ବିଏମସିରେ ଭତ୍ତା ଘୋଟାଲାର ହେବ ଖୋଳତାଡ଼, ଯୋଗ୍ୟ ହିତାଧିକାରୀ ପାଇବେ ସହାୟତା

1 min read

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ ଚିହ୍ନଟ ହୋଇଛନ୍ତି ଶହଶହ ମୃତ ଓ ଭୂତ ହିତାଧିକାରୀ । ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ  ରହିଛି ଅନେକ ସମସ୍ୟା । ଫଳରେ ବହୁ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏଭଳି ଘଟଣାକୁ ନେଇ ବିଏମସିରେ ସୃଷ୍ଟି ହୋଇଛି ଭୂକମ୍ପ । ଗ୍ରାଉଣ୍ଡ ଜିରୋରେ ସମସ୍ୟାର ସମାଧାନ ପାଇଁ ବିଏମସି ପକ୍ଷରୁ ଆରମ୍ଭ ହୋଇଛି ଓ୍ବାର୍ଡ-ଓ୍ବାରୀ ଜନଶୁଣାଣି । ସମସ୍ୟାର ସମାଧାନ ହେବ ଅନ୍ ଦି ସ୍ପଟ୍ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ବିଧବା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଓ ଟ୍ରାନ୍ସଜେଣ୍ଡର ଆଦି ବର୍ଗରେ ଚିହ୍ନଟ ହେଉଛନ୍ତି ହିତାଧିକାରୀ । ତାଲିକାଭୁକ୍ତଙ୍କୁ ଯୋଗାଇ ଦିଆଯାଉଛି ମାସିକ ଭତ୍ତା । ପୂର୍ବରୁ ନଗଦ ଆକାରରେ ଭତ୍ତା ପ୍ରଦାନ କରାଯାଉଥିଲା । ମାତ୍ର ସେଥିରେ ହେରଫେର ଅଭିଯୋଗ ପରେ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଛି ସହାୟତା । ହେଲେ ନିୟମିତ ଭତ୍ତା ଅର୍ଥ ମିଳିବାରେ ରହିଛି ସମସ୍ୟା ।

ସେପଟେ ନିରକ୍ଷରତା ଓ ସଚେତନତା ଅଭାବରୁ ହିତାଧିକାରୀଙ୍କ କାର୍ଡରେ ରହିଛି ତ୍ରୁଟି । ବର୍ଷ ବର୍ଷ ଧରି ଆବେଦନ କରି ମଧ୍ୟ ଯୋଗ୍ୟ ହିତାଧିକାରୀ ତାଲିକାଭୁକ୍ତ ହୋଇପାରୁନାହାନ୍ତି । ମୃତ ଓ ଭୂତ ହିତାଧିକାରୀଙ୍କ ନାଁରେ ଗଡ଼ୁଛି ଲକ୍ଷ ଲକ୍ଷ ଟଙ୍କା । ସମସ୍ୟାର ସମାଧାନ ପାଇଁ ବିଏମସି କାର୍ଯ୍ୟାଳୟ ଓ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ହିତାଧିକାରୀ। ସେପଟେ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ବହୁ ଯୋଗ୍ୟ ହିତାଧିକାରୀ । ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଏମସି ପକ୍ଷରୁ ଆରମ୍ଭ ହୋଇଛି ଓ୍ୱାର୍ଡ-ଓ୍ୱାରୀ ଜନଶୁଣାଣି । ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ସମସ୍ୟା ଜଣାପଡିବା ପରେ ତାହାକୁ ସୁଧାରିବା ବ୍ୟବସ୍ଥା କରାଯାଉଛି । ଗତ ୯ ତାରିଖଠାରୁ ଆରମ୍ଭ ହୋଇଥିବା ଜନଶୁଣାଣି ମାସ ତମାମ ଚାଲିବ ।