ଦୂର ହେଲା ମନମାଳିନ୍ୟ, ଏକାଠି ପ୍ରେସମିଟ୍ କଲେ ଗେହଲଟ ଓ ପାଇଲଟ

ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରା ଆରମ୍ଭ ପରେ କଂଗ୍ରେସ ନେତାଙ୍କ ମଧ୍ୟରେ ମନମାଳିନ୍ୟ ଦୂର ହୋଇଛି । ରାଜସ୍ଥାନ କଂଗ୍ରେସରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ଏକାଠି ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟ । ଡିସେମ୍ବର ୪ରେ ରାଜସ୍ଥାନରେ ପ୍ରବେଶ କରିବ ଭାରତ ଯୋଡୋ ଯାତ୍ରା । ତା’ପୂର୍ବରୁ ଏହାକୁ ରାଜ୍ୟରେ ସଫଳ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି  । ଏହି ଅବସରରେ ଉଭୟ ନେତା ମିଶି ପ୍ଲାନିଂ କରିଛନ୍ତି । ଯାହାକୁ ଦେଖି ବିରୋଧୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି ।

କିଛି ଦିନ ତଳେ ଅଶୋକ ଗେହଲଟ ସଚିନ ପାଇଲଟକୁ ଗଦ୍ଦାର ବୋଲି କହି ଚର୍ଚ୍ଚାରେ ଥିଲେ । ଭାରତ ଯୋଡୋ ପୂର୍ବରୁ କଂଗ୍ରେସ ନେତାଙ୍କୁ ଯୋଡୋ ବୋଲି ବିରୋଧୀ କହୁଥିଲେ । କିନ୍ତୁ ଆଜିର ଏହି ଚିତ୍ର ପରେ ବିରୋଧୀ ମଧ୍ୟ ଚୁପ୍ । ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବା ନେଇ ସବୁ ବେଳେ ଆଶାୟୀ ବୋଲି ଚର୍ଚ୍ଚା ହୁଏ । ଏଥିପାଇଁ ଗେହଲଟଙ୍କ ସହ ତାଙ୍କର ସମ୍ପର୍କ ଭଲ ରହୁନଥିବା ନେଇ ଚର୍ଚ୍ଚା ହେଉଥିଲା ।