ବାରବାଟୀ ଷ୍ଟାଡିୟମ ସମେତ ୫ଟି ମ୍ୟୁନିସପାଲ କର୍ପୋରେସନରେ ପାଳନ ହେବ ହକି ବିଶ୍ୱକପ୍ ଉତ୍ସବ

1 min read

ଭୁବନେଶ୍ୱର: କଟକ ବାରବାଟୀ ଷ୍ଟାଡିୟମ ସମେତ ପାଞ୍ଚଟି ମ୍ୟୁନିସିପାଲ କର୍ପୋରେସନରେ ହକି ବିଶ୍ବକପ୍‌ ଉତ୍ସବ ପାଳନ କରାଯିବ । ଶହେଟି ନୂଆ ବସ୍‌ ସହିତ ରାଉରକେଲାରେ ଆରମ୍ଭ କରାଯିବ ମୋ ବସ୍‌ ସେବା । ନିୟମିତ ବିମାନ ସେବା ସହ ରାଉରକେଲା ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ପୁରୁଷ ହକି ବିଶ୍ବ କପ୍ ପ୍ରତିଯୋଗିତା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି ।  FIH ପୁରୁଷ ବିଶ୍ବ କପ୍‌ ହକି-୨୦୨୩, ଭୁବନେଶ୍ବର ଓ ରାଉରକେଲାଠାରେ ୧୩ ଜାନୁଆରୀରୁ ୨୯ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଏଥିରେ ବିଶ୍ବର ୧୬ଟି ଦଳ ଅଂଶଗ୍ରହଣ କରିବେ । ଭୁବନେଶ୍ବରରେ ୨୪ଟି ମ୍ୟାଚ ଓ ରାଉରକେଲାରେ ୨୦ଟି ମ୍ୟାଚ ଖେଳାଯିବ । ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମନ୍ତ୍ରୀ ପରିଷଦର ସଦସ୍ୟ ମାନଙ୍କୁ ବିଶ୍ବକପ୍‌ ଆୟୋଜନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ପ୍ରତିଯୋଗିତା ପାଇଁ ଭୁବନେଶ୍ବରର କଳିଙ୍ଗ ହକି ଷ୍ଟାଡିଅମ ସଂପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିଅମ ନଭେମ୍ବର ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ସେ ସୂଚନା ଦେଇଥିଲେ ।

ଉଭୟ ଷ୍ଟାଡିଅମରେ ଆଷ୍ଟ୍ରୋ ଟର୍ଫ ଓ ଫ୍ଲଡ ଲାଇଟ୍ କାମ ଶେଷ ହୋଇଯାଇଛି । ଅଂଶଗ୍ରହଣକାରୀ ଦଳ ଓ ମ୍ୟାଚ ଅଫିସିଆଲମାନଙ୍କ ରହଣି ପାଇଁ ୨୨୫ଟି ରୁମ୍‌ ତିଆରି କାମ ଚାଲିଛି ଏବଂ ଏହା ମଧ୍ୟ ନଭେମ୍ବର ସୁଦ୍ଧା ସଂପୂର୍ଣ୍ଣ ହେବ । ଓଡିଶାର ଅଧିକାଂଶ ଜିଲ୍ଲା ସହିତ ସାରା ଦେଶରେ ହକି ବିଶ୍ବକପ ଟ୍ରଫି ପ୍ରଦର୍ଶନ ଯାତ୍ରା କରାଯିବ । ଏହି ସମୟରେ ଜିଲ୍ଲାସ୍ତରରେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ବିକାଶ ପାଇଁ ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ କରାଯିବ । ସ୍କୁଲ, କଲେଜର ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ।

ରାଉରକେଲା ଓ ଭୁବନେଶ୍ବର ସହରର ସୌନ୍ଦର୍ଯ୍ୟକରଣ କରାଯିବ । ରାଉରକେଲା ବିମାନ ବନ୍ଦରରୁ ନିୟମିତ ବିମାନ ସେବା ଆରମ୍ଭ ହେବ । ଏହା ସହିତ ଖେଳାଳି ଓ ମ୍ୟାଚ ଅଫିସିଆଲ ମାନଙ୍କ ଯାତାୟତ ପାଇଁ ଚାର୍ଟର୍ଡ ଫ୍ଳାଇଟର ବ୍ୟାବସ୍ଥା କରାଯାଉଅଛି । ଏହି ଅବସରରେ ୧୦୦ଟି ନୂଆ ବସ୍‌ ସହିତ ରାଉରକେଲାରେ ମୋ ବସ୍‌ ସେବା ଆରମ୍ଭ ହେବ ।

ବିଶ୍ବକପ୍‌ ହକି ଆୟୋଜନରେ ସାମିଲ ହୋଇଥିବା ସବୁ ବିଭାଗ ଗୁଡିକର ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ ଏବଂ ସବୁ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହକି ବିଶ୍ବକପ୍‌ ଯେଭଳି ବିଭିନ୍ନ ଟିମ୍‌ ଓ ପ୍ରଶଂସକ ମାନଙ୍କ ନିମନ୍ତେ ଏକ ଭବ୍ୟ ଉତ୍ସବ ଭାବରେ ସ୍ମରଣୀୟ ହୋଇରହିବ, ସେଥିପାଇଁ ପରସ୍ପର ମଧ୍ୟରେ ଉତ୍ତମ ସମନ୍ବୟ ରଖି କାର୍ଯ୍ୟ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।