spot_img
Home Blog Page 3941

ସୁନ୍ଦରଗଡ଼ ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍

ସୁନ୍ଦରଗଡ଼ : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସିଥିଲେ । ମଙ୍ଗଳବାର ଦିନ ମନ୍ତ୍ରୀ ମିଶନ ଶକ୍ତି ମା’ମାନଙ୍କ ଜୀବିକା ଏବଂ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ସୁନ୍ଦରଗଡ଼ସ୍ଥିତ ସଦଭାବନା ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ମନ୍ତ୍ରୀ ଯୋଗଦେଇ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, ଓଡ଼ିଶା ଜୀବିକା ମିଶନ ପକ୍ଷରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ । ଏହାସହ ଜିଲ୍ଲାରେ ସାନ ସାନ ପିଲାଙ୍କ ପୋଷଣ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ ଚାଲିଥିବା ସ୍ପିରୁଲିନା ଏବଂ ମାଣ୍ଡିଆ ଲଡୁ ବଣ୍ଟନ କାର୍ଯ୍ୟକ୍ରମ ବିଷୟରେ ବିଭାଗୀୟ ଅଧିକାରୀଙ୍କଠାରୁ ସେ ପଚାରି ବୁଝିଥିଲେ।

ଏହି ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ସହିତ ସମନ୍ୱିତ ଶିଶୁ ବିକାଶ ଯୋଜନାର (ଆଇସିଡିଏସ୍) ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ। ଜନ୍ମରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ପିଲା, କିଶୋରୀ ବାଳିକା, ଗର୍ଭବତୀ ଏବଂ ପ୍ରସୂତି ମା’ମାନଙ୍କ ସୁବିଧା ପାଇଁ ସେମାନଙ୍କ ଆଧାର କାର୍ଡକୁ ସରକାରଙ୍କ ‘ପୋଷଣ ଟ୍ରାକର’ ସହ ସଂଯୋଗ କରିବାକୁ ସେ ସିଡିପିଓମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ବୈଠକରେ ସୁନ୍ଦରଗଡ଼ ମାନ୍ୟବର ବିଧାୟିକା ଶ୍ରୀମତୀ କୁସୁମ ଟେଟେ, ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲିଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ଆନୁଷ୍ଠାନିକ ପ୍ରସବକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ମା’ଗୃହ ସ୍ଥାପନ କରାଯାଇଛି । ମାନ୍ୟବର ମନ୍ତ୍ରୀ ଟାଙ୍ଗରପାଲି ବ୍ଲକର ବନ୍ଧପାଲିସ୍ଥିତ ମା’ଗୃହକୁ ଯାଇ ସେଠାରେ ଗର୍ଭବତୀ ଓ ପ୍ରସୁତି ମା’ମାନଙ୍କୁ ମିଳୁଥିବା ସେବା ସମ୍ପର୍କରେ ପଚାରି ବୁଝିଥିଲେ। ବର୍ତ୍ତମାନ ଜିଲ୍ଲାରେ ୨୦ଟି ମା’ଗୃହ ରହିଛି।

ଏହାସହ ମନ୍ତ୍ରୀ ବେଲସରାସ୍ଥିତ ଜୟଶଙ୍କର ସେବାଶ୍ରମ ପରିଦର୍ଶନ କରିଥିଲେ। ସେଠାରେ ଅନ୍ତେବାସୀମାନଙ୍କ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଯେଉଁସବୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ତା’ର ସେ ଅନୁଧ୍ୟାନ କରିଥିଲେ । ଏହି ଗସ୍ତ ସମୟରେ ମାନ୍ୟବର ମନ୍ତ୍ରୀଙ୍କ ସହିତ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ଉପାଧ୍ୟକ୍ଷ କମଲ ଲାକ୍ରା, ଡିଏମଏଫ ସିଇଓ ରିତା ଡାଙ୍ଗ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରବାସିନୀ ଚକ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମୋସ ମିସ୍ ଫାୟାରିଂ ମାମଲା,୩ ବାୟୁସେନା ଅଧିକାରୀ ବରଖାସ୍ତ

ନୂଆଦିଲ୍ଲୀ : ମାର୍ଚ୍ଚ ୯ ତାରିଖ ଦିନ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଭୁଲବଶତଃ ପ୍ରକ୍ଷେପଣ ପାଇଁ ତିନି ଜଣ ବାୟୁସେନା ଅଧିକାରୀଙ୍କୁ ଦାୟୀ କରାଯାଇଛି । କେନ୍ଦ୍ର ସରକାର ଏହି ତିନି ଅଧିକାରୀଙ୍କୁ ବାୟୁସେନାରୁ ବରଖାସ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୯ ତାରିଖ ଦିନ ବ୍ରହ୍ମୋସ କ୍ଷେପଣାସ୍ତ୍ର ପାକିସ୍ତାନ ସୀମାରେ ପଡ଼ିଥିଲା । ତେବେ ଏଥିରେ ଯୁଦ୍ଧାସ୍ତ୍ର ନଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିଲା । ଏହି ଘଟଣା ଯୋଗୁ ସେତେବେଳେ ପାକିସ୍ତାନ ଓ ଭାରତ ମଧ୍ୟରେ ବୟାନବାଜୀ ହୋଇଥିଲା । ପାକିସ୍ତାନ ଏହାକୁ ଉସକାଇବା ଭଳି କାର୍ଯ୍ୟ କହିଥିବା ବେଳେ ଭାରତ ଏହା ଅନିଛାକୃତ ତ୍ରୁଟି ଥିଲା  ବୋଲି କହିଥିଲା ।

ଏହି ଘଟଣା ପରେ ଏକ ଉଚ୍ଚ ସ୍ତରୀୟ କମିଟି ପୁରା ମାମଲାରେ ତଦନ୍ତ କରିଥିଲା । ତଦନ୍ତରୁ ତିନି ଜଣ ଅଧିକାରୀ ଏହି ଭୁଲ ପାଇଁ ଦାୟୀ ବୋଲି ଜଣା ପଡି଼ଥିଲା । ଅଗଷ୍ଟ ୨୩ ତାରିଖରେ କେନ୍ଦ୍ର ସରକାର ଯେଉଁ ତିନି ଅଧିକାରୀଙ୍କୁ ବାୟୁସେନାରୁ ବରଖାସ୍ତ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଗ୍ରୁପ୍ କ୍ୟାପ୍ଟେନ୍,ଜଣେ ୱିଙ୍ଗ କମାଣ୍ଡର ଓ ଜଣେ ସ୍କ୍ୱର୍ଡନ ଲିଡର ।

ନିର୍ଧାରିତ ସଂଚାଳନ ମାନକ ପ୍ରକ୍ରିୟାକୁ ସଠିକ ଭାବେ ଅନୁସରଣ କରିନଥିବାରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ପାକିସ୍ତାନ ପଟକୁ ଯାଇଥିଲା ବୋଲି ତଦନ୍ତରୁ ଜଣା ପଡି଼ଛି ।

ଜଙ୍ଗଲ ଅଧିବାସୀଙ୍କ ପାଇଁ ପ୍ରତିଷ୍ଠା ହେବ ବହୁବିଧ ଉତ୍ପାଦ ପୁଞ୍ଜ

0

ଭୁବନେଶ୍ଵର: ଓଡିଶା ବନାଞ୍ଚଳ ଉନ୍ନୟନ ସମିତିର ଏକ ଏକ ଦିବସୀୟ କର୍ମଶାଳା “ସମୀକ୍ଷ।: ବହୁବିଧ ଉତ୍ପାଦ ପୁଞ୍ଜ କାର୍ଯ୍ୟକ୍ରମ ମାଧ୍ୟମରେ ରୂପାନ୍ତରଣ ପ୍ରାପ୍ତି” ଶୀର୍ଷକ କାର୍ଯ୍ୟକ୍ରମ ୧୭ ଅଗଷ୍ଟ ୨୦୨୨ ରେ ଭୁବନେଶ୍ଵରରେ ଅନୁଷ୍ଠିତ ହୋଇଛି । ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଭା.ପ୍ର.ସେ. ମୁଖ୍ୟ ଅତିଥି ଭାବେ ଏହି କର୍ମଶାଳାକୁ ଉଦଘାଟନ କରିଛନ୍ତି । ରାଜ୍ୟର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ବନ ବାହିନୀର ମୁଖ୍ୟ ଦେବୀଦତ୍ତ ବିଶ୍ଵାଳ ଏହି କାର୍ଯ୍ୟକ୍ରମରେ ସମାନ୍ନିତ ଅତିଥି ଭାବେ ଯୋଗଦାନ କରିଥିଲେ ।

ଅତିରିକ୍ତ ମୁଖ୍ୟ ସଚିବ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ତାଙ୍କ ପ୍ରାରମ୍ଭିକ ଭାଷଣରେ ଜଙ୍ଗଲ ଉପକଣ୍ଠ ଅଧିବାସୀଙ୍କ ସାମାଜିକ ତଥା ଅର୍ଥନୈତିକ ଅବସ୍ଥାର ଉନ୍ନତି ପାଇଁ ଗୋଷ୍ଠୀ ସହଭାଗିତାରେ ନିରନ୍ତର ଜଙ୍ଗଲ ପରିଚାଳନା ସହିତ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମର ଏକାନ୍ତ ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ବନଖଣ୍ଡ ସ୍ତରରେ ବହୁବିଧ ଉତ୍ପାଦ ପୁଞ୍ଜ ପ୍ରତିଷ୍ଠା କରି ଜଙ୍ଗଲ ଉପରେ ନିର୍ଭରଶୀଳ ଗୋଷ୍ଠୀଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ଓଡିଶାବନାଞ୍ଚଳଉନ୍ନୟନ ପ୍ରକଳ୍ପରେ ନିଆଯାଇଥିବା ପଦକ୍ଷେପକୁ ସେ ସ୍ଵାଗତ କରିଥିଲେ ।

ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ – ୨ୟ ପର୍ଯ୍ୟାୟର କାର୍ଯ୍ୟକ୍ରମକୁ ପ୍ରଶଂସା କରିବାସହ ଏହା ଜାଇକାର ଏକ ଉଚ୍ଚ କୋଟୀର ଜ୍ଞାନ କୌଶଳ ସମ୍ପନ୍ନ ପ୍ରକଳ୍ପ ବୋଲି କହିଥିଲେ । ସମ୍ମାନିତ ଅତିଥି ଶ୍ରୀ ବିଶ୍ଵାଳ କହିଲେ ସମସ୍ତ ଜାପାନ ଅନ୍ତର୍ଜାତିକ ସହାୟତା ସଂସ୍ଥା ସାହାଯ୍ୟପ୍ରାପ୍ତ ପ୍ରକଳ୍ପ ମାନଙ୍କ ମାଧ୍ୟରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ – ଦ୍ଵିତୀୟ ପର୍ଯ୍ୟାୟଏକ ଅଗ୍ରଣୀ ପ୍ରକଳ୍ପ, ଯେଉଁଥିରେ ନିରନ୍ତର ଜଙ୍ଗଲ ପରିଚାଳନା କାର୍ଯ୍ୟକ୍ରମ ସହିତ ଜୀବିକା ଉନ୍ନୟନ କାର୍ଯ୍ୟକ୍ରମ ଏକୀକୃତ ହୋଇଛି ।

ବହୁବିଧ ଉତ୍ପାଦପୁଞ୍ଜ ପ୍ରତିଷ୍ଠା କ୍ଷେତ୍ରରେ ପ୍ରକଳ୍ପର ପଦକ୍ଷେପକୁ ସେ ପ୍ରଶଂସା କରିବା ସହିତ ଜଙ୍ଗଲ ଉପରେ ନିର୍ଭରଶୀଳ ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥାରେ ଏହା ଉନ୍ନତି ଆଣିବା ସଙ୍ଗେ ସଙ୍ଗେ ଉତ୍କୃଷ୍ଟ ଧରଣର ପ୍ରକୃତିକ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ଏହା ଗୋଷ୍ଠୀ ଏବଂ ଅନ୍ୟ ଅଂଶୀଦାରଙ୍କ ପାଇଁ ସହାୟକ ହେବ ବୋଲି ପ୍ରକାଶ କରିଥିଲେ  ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପ୍ରକଳ୍ପ) ଏବଂ ପ୍ରକଳ୍ପ ନିର୍ଦ୍ଦେଶିକା,ଓଡିଶା ବନାଞ୍ଚଳ ଉନ୍ନୟନ ସମିତି,ତାଙ୍କର ସ୍ଵାଗତ ଭାଷଣରେ ୧୨ ଗୋଟି ବନଖଣ୍ଡର ପ୍ରକଳ୍ପ ଅନ୍ତର୍ଭୁକ୍ତ, ୧୨୧୧ ଗୋଟି ବନ ସୁରକ୍ଷା ସମିତିରେ ଦକ୍ଷତା ଏବଂ କୁଶଳତା ଗଠନ କାର୍ଯ୍ୟକ୍ରମ ମାଧ୍ୟମରେ ଗୋଷ୍ଠୀ ସଞ୍ଚାର ଏବଂ ଗୋଷ୍ଠୀଭିତ୍ତିକ ଅନୁଷ୍ଠାନ ସୁଦୃଢୀକରଣ ନିମିତ୍ତ ପଦକ୍ଷେପ ନିଆଯାଇଛି ବୋଲି ପ୍ରକାଶ କରିଥିଲେ । ଜୈବ ବିବିଧତା ସଂରକ୍ଷଣ ପ୍ରୟୋଗ କ୍ଷେତ୍ରରେ ରାଜନଗର ଲୁଣା ଜଙ୍ଗଲ ବନ୍ୟପ୍ରାଣୀ ବନଖଣ୍ଡର ଭିତରକନିକା ସଂରକ୍ଷଣ ଅଞ୍ଚଳରେ ଡିସେମ୍ବର, ୨୦୧୭ ମସିହାରୁ ପରିସଂସ୍ଥା ଭିତ୍ତିକ ସଂରକ୍ଷଣ ପରିଚାଳନା କାର୍ଯ୍ୟକ୍ରମ ପ୍ରକଳ୍ପ ଦ୍ଵାରା କାର୍ଯ୍ୟକାରୀ ହେଉଥିବାର ସେ ଅବଗତ କରିଥିଲେ ।

ନିରନ୍ତର ଉପକୂଳ ପରିଚାଳନା ଜାତୀୟ କେନ୍ଦ୍ର (NCSCM)ଚେନ୍ନାଇ ଦ୍ଵାରା ପ୍ରସ୍ତୁତ ଭିତରକନିକା ସଂରକ୍ଷଣ ଅଞ୍ଚଳ ସ୍ୱାସ୍ଥ୍ୟ ରିପୋର୍ଟ କାର୍ଡ–ଦ୍ଵିତୀୟ ପର୍ଯ୍ୟାୟଏହି କର୍ମଶାଳାରେ ଉନ୍ମୋଚିତ ହୋଇଥିଲା । କର୍ମଶାଳାର ଉଦଘାଟନ ଅଧିବେଶନରେ ଅନ୍ୟ ଉଚ୍ଚ ପଦସ୍ଥ କର୍ମକର୍ତ୍ତାଙ୍କମଧ୍ୟରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପ୍ରକଳ୍ପ) ଏବଂ ପ୍ରକଳ୍ପ ନିର୍ଦ୍ଦେଶିକା,ଓଡିଶାବନାଞ୍ଚଳଉନ୍ନୟନସମିତି, ଡ. ମୀତା ବିଶ୍ଵାଳ ଭା.ବ.ସେ. ଏବଂ KIIT-TBIର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ମୃତ୍ୟୁଞ୍ଜୟ ସୁଆର ଯୋଗଦାନ କରିଥିଲେ ।

ଫୋନ ବ୍ୟାଙ୍କିଙ୍ଗ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୈତ୍ରୀବିହାରରେ ଆଇସିଆଇସିଆଇ ବ୍ୟାଙ୍କର ଷ୍ଟେଟ ଅଫ ଦ ଆର୍ଟ ଫୋନ ବ୍ୟାଙ୍କିଙ୍ଗ ସେଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସେଣ୍ଟରରେ ୧୨୦୦ ଜଣଙ୍କୁ ନିଯୁକ୍ତି ମିଳିବ । ଏଥିରୁ ୬୦% ମହିଳା ରହିବେ ।ଏହି ବ୍ୟାଙ୍କ କୃତ୍ରିମ ବୁଦ୍ଧିମତ୍ତା ଏବଂ ରୋବୋଟିକସରେ ପରିଚାଳିତ ହେବ । ସାରା ଦେଶର ଖୁଚୁରା ଗ୍ରାହକଙ୍କ ସହ କର୍ପୋରେଟ ହାଉସ ମଧ୍ୟ ଏଠାରୁ ବ୍ୟାଙ୍କି ସେବା ପାଇପାରିବେ ।

ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଏଭଳି ଆଧୁନିକ ଜ୍ଞାନେକୗଶଳ ବ୍ୟବହାର କରିଥିବାରୁ ମୁଖ୍ୟମନ୍ତ୍ରୀ ବ୍ୟାଙ୍କ କତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଥିଲେ । ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଏହି ଉଦଘାଟନୀ ଉତ୍ସବରେ ୫ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ । ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଦୀପ ବାତ୍ରା ଉତ୍ସବରେ ସ୍ବାଗତ ଭାଷଣ ଦେଇଥିଲେ ।

ଯୁକ୍ତ ଦୁଇରେ ଗତ ବର୍ଷ ଭଳି ହେବ ତ୍ରୈମାସିକ ପରୀକ୍ଷା

ଭୁବନେଶ୍ୱର: ଏଥର ଯୁକ୍ତ ଦୁଇରେ ଗତ ବର୍ଷ ଭଳି ତ୍ରୈମାସିକ ବା କ୍ଵାଟର ଏଣ୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜୁନ ୧୮ ରୁ କଲେଜ୍ ଖୋଲିଥିଲେ ସୁଦ୍ଧା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କ୍ଵାଟର ଏଣ୍ଡ ପରୀକ୍ଷା ହେବ ନା ନାହିଁ ସ୍ପଷ୍ଟ କରିନଥିଲା । ଫଳରେ ପିଲାମାନେ ଚିନ୍ତାରେ ଥିଲେ । ଆଜି ବିଭାଗ ପକ୍ଷରୁ ସ୍ପଷ୍ଟ କରାଗଲା । ଥିଓରୀ ପାଇଁ ୨୦ ଓ ପ୍ରାକ୍ଟିକାଲ ପାଇଁ ୧୦ ମାର୍କ ର ପରୀକ୍ଷା ହେବ। ପରୀକ୍ଷା ଡେଟ ଘୋଷଣା କରିବ ସିଏଏସଇ ।

ସିବିଆଇ ଅଦାଲତ ବିଚାରପତିଙ୍କୁ ଧମକ, ତୃଣମୂଳ ବିଧାୟକ ଅନୁବ୍ରତଙ୍କୁ ନଛାଡ଼ିଲେ…

କୋଲକତା: ଆସନସୋଲର ସ୍ୱତନ୍ତ୍ର ସିବିଆଇ ଅଦାଲତ ବିଚାରପତି ରାଜେଶ ଚକ୍ରବର୍ତ୍ତିଙ୍କୁ ମିଳିଛି ଧମକ । ଟିଏମସି ବିଧାୟକ ଅନୁବ୍ରତ ମଣ୍ଡଳଙ୍କୁ ନଛାଡ଼ିଲେ ବିଚାରପତିଙ୍କ ପରିବାରକୁ ମିଥ୍ୟା ଏନଡିପିଏସ୍ ମାମଲାରେ ଫସାଇ ଦିଆଯିବ ବୋଲି ଧମକ ମିଳିଛି । ପତ୍ର ମାଧ୍ୟମରେ ବିଚାରପତିଙ୍କୁ ଏହି ଧମକ ମିଳିଛି । ସୂଚନାଯୋଗ୍ୟ ଯେ, ଗୋରୁ ଚୋରାଚାଲଣ ଅଭିଯୋଗରେ ଅନୁବ୍ରତଙ୍କୁ ସିବିଆଇ ଅଗଷ୍ଟ ୧୧ ତାରିଖରେ ଗିରଫ କରିଥିଲା ।

ଧମକ କିଏ ଦେଇଛି ?
ବିଚାପତି ରାଜେଶ ଚକ୍ରବର୍ତ୍ତିଙ୍କ ପାଖକୁ ଆସିଥିବା ଚିଠିରେ ଅନୁବ୍ରତଙ୍କୁ ତୁରନ୍ତ ଜାମିନ ଦେବାକୁ କୁହାଯାଇଛି ।ଯଦି ଜାମିନ ନମିଳେ ତେବେ ବିଚାରପତିଙ୍କ ପରିବାରକୁ ଏନଡିପିଏସ୍ ମାମଲାରେ ଫସାଇ ଦିଆଯିବ ବୋଲି ପତ୍ରରେ ଲେଖା ଅଛି । ବର୍ଦ୍ଧମାନ ଅଦଲାତର କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍ ଓ ଟିଏମସି କର୍ମଚାରୀ ସଂଘ ସଚିବଙ୍କ ହେଡ୍ କ୍ଲର୍କ ବୋଲି ନିଜକୁ ଦାବି କରୁଥିବା ବପ୍ପା ଚାଚାର୍ଜୀ ଏହି ଚିଠି ପଠାଇଥିବା କୁହାଯାଉଛି ।

ଆସନସୋଲ ସ୍ପେଶାଲ କୋର୍ଟର ବିଚାରପତି ପଶ୍ଚିମ ବର୍ଧମାନର ଜିଲ୍ଲା ଜଜଙ୍କୁ ଏହି ଧମକପୂର୍ଣ୍ଣ ପତ୍ର ସମ୍ବନ୍ଧରେ ଚିଠି ଲେଖି ଜଣାଇଛନ୍ତି । କାରଣ ଧମକ ଦେଇଥିବା ବ୍ୟକ୍ତି ନିଜକୁ ବର୍ଧମାନ କୋର୍ଟର କ୍ଲର୍କ ବୋଲି ଦାବି କରିଛି । ସିବିଆଇର ଅଭିଯୋଗ ଯେ, ଫେରାର ତୃଣମୂଳ ନେତା ବିନୟ ମିଶ୍ରଙ୍କ ଭାଇ ବିକାଶ ମିଶ୍ର ଓ ମଣ୍ଡଳ ଗୋ’ ଚୋରାଚାଲଣକାରୀ ଇନାମୁଲ ହକକୁ ସଂରକ୍ଷଣ ଦେଉଥିଲେ । ସିବିଆଇ ଅନୁସାରେ ଇନାମୁଲ ହକ୍ ଇଲମ ବଜାରରେ ଗୋରୁ କିଣାବିକା କରୁଥିଲା । ସେଠାରୁ ସେ ବାଂଲାଦେଶକୁ ଗୋ ଚାଲଣ କରୁଥିଲା ।

ଅନୁବ୍ରତ ମଣ୍ଡଳର ବେନାମୀ ସଂପତି ଖୋଳତାଡ଼ କରିବାକୁ ବୋଲପୁର ପହଂଚିଲା ସିବିଆଇ ଟିମ୍ ଅନ୍ୟପକ୍ଷରେ ସିବିଆଇ ଟିମ୍ ବିରଭୂମ ଜିଲ୍ଲାର ତୃଣମୂଳ ଅଧ୍ୟକ୍ଷ ଅନୁବ୍ରତ ମଣ୍ଡଳର ବେନାମୀ ସଂପତି ଠାବ କରିବାକୁ ବୋଲାପୁରରେ ପହଂଚିଛନ୍ତି । ଏପର୍ଯ୍ୟନ୍ତ ଅନୁବ୍ରତ ମଣ୍ଡଳଙ୍କର ଦୁଇଟି ଚାଉଳ ମିଲ୍ ଭୋଲେବାବା ଓ ଶିବ ଶମ୍ଭୁ ରାଇସ ଉପରେ ସିବିଆଇ ଟିମ୍ ଚଢାଉ କରିଛି । ଏହି ଦୁଇଟି ଯାକ ମିଲ୍ ଅନୁବ୍ରତଙ୍କ ସଂପର୍କୀୟ ଓ ତାଙ୍କ ସମର୍ଥକଙ୍କ ନାମରେ ରହିଛି ।

ହକି ବିଶ୍ବକପ୍ ପୂର୍ବରୁ ରାଉରକେଲାରେ ପ୍ରଥମ ଅନ୍ତଃରାଷ୍ଟ୍ରୀୟ ଲିଗ୍

ଭୁବନେଶ୍ୱର: ହକି ବିଶ୍ବକପ୍‌ ପୂର୍ବରୁ ରାଉରକେଲା ଷ୍ଟାଡିୟମରେ ଖେଳାଯାଇପାରେ ପ୍ରଥମ ଅନ୍ତରାଷ୍ଟ୍ରୀୟ ଲିଗ୍‌ ମ୍ୟାଚ୍‌ । ଓଡ଼ିଶାରେ ଦୁଇଟି ସ୍ଥାନରେ ଖେଳାଯିବ ଲିଗ୍‌ ମ୍ୟାଚ୍‌ । ଭୁବନେଶ୍ବର ଓ ରାଉରକେଲାକୁ ଭେନ୍ୟୁ ଘୋଷଣା କରାଯାଇଛି । ଆସନ୍ତା ୨୮ ଅକ୍ଟୋବରରୁ ୫ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ଚାଲିବ ଲିଗ୍‌ ମ୍ୟାଚ୍‌ । ଇଣ୍ଟରନ୍ୟାସନାଲ ହକି ଫେଡେରେସନ ପକ୍ଷରୁ ସୂଚନା ଦିଆଯାଇଛି ।

ଲିଗ୍‌ର ପ୍ରଥମ ଦିନରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ରାଉରକେଲାରେ ଉଦ୍‌ଘାଟିତ ହୋଇପାରେ ଲିଗ୍‌ ମ୍ୟାଚ୍‌ । ୩୦ ଅକ୍ଟୋବରରେ ସ୍ପେନକୁ ଭେଟିବ ଭାରତ । ତେବେ ୧୦ ମାର୍ଚରେ ଜର୍ମାନୀକୁ ଭେଟିବ ଭାରତ । ଯାହା ରାଉରକେଲାରେ ହେବ ବୋଲି ସ୍ପଷ୍ଟ ହୋଇଛି । ରାଉରକେଲାରେ ଅନ୍ତରାଷ୍ଟ୍ରୀୟ ଲିଗ୍‌ ମ୍ୟାଚ୍‌ ଆରମ୍ଭ ହେବା ନେଇ ଖୁସି ପ୍ରକଟ କରିଛନ୍ତି ଓଡ଼ିଶା ହକି ପ୍ରମୋସନାଲ କାଉନସିଲ୍ ଅଧ୍ୟକ୍ଷ ଦିଲ୍ଲୀପ ତିର୍କି । ରାଉରକେଲାରେ ଷ୍ଟାଡିୟମ ହେବା ପରେ ଏହା ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ହେବ ।

ହିନ୍ଦୁ ଠାକୁର ବ୍ରାହ୍ମଣ ନୁହଁନ୍ତି: ଜେଏନୟୁ କୁଳପତି

ନୂଆଦିଲ୍ଲୀ: ହିନ୍ଦୁଙ୍କର କୌଣସି ଦେବତା ବ୍ରାହ୍ମଣ ନୁହନ୍ତି । ଭଗବାନ ଶିବ ହେଉଛନ୍ତି ଦଳିତ କିମ୍ବା ଆଦିବାସୀ । ଏମିତି ଦାବି କରିଛନ୍ତି ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଶାନ୍ତିଶ୍ରୀ ଧୂଲିପୂଡ଼ି । ସେ କହିଛନ୍ତି ଯେ, ଭଗବାନ ଶ୍ରୀଜଗନ୍ନାଥ ହେଉଛନ୍ତି ଆଦିବାସୀ । ଜେଏନୟୁ କୁଳପତିଙ୍କର ଏଭଳି ବୟାନ ଗଣମାଧ୍ୟମ ପାଇଁ ପାଲଟିଛି ବଡ଼ ଖବର ।

ନୂଆଦିଲ୍ଲୀରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଆମ୍ବେଦକର ସ୍ମାରକୀ ବତ୍କୃତାରେ ପ୍ରଫେସର ଧୂଳିପୁଡ଼ି କହିଛନ୍ତି, ଜାତିବାଦକୁ ନେଇ ଆମେ ଆଜି ବି ଭେଦଭାବ କରୁଛୁ । ମାତ୍ର ମାନବଶାସ୍ତ୍ର କିମ୍ବା ବୈଜ୍ଞାନିକ ଆଧାରକୁ ଦେଖିଲେ କୌଣସି ଦେବତା ବ୍ରାହ୍ମଣ ନୁହଁନ୍ତି । ମହାଦେବ ଶିବ ହେଉଛନ୍ତି ଦଳିତ କିମ୍ବା ଆଦିବାସୀ ଶ୍ରେଣୀର ।

ଶ୍ମଶାନରେ ବେକରେ ସାପ ଗୁଡ଼ାଇ ରହୁଥିବା ଠାକୁର କେବେ ହେଲେ ବ୍ରାହ୍ମଣ ନୁହନ୍ତି । ବ୍ରାହ୍ମଣ କୌଣସି ପରିସ୍ଥିତିରେ ଶ୍ମଶାନରେ ବସି ପାରିବେନି ବୋଲି କୁଳପତି ଯୁକ୍ତି ବାଢ଼ିଛନ୍ତି । ମନୁସ୍ମୃତି ଅନୁସାରେ ସବୁ ମହିଳା ଶୁଦ୍ର ବୋଲି ପ୍ରଫେସର ପଣ୍ଡିତ ଧୂଳିପୁଡ଼ି ଯୁକ୍ତି କରିଛନ୍ତି । ସେ କହିଛନ୍ତି, ମହିଳାଙ୍କୁ ପିତା ଏବଂ ବିବାହ ପରେ ସ୍ବାମୀଙ୍କ ଜରିଆରେ ଜାତି ମିଳିଥାଏ । ବାସ୍ତବରେ ସବୁ ମହିଳା କିନ୍ତୁ ଶୁଦ୍ର । ମହିଳାଙ୍କୁ ଜାତି ଆଧାରରେ ବିଚାର କରିବା ହେଉଛି ପଛୁଆ ମାନସିକତା । ତେବେ ମହିଳାଙ୍କୁ ଅଧିକ ସଂରକ୍ଷଣ ଦେବାକୁ ସେ ଓକିଲାତି କରିଛନ୍ତି ।

ଦେଶରେ ଏବେ ୫୪ ବିଶ୍ବବିଦ୍ୟାଳୟ ଥିଲା ବେଳେ ମାତ୍ର ୬ଟି ରେ ମହିଳା କୁଳପତି ଅଛନ୍ତି । ଏହା ଆମ ଦେଶରେ ମହିଳାଙ୍କ ବାସ୍ତବ ସାମାଜିକ ଚିତ୍ରକୁ ଦର୍ଶାଉଛି ବୋଲି ସେ କହିଛନ୍ତି । ଏ ବତ୍କୃତା ମାଳାରେ ସମାନ ନାଗରିକ ସଂହିତା ଲାଗୁ କରିବାକୁ ପ୍ରଫେସର ଧୂଳିପୁଡ଼ି ପ୍ରସ୍ତାବ ଦେଇଛନ୍ତି । ବାବା ସାହେବଙ୍କ ବିଚାରଧାରାକୁ ଦେଶରେ ଲାଗୁ କରିବାର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି ।

ବାବୁସାନ-ତୃପ୍ତି-ପ୍ରକୃତି ବିବାଦରେ ନୂଆ ମୋଡ଼: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରକୃତି

କଟକ: ବାବୁସାନ ଓ ପ୍ରକୃତି ବିବାଦରେ ନୂଆ ମୋଡ଼ । ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଓ ତାଙ୍କ ବାପାଙ୍କ ବିରୋଧରେ ପ୍ରକୃତି ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପ୍ରକୃତି ।

ଗତ ଜୁଲାଇ ୨୩ ତାରିଖରେ ପ୍ରକୃତି ଦେଇଥିଲେ ଏତଲା । ସତ୍ୟନଗରର ଏକ ଗଳିରେ ଗାଡି ଭିତରେ ବାବୁସାନଙ୍କ ସହ ପ୍ରକୃତି ମିଶ୍ର ବସିଥିବା ବେଳେ ତୃପ୍ତି ତାଙ୍କୁ ଆକ୍ରମଣ କରିଥିଲେ । ଖୁବ ଗାଳିଗୁଲଜ କରିବା ସହିତ ପ୍ରକୃତିଙ୍କୁ ଟଣାଓଟରା କରିଥିଲେ । ଏଥିରେ ଅପମାନିତ ହୋଇ ପ୍ରକୃତି ଥାନାରେ ଏତଲା ଦେଇଥିଲେ । ଏହି ଘଟଣାରେ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁ ବୋଲି କୋର୍ଟରେ ପ୍ରାର୍ଥନା କରିଛନ୍ତି ପ୍ରକୃତି ।

ଛାତ୍ରଙ୍କ ଆକ୍ରମଣରେ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଝରିଡି ଆଶ୍ରମ ସ୍କୁଲରେ ଅଭାବନୀୟ ଘଟଣା । ଷଷ୍ଠ ଶେଣୀ ଛାତ୍ରଙ୍କ ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ । ଅଭିଯୋଗ ଅନୁଯାୟୀ ଜଣେ ଷଷ୍ଠ ଶେଣୀର ଛାତ୍ର ପ୍ରଥମ ଶ୍ରେଣୀର ଗୋବିନ୍ଦକୁ ମାଡ଼ ମାରିଥିଲେ । ହଷ୍ଟେଲ ପରିଚାଳକ ଜାଣିବା ପରେ ପ୍ରଧାନ ଶିକ୍ଷକଙ୍କୁ ଜଣାଇ ରାମନଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅପରପଟେ ପରିବାରକୁ ମଧ୍ଯ ଖବର ଦିଆଯାଇଥିଲା ।

ଅବସ୍ଥା ସଂକଟାପନ୍ନ ହେବାରୁ ପରିବାର ଲୋକ ଓ ସ୍କୁଲ କର୍ତ୍ତୁପକ୍ଷ ମିଶି ପ୍ରଥମେ ରାୟଗଡ଼ା ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଛାତ୍ରଜଣଙ୍କ ମୃତ୍ୟୁ ହୋଇଥିଲା । ମୃତ ଛାତ୍ର ଜଣଙ୍କ ଘର ରେଖାପଦର ପଞ୍ଚାୟତର ଝିଲିଗୁଡା ଗାଁର ହୋଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପାଇଁ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଛାତ୍ରକୁ ଅନ୍ୟ କିଛି ରୋଗ କିମ୍ବା ସିକିଲ ସେଲ ଭଳି ରୋଗ ଥିଲା ବୋଲି ଜଣାପଡୁଛି । ଘଟଣାର ଅନୁଧ୍ୟାନ କରାଯାଉଛି ଯଦି କିଛି ଅଘଟଣ ସଂମ୍ପର୍କରେ ସୁଚନା ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି । ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ଜିଲ୍ଲାପାଳ କହିଛନ୍ତି ।