ଇମ୍ରାନ ଖାନଙ୍କୁ ହତ୍ୟା ଉଦ୍ୟମ ପରେ ସାରା ଦେଶରେ ଜନ ଆକ୍ରୋଶ, ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହତ୍ୟା ଉଦ୍ୟମ ପରେ ସାରା ଦେଶରେ ଜନ ଆକ୍ରୋଶ । ଲାହୋରଠାରୁ ରାଓ୍ବଲପିଣ୍ଡି, ଇସଲାମାବାଦରୁ ପଞ୍ଜାବ ଚାରିଆଡ଼େ ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ । ଲୋକେ ରାସ୍ତାକୁ ଓହ୍ଲାଇବା ସହ ଘଟଣାକୁ ନିନ୍ଦା କରିଛନ୍ତି । ଅଭିଯୁକ୍ତ ଏବଂ ତା’ ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି । କିଛି ସ୍ଥାନରେ ଲୋକ ରାସ୍ତାକୁ ଓହ୍ଲାଇବା ସହ ନିଆଁ ଜଳାଇଛନ୍ତି । ଫରିଜାବାଦରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ବିକ୍ଷୋଭାକାରୀଙ୍କ ଉପରକୁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥଲେ ପୋଲିସ । ପ୍ରତିବାଦରେ ଲୋକେ ପଥର ମାଡ଼ କରିଥିଲେ  । ଲାହୋରରେ ପଞ୍ଜାବ ଗଭର୍ଣ୍ଣରଙ୍କ ଘର ଆଗରେ ଲୋକେ ଜୋରଦାର ପ୍ରତିବାଦ କରିଥିଲେ ।

ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ରାସ୍ତାକୁ ଓହ୍ଲାଇବା ସହ ଆଜି ପ୍ରତିବାଦ କରିଥିବାରୁ ସାଧାରଣ ଜନଜୀବନ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଥିଲା । ଗତକାଲି ରାଲି ବେଳେ ଇମ୍ରାନ ଖାନଙ୍କ ଉପରରୁ ୩ରୁ ୪ ରାଉଣ୍ଡ ଗୁଳି ଫାୟାରିଂ କରାଯାଇଥିଲା । ଅଭିଯୁକ୍ତକୁ ଗିରଫ କରାଯାଇଛି । ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ବି ପୋଲିସ ଗିରଫ କରିଛି । ସେପଟେ କାହିଁକି ଗୁଳି ଚାଳନା କରିଥିଲା ଏନେଇ ପୋଲିସ ଷ୍ଟେସନରେ ଅଭିଯୁକ୍ତ ସ୍ବୀକାର କରିଥିବା ବେଳେ ତା’ର ଭିଡିଓ ଭାଇରାଲ କରିବା ଅଭିଯୋଗରେ ଥାନା ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି ।