାଟି କଳା ଓ ସଂସ୍କୃତିର ମାଟି । ସାରା ଦେଶରେ ମୟୂରଭଞ୍ଜର ରହିଛି ସ୍ୱତନ୍ତ୍ର ପରିଚୟ । ମୟୂରଭଞ୍ଜର ଜନଜାତି ଭାଇଭଉଣୀଙ୍କର ରହିଛି ସମୃଦ୍ଧ ପରମ୍ପରା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ମାଟିର ଝିଅ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

 

ସୁବର୍ଣ୍ଣରେଖା ଓ ଦେଓ ଜଳ ସେଚନ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜ: ମୟୂରଭଞ୍ଜରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜ ଜିଲ୍ଲାର ଦୁଇ ପ୍ରାନ୍ତରେ ଦୁଇଟି ମଧ୍ୟମ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜ ରାସଗୋବିନ୍ଦପୁର ବ୍ଲକ ଟିକପଦାରେ ୬୮୫କୋଟି ବ୍ୟୟରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଶୁଭାରମ୍ଭ ହୋଇଛି । ଏଥିରେ ଅତିରିକ୍ତ ୧୭ ହଜାର ୧୨୧ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ହୋଇଛି । ଏହାଦ୍ୱାରା ଉଭୟ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାର ୫୫ ହଜାର ଚାଷୀ ଉପକୃତ ହେବେ ।

ମୟୂରଭଞ୍ଜର ୧୧ ହଜାର ୬୮୮ ହେକ୍ଟର  ଓ ବାଲେଶ୍ୱରର ୫ ହଜାର ୪୩୩ ହେକ୍ଟର ଜମି ଜଳସେଚିତ ହେବ । ମୟୂରଭଞ୍ଜ ଜିଲ୍ଲାର ୭ଟି ବ୍ଲକର ୬୪ଟି ଗାଁ ଓ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକର ୨୩ଟି ଗାଁର ଚାଷୀ ଉପକୃତ ହେବେ । ସେହିପରି କରଞ୍ଜିଆ ସବଡିଭିଜନର ହାତୀବାରିରେ ଦେଓ ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରଞ୍ଜିଆ ହାତୀବାରିରେ ୮୨୩ କୋଟି ବ୍ୟୟରେ ଦେଓନଦୀ ଉପରେ ନିର୍ମିତ ହୋଇଛି ୧ ହଜାର ୨୮୦ ମିଟର ଦୈର୍ଘ୍ୟ ବିଶିଷ୍ଟ ନଦୀବନ୍ଧ । ଉଭୟ ବାମ ଓ ଦକ୍ଷିଣ ପାର୍ଶ୍ୱରେ ୫୮ କିଲୋମିଟରର କେନାଲ ଦ୍ୱାରା ୩ଟି ବ୍ଲକର ୯ ହଜାର ୯୦୦ ହେକ୍ଟର ଜମି ଜଳସେଚିତ ହେବ । ଏହା ଦ୍ୱାରା ଶହେଟି ଗାଁର ପ୍ରାୟ ୨ ଲକ୍ଷ ଲୋକ ଉପକୃତ ହେବେ । ଏହି ପ୍ରକଳ୍ପ ଦ୍ୱାରା ପଡ଼ୋଶୀ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକର ୩ ହଜାର ୨୨୩ ହେକ୍ଟର ଚାଷଜମିକୁ ମଧ୍ୟ ପ୍ରକଳ୍ପ ପାଣି ଯୋଗାଇବ ।

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୧ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ସନ୍ଧ୍ୟା ୫ଟା ୪୫ରେ ମୁଖ୍ୟମନ୍ତ୍ରୀ ନବୀନଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଆଜି ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିପାରେ । ନାରୀ ସଶକ୍ତିକରଣ ଓ ଆଦିବାସୀ କଲ୍ୟାଣ ଉପରେ ଆଜିର କ୍ୟାବିନେଟ ମିଟିଂରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇପାରେ ।

ୟୁକ୍ରେନ ଜେପୋରିଜିୟା ଆଣବିକ ପ୍ଲାଣ୍ଟରେ ଘଟିପାରେ ଅଘଟଣ, ସତର୍କ କରାଇଲା IAEA

କିଭ୍: କୌଣସି ମୁହୂର୍ତ୍ତରେ ୟୁକ୍ରେନ ଜେପୋରିଜିୟା ଆଣବିକ ପ୍ଲାଣ୍ଟରେ ଘଟିପାରେ ଅଘଟଣ । ଉଭୟ ଋଷ ଓ ୟୁକ୍ରେନ ସୈନ୍ୟ ୟୁରୋପର ସର୍ବବୃହତ ଆଣବିକ ପ୍ଲାଣ୍ଟ ନିକଟରେ ଗୁଳିଗୋଳା ବର୍ଷଣ କରୁଥିବାରୁ ଆଗୁଆ ସତର୍କ କରାଇଛି ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା ବା IAEA । ପ୍ଲାଣ୍ଟର ତେଜଷ୍କ୍ରିୟ ଗୋଦାମ ନିକଟରେ ୫ଟି ରକେଟ ମାଡ଼ ହେବାରୁ ଗଭୀର ଆଶଙ୍କା ବ୍ୟକ୍ତ କରିଛି IAEA । ଜେପୋରିଜିୟା ପ୍ଲାଣ୍ଟ ଗତ ମାର୍ଚ୍ଚରୁ ଋଷବାହିନୀ କବଜାରେ ଥିବା ସତ୍ତ୍ୱେ ଏହାକୁ ହାତଛଡ଼ା କରିବାକୁ ଚାହୁଁନାହିଁ ୟୁକ୍ରେନ ବାହିନୀ । ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ସଂସ୍ଥାର ମୁଖ୍ୟ ରାଫେଲ ଗ୍ରସି ଏନେଇ ସତର୍କ କରାଇଛନ୍ତି । ଯୁଦ୍ଧର ଗତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଥିବାବେଳେ ଜେପୋରିଜିୟା ଆଣବିକ ପ୍ଲାଣ୍ଟକୁ କବଜା କରିବା ଲାଗି ଚାଲିଛି ସଂଘର୍ଷ । ତୁରନ୍ତ ଏହି ପ୍ଲାଣ୍ଟ ନିକଟକୁ ଏକ ଟିମ୍ ପଠାଇବା ଲାଗି IAEAକୁ ଅନୁମତି ଦିଆଯାଉ ବୋଲି କହିଛନ୍ତି ଗ୍ରସି ।

ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି- ୟୁକ୍ରେନକୁ ଋଷ ଆଣବିକ ବ୍ଲାକମେଲ୍ କରିବାରେ ଲାଗିଛି । ଯଦି ତୁରନ୍ତ ଏହି ସଙ୍କଟ ନ ଟଳେ ତେବେ ୧୯୮୬ର ଚେର୍ଣ୍ଣୋବିଲ ଦୁର୍ଘଟଣା ପରି ବଡ଼ ଦୁର୍ଘଟଣା ଘଟିପାରେ । ଦେଶ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ଜେଲେନସ୍କି କହିଛନ୍ତି- କେବଳ ୟୁକ୍ରେନରୁ ଋଷ ବିଦା ହେଲେ ହିଁ ଆଣବିକ ନିରାପତ୍ତା ପ୍ରତିଷ୍ଠା ହୋଇପାରିବ । ବର୍ତ୍ତମାନ ଏହି ପ୍ଲାଣ୍ଟ ନିକଟରେ ଉଭୟ ପକ୍ଷର ବହୁ ସଂଖ୍ୟକ ସୈନ୍ୟ ରହିଛନ୍ତି ଏବଂ ପ୍ଲାଣ୍ଟର ନିରାପତ୍ତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେଣେ ୟୁକ୍ରେନର ଆଣବିକ ସଂସ୍ଥା ଏନର୍ଗୋଟମ ପକ୍ଷରୁ କୁହାଯାଇଛି ଜେପୋରିଜିୟା ପ୍ଲାଣ୍ଟ ନିକଟରେ ସମସ୍ତ ନିୟମ ଉଲ୍ଲଂଘନ କରି ଋଷ ବାହିନୀ ଗୁଳିଗୋଳା ବର୍ଷଣ କରୁଥିବାରୁ ସ୍ଥିତି ସଂଗୀନ ହୋଇଛି । ପ୍ଲାଣ୍ଟର ୬ଟି ରିଆକ୍ଟର ମଧ୍ୟରୁ ଗୋଟିଏ ରିଆକ୍ଟରରେ ଅନେକ ରେଡିଏସନ ସେନସର ନଷ୍ଟ ହୋଇଛି । ନ୍ୟୁୟର୍କରେ ବସିଥିବା ନିରାପତ୍ତା ପରିଷଦ ବୈଠକରେ ୟୁକ୍ରେନକୁ IAEAର ଏକ ପ୍ରତିନିଧି ମଣ୍ଡଳୀ ପଠାଇବା ଲାଗି ମଧ୍ୟ ସହମତି ପ୍ରକାଶ ପାଇଛି । ତେଣେ ଋଷ ବିରୋଧରେ ନିଆଯାଉଥିବା ଯୁଦ୍ଧ କୌଶଳ ସମ୍ପର୍କରେ ରିପୋର୍ଟରମାନଙ୍କୁ କୌଣସି ସୂଚନା ନଦେବା ଲାଗି ସରକାରୀ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜେଲେନସ୍କି ।

ଆକ୍ସନ ମୋଡରେ BMC, କଳିଙ୍ଗ ହସ୍ପିଟାଲ ଛକରୁ ଡମଣା ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର: ବିଏମସିର ମିଶନ ସଫେଇ । ଆକ୍ସନ ମୋଡ଼ରେ ଭୁବନେଶ୍ୱର ମହାନଗର ନିଗମ । ପରିମଳ ଓ ସ୍ଵଚ୍ଛତା ବଜାୟ ରଖିବାକୁ ବାରମ୍ବାର ତାଗିଦ ସତ୍ତ୍ୱେ ଏଥିରେ ଖିଲାପ କରୁଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ନିଆଯାଇଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ଡଷ୍ଟବିନ ବ୍ୟବହାର ନକରି ଏଣେତେଣେ ବାହାରେ ଅଳିଆ ପକାଇଥିବା ଆଳିଆକୁ ସଫେଇ କର୍ମଚାରୀଙ୍କ ଜରିଆରେ ପୁଣି ସମ୍ପୃକ୍ତ ବ୍ୟକ୍ତି ତଥା ବ୍ୟବସାୟିକ ପ୍ରତିଷ୍ଠାନ ଭିତରେ ବିଏମସି ପକ୍ଷରୁ ପକାଯାଇଥିଲା । ଲୋକେ ସଚେତନ ନହେଲେ ଆଗକୁ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ବିଏମସି କମିଶନର ସ୍ପଷ୍ଟ କରିଛନ୍ତି ।

ସେପଟେ ଭୁବନେଶ୍ୱରର ଟ୍ରାଫିକ ସମସ୍ୟାର ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଭି କେ ପାଣ୍ଡିଆନ ବିଭିନ୍ନ ସ୍ଥାନ ପରିଦର୍ଶନ କରିଥିଲେ । ସମସ୍ୟାର ସମାଧାନ ପାଇଁ ତୁରନ୍ତ ବିଭିନ୍ନ ପଦକ୍ଷେପ ନେବାକୁ ବିଏମସି ଓ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ । ଏହାପରେ ଆଜି ଆକ୍ସନ ମୋଡ଼ରେ ଆସିଛି ବିଏମସି । ପ୍ରଥମ ପର୍ଯ୍ୟାୟରେ କଳିଙ୍ଗ ହସ୍ପିଟାଲ ଛକ ନିକଟରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତାକଡ଼ ଜବରଦଖଲ ଉଚ୍ଛେଦ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଛି। ଡ୍ରେନ ଜବର ଦଖଲ, ବେନିୟମ ହୋର୍ଡିଂ ଓ ପୋଷ୍ଟର ସବୁ ହଟାଯାଇଥିଲା । ବହୁ ବ୍ୟବସାୟୀଙ୍କଠାରୁ ମଧ୍ୟ ଜରିମାନା ଆଦାୟ କରାଯାଇଥିଲା ।

 

ପ୍ରବଳ ବର୍ଷା ପରେ ଫୁଲୁଛି ମହାନଦୀ

କଟକ: ଫୁଲୁଛି ମହାନଦୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଏବେ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି । ମୁଣ୍ଡଳିଠାରେ ମହାନଦୀର ଉପରମୁଣ୍ଡରେ ୮୫.୨୦ ମିଟର ଓ ତଳ ମୁଣ୍ଡରେ ୮୩.୦୦ ମିଟର ରହିଥିବା ବେଳେ ମୁଣ୍ଡଳି ବ୍ୟାରେଜ ଦେଇ ୩ ଲକ୍ଷ ୭୮ ହଜାର ୫୨୦ କ୍ୟୁସେକ ଜଳ ପ୍ରବାହିତ ହେଉଛି । ସେହିପରି ନରାଜ ବ୍ୟାରେଜର ଉପରମୁଣ୍ଡରେ ୨୪.୯୦ ମିଟର ଓ ତାଳମୁଣ୍ଡରେ ୨୧.୭୫ ମିଟର ରହିଛି ଏବଂ ନରାଜ ବ୍ୟାରେଜ ଦେଇ ବର୍ତ୍ତମାନ ୧ ଲକ୍ଷ ୪୮ ହଜାର କ୍ୟୁସେକ ପ୍ରବାହିତ ହୋଇଛି । ମହାନଦୀରେ ବିପଦ ସଂକେତ ତଳେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ତଳିଆ ଅଞ୍ଚଳ ପ୍ରତି କୌଣସି ବିପଦ ନଥିବା ସୂଚନା ଦେଇଛନ୍ତି ।

ସେପଟେ ଛତିଶଗଡ଼ରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଛି ଜଳସ୍ତର । ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ୩ ଲକ୍ଷ ୯୨ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୧୪ଟି ଗେଟ ମାଧ୍ୟମରେ ୨ ଲକ୍ଷ ୫୦ ହଜାର ଘନଫୁଟ ଜଳ ନିଷ୍କାସନ ହେଉଛି । ବର୍ତମାନ ୬୧୫ ଫୁଟରେ ଜଳସ୍ତର ପହଂଚିଥିବାବେଳେ ୬୩୦ ଫୁଟ ସର୍ବାଧିକ ଜଳଧାରଣ କ୍ଷମତା ରହିଛି । ହୀରାକୁଦରେ ଜଳସ୍ତର ବୃଦ୍ଧି ହେବାରୁ ଆଜି ଆଉ ୪ଟି ଗେଟ୍ ଖୋଲିଛି । ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପଟୁ ୮ ଓ ଡାହାଣ ପାର୍ଶ୍ବରୁ ୬ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଛି ।

ହୀରାକୁଦରେ ବଢ଼ୁଛି ଜଳସ୍ତର, ୧୪ ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ଛତିଶଗଡ଼ରେ ବର୍ଷା ଲାଗି ରହିଥିବାରୁ ଦ୍ରୁତ ଗତିରେ ବଢ଼ିଚାଲିଛି ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର । ଖୋଲିଲା ହୀରକୁଦର ଆଉ ୪ଟି ଗେଟ୍ । ମୋଟ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପଟୁ ୮ ଓ ଡାହାଣ ପାର୍ଶ୍ୱରୁ ୬ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଛି । ହୀରାକୁଦ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ଡ୍ୟାମ୍ ଭିତରକୁ ୩ ଲକ୍ଷ ୯୨ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୧୪ଟି ଗେଟ୍ ମାଧ୍ୟମରେ ୨ ଲକ୍ଷ ୫୦ ହଜାର ଘନଫୁଟ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ୬୧୫ ଫୁଟରେ ଜଳସ୍ତର ପହଂଚିଥିବାବେଳେ ୬୩୦ ଫୁଟ ସର୍ବାଧିକ ଜଳଧାରଣ କ୍ଷମତା ରହିଛି ତେଣୁ ଆଜି ଯେ କୌଣସି ସମୟରେ ଅଧିକ ଗେଟ ଖୋଲାଯିବା ନେଇ ସୂଚନା ମିଳିଛି ।

ଜଳକାରେ ବନ୍ୟା ଆଶଙ୍କା, ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳସ୍ତର

ବାଲେଶ୍ୱର: ଜଳକାରେ ବନ୍ୟା ଆଶଙ୍କା । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକାର ଜଳସ୍ତର । ବସ୍ତା ବ୍ଲକ ମଥାନୀଠାରେ ବିପଦ ସଂକେତ ୫.୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୨୫ ମିଟରରେ ପ୍ରବାହିତ ହେଉଛି । ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ଜଳକା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି ।

ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ନଦୀ ତଟବର୍ତ୍ତି ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ସୁଳିଆପଦା, ମୋରଡ଼ା, ଚିତ୍ରଡ଼ା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢ଼ୁଛି ନଦୀର ଜଳସ୍ତର । ବସ୍ତା ଏବଂ ସଦର ବ୍ଲକର ପ୍ରାୟ ୧୨ ପଞ୍ଚାୟତର ୫୦ରୁ ଉର୍ଦ୍ଧ୍ୱ ଗାଁ ଜଳମଗ୍ନ ହେବାର ସମ୍ଭାବନା ରହିଛି ।