ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମୁକୁଳିଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଲରୁ ମୁକୁଳିଛନ୍ତି ରାଜୀବ ଗାନ୍ଧୀ ହତ୍ୟା ଅଭିଯୁକ୍ତ ନଳିନୀ ଶ୍ରୀହରନ, ତାଙ୍କ ସ୍ବାମୀ ଭି. ଶ୍ରୀହରନ ଓରଫ ମୁରୁଗାନ ଓ ଅନ୍ୟ ୩ ଜଣ ହୋଇଛନ୍ତି ଖଲାସ । ଭେଲୋରସ୍ଥିତ ମହିଳା ଜେଲରୁ ଆଜି ସକାଳେ ନଳିନୀ ମୁକ୍ତ ହୋଇଥିବାବେଳେ ସ୍ବାମୀ ରହୁଥିବା ଭେଲୋର ସେଣ୍ଟ୍ରାଲ ଜେଲକୁ ସନ୍ଧ୍ୟାରେ ଯାଇଥିଲେ । ଜେଲରୁ ବାହାରିବା ପରେ ଉଭୟ ସ୍ବାମୀ ସ୍ତ୍ରୀ ଭାବବିହ୍ବଳ ହୋଇପଡିଥିଲେ ।

ଜେଲରୁ ବାହାରିବା ପରେ ମୁରୁଗାନ, ସନ୍ଥନଙ୍କୁ ଏକ ପୋଲିସ ଜିପରେ ତିରୁଚିରାପଲ୍ଲୀସ୍ଥିତ ଏକ ଶରଣାର୍ଥୀ ଶିବିରକୁ ନିଆଯାଇଥିଲା । ଅନ୍ୟ ଦୁଇ ଦୋଷୀ ସାବ୍ୟସ୍ତ ରବର୍ଟ ପାୟସ ଓ ଜୟକୁମାର ମଧ୍ୟ ପୁଜାଲ ଜେଲରୁ ଖଲାସ ହୋଇ ଶରଣାର୍ଥୀ ଶିବିରରେ ରହିଛନ୍ତି । ପୂର୍ବରୁ ଗତ ମେ ମାସରେ ପେରାରିଭାଲାମଙ୍କୁ ମୁକ୍ତ କରାଯାଇଥିଲା । ଚାରିତ୍ରିକ ସଂଶୋଧନ, ଡିଗ୍ରୀ ହାସଲ, ପୁସ୍ତକ ରଚନା ଓ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକ୍ରମରେ ସେମାନେ ସାମିଲ ହୋଇଥିବାରୁ ୬ଜଣଙ୍କୁ ସୁପ୍ରିମକୋର୍ଟ ଗତକାଲି ଖଲାସ ନିର୍ଦ୍ଦେଶ ଦେଇଥିଲେ ।