ହକି ବିଶ୍ବକପ ପୂର୍ବରୁ ସଜେଇ ହେଉଛି ରାଉରକେଲା, ଚକାଚକ୍ ରାସ୍ତା ସାଙ୍ଗକୁ ରଙ୍ଗୀନ ଆଲୋକରେ ଝଟକୁଛି ସହର

ରାଉରକେଲା: ଝଟକୁଛି ରାଉରକେଲା । ପାର୍କ, ଓ୍ବାଟର ଫାଉଣ୍ଟେନ ସାଙ୍ଗକୁ ଚକାଚକ୍ ରାସ୍ତା । ରଙ୍ଗୀନ ଆଲୋକରେ ଚିକମିକ୍ କରୁଛି ରାସ୍ତା ପାର୍ଶ୍ବ । ସୁନ୍ଦର ସୁନ୍ଦର ପ୍ରତିକୃତି ଓ ଚିତ୍ର କଳା ଲୋକଙ୍କୁ ଆକୃଷ୍ଟ କରୁଛି । ବିଶ୍ବକପ ପୂର୍ବରୁ ରିଙ୍ଗ୍ ରୋଡର ସୌନ୍ଦର୍ଯ୍ୟକରଣ ସହ ସହରର ବିଭିନ୍ନ ରାସ୍ତା କଡ଼କୁ ଆଲୋକମାଳାରେ ସଜେଇ ହୋଇଛି । ସହରର ଟ୍ରାଫିକ୍ ଗେଟ ଛକ ନିକଟରେ ନିର୍ମାଣ କରାଯାଇଛି ସେନସୋରୀ ପାର୍କ । ଏହି ପାର୍କରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ମନୋରଞ୍ଜନ ପାଇଁ ସମସ୍ତ ବ୍ୟବସ୍ଥା ରହିଛି । ପରିତ୍ୟକ୍ତ ପୁଷ୍କରିଣୀର ସୌନ୍ଦର୍ଯ୍ୟ କରଣ କରାଯାଇ ଲାଇଟ ସହିତ ଓ୍ବାଟର ଫାଉଣ୍ଟେନର ବ୍ୟବସ୍ଥା କରାଯାଇଛି । ପାର୍କରେ ଭର୍ଟିକାଲ ଗାର୍ଡେନରେ କାନ୍ଥରେ ଲାଗିଛି ବିଭିନ୍ନ ଗଛ । ପୁରୁଣା ଅଦରକାରୀ ଟାୟାରରେ ବାଘ, ବିଭିନ୍ନ ଅଦରକାରୀ ସ୍କ୍ରାପ, ଲୁହା ଚେନ୍ ପୁରୁଣା ଗାଡିର ପାର୍ଟିରେ ୨୫ ଫୁଟର ଦୁଇଟି ହକି ଷ୍ଟିକ ନିର୍ମାଣ କରାଯାଇଛି ।

ସହରର ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ନୂତନ ପାର୍କ ନିର୍ମାଣ ଓ ପୁରାତନ ପାର୍କର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦୃତ ଗତିରେ କରାଯାଉଛି । ପାଦଚଲା ରାସ୍ତା ନିର୍ମାଣ ସହ ରାସ୍ତା କଡ଼ର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଉଛି । ଏହାକୁ ବିଭିନ୍ନ ମହଲରେ ସ୍ଵାଗତ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।