spot_img
Home Blog Page 3968

ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ଆହୁରି ୪ ଗେଟ୍

ସମ୍ବଲପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପୁଣି ବଢ଼ିଲା ହୀରାକୁଦର ଜଳସ୍ତର । ହୀରାକୁଦରେ ଜଳସ୍ତର ବଢୁଥିବାରୁ ଆଉ ୪ଟି ଗେଟ୍ ଖୋଲାଯାଇଛି । ଫଳରେ ବର୍ତ୍ତମାନ ହୀରାକୁଦରୁ ୨୪ଟି ଗେଟି ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ନଦୀବନ୍ଧର ବାମପଟରୁ ୧୬ଟି ଓ ଡାହାଣ ପାର୍ଶ୍ବରୁ ୮ଟି ଗେଟ୍ ଦେଇ ପାଣି ଛଡାଯାଉଛି ।

ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୪ ଲକ୍ଷ ୩୫ ହଜାର ୩୦୩ ଘନଫୁଟ ଜଳ । ସେହିପରି ନିଷ୍କାସିତ ହେଉଛି ୪ ଲକ୍ଷ ୯୫ ହଜାର ଘନଫୁଟ ଜଳ । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୬ ଦଶମିକ ୯୧ ଫୁଟରେ ପହଞ୍ଚିଛି । ଆବଶ୍ୟକ ହେଲେ ଅଧିକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି । ଅନ୍ୟପଟେ ଆଜି ସମ୍ବଲପୁର ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ଲଘୁଚାପ ପ୍ରଭାବରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏମିତି ବର୍ଷା ଲାଗି ରହିଲେ ସହରରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ବର୍ଷା ଓ ବନ୍ୟାକୁ ନଜରରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି ।

ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର ! ନିଷ୍ପତ୍ତି ନେବ ପରିଚାଳନା କମିଟି

ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି କି ନାହିଁ ତାହା ପରିଚାଳନା କମିଟି ନିଷ୍ପତି ନେବ । ପରିଚାଳନା କମିଟି ଏନେଇ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଓ ଆଇନ ବିଭାଗର ଅନୁମୋଦନ ପରେ ଭିତର ରତ୍ନଭଣ୍ଡାର ଖୋଲିପାରିବ ।

ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଏଏସ୍‌ଆଇର ଚିଠି ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଉନ୍ନୟନ ପ୍ରଶାସକ । ସେପଟେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ଚୁଡାନ୍ତ ହେଲେ ସେବାୟତ ମାନେ ସହଯୋଗ କରିବେ ବୋଲି କହିଛନ୍ତି । ଦୀର୍ଘ ବର୍ଷ ଧରି ଭିତର ରତ୍ନଭଣ୍ଡାର ଖୋଲାଯାଇ ନଥିବା ବେଳେ ଏହାର ଯାଞ୍ଚ ପାଇଁ 2018ରେ ଚେଷ୍ଟା କରାଯାଇଥିଲା । କିନ୍ତୁ ସେ ସମୟରେ ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରିନଥିଲା ।

ପରେ ଗତ ଅଗଷ୍ଟ 6 ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏଏସଆଇ ପକ୍ଷରୁ ଅଗଷ୍ଟ 8 ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ୍ ବିଭାଗକୁ ଭିତର ରତ୍ନଭଣ୍ଡାର ଅନୁଧ୍ୟାନ ଓ ମରାମତି ପାଇଁ ଚିଠି ଲେଖାଯାଇଥିବା ଜଣାପଡିଛି ।

ସର୍ଜରୀ ପରେ ଭେଣ୍ଟିଲେଟରରେ ସଲମାନ ରୁସଦି, ହରାଇ ପାରନ୍ତି ଆଖି

ନୂଆଦିଲ୍ଲୀ: ସଙ୍କଟାପନ୍ନ ଅବସ୍ଥାରେ ବିଶିଷ୍ଟ ଲେଖକ ସଲମାନ ରୁସଦିଙ୍କ ସ୍ବାସ୍ଥ୍ୟାବସ୍ଥା । ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବାବେଳେ ଲିଭର କ୍ଷତିଗ୍ରସ୍ତ ହୋଇଥିବା କୁହାଯାଉଛି । ସେହିପରି ରୁସଦିଙ୍କ ଗୋଟିଏ ଆଖି ନଷ୍ଟ ହୋଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ଆକ୍ରମଣକାରୀକୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ତାକୁ ଗିରଫ କରାଯିବ ।

ଗତକାଲି ନ୍ୟୁୟର୍କରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବାବେଳେ ତାଙ୍କ ଉପରେ ହୋଇଥିଲା ରକ୍ତାକ୍ତ ଆକ୍ରମଣ । ରୁସଦିଙ୍କ ଗଳାରେ ୧୦ରୁ ୧୫ ଥର ଛୁରୀଘାତ ହୋଇଥିବା ବେଳେ ତାଙ୍କୁ ତୁରନ୍ତ ଏକ ହେଲିକପ୍ଟରରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପ୍ରସିଦ୍ଧ ପୁସ୍ତକ ଦି ସାଟାନିକ ଭର୍ସେସର ଲେଖକ ସଲମାନଙ୍କ ଉପରେ ହୋଇଥିବା ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଏହି ପୁସ୍ତକ ରଚନା ପରେ ସେ ବାରମ୍ବାର  ହତ୍ୟା ଧମକ ପାଇଥିଲେ। ଦି ସାଟାନିକ ଭର୍ସେସ ପୁସ୍ତକ ପ୍ରକାଶ ପାଇବା ପରେ ବିଶ୍ବର ବିଭିନ୍ନ ମହଲରୁ ତାଙ୍କ ବିରୋଧରେ ପ୍ରତିବାଦ ସୃଷ୍ଟି ହେବା ସହ ହତ୍ୟା ଧମକ ଦିଆଯାଇଥିଲା ।  ୧୯୮୦ ଦଶକରେ ସାଟାନିକ ଭର୍ସେସ ପୁସ୍ତକ ପ୍ରକାଶିତ ହେବା ପରେ ସାରା ବିଶ୍ବରେ ଚର୍ଚ୍ଚାର ପରିସରକୁ ଆସିଥିଲେ ସଲମାନ ।

ତାଙ୍କ ମୁଣ୍ଡ ଲାଗି ଇରାନ ସରକାର ୨୦୧୬ରେ ଘୋଷଣା କରିଥିଲେ ୬ ଲକ୍ଷ ପାଉଣ୍ଡ । ଭାରତୀୟ ବଂଶୋଦ୍ଭବ ସଲମାନ ବ୍ରିଟିଶ ନାଗରିକ ଭାବେ ୨୦ ବର୍ଷ ଧରି ଆମେରିକାରେ ବାସ କରୁଛନ୍ତି । ୧୯୪୭ ଜୁନ ୧୯ରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ ସଲମାନ ରୁସଦି । ସଲମାନଙ୍କ ଦ୍ବାରା ଲିଖିତ ମିଡନାଇଟସ ଚିଲଡ୍ରେନ ୧୯୮୧ରେ ପ୍ରକାଶିତ ହୋଇଥିବା ବେଳେ ଦି ସାଟାନିକ ଭର୍ସେସ ୧୯୮୮ରେ ପ୍ରକାଶିତ ହୋଇଥିଲା । ୨୦୦୭ରେ ରାଣୀ ଏଲିଜାବେଥଙ୍କ ଦ୍ବାରା ତାଙ୍କୁ ମିଳିଥିଲା ସାର୍ ସମ୍ମାନ ।

ଦିଲ୍ଲୀରୁ ଭୋଜପୁରୀ ଗାୟକ ଗିରଫ, ରଖିଥିଲେ ୨୧ କିଲୋ ଗଞ୍ଜେଇ

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ଇନ୍ଦରପୁରୀ ଅଞ୍ଚଳରୁ ଭୋଜପୁରୀ ଗାୟକ ଗିରଫ । ଗାୟକଙ୍କ ଠୁ ୨୧ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଗିରଫ ପରେ ଗାୟକଙ୍କ ପରିଚୟ ମିଳିଛି । ଗାୟକ ଜଣକ ବିହାରର ସିୱାନ ଅଞ୍ଚଳର ହୋଇଥିବା ଜଣାପଡିଛି  । ଦିଲ୍ଲୀର ନାର୍କୋଟିକ୍ସ ସେଲ୍‌କୁ ଡ୍ରଗ୍ସ ପେଡଲର୍‌ଙ୍କ ଖବର ମିଳିଥିଲା ।

ଖବର ପାଇ ନାର୍କୋଟିକ୍ସ ସ୍କ୍ବାଡ ଇନ୍ଦରପୁରୀ ଟୋପାପୁର ଅଞ୍ଚଳରେ ଅଚାନକ ଚଢାଉ କରିଥିଲା । ଡ୍ରଗ୍ସ ପେଡଲରକୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ  । ଏହି ଚଢାଉ ବେଳେ ଗାୟକ ବିନୟ ଶର୍ମାକୁ ଗିରଫ କରାଯାଇଛି  । ଏନଡିପିଏସ ଆକ୍ଟ ଅନୁସାରେ ବିନୟଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି  ।

ଗାୟକଙ୍କ ନିକଟରେ ଏତେ ମାତ୍ରାରେ କେଉଁଠୁ ଗଞ୍ଜେଇ ଆସିଲା ତାହା ତଦନ୍ତ କରିବ ପୋଲିସ  । ତେବେ ଗିରଫ ଗାୟକଙ୍କୁ ପଚରାଉଚୁରା କରୁଛି ପୋଲିସ  । ବିନୟ ଶର୍ମା ଜଣେ ଭୋଜପୁରୀ ଗାୟକ ହୋଇଥିବାବେଳେ ୧୦୦ରୁ ଅଧିକ ଗୀତ ଗାଇଛନ୍ତି  ।

ତାଇୱାନ ସୀମାରେ ଡ୍ରାଗନର ପଇଁତରା, ଶାନ୍ତି ନିବେଦନ କଲା ଭାରତ

ତାଇପେଇ: ସମରାଭ୍ୟାସ ସ୍ଥଗିତ ସତ୍ତ୍ବେ ତାଇଓ୍ବାନ ସୀମାରେ ଡ୍ରାଗନର ପଇଁତରା । ପ୍ରାୟ ୨୪ଟି ଯୁଦ୍ଧ ବିମାନ ଓ ୬ଟି ଯୁଦ୍ଧ ଜାହାଜ ମୁତୟନ କରିଛି ଚୀନ । ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନେଇ ଉଦବେଗ ପ୍ରକାଶ କରାଯାଇଛି । ତିନି ଦିନ ତଳେ ସମରାଭ୍ୟାସ ସ୍ଥଗିତ ହେଲା ବୋଲି ଚୀନ ଘୋଷଣା କରିଥିଲେ ବି ଓ୍ବାରମୁଡରୁ ହଟିନି ଚୀନ ।

ମୁତୟନ ହୋଇଥିବା ଜାହାଜ ଗୁଡିକ ଚୀନ ନୌସେନାର ହୋଇଥିବା ବେଳେ, କେତେକ ସ୍ଥାନରେ ମିସାଇଲ ସିଷ୍ଟମ ବି ମୁତୟନ ଥିବା ସୂଚନା ମିଳିଛି । ସେପଟେ ପିପୁଲସ ଲିବରେସନ ଆର୍ମିର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ ପକ୍ଷରୁ କୁହାଯାଇଛି, ତାଇଓ୍ବାନ ଚାରିପାଖେ ହୋଇଥିବା ସାମରିକ ଡ୍ରିଲରେ ନିଜର ସାମରିକ ପାରଦର୍ଶିତା ପ୍ରକାଶ କରାଯାଇଛି ।

ସମରାଭ୍ୟାସ ସରିଥିଲେ ବି ତାଇଓ୍ବାନ ପ୍ରଣାଳୀରେ ପାଟ୍ରୋଲିଂ ଜାରି ରହିବ କହିଛି ଚୀନ ପ୍ରତିରକ୍ଷା ମନ୍ତ୍ରାଳୟ । ସମରାଭ୍ୟାସ ବନ୍ଦ  ସତ୍ତ୍ବେ ହାଇଆଲର୍ଟରେ ରହିଛି ତାଇଓ୍ବାନ ।

ଫୁଲିଲାଣି ମହାନଦୀ, ଆସିପାରେ ବଡ ବନ୍ୟା

ଭୁବନେଶ୍ବର: ପ୍ରବଳ ବର୍ଷା ଯୋଗୁଁ ରାଜ୍ୟରେ ଆସିପାରେ ବନ୍ୟା । ମହାନଦୀରେ ବଢୁଛି ବନ୍ୟା ଆଶଙ୍କା । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦକୁ ବଢିଛି ଜଳ ପ୍ରବାହ । 20ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି । ମହାନଦୀ ଫୁଲୁଥିବାରୁ ସତର୍କ କରିଛି ପ୍ରଶାସନ । ଡାକବାଜି ଯୋଗେ ଲୋକଙ୍କୁ ସଚେତନ କରାଯାଉଛି ।

ତଳି ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ଥିବାରୁ ନଦୀକୁ ନଯିବାକୁ ପରାମର୍ଶ ଦେଇଛି ସମ୍ବଲପୁର ପ୍ରଶାସନ । ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଯୋଜନା କରାଯାଇଛି । ତେବେ ଜଳଭଣ୍ଡାରର ଜଳସ୍ତର ଏବେ ନିୟନ୍ତ୍ରଣରେ ରହିଛି । ମହାନଦୀ ଓ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି ।

ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ପୁଣି ବଢ଼ିଲା ହୀରାକୁଦର ଜଳସ୍ତର । ବର୍ତ୍ତମାନ ଜଳଭଣ୍ଡାରକୁ ୪ ଲକ୍ଷ ୩୯ ହଜାର ଘଟଫୁଟ ଜଳ ପ୍ରବେଶ କରୁଥିବା ବେଳେ, ୨୦ଟି ଗେଟ ଦେଇ ୩ ଲକ୍ଷ ୪୮ ହଜାର ୭୬୦ ଘନଫୁଟ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୬ ଦଶମିକ ୭୩ ଫୁଟରେ ପହଞ୍ଚିଛି । ଆବଶ୍ୟକ ହେଲେ ଅଧିକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ।

ଦେବୀ, ଇବ, ବ୍ରାହ୍ମଣୀ, ବୈତରଣୀ, ବୁଢାବଳଙ୍ଗ, ସୁବର୍ଣ୍ଣରେଖାରେ ମଧ୍ୟ ବଢୁଛି ଜଳସ୍ତର । ଫଳରେ ଲଘୁଚାପ ପରେ ବଡ ବନ୍ୟା ଆସିବା ସମ୍ଭାବନା ଦେଖାଦେଇଛି । ଏନେଇ ସଜାଗ ସହ ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି । ସେପଟେ ଆଜିଠୁ ୧୫ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ଝଡ-ପବନ ହେବା ସମ୍ଭାବନା ରହିଛି । ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

ଆଜିଠୁ ପ୍ରବଳ ବର୍ଷା, ୬୫ କିମି ବେଗରେ ବହିବ ପବନ

ଭୁବନେଶ୍ବର: ଲଘୁଚାପରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ । ଆଜି ଏବଂ ଆସନ୍ତାକାଲି ରାଜ୍ୟରେ ସର୍ବାଧିକ ବର୍ଷା ହେବ  । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ, ଅକସ୍ମାତ ବନ୍ୟା, ତଳୁଆ ଅଞ୍ଚଳରେ ପାଣି ଜମିବା ସହ ଉପୁଜିପାରେ ଜଳବନ୍ଦୀ ସମସ୍ୟା । ଆଜିଠୁ ୧୫ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ଝଡ-ପବନ ହେବା ସମ୍ଭାବନା ରହିଛି ।

୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ଼, ଯାଜପୁର ଏବଂ ଢେଙ୍କାନାଳକୁ ସତର୍କତା ଜାରି ହୋଇଛି । ୧୪ ତାରିଖରେ ଉତ୍ତର ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ୧୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।

ଘଣ୍ଟା ପ୍ରତି ୪୫ ରୁ ୫୫ ସହ ସର୍ବାଧିକ ୬୫ କିମି ବେଗରେ ବହିପାରେ ପବନ । ଉପକୂଳ ଓଡିଶାରେ ସମୁଦ୍ର ଅଶାନ୍ତ ସହ ଆସିବ ଉଚ୍ଚ ଜୁଆର । ୧୫ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି ।

ନ୍ୟୁୟର୍କରେ ସଲମାନଙ୍କୁ ଛୁରୀରେ ଆକ୍ରମଣ

 ନ୍ୟୁୟର୍କ: ବିଶିଷ୍ଟ ଲେଖକ ସଲମାନଙ୍କୁ ଆକ୍ରମଣ  । ସାଟାନିକ ଭର୍ସେସର ଲେଖକ ରହିଛନ୍ତି ସଲମାନ  । ନ୍ୟୁୟର୍କରେ ସଲମାନଙ୍କ ଉପରେ ହୋଇଛି ଆକ୍ରମଣ  । ଦି ସାଟାନିକ ଭର୍ସେସ ପୁସ୍ତକ ପ୍ରକାଶ ପାଇବା ପରେ ବିଶ୍ୱର ବିଭିନ୍ନ ମହଲରୁ ତାଙ୍କ ବିରୋଧରେ ପ୍ରତିବାଦ ସୃଷ୍ଟି ହେବା ସହ ହତ୍ୟା ଧମକ ଦିଆଯାଇଥିଲା । ନ୍ୟୁୟର୍କସ୍ଥିତ ଚାଉତାକ୍ୟୁଆ ଇନଷ୍ଟିଚ୍ୟୁସରେ ଆୟୋଜିତ ଏକ ଦୀକ୍ଷାନ୍ତ ଭାଷଣ ବେଳେ ତାଙ୍କୁ ଦୁର୍ବୃତ୍ତ ଛୁରୀ ଭୁଷିଥିବା ସୂଚନା ମିଳିଛି ।

ଆକ୍ରମଣ ପରେ ସଲମାନ ତଳେ ପଡିଯାଇଥିବା ଦେଖାଯାଇଛି । ୧୯୮୦ ଦଶକରେ ସାଟାନିକ ଭର୍ସେସ ପୁସ୍ତକ ପ୍ରକାଶିତ ହେବା ପରେ ସାରା ବିଶ୍ବରେ ଚର୍ଚ୍ଚାର ପରିସରକୁ ଆସିଥିଲେ ସଲମାନ । ତାଙ୍କ ବିରୋଧରେ ଇରାନ ଜାରି କରିଥିଲା ଫତଓ୍ବା । ଭାରତୀୟ ବଂଶୋଦ୍ଭବ ସଲମାନ ବ୍ରିଟିଶ ନାଗରିକ ଭାବେ ୨୦ ବର୍ଷ ଧରି ବାସ କରୁଛନ୍ତି । ୧୯୪୭ ଜୁନ ୧୯ରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ ସଲମାନ ରସିଦ ।

ବର୍ଷା ଜଳ ସଂରକ୍ଷଣ କରିବ ‘ଛାତ’, ଖର୍ଚ୍ଚ ହେବ ୨୭୦ କୋଟି

ଭୁବନେଶ୍ୱର: ବର୍ଷା ଜଳ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଆଣିଛନ୍ତି ନୂଆ ଯୋଜନା ‘ଛାତ’ । କମ୍ୟୁନିଟି ହାର୍ନେସିଙ୍ଗ ଏଣ୍ଡ ହାର୍ଭେଷ୍ଟିଙ୍ଗ ରେନଓ୍ବାଟର ଆର୍ଟିଫିସିଆଲି ଫ୍ରମ ଟେରାସ ଟୁ ଆକ୍ବିଫାୟର’ ଯୋଜନାରେ ବର୍ଷା ଜଳ ଅମଳ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛନ୍ତି । ଏହି ଯୋଜନାରେ ପ୍ରାୟ ୩୦ ହଜାର ଘରୋଇ ବିଲଡ଼ିଙ୍ଗ ଏବଂ ୨ହଜାର ସରକାରୀ ବିଲଡ଼ିଙ୍ଗରେ ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।

୫୨ଟି ବ୍ଲକ ଏବଂ ୨୭ଟି ସହରାଞ୍ଚଳରେ ଆଗାମୀ ୫ବର୍ଷ ପାଇଁ ପ୍ରକଳ୍ପ ପାଇଁ ୨୭୦ କୋଟି ଖର୍ଚ୍ଚ କରାଯିବ । ଏଥିପାଇଁ ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ବା ୫୦ହଜାର ଟଙ୍କାର ସବସିଡ଼ି ବ୍ୟବସ୍ଥା କରାଯାଇଛି । ଜଳସମ୍ପଦ ବିଭାଗ ଅଧିନରେ ଥିବା ଭୂତଳ ଜଳ ନିର୍ଦ୍ଦେଶାଳୟ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଦାୟିତ୍ୱ ବହନ କରିବ ।

ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ପୋଲିସ ପାଇବେ ପଦକ

ଭୁବନେଶ୍ୱର: ଓଡ଼ିଶା ପୋଲିସ ପାଇଁ ଗର୍ବ । ତଦନ୍ତରେ ଉତକର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ପୋଲିସର 4 ଜଣଙ୍କୁ ପଦକ ପ୍ରଦାନ ପାଇଁ ମନୋନୀତ କରାଯାଇଛି । ସେଥିମଧ୍ୟରୁ କୋରାପୁଟ ଜିଲ୍ଲାର ଡିଏସପି ସୁମିତ୍ରା ଜେନା ରହିଛନ୍ତି । ବାଲିମେଳା ଥାନା ଅଧିକାରୀ ଥିବା ବେଳେ 2016 ମସିହା ମେ ମାସରେ ଏକ ମହିଳାଙ୍କ ମୃତ ଦେହ ବାଲିମେଳା ପାଓ୍ବାର କେନାଲରେ ଭାସୁଥିବା ଘଟଣାର ତଦନ୍ତ କରିଥିଲେ ସୁମିତ୍ରା ଜେନା ।

କୌଣସି ପ୍ରକାର ସୁରାକ ନଥାଇ ହତ୍ୟା କରାଯିବା ପରେ ତଦନ୍ତ ଅତ୍ୟନ୍ତ କଠିନ ଥିଲା । ଏହାକୁ ଚାଲେଞ୍ଜ ଭାବେ ଗ୍ରହଣ କରି 4 ଜଣଙ୍କୁ ଗିରଫ କରିଥିଲେ । ଏହି ଘଟଣାରେ 2021 ମସିହାରେ ହତ୍ୟା ଅଭିଯୋଗରେ ଜଣଙ୍କୁ ଆଜୀବନ କାରାଦଣ୍ଡ ସହିତ 3 ଜଣଙ୍କୁ 10 ବର୍ଷ କାରାଦଣ୍ଡ ଶୁଣାଇଥିଲେ ମାଲକାନଗିରି ଦୌରା ଜଜ୍ । ଘଟଣା ତଦନ୍ତ ପୋଲିସ ପ୍ରତି ଚାଲେଞ୍ଜ ଥିବା ବେଳେ ଏଥିରେ ସଫଳତା ପାଇଁ ସୁମିତ୍ରା ଜେନା ଏହି ପଦକ ପାଇବେ । ଏଥିପାଇଁ ରାଜ୍ୟ ପୋଲିସ ଠାରୁ ଆରମ୍ଭ କରି ଜିଲ୍ଲା ପୋଲିସ ସୁମିତ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।