ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନଙ୍କୁ ବଡ଼ ଆଶ୍ୱସ୍ତି, ୨ ଲକ୍ଷର ମୁଚାଲିକାରେ ଜାମିନ ଦେଲେ ପଟିଆଲା ହାଉସ କୋର୍ଟ

ନୂଆଦିଲ୍ଲୀ: ମନିଲଣ୍ଡ୍ରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପଟିଆଲା ହାଉସ୍ କୋର୍ଟରୁ ଆଶ୍ୱସ୍ତି ମିଳିଛି । ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଜ୍ୟାକଲିନଙ୍କୁ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ଅଭିନେତ୍ରୀଙ୍କ ଜାମିନ ନିବେଦନ ଉପରେ ଶୁଣାଣି ନଭେମ୍ବର ୧୧ ତାରିଖରେ ହେବାର ଥିଲା । ତେବେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଅଭିନେତ୍ରୀଙ୍କ ଅନ୍ତରୀଣ ଜାମିନ୍ ନଭେମ୍ବର ୧୦ ତାରିଖରୁ ସମାପ୍ତ ହୋଇଯାଇଥିଲା । କୋର୍ଟ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ ମଞ୍ଜୁର କରିଛନ୍ତି ।

ସୁକେଶ ଚନ୍ଦ୍ର ଶେଖର ଠକେଇ ମାମଲାରେ ଜ୍ୟାକଲିନ୍ ପ୍ରଥମେ ଅନ୍ତରୀଣ ଜାମିନରେ ଥିଲେ । ଏବେ ତାଙ୍କୁ ନିୟମିତ ଜାମିନ୍ ମିଳିଛି । ନିୟମିତ ଜାମିନ ଲାଗି ଅଭିନେତ୍ରୀଙ୍କ ଆବେଦନ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆପତ୍ତି କରିଥିଲେ । ଜାମିନ ପାଇଲେ ଅଭିନେତ୍ରୀ ବିଦେଶ ପଳାଇ ଯାଇପାରନ୍ତି ଓ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିପାରନ୍ତି ବୋଲି ଇଡି ଆଶଙ୍କା କରିଥିଲା । ତେବେ ଇଡିଙ୍କ ଯାଞ୍ଚରେ ସହଯୋଗ କରିବା ଲାଗି ଜ୍ୟାକଲିନ ଭରସା ଦେଇଛନ୍ତି । କୋର୍ଟଙ୍କ ଅନୁମତି ନେଇ ଦେଶରୁ ବାହାରକୁ ଯାଇପାରିବେ । ସବୁଦିନ ପାଇଁ ଦେଶ ଛାଡ଼ିପାରିବେନି ବୋଲି କୋର୍ଟ କହିଛନ୍ତି । ମାମଲାର ପରବର୍ତ୍ତି ଶୁଣାଣି ନଭେମ୍ବର ୨୪ ତାରିଖରେ ହେବ ।