spot_img
Home Blog Page 3893

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀକୁ ସର୍ବଶ୍ରେଷ୍ଠ ଜାତୀୟ ପ୍ରଶିକ୍ଷଣ ଏକାଡେମୀ  ମାନ୍ୟତା

ଦିଲ୍ଲୀ: ଭୁବନେଶ୍ବର ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀକୁ ସର୍ବଶ୍ରେଷ୍ଠ ପୋଲିସ ପ୍ରଶିକ୍ଷଣ ଏକାଡେମୀ ଭାବେ ମିଳିଛି ଜାତୀୟ ମାନ୍ୟତା । ଏହାସହ ମିଳିଲା କେନ୍ଦ୍ର ଗୃହମନ୍ତ୍ରୀ ଟ୍ରଫି ।

ନୂଆଦିଲ୍ଲୀ ସ୍ଥିତ ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଗୃହ ସଚିବ ଅଜୟ କୁମାର ଭଲ୍ଲା ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ଏହାସହ ଅରୁଣ କୁମାର ଷଡଙ୍ଗୀ ବ୍ୟକ୍ତିଗତ ଭାବେ ମେଡାଲ ପାଇଛନ୍ତି ।

ପ୍ରଶିକ୍ଷଣ ସୁବିଧା ଓ ପଦ୍ଧତି, ପ୍ରଶିକ୍ଷାର୍ଥୀ ଓ ପ୍ରଶିକ୍ଷକଙ୍କ ଦକ୍ଷତା, ବିକାଶ କାର୍ଯ୍ୟକ୍ରମର କାର୍ଯ୍ୟାନ୍ବୟନ ପରି ମାପଦଣ୍ଡରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ୍ ଏକାଡେମୀକୁ ସମସ୍ତ ରାଜ୍ୟ ପୋଲିସ୍ ଟ୍ରେନିଂ ଏକାଡେମୀ ଓ ଅନୁଷ୍ଠାନ ମଧ୍ୟରେ ସର୍ବୋତ୍ତମ ପୋଲିସ୍ ତାଲିମ ପ୍ରତିଷ୍ଠାନ ଭାବରେ ମନୋନୀତ କରାଯାଇଥିଲା |

୧୮୪ ମୃତ୍ତିକା ସଂରକ୍ଷଣ କର୍ମଚାରୀଙ୍କୁ ନିଯୁକ୍ତି

ଭୁବନେଶ୍ବର: ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟରେ କୃଷି ନୀତି ଲାଗୁ କରାଯାଇଛି । ଆଜି ୧୮୪ ଜଣ ମୃତ୍ତିକା ସଂରକ୍ଷଣ କର୍ମଚାରୀଙ୍କୁ ନିଯୁକ୍ତି ମିଳିଛି । ଉନ୍ନତ ଚାଷ ପାଇଁ 5T ନୀତି କୃଷିକ୍ଷେତ୍ରରେ ଆଣିବ ସଫଳତା । ନବ ନିଯୁକ୍ତ ମୃତ୍ତିକା ସଂରକ୍ଷଣ କର୍ମଚାରୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କୃଷକମାନଙ୍କୁ ନେଇ ଏକ ଟିମ୍ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଟେକ୍ନୋଲୋଜିର ବ୍ୟବହାର ପାଇଁ ଶୀଘ୍ର ସହାୟତା ପ୍ରଦାନ କରିବା, ସ୍ବଚ୍ଛତା ବଜାୟ ରଖିବା ଦ୍ବାରା ତୃଣମୂଳ ସ୍ତରରେ ପରିବର୍ତ୍ତନ ଆସିପାରିବ ବୋଲି କହିଛନ୍ତି ।

ତୃଣମୂଳ ସ୍ତରରେ ମୃତ୍ତିକା ସଂରକ୍ଷଣ କର୍ମଚାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ । ୭୦ ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରନ୍ତି । ସମୃଦ୍ଧି-୨୦୨୦ କୃଷକଙ୍କ ଆୟରେ କ୍ରମାଗତ ଅଭିବୃଦ୍ଧି ଆଣିଛି । କୃଷି ଅଭିବୃଦ୍ଧି ପାଇଁ ଭୂମି ଏବଂ ଜଳ ପରି ପ୍ରାକୃତିକ ସମ୍ପଦର ସଂରକ୍ଷଣ, ବିକାଶ ଏବଂ ପରିଚାଳନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏଥିପାଇଁ ଓଡ଼ିଶାରେ ଜଳସେଚନ ବିକାଶ, ବର୍ଷା ଜଳ ବିକାଶ, ବୃକ୍ଷରୋପଣ, ପୋଖରୀ ନିର୍ମାଣ ଏବଂ ଫାର୍ମ ପୋଖରୀ ପ୍ଲସ୍ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତେଣୁ ନବ ନିଯୁକ୍ତ କର୍ମଚାରୀମାନେ ରାଜ୍ୟର କୃଷି କ୍ଷେତ୍ରରେ ଉତ୍ସର୍ଗୀକୃତ ହୋଇ କର୍ତ୍ତବ୍ୟ ଏବଂ ଦାୟିତ୍ବ ତୁଲାଇବାକୁ ସେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କାର୍ଯ୍ୟକ୍ରମରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ 5T ସଚିବ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।

ହକି ବିଶ୍ବକପ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ରାଉରକେଲାରେ ହକି ଫିଭର୍

ଭୁବନେଶ୍ବର: ପୁଣି ଓଡ଼ିଶାରେ ଶୁଭୁବ ହକି ହକି । କଳିଙ୍ଗରେ ଜମିବ ‘ଗୋଲ’ କ୍ରେଜ୍, ରାଉରକେଲାରେ ରୋମାଞ୍ଚ ଭରିବ ଷ୍ଟିକ୍ । ଓ୍ବାର୍ଲଡ କପ୍ ଟାଇଟଲ୍ ପାଇଁ ଦେଖିବାକୁ ମିଳିବ ଦମଦାର ଟକ୍କର । ହକି ବିଶ୍ବକପ ୨୦୨୩ ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍ । ଡ୍ର ସେରିମନିରେ ଗତକାଲି ପୁଲ୍ ଡ୍ର ଆସିଥିବା ବେଳେ ମ୍ୟାଚ୍ ସିଡ୍ୟୁଲ ଆସିବା ବାକି ରହିଛି । ସେପଟେ ବିଶ୍ବକପ ଖେଳାଯିବାକୁ ଥିବା ରାଉରକେଲର ସର୍ବବୃହତ ହକି ଷ୍ଟାଡିୟମର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦୁଇଦିନ ତଳେ ଏଫଆଇଏଚର କାର୍ଯ୍ୟକାରୀ ସଭାପତିଙ୍କ ସହ ଉଚ୍ଚସ୍ତରୀୟ କମିଟି ନବନିର୍ମିତ ଷ୍ଟାଡିୟମ ପରିଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି । ଦୁଇଟି ଷ୍ଟାଡିୟମରେ ବିଶ୍ବକପ ଭେନ୍ୟୁ ହେବା ଚ୍ୟାଲେଞ୍ଜ ବୋଲି ଏଫଆଇଏଚର ସିଇଓ ଥିଏରି ଓ୍ବେଲ କହିଛନ୍ତି । ତେବେ ଆୟୋଜକ ଓଡ଼ିଶା ସୁବ୍ୟବସ୍ଥା କରିଛି । ରାଉରକେଲା ଷ୍ଟାଡିୟମରେ ବିଶ୍ବକପର କିଛି ମ୍ୟାଚ୍ ଖେଳାଯିବା ସହ ସମସ୍ତ ଟିମ୍ ଏଠାରେ ମ୍ୟାଚ୍ ଖେଳିପାରନ୍ତି ବୋଲି ଥିଏରି ଓ୍ବେଲ କହିଛନ୍ତି । ସେପଟେ ବିଶ୍ବକପର ସମସ୍ତ ଟିମ୍ ରାଉରକେଲାରେ ମ୍ୟାଚ ଖେଳିଲେ, ସୁନ୍ଦରଗଡ଼ ସହ ଆଖପାଖ ଅଞ୍ଚଳରେ ହକି କ୍ରେଜକୁ ଆହୁରି ଦ୍ବିଗୁଣିତ କରିବ ବୋଲି ହକି ଲିଜେଣ୍ଡ ଦିଲ୍ଲୀପ ତିର୍କୀ କହିଛନ୍ତି ।

ହକି ବିଶ୍ବକପ ପ୍ରଥମେ ପୁଲ ପର୍ଯ୍ୟାୟ ମ୍ୟାଚ୍, ପରେ କ୍ରସ ଓଭର, କ୍ବର୍ଟର ଫାଇନାଲ, ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ଖେଳାଯିବ । କ୍ରୀଡ଼ା ବିଶେଷଜ୍ଞଙ୍କ ମତରେ ପୁଲରେ ଭାରତ ଶୀର୍ଷରେ ରହିଲେ ପୁଲ-ବିରେ ଥିବା ବେଲଜିୟମ୍ କିମ୍ବା ଜର୍ମାନୀ ସହ କ୍ବାର୍ଟର ଫାଇନାଲ ଖେଳିବା ସମ୍ଭାବନା ଅଧିକ ରହିଛି । ବିଶ୍ବକପ ପାଇଁ ଆସନ୍ତା ଅକ୍ଟୋବର ୨ରୁ କଳିଙ୍ଗ ଷ୍ଟାଡିୟମରେ ଭାରତ କ୍ୟାମ୍ପ ପଡିବ, ପରେ ରାଉରକେଲା ଷ୍ଟାଡିୟମରେ ମଧ୍ୟ କ୍ୟାମ୍ପ ପଡିବ ।

ଏବେ ବେଙ୍ଗାଳୁରୁରେ ଭାରତୀୟ କ୍ୟାମ୍ପ ପଡ଼ିଥିବା ବେଳେ ଏଥିରେ ୬ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି । ଚୂଡାନ୍ତ ଭାରତୀୟ ଟିମରେ ୩ରୁ ଅଧିକ ଓଡ଼ିଆ ଖେଳାଳି ସ୍ଥାନ ପାଇବେ ବୋଲି ଆଶା ରହିଛି ।

ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ ହେବ ବାଲିଯାତ୍ରା

କଟକ: କଟକର ପ୍ରସିଦ୍ଧ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରାଯିବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ  ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୮ରୁ ୧୬  ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ହେବା ନେଇ ସ୍ଥିର ହୋଇଛି ।

ଗୃହ ଓ ନଗର ଉନ୍ନୟନ, ପୂର୍ତ୍ତ, ଶକ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଆଦି ବିଭାଗ ମାଧ୍ୟମରେ ଯାତ୍ରାର ପ୍ରସ୍ତୁତି ପାଇଁ ୧୫ କୋଟି ୩୫ ଲକ୍ଷ ଟଙ୍କା ଖର୍ଚ୍ଚ ଆକଳନ ଉପରେ ଆଲୋଚନା ହୋଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ସାମିଲ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରା ପଡିଆକୁ ରାସ୍ତା ସଂଯୋଗ, ଟ୍ରାଫିକ୍ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ, ଷ୍ଟଲ୍ ପାଇଁ ସ୍ଥାନ ନିର୍ଦ୍ଧାରଣ, ବିଦ୍ୟୁତ ସଂଯୋଗ, ପରିମଳ, ସ୍ବାସ୍ଥ୍ୟ ସେବା ଓ  ଆଇନ୍ ଶୃଙ୍ଖଳା ଆଦି ଉପରେ ଗୁରୁତ୍ବ ଦିଆଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିବା ପାଇଁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଏନଜିଟିର ଗାଇଡ୍ ଲାଇନ୍ ଅନୁସାରେ ଯାତ୍ରାର ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଉତ୍ସବର ପରିଚାଳନା ଓ ଆର୍ଥିକ ବ୍ୟବସ୍ଥା  ସମ୍ବନ୍ଧିତ ବିଷୟ  ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

‘ମୋ କଲେଜ’ ଅଭିଯାନରେ ୧୩ଟି ମହାବିଦ୍ୟାଳୟ ପାଇଁ ୮୫ ଲକ୍ଷ ଟଙ୍କାର ପ୍ରକଳ୍ପ ମଞ୍ଜୁରୀ

ଭୁବନେଶ୍ବର: ‘ମୋ କଲେଜ’ ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ସାମଗ୍ରିକ ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଏହି କ୍ରମରେ ଶୁକ୍ରବାର ରାଜ୍ୟ ସରକାର ୧୩ଟି ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ୮୫ ଲକ୍ଷ ୮୪ ହଜାର ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି ।

ଏହି ଶିକ୍ଷାନୁଷ୍ଠାନ ଭିତରେ ରହିଛି ଅନୁଗୋଳର ତାଲମୁଲସ୍ଥିତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ, ବାଲେଶ୍ବରର ରେମୁଣା ଡିଗ୍ରୀ ମହାବିଦ୍ୟାଳୟ, ବରଗଡ଼ ଗାଇସିଲଟର ପଞ୍ଚାୟତ ସମିତି ମହାବିଦ୍ୟାଳୟ, କଟକ ଅସୁରେଶ୍ବର ସ୍ଥିତ ସୁଭଦ୍ରା ମହତାବ ମହାବିଦ୍ୟାଳୟ, କଟକ ଜିଲ୍ଲା ଅଡ଼ସପୁରସ୍ଥିତ ଉଦୟନାଥ ସ୍ବୟଂ ଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ, କଟକସ୍ଥିତ ମହାନଦୀ ବିହାର ମହିଳା ଡିଗ୍ରୀ ମହାବିଦ୍ୟାଳୟ ଓ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ।

ସେହିପରି ଢେଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟ, ଗଞ୍ଜାମ ଜିଲ୍ଲା କୋଦଳାସ୍ଥିତ ଲକ୍ଷ୍ମୀପ୍ରିୟା ଡିଗ୍ରୀ ମହାବିଦ୍ୟାଳୟ, କେନ୍ଦୁଝରର ଆନନ୍ଦପୁର ମହାବିଦ୍ୟାଳୟ, ମୟୂରଭଞ୍ଜର ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟ ଓ ସାରସ୍ବତ ସନ୍ତକ ମହାବିଦ୍ୟାଳୟ, ସମ୍ବଲପୁରର ଜମନକିରା ଡିଗ୍ରୀ ମହାବିଦ୍ୟାଳୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି ।

ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସାଇକେଲ ଷ୍ଟାଣ୍ଡ, ବାସ୍କେଟ ବଲ୍‌ କୋଟ୍‌, କମନ ରୁମ୍, ଶୌଚାଳୟ ଓ ପାଚେରୀ ନିର୍ମାଣ ସହିତ ବିଭିନ୍ନ କଲେଜ କୋଠାର ମରାମତି ଆଦି କାର୍ଯ୍ୟ କରାଯିବ । ସେହିପରି କମ୍ପ୍ୟୁଟର, ଆସବାବପତ୍ର କିଣାଯିବା ସହିତ କ୍ୟାଣ୍ଟିନ ଓ ରିଡିଙ୍ଗ ରୁମର ନବୀକରଣ କରାଯିବ । ଏହାସହ କଲେଜଗୁଡ଼ିକରେ ଥଣ୍ଡା ପାନୀୟ ଜଳ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ।

‘ମୋ କଲେଜ’ ଅଭିଯାନ ପରିଚାଳନା ସଙ୍ଗଠନ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ପ୍ରତିଷ୍ଠିତ ଏକ ସ୍ବୟଂ ଶାସିତ ଅନୁଷ୍ଠାନ । ଏହା ଅଧୀନରେ ୭୫୦ରୁ ଅଧିକ ଉଚ୍ଚଶିକ୍ଷାନୁଷ୍ଠାନକୁ ସାମିଲ କରାଯାଇଛି । ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ି ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠାନର ବିକାଶ ଲାଗି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ‘ମୋ କଲେଜ’ ସର୍ତ୍ତାବଳୀ ଅନୁଯାୟୀ, ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ଯେତିକି ଅର୍ଥ ମିଳୁଛି ସରକାର ତାହାର ଦୁଇଗୁଣ ଅର୍ଥ ପ୍ରଦାନ କରୁଛନ୍ତି ।

ଓଡ଼ିଶା ସହ କେନ୍ଦ୍ର ଖେଳୁଛି କୋଇଲା ଖେଳ

ଭୁବନେଶ୍ବର: କୋଇଲାକୁ ନେଇ କେନ୍ଦ୍ରର ସାଂଘାତିକ ଖେଳ । ବର୍ଷେ ବିତିଲା, ଟଳିଲାନି କୋଇଲା କ୍ରାଇସିସ । ଶକ୍ତି ଉତ୍ପାଦନ ପାଇଁ ଦେଉଛି, ଏମଏସଏମଇ ଶିଳ୍ପ ପାଇଁ ଆଖି ବୁଜି ଦେଉଛି । ଏମିତି ସ୍ଥିତିରେ ପ୍ରଶ୍ନ ଉଠିବାରେ ଲାଗିଛି କେମିତି ଚାଲିବ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠାନ ? କେନ୍ଦ୍ର କ’ଣ ଚାହୁଁନି ଓଡ଼ିଶା ବିକାଶ ?

ସ୍ଥିତି ଏମିତି ନେହୁରା ହୋଇ ହୋଇ ଥକିଗଲାଣି ଶିଳ୍ପ ସଂଘ । କୋଇଲା ମନ୍ତ୍ରୀଙ୍କୁ ଚିଠି ଲେଖି ଲେଖି ନିରାଶ । ଶେଷରେ ବାଧ୍ୟ ହୋଇ କୋଇଲା ଅଭାବ ଦୂର ପାଇଁ ପ୍ରଧାନମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ହାତ ଯୋଡ଼ି ଗୁହାରୀ କରିଛନ୍ତି ରାଜ୍ୟ ଶିଳ୍ପ ସଂଘ ଓ ଆଲୁମିନିୟମ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ । ରାଜ୍ୟକୁ ପୁଞ୍ଜି ନିବେଶର ସୁଅ ଛୁଟୁଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଆଲୁମିନିୟମ, ସ୍ପଞ୍ଜ ଆଇରନ୍ ଓ କୋଇଲା ଉପରେ ନିର୍ଭରଶୀଳ ଏମ୍ଏସ୍ଏମ୍ଇ ଶିଳ୍ପ ଏବେ ହାତ ବାନ୍ଧି ବସିଲେଣି । ରାଜ୍ୟରେ ବାର୍ଷିକ ୯୫ ମିଲିୟନ୍ ଟନ୍ କୋଇଲା ଆବଶ୍ୟକ । କିନ୍ତୁ ମିଳୁଛି ମାତ୍ର ୬୫ ମିଲିୟନ୍ ଟନ୍ । କୋଲ୍ ଇଣ୍ଡିଆ ରିପୋର୍ଟ କହୁଛି ଗତ ଏପ୍ରିଲରୁ ଜୁଲାଇ ଭିତରେ କୋଇଲା ଉତ୍ପାଦନ ୨୪ ପ୍ରତିଶତ ବଢ଼ିଛି । ଅଥଚ ଅଣଶକ୍ତି ଉତ୍ପାଦନ ୟୁନିଟକୁ ୨୩ ପ୍ରତିଶତ କମ୍ କୋଇଲା ଯୋଗାଣ ହୋଇଛି । ବାରମ୍ବାର କେନ୍ଦ୍ର କୋଇଲା ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଏବେ ପାଣିର ଗାର ହୋଇଛି ।

ପ୍ରାଚୁର୍ଯ୍ୟ ଭିତରେ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି କେନ୍ଦ୍ର ସରକାର । ସାରା ଦେଶରେ ଯେତିକି କୋଇଲା ଗଚ୍ଛିତ ଅଛି କେବଳ ୨୫ ପ୍ରତିଶତ ଓଡ଼ିଶାରେ ରହିଛି । ଶକ୍ତି ଉତ୍ପାଦନ ୟୁନିଟରୁ ପର୍ଯ୍ୟାପ୍ତ କୋଇଲା ମିଳୁଥିବା ବେଳେ ଏମ୍ଏସ୍ଏମ୍ଇ ଶିଳ୍ପ ପାଇଁ କେନ୍ଦ୍ର ଆବଶ୍ୟକ କୋଇଲା ନମିଳିବା ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଏମ୍ଏସ୍ଏମ୍ଇ ଶିଳ୍ପ କିପରି ବିକାଶ କରିବ ସେଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି । କିନ୍ତୁ କେନ୍ଦ୍ରର ଅବିଚାର ଯୋଗୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ତୃତୀୟ ମେକଇନ ଓଡ଼ିଶା କନକ୍ଲେଭ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦୁବାଇରୁ ଦିଲ୍ଲୀ ପର୍ଯ୍ୟନ୍ତ ପୁଞ୍ଜିପତି ସମ୍ମିଳନୀ କରୁଛନ୍ତି । ଏଭଳି ସ୍ଥିତିରେ ଆବଶ୍ୟକ ପରିମାଣର କୋଇଲା ଯୋଗାଣ ନହେଲେ ପୁଞ୍ଜି ନିବେଶ ଲକ୍ଷ୍ୟ ପୂରଣ ହୋଇପାରିବ ତ ?

ଶିଳ୍ପାୟନରେ ସ୍ବର୍ଣ୍ଣିମ ଇତିହାସ ଲେଖୁଛି ଓଡ଼ିଶା

ଭୁବନେଶ୍ବର: ଉନ୍ନତ ଭିତ୍ତିଭୂମି, ସିଙ୍ଗଲ ୱିଣ୍ଡୋ ସୁବିଧା । ବିଦେଶୀ ପୁଞ୍ଜି ନିବେଶକଙ୍କ ପାଇଁ ଓଡ଼ିଶା ପାଲଟିଛି ପ୍ରଥମ ପସନ୍ଦ । ଶିଳ୍ପାୟନ ସହ ତାଳ ଦେଇ ନିର୍ମାଣ ହେଉଛି ଲଜିଷ୍ଟିକ ଓ ଇଣ୍ଡଷ୍ଟ୍ରିଆଲ ହାଉସିଂ । ରାଜ୍ୟର ୧୨ଟି ଶିଳ୍ପାଞ୍ଚଳରେ ଇଡକୋ ନିର୍ମାଣ କରୁଛି ମେଗା ଶ୍ରମିକ ହଷ୍ଟେଲ୍ । ଆଗକୁ ଆହୁରି ୯ଟି ଶିଳ୍ପାଞ୍ଚଳରେ ନିର୍ମାଣ ହେବ ଶ୍ରମିକ ହଷ୍ଟେଲ୍ ।

ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ଉପରେ ସାରା ବିଶ୍ବର ନଜର ରହିଛି । ଲୁହାପଥର, ବକ୍ସାଇଟ୍ ପାଇଁ ଓଡ଼ିଶା ପ୍ରସିଦ୍ଧ । ସେହିପରି ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ପେଟ୍ରୋକେମିକାଲ, ପ୍ଲାଷ୍ଟିକ କ୍ଷେତ୍ରରେ ଦେଶ ବିଦେଶରୁ ଆସୁଛି ପୁଞ୍ଜି । ବ୍ୟାପକ ଶିଳ୍ପାୟନକୁ ନଜରରେ ରଖି କଞ୍ଚାମାଲ ଓ ଉତ୍ପାଦିତ ଦ୍ରବ୍ୟର ପରିବହନ ପାଇଁ ଲଜିଷ୍ଟିକ ଉପରେ ଗୁରୁତ୍ବ ଦିଆଯାଉଛି । ଆଗାମୀ ୫ ବର୍ଷରେ ବନ୍ଦର, ରେଳପଥ, ରାଜପଥ, ସ୍ଲରୀ ପାଇପ ଲାଇନରେ ୩ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ ହେବ । ଏଥିରେ ରାଜ୍ୟ ଓ କେନ୍ଦ୍ର ସରକାର ସହିତ କର୍ପୋରେଟ ଜଗତ ବି ସହଯୋଗ କରିବେ ।

ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶା ଏବେ ବହୁ ଆଗରେ । ଏହାକୁ ବାସ୍ତବ ରୂପ ଦେବାକୁ ଏବଂ ନେକ୍ସଟ୍ ଲେଭଲକୁ ନେବା ପାଇଁ ଲଜିଷ୍ଟିକ ଆପ୍ରୋଚ ଉପରେ ବି ଫୋକସ କରାଯାଉଛି । ହେଲେ ଅନେକ ଦିନ ହେଲାଣି ପଡ଼ି ରହିଥିବା ରେଳ ପ୍ରକଳ୍ପ ଏଥିରେ ବାଧକ ସାଜୁଛି । ସୁନ୍ଦରଗଡ଼, ଝାରୁସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଭଳି ଜିଲ୍ଲାରେ ବିଜୁ ସଡ଼କ ଓ ଜାତୀୟ ରାଜପଥ ଅଧିକ ଚଉଡ଼ା କରିବାକୁ ଯୋଜନା ହେଉଛି । ପାରାଦୀପ ବନ୍ଦରରେ ୨୫ ନିୟୁତ ଟନର ପଣ୍ୟ କାରବାର ପାଇଁ ଜିନ୍ଦଲ କମ୍ପାନୀ ଦୁଇଟି ବର୍ଥ ସ୍ଥାପନ କରୁଛି । କେନ୍ଦୁଝର ଓ ସୁନ୍ଦରଗଡ଼ ଭଳି ଖଣି ଅଞ୍ଚଳରୁ ବନ୍ଦର ନଗରୀ ପାରାଦୀପକୁ କଞ୍ଚାମାଲ ପାଇଁ ବିଛା ଯାଇଥିବା ସ୍ଲରୀ ପାଇପ ଲାଇନ ଦେଶର ବୃହତ୍ତମ ନେଟଓ୍ବାର୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଶିଳ୍ପାୟନ ଓଡ଼ିଶାରେ ଏକ ନୂଆ ବିପ୍ଳବ ଆଣିଛି ବୋଲି ଭାରତୀୟ ଶିଳ୍ପ ସଂଘ ମତ ଦେଇଛି ।

ଭୁବନେଶ୍ବରରେ ଆୟୋଜିତ ସିଆଇଆଇର ଦ୍ବିତୀୟ ଇଷ୍ଟ ଇଣ୍ଡିଆ ମିଟରେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜ୍ୟର ଆଇଟି ପଲିସି ଉପରେ ଆଲୋଚନା କରିବା ସହ ଭିତ୍ତଭୂମି କ୍ଷେତ୍ରରେ ଆଇଟିର ଭୂମିକା ଏବଂ ଉପଯୋଗ ଗୁରୁତ୍ବ ବୋଲି ମତ ରଖିଛନ୍ତି ।

ଏଲିଜାବେଥ ଦ୍ବିତୀୟଙ୍କ ପରେ କିଏ ହେବେ କୋହେନୂରର ଅଧିକାରିଣୀ?

ଲଣ୍ଡନ: ୯୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଏଲିଜାବେଥ ଦ୍ବିତୀୟ। ବ୍ରିଟେନକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ କରିବାରେ ପ୍ରମୁଖ ଭୂମିକା ନେଇଥିବା ଏଲିଜାବେଥଙ୍କ ପରଲୋକ ସାରା ବିଶ୍ବରେ ଶୋକ ଖେଳାଇ ଦେଇଛି ।

ତେବେ ମହାରାଣୀଙ୍କ ପରଲୋକ ପରେ କୋହିନୂର ହୀରାକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା । କାହା ମୁଣ୍ଡରେ ଶୋଭା ପାଇବ ଆଖି ଝଲସିଦେଉଥିବା ହୀରା? ଏଲିଜାବେଥ ଦ୍ବିତୀୟଙ୍କ ପରେ ବିଶ୍ବପ୍ରସିଦ୍ଧ କୋହିନୂର ହୀରାର ଅଧିକାରିଣୀ ହେବେ ଚାର୍ଲସଙ୍କ ପତ୍ନୀ କାମିଲା । ଚାର୍ଲସ ହେଉଛନ୍ତି ବ୍ରିଟେନ ମହାରାଣୀଙ୍କ ବଡ଼ ପୁଅ । ପ୍ରାଚୀନ ପରମ୍ପରା ଅନୁସାରେ ସେ ହୋଇଛନ୍ତି ଉତ୍ତରାଧିକାରୀ । ତାଙ୍କ ବୟସ ୭୩ ବର୍ଷ । ଏହା ସହ ସେ ହେଉଛନ୍ତି ସବୁଠାରୁ ବୟସ୍କ ଉତ୍ତରାଧିକାରୀ । ଏବେ କାମିଲା ହେଉଛନ୍ତି ଚାଲର୍ସଙ୍କ ପତ୍ନୀ ।

ଚଳିତ ବର୍ଷ ପ୍ରଥମ ଭାଗରେ ଏଲିଜାବେଥ ଘୋଷଣା କରିଥିଲେ ଯେ, ତାଙ୍କ ପରେ ଚାର୍ଲସଙ୍କ ପତ୍ନୀ କାମିଲା ପରବର୍ତ୍ତୀ କୁଇନ କନସର୍ଟ ହେବେ । ବ୍ରିଟେନ ପରମ୍ପରା ଅନୁସାରେ କୁଇନ କନସର୍ଟର ଅର୍ଥ ହେଉଛି- ଶାସକଙ୍କ ପତ୍ନୀ । ସେ ପାରମ୍ପରିକ ଭାବେ କୁଇନ କନସର୍ଟ ଭାବେ ପରିଗଣିତ ହେବେ । କୁଇନର ଅର୍ଥ ହେଉଛି- ପାରିବାରିକ ବ୍ୟବସ୍ଥା ଅନୁସାରେ ଯେଉଁ ମହିଳା ଶାସନକୁ ଆସିବେ ।

ଏବେ ଜାଣନ୍ତୁ ହୀରା ବିଷୟରେ..

୧୯୫.୬ କ୍ୟାରେଟର ଏହି ବିଶ୍ବପ୍ରସିଦ୍ଧ ହୀରା ଚତୁର୍ଦ୍ଦଶ ଶତାବ୍ଦୀରେ ଭାରତରୁ ମିଳିଥିବାବେଳେ ପରେ ଏହା ପଞ୍ଜାବ ଶାସକଙ୍କ ହାତକୁ ଚାଲିଯାଇଥିଲା ।୧୮୪୯ରେ ପଞ୍ଜାବକୁ ବ୍ରିଟିସ ଭାରତରେ ମିଶାଇଦେବା ପରେ ଏହା ରାଣୀ ଭିକ୍ଟୋରିଆଙ୍କ ନିକଟକୁ ଚାଲିଯାଇଥିଲା । ସେହି ଦିନଠାରୁ ବ୍ରିଟିସ ଶାସକଙ୍କ ମଥାମଣି ଭାବେ ଏହା ପରିଗଣିତ ହୋଇଆସୁଛି ।

ଏବେ କୋହେନୂର ହୀରା ଏକ ପ୍ଲାଟିନମ କ୍ରାଉନ ମଧ୍ୟରେ ରହିଛି । ୧୯୩୭ରେ କିଙ୍ଗ ଜର୍ଜ ଷଷ୍ଠଙ୍କ ଅଭିଷେକ ଉତ୍ସବ ବେଳେ ତତକାଳୀନ ରାଣୀଙ୍କ ଲାଗି ଏହି ପ୍ଲାଟିନମ କ୍ରାଉନ ତିଆରି ହୋଇଥିଲା । ୨୫ ବର୍ଷ ବୟସରେ ସମ୍ରାଜ୍ଞୀ ହେବା ପରେ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ହାତକୁ ଯାଇଥିଲା କୋହିନୂର । ଏବେ ଏହାର ଅଧିକାରିଣୀ ହୋଇଛନ୍ତି କାମିଲା ।

୫ ହଜାର ଲେଖାଏଁ ଟଙ୍କା ଦାଖଲ କରିବେ ବର୍ଷା ଓ ଅନୁଭବ

କଟକ: ଷ୍ଟାର ଦମ୍ପତି ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲା । ଉଭୟଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଲେ କଟକ ଫ୍ୟାମିଲି କୋର୍ଟ । ୧୪ ତାରିଖ ସୁଦ୍ଧା ଟଙ୍କା ଦାଖଲ କରିବାକୁ କୁହାଯାଇଛି ।

ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ହୋଇଥିବା ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ । ଏହି ଆବେଦନ ଗ୍ରହଣ ପାଇଁ କୋର୍ଟରେ ୫ ହଜାର ଦାଖଲ କରିବାକୁ କୋର୍ଟ କହିଛନ୍ତି । ସେହିଭଳି ଅନୁଭବଙ୍କ ମୂଳ ପିଟିସନରେ ହୋଇଥିବା କିଛି ତ୍ରୁଟି ସୁଧାରିବାକୁ ହୋଇଥିବା ଆବେଦନ ଗ୍ରହଣ କରାଯାଇଥିଲା । ଏନେଇ ଅନୁଭବଙ୍କୁ ମଧ୍ୟ ୫ ହଜାର ଦାଖଲ ନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ନିଶାଖୋର ଥିଲେ, ଫାଶୀ ଲଗାଇ ଝୁଲିଗଲେ

ଭୁବନେଶ୍ବର: ନିଶାଖୋର ଥିଲେ । ଚରମ ନିଷ୍ପତ୍ତି ନେଇଗଲେ । ଭୀମଟାଙ୍ଗି ହାଉସିଂବୋର୍ଡ କଲୋନୀରେ ଅଘଟଣା । ଫାଶୀ ଲଗାଇ ଅଶୋକ ପ୍ରଧାନ କଲେ ଆତ୍ମହତ୍ୟା । ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ ।

ଅଭିଯୋଗ ଅନୁସାରେ, ଅଶୋକ ଜଣେ ନିଶାଖୋର ଯୁବକ ଥିଲେ  l ୨୦୧୧ ମସିହାରୁ ନିଶା ଖାଇ  ଆସୁଥିଲେ । ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବା ସମୟରେ ନିଶା କବଳରେ ଆସିଥିଲେ ଅଶୋକ । ନିଶା ଅଭ୍ୟାସ ପାଇଁ ପରିବାର ଲୋକେ ତାଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ ।

ଘରକୁ ଫେରିବା ପରେ ସେ ପୂର୍ବ ପରି ନିଶା ସେବନ କରିବା ଆରମ୍ଭ କରିଥିଲେ । କିଛିଦିନ ହେବ ପରିବାର ଲୋକେ ବାରମ୍ବାର ଏଥିରୁ ଦୂରେଇ ରହିବାକୁ ବାରଣ କରିଆସୁଥିଲେ । ହେଲେ ଗତକାଲି ରାତି ପ୍ରାୟ ୧୦ଟାରେ ବାହାରୁ ନିଶା ଖାଇ ଆସି ଶୋଇଥିଲେ । ଆଜି ସକାଳୁ ନିଜ ରୁମରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଦାର କରାଯାଇଥିଲା ।

ଖବର ପାଇ ଏୟାରଫିଲଡ ଥାନା ପୋଲିସ ପହଁଚି ମୃତ ଶରୀରକୁ ଉଦ୍ଧାର କରି  ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠେଇବା ସହ ତଦନ୍ତ ଆଣମ୍ଭ କରିଛି ।