ପଦ୍ମଫୁଲ ଦେଇ ବିଜେପି ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛି: ବିଜେଡି

ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ପରାଜୟ ଭୟରେ ବିଜେପି ଅନେକ ବେଆଇନ୍ ପଦକ୍ଷେପ ଗ୍ରହଣ କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି । ଆସନ୍ତାକାଲି ଭୋଟଗ୍ରହଣ ପୂର୍ବରୁ ଓ ମତଦାନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଏଭଳି କିଛି ଯୋଜନା ପ୍ରସ୍ତୁତ କରିଛି ବିଜେପି । ଏ ସଂପର୍କିତ ଏକ ଭିଡିଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଦାଖଲ କରିଛି ।

ଏଥିରେ ଅସୁରାଳି ଗ୍ରାମପଞ୍ଚାୟତର ସରପଞ୍ଜ ମିନତୀ ସାହୁ ଓ ତାଙ୍କ ସହଯୋଗୀଙ୍କ ସହିତ ବିଜେପି ଚିହ୍ନ ପଦ୍ମଫୁଲ ସହ ବିଭିନ୍ନ ସାମଗ୍ରୀ ବଣ୍ଟନ ପାଇଁ ଯୋଜନା ପ୍ରସ୍ତୁତ ହେଉଥିବା ପ୍ରମାଣ ରହିଛି । ନିର୍ବାଚନ ପ୍ରଚାର ଶେଷ ହୋଇଯାଇଥିବା ବେଳେ ବିଜେପିର ଏଭଳି ପ୍ରୟାସ କମିଶନଙ୍କ ଗାଇଡଲାଇନର ଖୋଲାଖୋଲି ଉଲଙ୍ଘନ ଓ ଏହା ବେଆଇନ୍ ।

ଏହାସହିତ ବିଜେପି ସ୍ବର୍ଗତ ବିଷ୍ଣୁ ସେଠୀଙ୍କର ଶହେ ମିଟର ଲମ୍ବା ଫଟୋ ସବୁ ପୋଲିଂ ବୁଥ ଆଗରେ ଲଗାଇବାକୁ ଯୋଜନା କରିଥିବା ବିଜେଡି ଅଭିଯୋଗ କରିଛି । ଏନେଇ ଦଳ ପାଖରେ ବିଶ୍ବସ୍ତସୂତ୍ରରୁ ଖବର ଥିବା ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ସିଇଓଙ୍କ ପାଖରେ ଅଭିଯୋଗ କରିଛନ୍ତି । ସାଇଲେଣ୍ଟ ପିରିୟଡ ଚାଲିଥିବା ବେଳେ ବିଷ୍ଣୁ ସେଠୀଙ୍କ ଫଟୋକୁ ନେଇ ଅନୁକମ୍ପା ଭୋଟ ହାତେଇବାକୁ ଏଭଳି ହୀନ ପ୍ରୟାସକୁ ବିଜେଡି ବିରୋଧ କରିବା ସହ ପ୍ରଶାସନ ଏହାକୁ ତୁରନ୍ତ ବନ୍ଦ କରିବାକୁ ଦାବି କରିଛି ।