ଭୋଟ ଦେଉଛି ଧାମନଗର, ସଂଧ୍ୟା ୬ଟା ଯାଏଁ ମତଦାନ କରିବେ ୨ଲକ୍ଷ ୪୦ହଜାର ଭୋଟର

ଭଦ୍ରକ: ଧାମନଗର ବ୍ୟାଟଲ ପାଇଁ ଆରମ୍ଭ ହେଲା ପୋଲିଂ । ନୂଆ ବିଧାୟକଙ୍କୁ ନିର୍ବାଚିତ କରୁଛନ୍ତି ଧାମନଗରବାସୀ । ମଇଦାନରେ ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀ ଥିବା ବେଳେ ସମସ୍ତ ଦଳ ଲାଗି ନିର୍ବାଚନ ପାଲଟିଛି ଅଗ୍ନିପରୀକ୍ଷା । ତିନି ପ୍ରମୁଖ ଦଳର ପ୍ରାର୍ଥୀ ବିଭିନ୍ନ ପ୍ରସଙ୍ଗକୁ ନେଇ ମଇଦାନକୁ ଓହ୍ଲାଇଛନ୍ତି  । ସେପଟେ ଧାମନଗରବାସୀ କାହାକୁ ବିଜୟ ମୁକୁଟ ପିନ୍ଧାଇବେ, ସେନେଇ ରହିଛି ଉତ୍କଣ୍ଠା ।

ଉପନିର୍ବାଚନରେ ୨ଲକ୍ଷ ୪୦ହଜାର ଭୋଟର ମତଦାନ କରିବେ । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ୨୫୨ ପୋଲିଂ ପାର୍ଟି ୧ ହଜାର ୮ ଜଣ ପୋଲିଂ କର୍ମଚାରୀ ଉପସ୍ଥିତିରେ ୨୫୨ଟି ବୁଥରେ ଚାଲିଛି ଭୋଟଦାନ ପ୍ରକ୍ରିୟା । ଏଥିରେ ୫ଟି ପିଙ୍କ ବୁଥ ଥିବା ବେଳେ ୨୦ଟି ଆଦର୍ଶ ବୁଥ ରହିଛି । ନିର୍ବାଚନରେ କିଏ ମାରିବେ ବାଜିମାତ୍ ଆସନ୍ତା ୬ ତାରିଖରେ ତାହା ହେବ ସ୍ପଷ୍ଟ ।