ସହର ପାର୍ଶ୍ୱବର୍ତ୍ତୀ ଅଂଚଳରେ ମୌଳିକ ସୁବିଧା ବିକାଶ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

1 min read

ଭୁବନେଶ୍ୱର: ପ୍ରମୁଖ ସହର ଗୁଡ଼ିକର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ଗମନାଗମନ ସହ ମୌଳିକ ସେବା-ଭିତ୍ତିଭୂମି ବିକାଶ ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନ ସଭାଗୃହରେ ରାଜଧାନୀ ସମେତ ବଡ଼ ବଡ଼ ମହାନଗର ନିଗମ ଅଂଚଳର ବିକାଶ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍ ସହରାଞ୍ଚଳ ବିକାଶ ପାଇଁ ଆନ୍ତଃ-ବିଭାଗୀୟ ସମନ୍ୱୟ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ରାଜ୍ୟର ଦୃଢ଼ ବର୍ଦ୍ଧିଷ୍ଣୁ ପ୍ରମୁଖ ସହର ସହର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ସୁଗମ ଯୋଗାଯୋଗ ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବଡ଼ ବଡ଼ ସହର ଗୁଡ଼ିକରେ ବିଭିନ୍ନ ପ୍ରକାର ନିଯୁକ୍ତି ଓ ଜିବୀକା ସୁଯୋଗ ସୃଷ୍ଟି ହୋଇଥାଏ । ବିଭିନ୍ନ ଆର୍ଥିକ ବର୍ଗର ଲୋକମାନେ ଏହାର ସୁଯୋଗ ନେଇଥାଆନ୍ତି ।

ଯେଉଁମାନେକି ମୁଖ୍ୟତଃ ପାର୍ଶ୍ୱବର୍ତ୍ତୀ ଅଂଚଳରେ ବସବାସ କରିଥାନ୍ତି । ତା ଛଡ଼ା ନିଜର ବୃତ୍ତି, ଶିକ୍ଷା, ଚିକିତ୍ସା ଜମିଜମା ଖର୍ଦ୍ଦି-ବିକ୍ରୀ, ନ୍ୟାୟାଳୟ କାର୍ଯ୍ୟ, ଉତ୍ପାଦ ଦ୍ରବ୍ୟ ବିକ୍ରୀବଟା ଓ ବାଣିଜ୍ୟ ଆଦି ପାଇଁ ଅନେକ ଲୋକ ଦୈନିକ ସହରକୁ ଯିବା ଆସିବା କରିଥାଆନ୍ତି । ପାର୍ଶ୍ୱବର୍ତ୍ତୀ ଅଂଚଳରେ ଉତ୍ତମ ରାସ୍ତା ତିଆରି ହେଲେ ସହରକୁ ଯିବା ଆସିବା ସୁଗମ ହେବ । ଟ୍ରାଫିକ୍ ଭିଡ଼ ଓ ଦୁର୍ଘଟଣା ଆଦି କମିବ । ତା ଛଡ଼ା ସହର ପାର୍ଶ୍ୱବର୍ତ୍ତୀ ଅଂଚଳରେ ଗୁଣାତ୍ମକ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଓ ନାଗରିକ ସେବାକେନ୍ଦ୍ର ଆଦି ବିକଶିତ ହେଲେ ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତ୍ତି ହେବ ।

ସହର ଉପରେ ମଧ୍ୟ ଆବାସିକ-ଚାପ କମିବ । ତେଣୁ ବିଭିନ୍ନ ପ୍ରମୁଖ ସହରର ପାର୍ଶ୍ୱବର୍ତ୍ତୀ ଅଂଚଳମାନଙ୍କରେ ରାସ୍ତା ପ୍ରଶସ୍ତିକରଣ ସହ ବିଭିନ୍ନ ମୌଳିକ ସେବାର ଉନ୍ନତି ପାଇଁ ଏକ ୫-ବର୍ଷିଆ କାର୍ଯ୍ୟ ଯୋଜନା ଚିଠା ପ୍ରସ୍ତୁତ କରିବା ନିମନ୍ତେ ଶ୍ରୀ ମହାପାତ୍ର ପୁର୍ତ୍ତ, ଗ୍ରାମ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ଏବଂ ଜଳ ସଂପଦ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସହରକୁ ବିଭିନ୍ନ ଦିଗରୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକର ଚିହ୍ନଟ କରି ସେସବୁର ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଚିହ୍ନିତ ରାସ୍ତା ଗୁଡ଼ିକ ମଧ୍ୟରେ ଆନ୍ତଃ-ସଂଯୋଗୀକରଣ ମାଧ୍ୟମରେ ଏକ ରୋର୍ଡ ନେଟ୍-ଓ୍ୱାର୍କ ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏକ ମାସ ମଧ୍ୟରେ ଏହି କାର୍ଯ୍ୟ ଯୋଜନା ତିଆରି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ପାନୀୟ ଜଳ ଓ ନର୍ଦ୍ଦମା ପାଇପ୍, ବିଭିନ୍ନ ପ୍ରକାର କେବୁଲ ଆଦି ନିମନ୍ତେ ସହର ମଧ୍ୟସ୍ଥ ରାସ୍ତାକୁ କାଟିବା, ପ୍ରଶସ୍ତିକରଣ ନିମନ୍ତେ ଚିହ୍ନିତ ରାସ୍ତା ଓ ଛକ ସ୍ଥାନମାନଙ୍କରୁ ବିଦ୍ୟୁତ ଓ ଟେଲିଫୋନ୍ ଆଦି ଖୁଣ୍ଟ ସ୍ଥାନାନ୍ତର କରିବା ଆଦି ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇ ଏ କ୍ଷେତ୍ରରେ ରହିଥିବା ସମସ୍ୟାର ଆଶୁ ସମାଧାନ ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା ।

ଭୁବନେଶ୍ୱରର ରସୁଲଗଡ଼ ଜଙ୍କ୍ସନ୍, କଳ୍ପନା ଛକ, ରବିଟକିଜ୍ ଛକ ଓ ବେହେରା ସାହି ଛକ ଆଦିର ପ୍ରଶସ୍ତିକରଣ ନିମନ୍ତେ କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ପନ୍ଥା ନିର୍ଣ୍ଣୟ କରାଯାଇଥିଲା । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ ରାସ୍ତା ତଳେ ପାଇପ୍ ଓ କେବୁଲ ନେବା ପାଇଁ ରାସ୍ତା କାଟିବା ଅନୁମତି ରାସ୍ତା ନିର୍ମାଣ ଓ ରକ୍ଷଣାବେକ୍ଷଣ କରୁଥିବା ବିଭାଗ ଦେବେ ।

ରାସ୍ତାର ଏକ ନିର୍ଦ୍ଦିଷ୍ଟ ଅଂଶରେ ପାଇପ୍ ବିଛା କାମ ସାରି ତୁରନ୍ତ ରାସ୍ତାକୁ ପୂର୍ବାବସ୍ଥାକୁ ଆଣିବା ପାଇଁ କାମ କରୁଥିବା ସଂସ୍ଥା ବା ବିଭାଗ ଦାୟୀ ରହିବେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି.ମାଥିଭାଥାନନଙ୍କ ସମେତ ସଂପୃକ୍ତ ବିଭାଗର ପ୍ରଧାନ ମୁଖ୍ୟ ଯନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।