spot_img
Home Blog Page 3964

ଶାଶୁ, ବୋହୂଙ୍କ କଳି ଯୋଗୁ ଦୁର୍ଘଟଣାଗ୍ରସ୍ତ ହେଲା କାର

ଆନନ୍ଦପୁର: ଚଳନ୍ତା କାରରେ ଶାଶୁ ବୋହୂ କଳି ଯୋଗୁ ଦୁର୍ଘଟଣାଗ୍ରସ୍ତ ହେଲା କାର । ଦୁର୍ଘଟଣାଗ୍ରସ୍ତ ହୋଇ କାରଟି ୧୦ ଫୁଟ୍ ତଳକୁ ଖସି ପଡ଼ିଥିଲା । ମେଡିକାଲରୁ ନବଜାତ ଶିଶୁ କନ୍ୟାକୁ ନେଇ ଘରକୁ ଫେରୁଥିବା ସମୟରେ ଚଳନ୍ତା କାର ମଧ୍ୟରେ ଶାଶୁ ବୋହୂଙ୍କ କଳି ପାଇଁ କାରଟି ୧୦ ଫୁଟ୍ ଖାଲକୁ ଖସିଯାଇଥିଲା । କିନ୍ତୁ ସୌଭାଗ୍ୟବଶତଃ କାହାରି କୌଣସି କ୍ଷତି ହୋଇନାହିଁ । ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଥାନା ଫକିରପୁର ବାଲୁଙ୍କେଶ୍ୱର ଛକ ନିକଟରେ ।

ସୂଚନା ଅନୁସାରେ ଦୁଡୁଗାଁର ଏକ ପରିବାର ଆନନ୍ଦପୁର ଡାକ୍ତରଖାନାରେ ଦୁଇ ଦିନ ତଳେ ଜନ୍ମିତ ଶିଶୁ କନ୍ୟାକୁ ନେଇ ଘରକୁ ଫେରୁଥିଲେ । କିନ୍ତୁ ହଠାତ୍ ବାଲୁଙ୍କେଶ୍ୱର ଛକ ନିକଟରେ ସାମ୍ନାରେ ଯାଉଥିବା ଏକ ଟାଟା ଏସିଇକୁ ପଛପଟୁ ଧକ୍କା ଦେବାରୁ କାରଟି ରାସ୍ତା ତଳେ ପାଣି ଭିତରେ ପଶିଯାଇଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା  ହେଉଛି କାର୍ ଭିତରେ ଶାଶୁ ବୋହୂଙ୍କ କଳି ଯୋଗୁ ଗାଡ଼ି ଚଳାଉଥିବା ସ୍ୱାମୀ ମାନସିକ ଭାରସ୍ୟାମ ହରାଇ ଦୁର୍ଘଟଣା କରିଥିବା ଅନୁମାନ କରାଯାଉଛି । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକ କାରରୁ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଭଦ୍ରକରେ ବନ୍ୟାସ୍ଥିତି ପରଖିଲେ ବିଜେଡି ସାଂଗଠନିକ ସମ୍ପାଦକ

ଭଦ୍ରକ: ଭଦ୍ରକ ଧାମନଗର ଓ ଧୁଷୁରୀ ଅଞ୍ଚଳର ବନ୍ୟା ସ୍ଥିତି ପରଖିଲେ ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ବୈତରଣୀ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଆଖୁଆପଦା ନିକଟରେ ବିପଦ ସଂକେତ ଟପି ପ୍ରବାହିତ ହେଉଥିବା ବନ୍ୟା ଜଳ ପ୍ରଥମେ ଭଣ୍ଡାରୀପୋଖରୀ, ଧାମନଗର ଓ ଧୁଷୁରୀର ତଳିଆ ଅଞ୍ଚଳରେ ପ୍ରବେଶ କରିଥାଏ । ଏପରିକି ଧାମନଗର ଓ ଧୁଷୁରୀରର ହସିନାବାଦ, ମଲ୍ଲିମାହାରା ରାମେଶ୍ୱରପୁର ନିକଟରେ ନଦୀବନ୍ଧ ଅତ୍ୟନ୍ତ ଦୁର୍ବଳ ରହିଥିବାରୁ ବନ୍ୟା ସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି । ଏହାର ସ୍ଥିତି ପରଖିବା ପାଇଁ ପ୍ରଣବ ପ୍ରକାଶ ଦାସ ପହଞ୍ଚିଥିଲେ । ପ୍ରଣବଙ୍କ ସହ ଧାମନଗର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ରହିଥିଲେ ।

ଭାରତରେ ବ୍ୟାନ ହେଲା ଭିଏଲସି ମିଡିଆ ପ୍ଲେୟାର

ନୂଆଦିଲ୍ଲୀ: ଭାରତରେ ନିଷିଦ୍ଧ ହେଲା ଭିଏଲସି ମିଡିଆ ପ୍ଲେୟାର । ଏନେଇ ସୂଚନା ଦେଇଛନ୍ତି ଭିଡିଓଲାନ୍ ଅଧ୍ୟକ୍ଷ । କେତେକ ଆଇଏସପି ଜରିଆରେ ଏହା ଚାଲିଥିଲେ ମଧ୍ୟ ଦେଶରେ ନିଷିଦ୍ଧ ହୋଇଛି । ଗତ ଫେବ୍ରୁଆରୀ ମାସରୁ VLC ବ୍ୟାନ ହୋଇସାରିଥିବା ସୂଚନା ଦେଇଛି ଭିଡିଓଲାନ । ତେବେ ପ୍ରଶ୍ନ ଉଠୁଛି କାହିଁକି ଭିଏଲସି ମିଡିଆ ପ୍ଲେୟାର ଓ୍ବେବସାଇଟ ଓ ଡାଉନଲୋଡ ଲିଙ୍କ୍ ବ୍ଲକ କରାଗଲା । ଭିଏଲସି ମିଡିଆ ପ୍ଲେୟାର ନିଷିଦ୍ଧ ହେବା ମୂଳରେ ସରକାରୀ ଭାବେ କିଛି ଘୋଷଣା କରାଯାଇ ନଥିଲେ ମଧ୍ୟ ସାଇବାର ଆଟାକ ଲାଗି ଚୀନଭିତ୍ତିକ ହ୍ୟାକିଂ ଗ୍ରୁପ ସିକାଡା ଏହାକୁ ବ୍ୟବହାର କରୁଥିବାରୁ ଭିଏଲସି ମିଡିଆ ପ୍ଲେୟାରକୁ ନିଷିଦ୍ଧ କରାଯାଇଛି । ସିକାଡା ଦ୍ୱାରା ଭିଏଲସି ମିଡିଆ ପ୍ଲେୟାରକୁ ବ୍ୟବହାର କରାଯାଉଛି ଏବଂ ଏହା ଦ୍ୱାରା ଟାର୍ଗେଟ ମେସିନ ନିକଟକୁ ମାଲିସିଅସ ବା କ୍ଷତିଗ୍ରସ୍ତକାରୀ ମେସେଜ ଆସୁଥିବା ସୂଚନା ମିଳିଛି । ଭାରତ ବିରୋଧରେ ଚାଲିଥିବା ବହୁ ସାଇବର ଆଟାକ୍ ଘଟଣାରେ ସିକାଡା ନିୟୋଜିତ ରହିଛି ବୋଲି ସିକ୍ୟୁରିଟି ଏକ୍ସପର୍ଟମାନେ ସୂଚନା ପାଇଥିଲେ ।

ସେପଟେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ ହେବା ନେଇ ଭାରତ ସରକାରଙ୍କ ପକ୍ଷରୁ କିଛି ତଥ୍ୟ ଦିଆଯାଇନାହିଁ । IT ଆକ୍ଟ ୨୦୦୦ ଅନୁସାରେ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଦ୍ୱାରା ଭିଏଲସି ମିଡିଆ ପ୍ଲେୟାର ଓ୍ବେବସାଇଟକୁ ଗତ ଫେବ୍ରୁଆରୀରେ ବ୍ଲକ୍ କରିଥିବା ସୂଚନା ମିଳିଛି । ଭାରତର ସବୁଠାରୁ ଲୋକପ୍ରିୟ ମିଡିଆ ପ୍ଲେୟାର ଭାବେ ଭିଏଲସି ଖ୍ୟାତି ଲାଭ କରିଥିଲା । ତେବେ ବ୍ୟାନ ହେବା ପରେ ଭିଏଲସିକୁ ଏବେ ଡାଉନଲୋଡ କରାଯାଇପାରୁନାହିଁ । ତେବେ ବ୍ୟାନ ସତ୍ତ୍ୱେ ଭିଏଲସି ମିଡିଆ ପ୍ଲେୟାର ଗୁଗୁଲ ପ୍ଲେ ଷ୍ଟୋରରେ ଏବେ ବି ଉପଲବ୍ଧ ରହିଛି ।

ବଡ଼ମ୍ବାର ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଲା ବନ୍ୟାଜଳ, ଅସ୍ଥାୟୀ ଗମ୍ଭୀରାକୁ ସ୍ଥାନାନ୍ତର ହେଲେ ଚଳନ୍ତି ପ୍ରତିମା

କଟକ: ଲଗାଣ ବର୍ଷାରେ ବେହାଲ ଓଡ଼ିଶା । ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ମହାନଦୀରେ ବଢ଼ିବାରେ ଲାଗିଛି ବନ୍ୟାଜଳ । ମହାହନଦୀରେ ବନ୍ୟାଜଳ ବୃଦ୍ଧି ପାଉଥିବାରୁ କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ଗମ୍ଭୀରା ମଧ୍ୟରେ ପଶିଛି ବନ୍ୟାଜଳ । ବନ୍ୟାଜଳ ବୃଦ୍ଧି ପାଉଥିବାରୁ ମା’ଙ୍କ ଚଳନ୍ତୀ ପ୍ରତିମାକୁ ମନ୍ଦିର ନିକଟରେ ଥିବା ରତ୍ନଗିରି ପର୍ବତରେ ଥିବା ଅସ୍ଥାୟୀ ଗମ୍ଭୀରାକୁ ସ୍ଥାନାନ୍ତର କରିଛନ୍ତି ସେବାୟତ । ମାଆଙ୍କର ପୂଜା ରୀତିନୀତିରେ ସମାପନ ହେବା ନେଇ ସେବାୟତ କହିଛନ୍ତି । ସେପଟେ ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ।

ମହାନଦୀ ବନ୍ୟାଜଳରେ କୁମ୍ଭୀର ଆତଙ୍କ

ବୌଦ୍ଧ: ରାଜ୍ୟରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବନ୍ୟା ପରିସ୍ଥିତି ମଧ୍ୟରେ ମହାନଦୀ ବନ୍ୟାପାଣିରେ ଦେଖିବାକୁ ମିଳିଛି କୁମ୍ଭୀର ଆତଙ୍କ । ବୌଦ୍ଧ ଜିଲ୍ଲା ରାମଗଡ଼ା ନିକଟ ମହାନଦୀ କୂଳରେ କୁମ୍ଭୀର ବୁଲୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ବନ୍ୟାସ୍ଥିତି ମୁକାବିଲା କରୁଥିବାବେଳେ କୁମ୍ଭୀର ଆତଙ୍କ ଲୋକଙ୍କୁ ଅଧିକ ଭୟଭୀତ କରିଛି । ବନ୍ୟାଜଳରେ କୁମ୍ଭୀରଟି ଜନବସତି ଆଡ଼କୁ ମାଡ଼ି ଆସିବାର ଆଶଙ୍କା କରିଛନ୍ତି ଲୋକ ।

ସେଲଫି ନେଉଥିଲେ ଟାଣିନେଲା ସମୁଦ୍ର ଜୁଆର, ଅଳ୍ପକେ ବଞ୍ଚିଲା ଜୀବନ

ଦୀଘା: ସେଲଫି ନେବା ହେଲା କାଳ, ଟାଣିନେଲା ସମୁଦ୍ର ଜୁଆର । ସୌଭାଗ୍ୟବସତଃ ଅଳ୍ପକେ ବଞ୍ଚିଲା ଜୀବନ । ବର୍ତ୍ତମାନ ସମୟରେ ଯୁବଗୋଷ୍ଠୀ ମୋବାଇଲ ଓ ସେଲଫି ନେବା ପଛରେ ଧାଇଁଛନ୍ତି । ସାମାନ୍ୟ ଫଟୋ ଉଠାଇବା ପାଇଁ ଜୀବନକୁ ବାଜିରେ ଲଗାଇବା ପାଇଁ ପଛକୁ ହଟୁନାହାନ୍ତି । ଦୁଃସାହସିକ ଫଟୋ ଉଠାଇବେ ଆଉ ଫେସବୁକରେ ପୋଷ୍ଟ କରିବେ । ଆଉ ତା ପରେ ଲାଇକ୍ ଓ କମେଣ୍ଟ ମିଳିବ । ଏପରି ବିଚାରଧାରା ପାଇଁ ଆଜି ଜଣେ ଯୁବକଙ୍କ ଜୀବନ ଯାଉ ଯାଉ ବଞ୍ଚିଯାଇଛି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଦିଘା ସମୁଦ୍ର ବେଳାଭୂମି ପର୍ଯ୍ୟଟନ ବେଶ୍ ଜଣାଶୁଣା ।

ଲୋକମାନେ ଏଠାକୁ ବୁଲିବା ପାଇଁ ଆସିଥାନ୍ତି । ହେଲେ ବର୍ତ୍ତମାନ ଲଘୁଚାପ କାଣରୁ ସମୁଦ୍ର ଅଶାନ୍ତ ରହିଛି । ଲୋକମାନଙ୍କୁ ସମୁଦ୍ରକୁ ବା ନିକଟକୁ ନଯିବା ପାଇଁ ପ୍ରଶାସନ ତରଫରୁ ବାରଣ କରାଯାଇଛି । ବାରଣ ସତ୍ତ୍ୱେ କିଛି ଲୋକ ଆଜି ସେଠାକୁ ବୁଲିବାକୁ ଆସିଥିଲେ । ସମୁଦ୍ର ଅଶାନ୍ତ ଥିବାରୁ ସି ୱାଲ ଉପରକୁ ପାଣି ମାଡ଼ ହେଉଥିଲା । ଜଣେ ଯୁବକ ସେଲଫି ନେବା ନିଶାରେ ସି ୱାଲ ଉପରକୁ ଚଢ଼ିଯାଇଥିଲା । ଆଉ ଫଟୋ ଉଠାଇବା ସମୟରେ ସମୁଦ୍ରର ଜୁଆର ତାଙ୍କୁ ଟାଣି ନେଇଥିଲା । ଆଉ ଏହା ପରେ ସେଠାରେ ଉପସ୍ଥିତ ଥିବା ପର୍ଯ୍ୟଟକମାନେ ଚିତ୍କାର କରି ତାଙ୍କୁ ବଞ୍ଚାଇବା ପାଇଁ ନିବେଦନ କରିଥିଲେ ।

ହେଲେ ସମୁଦ୍ରର ରୂପ ଏତେ ଅଶାନ୍ତ ଥିଲା ଯେ ଦେଖିଲେ ହିଁ ଭୟ ଲାଗୁଥିଲା ତାଙ୍କୁ ଉଦ୍ଧାର କରିବା ପାଇଁ ଯିବା ତ ଦୂରର କଥା । ପ୍ରାୟ ୪ ମିନିଟ ପାଖାପାଖି ଯୁବକ ଜଣକ ଢେଉ ସହ ସଂଘର୍ଷ କରିଥିଲେ । ଏହାପରେ ଖବର ପାଇ ଡିଜାଷ୍ଟର ମ୍ୟାନେଜମେଣ୍ଟର କର୍ମଚାରୀ ପହଞ୍ଚିଥିଲେ ।  ଏକ ଦଉଡିରେ ଲାଇଫ ଷ୍ଟ୍ରିଫ ବାନ୍ଧି ଜଣେ କର୍ମଚାରୀ ସମୁଦ୍ର ମଧ୍ୟକୁ ଯାଇଥିଲେ । ଲହଡିର ଗତି ଏତେ ବ୍ୟଗ୍ର ଥିଲା ଯେ ଯୁବକ ଜଣକଙ୍କ ପାଖରେ ପହଞ୍ଚିବାକୁ ତାଙ୍କୁ ସମୟ ଲାଗିଥିଲା ।

ଶେଷରେ କର୍ମଚାରୀ ଜଣଙ୍କ ତାଙ୍କୁ ଉଦ୍ଧାର କରିଥିଲେ । ଉପରେ ଥିବା କର୍ମଚାରୀ ଦଉଡି ସହାୟତାରୁ ତାଙ୍କୁ ଟାଣି କୂଳକୁ ଆଣିଥିଲେ  । ସେତବେଳକୁ ଯୁବକଙ୍କ ସ୍ଥିତି ଗମ୍ଭୀର ହୋଇଯାଇଥିଲା । ସଙ୍ଗେସଙ୍ଗେ ନିକଟସ୍ଥ ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଇଛି । ସୂଚନାନୁସାରେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ଥିବା ସୂଚନା । ତେବେ ମୃତ୍ୟୁ ମୁହଁରୁ ତାଙ୍କୁ କର୍ମଚାରୀମାନେ ବଞ୍ଚାଇଥିବା କାରଣରୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି । ସେଲଫି ନେବା ପାଇଁ ନିଜ ଜୀନବକୁ ମୃତ୍ୟୁମୁଖରେ ନପକାଇବା ପାଇଁ ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି ।

ଟ୍ରମ୍ପଙ୍କ ବାସଭବନରେ FBIର ଚଢାଉ, ମିଳିଲା ସିକ୍ରେଟ ଡକ୍ୟୁମେଣ୍ଟ

ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ବାସଭବନରୁ ସରକାରୀ ନଥି ଜବତ ହେବା ପରେ ଏହାକୁ ନେଇ ବଢିଛି ବିବାଦ । ଏସପିଓନେଜ ଆକ୍ଟ ବା ଗୁଇନ୍ଦା ଆଇନକୁ ଟ୍ରମ୍ପ ଉଲ୍ଲଂଘନ କରିଥିବା ଅଭିଯୋଗ ଅନୁସାରେ ବର୍ତ୍ତମାନ ତାଙ୍କ ବିରୋଧରେ ଏଫବିଆଇ ତଦନ୍ତ ଜାରି ରହିଛି ।

ରାଷ୍ଟ୍ରପତି ଥିବାବେଳେ ଟ୍ରମ୍ପ ଋଷର ବୈଦେଶିକ ମନ୍ତ୍ରୀଙ୍କୁ ଏକ ଯୋଜନବଦ୍ଧ ମୁସଲିମ ରାଷ୍ଟ୍ର ଗଠନ ସଂକ୍ରାନ୍ତରେ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ସୋସିଆଲ ମିଡିଆରେ ଟ୍ରମ୍ପ କହିଥିଲେ- ସମସ୍ତ ରେକର୍ଡ ଡିକ୍ଲାସିଫାଏଡ ଅର୍ଥାତ ଗୋପନୀୟ ନୁହେଁ ଏବଂ ସେଗୁଡିକୁ ନିରାପଦ ଭାବେ ରଖାଯାଇଛି । ଗତକାଲି ଫ୍ଲୋରିଡାସ୍ଥିତ ବାସଭବନରେ ଏଫବିଆଇ ଚଢାଉ ପରେ ମିଳିଛି ଟପ୍ ସିକ୍ରେଟ ଡକ୍ୟୁମେଣ୍ଟ ।

ଟ୍ରମ୍ପଙ୍କ ମାର-ଏ-ଲାଗୋ ଘରୁ ୧୨ ସେଟ୍ ଡକ୍ୟୁମେଣ୍ଟ ଜବତ ହୋଇଥିବା ଦର୍ଶାଇଥିଲା ଓ୍ବାଲଷ୍ଟ୍ରିଟ ଜର୍ଣ୍ଣାଲ । ତେବେ ଏହି ଡକ୍ୟୁମେଣ୍ଟ କେବଳ ସ୍ବତନ୍ତ୍ର ସରକାରୀ ଅଧିକାରୀଙ୍କୁ ପ୍ରଦାନ କରାଯିବ । ମିଳିଥିବା ନଥିରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସମ୍ପର୍କରେ ବି କିଛି ସୂଚନା ମିଳିଛି । ଟ୍ରମ୍ପଙ୍କ ବିରୋଧ ସତ୍ତ୍ବେ ସର୍ଚ୍ଚ ଓ୍ବାରାଣ୍ଟ ଅନସିଲ୍ କରିବା ଲାଗି ଫ୍ଲୋରିଡା ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନ୍ୟାୟ ବିଭାଗ । ସେପଟେ ଉଗ୍ର ବାମ ଗଣତାନ୍ତ୍ରିକ ଶକ୍ତିଙ୍କ ଶିକାର ହୋଇଥିବା କହିଛନ୍ତି ୭୬ ବର୍ଷ ବୟସ୍କ ଟ୍ରମ୍ପ ।

ଟ୍ରମ୍ପଙ୍କ ଘରୁ ୨୦ଟି ପେଟିରେ ଅନେକ ଫଟୋ ଓ ଦସ୍ତାବିଜ ଜବତ ହୋଇଥିବା ଦର୍ଶାଯାଇଛି । ପ୍ରଥମ ଥର ଲାଗି ଆମେରିକାରେ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ବାସଭବନରେ ରେଡ୍‌ ହୋଇଛି । ହ୍ବାଇଟ ହାଉସରୁ ବହୁ ଗୁରୁତ୍ବପୂର୍ଣ୍ଣ ରେକର୍ଡକୁ ଟ୍ରମ୍ପ ମାରା-ଏ-ଲୋଗୋ ବାସଭବନକୁ ନେଇଯାଇଥିବା ନେଇ ହୋଇଥିଲା ଅଭିଯୋଗ ।

ଆସୁଛି ମଧ୍ୟମ ଧରଣର ବନ୍ୟା, କାଲି ମୁଣ୍ଡଳୀରେ ପହଞ୍ଚିବ ପିକ୍‌ ଫ୍ଲଡ୍

ଭୁବନେଶ୍ବର: କିଛି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମହାନଦୀ ସିଷ୍ଟମରେ ଅଧିକ ଅଛି  । ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗରେ ସେଭଳି ସ୍ଥିତି ନାହିଁ  । ଜଳକାରେ ବିପଦ ସଂକେତ ଉପରେ ଅଛି । ଦକ୍ଷିଣ ଅଞ୍ଚଳରେ ଥିବା ନଦୀ ଗୁଡିକରେ ବନ୍ୟା ପରିସ୍ଥିତି ନଥିବା କହିଛନ୍ତି ଏସଆରସି ପ୍ରଦୀପ୍ତ ଜେନା  । ଲଘୁଚାପ ଜନିତ ବର୍ଷାକୁ ଦେଖିଲେ ମୁଣ୍ଡଳୀ ପାଖେ ଦଶ ଲକ୍ଷ କି ସାଢ଼େ ଦଶ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି  । କାଲି ସନ୍ଧ୍ୟା ସୁଦ୍ଧା ଏହା ପାସ୍‌ କରିପାରେ  ।

ଖଇରମାଲ ଠାରେ 9.56 ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି  । ତେଲ୍ ପଟୁ ବେଶୀ ପାଣି ଆସୁନାହିଁ  । ହୀରାକୁଦ ଡ୍ୟାମରୁ ଅଧିକ ପାଣି ଆସୁଛି  । ହୀରାକୁଦ ଉପର ମୁଣ୍ଡରେ ପ୍ରବଳ ବର୍ଷା ଜାରି ରହିଛି  । ବର୍ତ୍ତମାନ ହୀରାକୁଦର 34ଟି ଗେଟ ଖୋଲା ଅଛି  । କାଲି ଅପରାହ୍ନରୁ ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ପାଖେ ପିକ୍ ଫ୍ଲଡ଼ ପହଂଚିବ ବୋଲି ଆଶା ପ୍ରକାଶ କରିଛନ୍ତି ଏସଆରସି ପ୍ରଦୀପ୍ତ ଜେନା ।

2019 ଅଗଷ୍ଟ 14, 15 ରେ ଏଭଳି ପାଣି ପ୍ରବାହିତ ହୋଇଥିଲା ବୋଲି ସେ କହିଛନ୍ତି  । ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ  । ଜଗତସିଂହପୁର, ପୁରୀ, ଖୋର୍ଦ୍ଧାର କିଛି ଅଞ୍ଚଳରେ ବନ୍ୟା ଆଶଙ୍କା କରି ଜଳସମ୍ପଦ ବିଭାଗର ବରିଷ୍ଠ ଯନ୍ତ୍ରୀ ମାନଙ୍କୁ ପ୍ରଭାବିତ ଅଞ୍ଚଳକୁ ପଠା ଯାଇଛି  । 7 ଟି NDRF, 3 ଟି ODRAF ଓ 12 ଟି ଅଗ୍ନିଶମ ବିଭାଗ କୁ ଏହି ସବୁ ଅଞ୍ଚଳକୁ ପଠାଯିବ । ତେବେ ଏହାକୁ ମଧ୍ୟମ ଧରଣର ବନ୍ୟା କହିଛନ୍ତି ଏସଆରସି  । ଜିଲ୍ଲା ପ୍ରଶାସନ ମାନଙ୍କୁ ସଜାଗ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି  । ଆବଶ୍ୟକସ୍ଥଳେ ରନ୍ଧା ଖାଦ୍ୟ, ପିଇବା ପାଣି ବ୍ୟବସ୍ଥା ସହ ଜିଲ୍ଲାପାଳଙ୍କୁ ସମସ୍ତ ପାୱାର ଦିଆଯାଇଛି  । ସେମାନେ ସବୁ ପ୍ରକାର୍ ନିଷ୍ପତି ନେବେ ବୋଲି କହିଛନ୍ତି ଏସଆରସି  ।

ପରିବାର ସଜାଡିବାକୁ ଆସିଥିଲେ, ସଂସାର ଉଜାଡି ଦେଲେ ସ୍ବାମୀ

ବେଙ୍ଗାଲୁରୁ: ଫ୍ୟାମିଲି କୋର୍ଟରେ ନାରକୀୟ କାଣ୍ଡ । ସ୍ତ୍ରୀର ତଣ୍ଟିକୁ ଧାରୁଆ ଛୁରୀରେ କାଟିଦେଲା ସ୍ବାମୀ । ଗୁରୁତର ଅବସ୍ଥାରେ ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । କର୍ଣ୍ଣାଟକରେ ଘଟିଛି ଏପରି ଲୋମହର୍ଷକ ଘଟଣା ।

ଛାଡ଼ପତ୍ର ଲାଗି ଆବେଦନ କରିବା ପରେ ସ୍ବାମୀ ଶିବକୁମାର ଓ ସ୍ତ୍ରୀ ଚୈତ୍ରାଙ୍କୁ କାଉନସେଲିଂ ଲାଗି ହୋଲ ନାରାସିପୁରା ପାରିବାରିକ କୋର୍ଟକୁ ଡକାଯାଇଥିଲା । କାଉନସେଲିଂ ସରିବା ପରେ ଦୁହେଁ ଏକତ୍ର ରହିବା ଲାଗି ସହମତି ପ୍ରକାଶ କରିଥିଲେ । ତେବେ ଚୈତ୍ରା ଶୌଚାଳୟ ଯାଇଥିବାବେଳେ ସେଠାକୁ ଶିବକୁମାର ପ୍ରବେଶ କରି ସ୍ତ୍ରୀଙ୍କ ଗଳା ଏକ ଧାରୁଆ ଛୁରୀରେ କାଟିଦେଇଥିଲା ।

ଏହି କାଣ୍ଡ ଘଟାଇ ସ୍ବାମୀ ଦୌଡି ପଳାଇ ଯାଉଥିବାବେଳେ ତାଙ୍କୁ ଲୋକେ କାବୁ କରି ନେଇଥିଲେ । ଗୁରୁତର ଅବସ୍ଥାରେ ଚୈତ୍ରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ୭ ବର୍ଷ ତଳେ ସେମାନଙ୍କ ବିବାହ ହୋଇଥିଲା । ହତ୍ୟା ଅଭିଯୋଗ କ୍ରମେ ଶିବକୁମାରକୁ ଗିରଫ କରାଯାଇଛି । କୋର୍ଟ ରୁମ ଭିତରକୁ ଶିବ କୁମାର କିପରି ଛୁରୀ ନେଲା ତାହାକୁ ନେଇ ପ୍ରଶ୍ନ ଉଠୁଛି । ପୋଲିସ ରକ୍ତଭିଜା ଛୁରୀ ଜବତ କରିଛି ।

ହାଇସ୍କୁଲ ଛାତ୍ରୀଙ୍କୁ ମିଳିବ ମାଗଣା କ୍ୟାନ୍ସର ଟିକା

ଭୁବନେଶ୍ବର: କିଶୋରୀଙ୍କୁ କ୍ୟାନସରରୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଖୁବଶୀଘ୍ର କିଶୋରୀଙ୍କୁ ମିଳିବ କ୍ୟାନସର ସୁରକ୍ଷା କବଚ । ୯ରୁ ୧୩ ବର୍ଷୀୟ ଝିଅଙ୍କୁ ଦିଆଯିବ ପ୍ରତିଷେଧକ ଟିକା । ରାଜ୍ୟରେ ୧୦ ଜିଲ୍ଲାର ହାଇସ୍କୁଲ ଛାତ୍ରୀଙ୍କୁ ମାଗଣାରେ ହ୍ୟୁମାନ ପାପିଲୋମା ଭାଇରସ ଏଚପିଭି ଟିକା ଦେବା ପାଇଁ ଯୋଜନା ହୋଇଛି ।

ଜାତୀୟ ସ୍ବାସ୍ଥ୍ୟ ମିଶନ ୨୦୨୨-୨୦୨୪ ଆଧାରରେ ଏହି ଟିକାକରଣ ଯୋଜନା ପାଇଁ ୧୦ କୋଟି ଟଙ୍କା ଅନୁମୋଦନ ହୋଇଛି । ଏହି ଟିକା ଜରାୟୁ କ୍ୟାନସରରୁ ସୁରକ୍ଷା ଦେବ । ୩ଟି ବ୍ରାଣ୍ଡରେ ଉପଲବ୍ଧ ଏହି ଟିକାର ଡୋଜ ପିଛା ଖର୍ଚ୍ଚ ୬୦୦ରୁ ୧ ହଜାର ଟଙ୍କା ରହିବ । ଟିକାର ଦୁଇଟି ଡୋଜ୍ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ପ୍ରଥମ ଡୋଜ ନେବାର ୬ ମାସରୁ ୧୨ ମାସ ଭିତରେ ଦ୍ବିତୀୟ ଡୋଜ୍ ଦିଆଯିବ । ଏନଏଚଏମ  ଅନୁମୋଦନ ପାଇବା ପରେ ତୁରନ୍ତ ଟିକାକରଣ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨ ବର୍ଷ ଭିତରେ ୧୦ ଜିଲ୍ଲା ବଲାଙ୍ଗୀର, ଢେଙ୍କାନୀଳ, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଟିକା ଦିଆଯିବ । ଏହି ଭ୍ୟାକସିନ କ୍ୟାନସରରୁ ୯୨ ରୁ  ୯୫ ପ୍ରତିଶତ ପର୍ଯ୍ୟନ୍ତ ସୁରକ୍ଷା ଦେଇଥାଏ ବୋଲି ଡାକ୍ତରମାନେ କହିଛନ୍ତି  ।