ଛାତିରେ ପଶିଯାଇଥିଲା ବାଉଁଶ: ନୂଆ ଜୀବନ ଦେଲେ କିମ୍ସ ଡାକ୍ତର

ଭୁବନେଶ୍ୱର: ଦୁର୍ଘଟଣାର ସମ୍ମୁଖୀନ ହୋଇ ଛାତିରେ ବାଉଁଶ ପଶି ଯାଇଥିଲା । ଜୀବନ ସହ ସଂଘର୍ଷ କରୁଥିବା ସମୟରେ କିମ୍ସ ଡାକ୍ତର ଦେଲେ ନୂଆ ଜୀବନ । ପୁରୀ ଚନ୍ଦନପୁର ବ୍ଲକ୍‍ ତଳଜଙ୍ଗ ଅଞ୍ଚଳର ୪୦ ବର୍ଷୀୟ ତପନ ପରିଡ଼ା ନିଜ ଜମି ନିକଟସ୍ଥ ସାଇଫନରେ ପାଣି ଦେଖୁଥିବା ବେଳେ ବାଡ଼ ଭାଙ୍ଗିଯିବାରୁ ୧୫ ଫୁଟ ତଳକୁ ଖସି ପଡ଼ିଥିଲେ । ଫଳରେ ପାଣିରେ ପୋତା ଯାଇଥିବା ବାଉଁଶ ତାଙ୍କ ଛାତିରେ ପଶି ପିଠିରେ ବାହାରି ଯାଇଥିଲା । ଗତ ୨୮ ତାରିଖ ରାତି ପ୍ରାୟ ୯.୩୦ ସମୟରେ ଏହି ଘଟଣା ଘଟିଥିଲା । ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ସମ୍ପର୍କୀୟମାନେ ତୁରନ୍ତ ତାଙ୍କୁ ଭୁବନେଶ୍ୱର କିମ୍ସ ହସ୍ପିଟାଲକୁ ନେଇ ଆସିଥିଲେ । ବିଳମ୍ବିତ ରାତିରେ କିମ୍ସ ହସ୍ପିଟାଲରେ ପହଞ୍ଚିବା ପରେ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ପି ଏସ୍‍ ପୂଜାରୀଙ୍କ ନେତୃତ୍ୱରେ ୬ ଜଣିଆ ଡାକ୍ତରୀ ଦଳ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରିଥିଲେ ।

ଦୀର୍ଘ ୪ ଘଣ୍ଟା ଧରି ଏହି ଅସ୍ତ୍ରୋପଚାର ପରେ ଡାକ୍ତରୀ ଦଳ ତପନଙ୍କ ଶରୀରରୁ ବାଉଁଶ ବାହାର କରିବାରେ ସଫଳ ହୋଇଥିଲେ । ଫଳରେ ତପନଙ୍କ ଜୀବନ ରକ୍ଷା ପାଇବା ସହ ତାଙ୍କ ଶରୀର ଏବଂ ହାତ କର୍ଯ୍ୟକ୍ଷମ ହୋଇପାରିଛି। ଏହି ଅସ୍ତ୍ରୋପଚାର ଡାକ୍ତରୀ ଦଳ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ଉନ୍ନତ ମାନର ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର, ଡା ପୂଜାରୀ ଓ ଡାକ୍ତରୀ ଦଳ ଏବଂ ନିଶ୍ଚେତକ ବିଭାଗର ଡା ସଞ୍ଜୟ କୁମାର ବେହେରା ଏହି ଅସ୍ତ୍ରୋପଚାରରେ ସାମିଲ ହୋଇ ଅସ୍ତ୍ରୋପଚାରକୁ ସଫଳ କରିଥିଲେ। ତପନ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଚଲାବୁଲା କରିପାରୁଛନ୍ତି ।