ଗୋଟିଏ ବିମାନରେ ଏୟାର ଇଣ୍ଡିଆ ଓ ଭିସ୍ତାରା, ବିମାନସେବା କ୍ଷେତ୍ରରେ ଆହୁରୀ ସଶକ୍ତ ହେବ ଟାଟା

ନୂଆଦିଲ୍ଲୀ: ବିମାନ ସେବା କ୍ଷେତ୍ରରେ ଆହୁରୀ ଶକ୍ତିଶାଳୀ ହେବ ଟାଟା । ଏୟାର ଇଣ୍ଡିଆର ମାଲିକାନା ଅକ୍ତିଆର କରିବା ପରେ ଏବେ ଭିସ୍ତାରା ଏୟାର ଲାଇନ୍ସକୁ ମିଶାଇବା ପାଇଁ ଟାଟା ଯୋଜନା ପ୍ରସ୍ତୁତ କରିଛି । ୨୦୨୪ ମାର୍ଚ୍ଚ ଭିତରେ ଭିସ୍ତାରା ଏୟାର୍‌ ଲାଇନ୍ସ, ଏୟାର ଇଣ୍ଡିଆ ସହିତ ମିଶିବା ନେଇ ସିଙ୍ଗାପୁର ଏୟାର ଲାଇନ୍‌ ପକ୍ଷରୁ ପ୍ରକାଶ ପାଇଛି । ଟାଟା ସହିତ ମିଶି ସିଙ୍ଗାପୁର ଏୟାର୍‌ ଲାଇନ୍‌ ଭିସ୍ତାରାର କିଛି ସେୟାର ଅଧିଗ୍ରହଣ କରିଛି । ଭିସ୍ତାରା ଏୟାର ଇଣ୍ଡିଆ ସହ ମିଶିବା ପରେ ଏକ ବୃହତ୍‌ ଆଭିଏସନ୍ ଓ୍ୱିଙ୍ଗରେ ପରିଣତ ହେବ ।

ସିଙ୍ଗାପୁର ଏୟାରଲାଇନ୍ ଏବଂ ଏୟାର ଇଣ୍ଡିଆ ମିଳିତ ଭାବେ ଭିସ୍ତାରାର ୨୫ ପ୍ରତିଶତ ଅଂଶଧନ କିଣିବାକୁ ଯାଉଛନ୍ତି । ଯାହାକି ପାଖାପାଖି ୨ ହଜାର କୋଟି ଟଙ୍କା ଡିଲରୁ ଅଧିକ ହେବ । ବର୍ତ୍ତମାନ ସିଙ୍ଗାପୁର ଏୟାର ଲାଇନ୍ସ ପାଖରେ ଭିସ୍ତାରାର ୪୯ ପ୍ରତିଶତ ସେୟାର ରହିଥିବା ବେଳେ ୫୧ ପ୍ରତିଶତ ଟାଟା ନିକଟରେ ରହିଛି । ଏହି ଦୁଇ ବିମାନ ସେବା ପ୍ରଦାନକାରୀ କମ୍ପାନୀକୁ ୨୦୨୪ରେ ଏୟାର ଇଣ୍ଡିଆ ବ୍ରାଣ୍ଡ ଅଧିନକୁ ଆଣିବା ନେଇ ମଧ୍ୟ ଜଣାପଡ଼ିଛି ।