ପାରାଦୀପରେ ଚାଲିଛି ମିଳିତ ସମରାଭ୍ୟାସ ‘ସି ଭିଜିଲ’, ୪୮୦ କିଲୋମିଟର ସମୁଦ୍ର ଉପକୂଳରେ ଦିଆଯାଉଛି ତାଲିମ

ପାରାଦୀପ: ପାରାଦୀପରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସି ଭିଜିଲ । ଉପକୂଳ ସୁରକ୍ଷା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ମିଳିତ ସମରାଭ୍ୟାସ ଚାଲିଛି । ସମରାଭ୍ୟାସରେ ନୌସେନା, କୋଷ୍ଟଗାର୍ଡ, ମତ୍ସ୍ୟ ବିଭାଗ ଓ ମେରାଇନ ପୋଲିସ ସହ ୧୨ଟି ବିଭାଗ ସାମିଲ ହୋଇଛନ୍ତି । ଚଳିତ ସମରାଭ୍ୟାସରେ ପ୍ରଥମ ଥର ପାଇଁ ୪ଟି ରାଜ୍ୟର ବିଭିନ୍ନ ବିଭାଗ ସାମିଲ ହୋଇଛନ୍ତି । ବାହ୍ୟ ଶତ୍ରୁକ ଆକ୍ରମଣର କେମିତି କରାଯିବ ମୁକାବିଲା ସେନେଇ ଚାଲିଛି ତାଲିମ ।

ଗଭୀର ସମୁଦ୍ରରେ ଗର୍ଜନ କରି ବୁଲୁଛି ଯୁଦ୍ଧ ଜାହାଜ । ସ୍ରୋତକୁ କାଟି ଶତ୍ରୁକୁ ଚେକ ଦେବାକୁ ଚାଲିଛି ଉଦ୍ୟମ । କେଉଁଠି ଲୁଚିଛନ୍ତି ସନ୍ତ୍ରାସବାଦୀ ? କେତେବାଟ ପହଞ୍ଚିଲେଣି, କ୍ୟାମେରାରେ ହେଉଛି କଏଦ । ସମୁଦ୍ର ଭିତରକୁ ଯଦି ବାହ୍ୟଶତ୍ରୁ ପଶିଆସନ୍ତି ତା’ର କେମିତି କରାଯିବ ମୁକାବିଲା ? ସେନେଇ ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ ସି ଭିଜିଲ’ । ଓଡ଼ିଶାର ସୁଦୀର୍ଘ ୪୮୦ କିଲୋମିଟର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଆରମ୍ଭ ହୋଇଛି ଏହି ସମରାଭ୍ୟାସ । ୨୬/୧୧ ମୁମ୍ବାଇ ଆକ୍ରମଣକୁ ଫୋକସରେ ରଖି ଚାଲିଛି କସରତ । ପ୍ରଥମଥର ପାଇଁ ୪ଟି ରାଜ୍ୟ ମିଳିତ ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଇଣ୍ଡିଆନ ନ୍ୟାଭି, କୋଷ୍ଟଗାର୍ଡ, ମେରାଇନ ପୋଲିସ, ମତ୍ସ୍ୟ ବିଭାଗ ସହ ୧୨ରୁ ଉର୍ଦ୍ଧ୍ୱ ବିଭାଗ ସାମିଲ ହୋଇଛନ୍ତି ।