ଶିଳ୍ପାୟନ ଭିତ୍ତିଭୂମି ବିକାଶ ନିମନ୍ତେ କାର୍ଯ୍ୟ ଯୋଜନା ଅନୁମୋଦିତ

1 min read

ଭୁବନେଶ୍ୱର: ରାଜ୍ୟରେ ଅଧିକ ଶିଳ୍ପାୟନ ବିକାଶ ଦିଗରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ରାଜ୍ୟ ଲଜିଷ୍ଟିକ୍ କାର୍ଯ୍ୟ ଯୋଜନାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ଷମତା ସଂପନ୍ନ କମିଟି ବୈଠକରେ ଅନୁମୋଦନ ଦିଆଯାଇଛି । ରାଜ୍ୟ ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ  ଅନୁଷ୍ଠିତ ଏହି ବୈଠକରେ  ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା କହିଥିଲେ ଯେ ପ୍ରକଳ୍ପ ନିର୍ଦ୍ଧାରଣ ନିମନ୍ତେ ସଂପୃକ୍ତ ବିଭାଗମାନଙ୍କରୁ ବରିଷ୍ଠ ବୈଷୟିକ ଅଧିକାରୀ ଏବଂ କଳିଙ୍ଗନଗର, ପାରାଦ୍ୱୀପ, ଝାରସୁଗୁଡ଼ା ଓ ରାୟଗଡ଼ା ଶିଳ୍ପାଞ୍ଚଳରୁ ଶିଳ୍ପାନୁଷ୍ଠାନ ପ୍ରତିନିଧିମାନଙ୍କୁ  ନେଇ ଗୋଟିଏ ବୈଷୟିକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦୮.୬୭ କୋଟି ଟଙ୍କା ଆକଳନରେ  ୧୮ଟି ପ୍ରକଳ୍ପ ସୁପାରିଶ କରିଛନ୍ତି ।

ସୁପାରିଶ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସଡ଼କ ଯୋଗାଯୋଗ, ବାହ୍ୟ ଜଳଯୋଗାଣ ଏବଂ ଭଣ୍ଡାର ଘର ନିର୍ମାଣ ଆଦି ପ୍ରକଳ୍ପକୁ ବୈଠକରେ ଅନୁମୋଦନ କରାଯାଇଥିଲା । ଅନୁମୋଦିତ ପ୍ରକଳ୍ପ ମଧ୍ୟରେ ଇଡକୋର ୩୦୨.୯୫ କୋଟି ଟଙ୍କା ଆକଳନରେ ୧୨ ଟି ପ୍ରକଳ୍ପ, ପୂର୍ତ୍ତ ବିଭାଗର ୩୮୬.୬୪ କୋଟି ଟଙ୍କା ଆକଳନରେ ୪ଟି ପ୍ରକଳ୍ପ, ଏବଂ ଓଡ଼ିଶା ରାଜ୍ୟ ଓୟାର ହାଉସିଂ ନିଗମର ୧୯.୦୮ ଆକଳନରେ ୨ଟି ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ଗୁଡିକ ମୁଖ୍ୟତଃ କଳାହାଣ୍ଡି, ଯାଜପୁର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ନବରଙ୍ଗପୁର, ଢେଙ୍କାନାଳ, ପୁରୀ ଆଦି ଜିଲ୍ଲା ସହ ରାଜ୍ୟ ଓୟାର ହାଉସିଂ ନିଗମର ବିଭିନ୍ନ ସ୍ଥାନରେ ନିର୍ମାଣ କରାଯିବ ।

ପ୍ରକଳ୍ପ ପ୍ରସ୍ତାବ ଗୁଡ଼ିକୁ ବିଚାର କରି ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଏହି ପ୍ରକଳ୍ପଗୁଡିକ ଶିଳ୍ପାୟନ ଭିତ୍ତିଭୂମି ବିକାଶ ନିମନ୍ତେ ଏକାନ୍ତ ଆବଶ୍ୟକ ହୋଇଥିବାରୁ ପୁଞ୍ଜି ନିବେଶ ନିମନ୍ତେ ରାଜ୍ୟ ପାଇଁ ସ୍ୱତନ୍ତ୍ର ସହାୟତା ସ୍କିମରେ ଅନ୍ତର୍ଭୁକ୍ତ ହୋଇପାରିବ । ଏଥିନିମନ୍ତେ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ ଗତି-ଶକ୍ତି ପୋର୍ଟାଲରେ ଅପଲୋଡ୍ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମାଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ  ଅଂଶଗ୍ରହଣ କରିଥିଲେ ।