ଭୁବନେଶ୍ୱର: ଦୁର୍ଗାପୂଜା ପୂର୍ବରୁ କମିଶନରେଟ୍ ପୋଲିସର ଫ୍ଳାଗମାର୍ଚ୍ଚ । ଖୋଲାରେ ମଦ୍ୟପାନ, ଖଟି, ନିଶା କାରବାର ଏବଂ ହାର୍ଡକୋର କ୍ରିମିନଲଙ୍କ ବିରୋଧରେ ସ୍ବତନ୍ତ୍ର ଡ୍ରାଇଭ୍ । ୟୁନିଟ୍-6 ବସ୍ତିରେ କ୍ୟାପିଟାଲ୍ ଥାନା ପକ୍ଷରୁ ସ୍ପେଶାଲ୍ ଡ୍ରାଇଭ କରାଯାଇଥିବା ବେଳେ ଲକ୍ଷୀସାଗର ଥାନା ପକ୍ଷରୁ ହଳଦୀ ପଡିଆ ବସ୍ତି ଏବଂ ଖାରବେଳ ନଗର ଥାନା ପକ୍ଷରୁ ମାଳିସାହିରେ ଫ୍ଳାଗମାର୍ଚ୍ଚ କରାଯାଇଛି । ଏଥିରେ ୩ ଥାନାର ଆଇଆଇସିଙ୍କ ସମେତ ଏସିପି ଏବଂ ୩ ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ ।
ମାଲିକର ଅଜାଣତରେ ବଦଳିଗଲା ଗାଡ଼ିର ମାଲିକାନା
କୋରାପୁଟ: ମାଲିକର ଅଜାଣତରେ ବି ଅନ୍ୟ ନାଁରେ ବଦଳିପାରେ ଗାଡ଼ିର ମାଲିକାନା । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏହା ଆମେ କହୁନୁ, ଏପରି ତଥ୍ୟ ଦେଇଛନ୍ତି ସୁନାବେଡ଼ା ଏସଡିପିଓ । ଗତ ୨୫ ତାରିଖରେ କିଛି ଲୋକ କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ନିକଟରେ ଜଗୁ ହନ୍ତାଳଙ୍କ ନିକଟରୁ ଏକ ଅଲଟୋ କାରକୁ ଜୋର ଜବରଦସ୍ତ ନେଇ ଯାଇଥିଲେ । ଏନେଇ ସୁନାବେଡ଼ା ଥାନାରେ ଅଭିଯୋଗ କରିଥିଲେ ଜଗୁ । ତଦନ୍ତ ପରେ ଏମିତି କିଛି ତଥ୍ୟ ପୋଲିସର ହସ୍ତଗତ ହୋଇଛି ।
ଗାଡ଼ିଟି ଜଗୁ ହନ୍ତାଳଙ୍କ ବଦଳରେ ବିପିନ୍ ଛତ୍ରିୟାଙ୍କ ନାମରେ ମାଲିକାନା ପରିବର୍ତ୍ତନ ହୋଇଛି । ଗାଡ଼ି ଚୋରି ପରେ ଏହାର ମାଲିକାନା ପରିବର୍ତ୍ତନ ପାଇଁ ଫର୍ଜି କାଗତପତ୍ର ଜରିଆରେ ଆବେଦନ କରାଯାଇଥିଲା । କିନ୍ତୁ ବିକିବା ଲୋକ ଜଗୁ ହନ୍ତାଳ RTO କାର୍ଯ୍ୟାଳୟ ଯାଇ ନାହାନ୍ତି ବୋଲି କହିଛନ୍ତି । ଏପଟେ କିଣିବା ଲୋକ ବିପିନ ଛତ୍ରୀଆ ବି ଚୋରି ଗାଡି କିଣିଛନ୍ତି ସତ କିନ୍ତୁ ସେ ବି RTO କାର୍ଯ୍ୟାଳୟ ଯାଇନଥିବା କହିଛନ୍ତି ।
ତେବେ ଗାଡ଼ିର ମାଲିକାନା କିପରି ପରିବର୍ତ୍ତନ ହେଲା ଏବେ ତାକୁ ନେଇ ଉଠିଛି ବଡ ପ୍ରଶ୍ନ । ଗାଡି ଲୁଟ ଘଟଣାରେ 2 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଚୋରି ଗାଡି କିଣି ନିଜ ନାମରେ କରିଥିବା ବିପିନ ଛତ୍ରୀଆ ଓ ଫର୍ଜରି କାଗଜ ପତ୍ର କରି ଗାଡି ନାମ ବଦଳାଇଥିବା ମୁଖ୍ୟ ସନ୍ତୋଷ କୁମାର ଖଣ୍ଡେଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ ।
ହାଇକୋର୍ଟ ଜର୍ଜ ଡ୍ରାଇଭରଙ୍କ ଝିଅ ପିନ୍ଧିବେ କଳା କୋଟ୍, ପ୍ରେରଣା ଦେଲେ କାର୍ତ୍ତିକା
ଜୟପୁର: ହାଇକୋର୍ଟ ଜର୍ଜ ଡ୍ରାଇଭରଙ୍କ ଝିଅର ସଫଳତା । ଖୁବ୍ ଶୀଘ୍ର କଳା କୋଟ୍ ପିନ୍ଧିବାକୁ ଯାଉଛନ୍ତି ୨୩ ବର୍ଷୀୟା ଝିଅ । ରାଜସ୍ଥାନ ବିଚାରବିଭାଗୀୟ ସେବା ପରୀକ୍ଷା କ୍ଲିଅର କଲେ କାର୍ତ୍ତିକା ଗେହଲଟ୍ । ରାଜ୍ୟ ସ୍ତରରେ ୬୬ ରାଙ୍କ୍ ରଖି ପାସ୍ ହୋଇଛନ୍ତି । ମାତ୍ର ୨୩ ବର୍ଷ ବୟସରେ ଜୁଡିସିଆଲ୍ ସେବା ପରୀକ୍ଷା କ୍ରାକ୍ କରିଛନ୍ତି କାର୍ତ୍ତିକା । କୋଭିଡ୍ ସମୟରେ ଅଫ୍ଲାଇନ୍ କ୍ଲାସ୍ ବନ୍ଦ ହେବା ପରେ ଅନଲାଇନରୁ କୋଚିଂ ଆରମ୍ଭ କରିଥିଲେ କାର୍ତ୍ତିକା ।
ଅନଲାଇନରେ ପ୍ରସ୍ତୁତି କରି ପ୍ରଥମ ଥରରେ ଏହି ପରୀକ୍ଷା ପାସ୍ କରିଛନ୍ତି । ଦିଲ୍ଲୀ ଜବାହାରଲାଲ୍ ନେହୁର ବିଶ୍ବବିଦ୍ୟାଳୟରେ ସ୍ନାତକ ପରେ ଏଲଏଲବି ସ୍ନାତ୍ତୋକତର ପାସ୍ କରିଛନ୍ତି କାର୍ତ୍ତିକା । ଏହା ପରେ ସେ ବିଚାର ବିଭାଗୀୟ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର କରିଥିଲେ । ପରୀକ୍ଷା ଉର୍ତ୍ତୀର୍ଣ୍ଣ ହେବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଅନଲାଇନ କୋଚିଂ ଆପ୍ଲିକେସନ ଉତ୍କର୍ଷ ପରିବାର ପକ୍ଷରୁ କାର୍ତ୍ତିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଋଷରେ ଆଣ୍ଟି-ଓ୍ବାର ପ୍ରୋଟେଷ୍ଟ, ୩୦ଟି ସହରରେ ପୁଟିନଙ୍କୁ ତୀବ୍ର ବିରୋଧ
ମସ୍କୋ: ଋଷରେ ଆଣ୍ଟି-ଓ୍ବାର ପ୍ରୋଟେଷ୍ଟ । ମସ୍କୋ ସମେତ ୩୦ଟି ସହରରେ ପୁଟିନଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ । ୟୁକ୍ରେନକୁ ଅଧିକ ୩ଲକ୍ଷ ରିଜର୍ଭ ସୈନ୍ୟ ପଠାଇବା ନିର୍ଦ୍ଦେଶ ପରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିକ୍ଷୋଭ ଉଗ୍ର ରୂପ ନେଇଛି । ରିଜର୍ଭ ସୈନିକ ହେଉଛନ୍ତି ଋଷର ସାଧାରଣ ନାଗରିକ । ଯେଉଁମାନଙ୍କୁ ସୈନ୍ୟ ତାଲିମ ଦିଆଯାଇଥାଏ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଯେକୌଣସି ସ୍ଥାନରେ ମୁତୟନ କରାଯାଇପାରେ ।
ୟୁକ୍ରେନକୁ ରିଜର୍ଭ ସୈନ୍ୟ ପଠାଇବା ଘୋଷଣା ପରେ ବିକ୍ଷୋଭ ଜୋରଦାର ହୋଇଛି । ପ୍ରାୟ ୧୩ଶହ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି ପୋଲିସ । ରାଜଧାନୀ ମସ୍କୋ ଓ ଋଷର ସବୁଠୁ ବଡ଼ ଶିଳ୍ପ ସହର ପିଟର୍ସବର୍ଗରେ ଲକ୍ଷାଧିକ ଲୋକ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ ଜାରି ରଖିଛନ୍ତି । ସେପଟେ ୟୁକ୍ରେନରେ ମୋବିଲାଇଜେସନ ଘୋଷଣା ପରେ ଦେଶ ଛାଡ଼ି ଚାଲିଯାଉଛନ୍ତି ଋଷ ନାଗରିକ । ତୁର୍କି, ଆର୍ମେନିଆ, ଜର୍ଜିଆ ଆଦି ଦେଶକୁ ଯାଉଥିବା ଫ୍ଲାଇଟ ଫୁଲ୍ । ନାଗରିକଙ୍କ ପଳାୟନ ରୋକିବାକୁ ୧୮ରୁ ୬୫ବର୍ଷୀୟ ନାଗରିକଙ୍କ ଟିକେଟ ଉପରେ ରୋକ ଲଗାଇ ଦିଆଯାଇଛି ।
ପ୍ରତିରକ୍ଷା ମନ୍ତ୍ରଣାଳୟ ବିନା ଅନୁମତିରେ ଟିକେଟ ବିକ୍ରି ନ କରିବାକୁ ଆଡଭାଇଜରୀ ଜାରି କରାଯାଇଛି । ଅନ୍ୟପଟେ ଯୁଦ୍ଧ ଅପରାଧ ପାଇଁ ଋଷଠାରୁ ଭିଟୋ ପାଓ୍ବାର ପ୍ରତ୍ୟାହାର କରିନେବାକୁ ନିବେଦନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ସେପଟେ ପ୍ରଥମ ଥର ଲାଗି ଋଷ-ୟୁକ୍ରେନ ମଧ୍ୟରେ ହୋଇଛି ବଡ଼ ଧରଣର ବନ୍ଦୀ ଅଦଳ ବଦଳ ପ୍ରକ୍ରିୟା । ଏହି ପ୍ରକ୍ରିୟାରେ ପ୍ରାୟ ୩୦୦ ବନ୍ଦୀଙ୍କୁ ଅଦଳବଦଳ କରାଯାଇଛି ।
ଅକ୍ଟୋବର ୬ରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ କାର୍ତ୍ତିକ ନୀତି
ପୁରୀ: ଅକ୍ଟୋବର ୬ରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର କାର୍ତ୍ତିକ ନୀତି। ରାଧାଦାମୋଦର ବେଶ ଓ ବାଳ ଭୋଗ ନୀତି ଆରମ୍ଭ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଉଭୟ ନୀତି ସବ୍ କମିଟି ଓ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି। କୋଭିଡ କଟକଣା ହଟିବା ପରେ ହବିଷ୍ୟାଳୀଙ୍କ ପ୍ରବଳ ଭିଡ଼ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି କାନ୍ତି ଉପରେ ଗୁରୁତ୍ବ ଦିଆଯାଇଛି। ଅକ୍ଟୋବର ୬ ତାରିଖରୁ ନଭେମ୍ବର ୮ ପର୍ଯ୍ୟନ୍ତ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଅନୁଷ୍ଠିତ ହେବ।
ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଅକ୍ଟୋବର ୬ରୁ ସକାଳ ୬.୧୫ରେ ରାଧାଦାମୋଦର ବେଶ ଓ ସକାଳ ୧୦ ଟାରୁ ୧୦.୩୦ ମଧ୍ୟରେ ବାଳଧୂପ ନୀତି ଅନୁଷ୍ଠିତ ହେବ। ଅକ୍ଟୋବର ୩୧ ରେ ମହାପ୍ରଭୁଙ୍କ ହରିହର ବେଶ, ନଭେମ୍ବର ୪ରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ, ୫ରେ ବାଙ୍କଚୁଡ ବେଶ, ୬ରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୭ରେ ଲକ୍ଷ୍ମୀନୃସିଂହ ବେଶ ଓ ୮ରେ ରାଜାଧିରାଜ ବା ସୁନାବେଶ ଅନୁଷ୍ଠିତ ହେବ। ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି କାର୍ତ୍ତିକ ମାସରେ ଭିଆଇପି ଦର୍ଶନ ଉପରେ କଟକଣା ଲଗାଇବା ପାଇଁ ଛତିଶା ନିଯୋଗର ସଦସ୍ୟ ଠକରେ ଦାବି କରିଥିଲେ।
ଅକ୍ଟୋବର ୨୫ରେ ହେବାକୁ ଥିବା ସୂର୍ଯ୍ୟ ପରାଗ ଓ ନଭେମ୍ବର ୮ରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ହୋଇଛି। ଅକ୍ଟୋବର ୨୪ ସଂନ୍ଧ୍ୟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ସେହିପରି ନଭେମ୍ବର ୮ରେ ଅପରାହ୍ନରୁ ସଂନ୍ଧ୍ୟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମଧ୍ୟ ଦର୍ଶନ ବନ୍ଦ ରହିବ। ଅକ୍ଟୋବର ୨୫ରେ ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ରାଧାଦାମୋଦର ବେଶ ହେବ। ମଇଲମ ହୋଇ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ଓ ଗ୍ରହଣ ଭୋଗ ନୀତି କରାଯିବ।

