ଆଜିଠୁ ଟ୍ୱିଟର ବ୍ଲୁ ଚେକ୍ ମାର୍କ’ ସେବା, ୟୁଜରଙ୍କୁ କିଣିବାକୁ ହେବ ବ୍ଲୁ ସବସ୍କ୍ରିପସନ

ନୂଆଦିଲ୍ଲୀ: ଆଜିଠୁ ଟ୍ୱିଟର ପୁଣି ଥରେ ଆରମ୍ଭ କରୁଛି ବ୍ଲୁ ଚେକ୍ ମାର୍କ ସେବା । ଏଥିପାଇଁ ୟୁଜରଙ୍କୁ ଟୁଇଟର ବ୍ଳୁ ସବସ୍କ୍ରିପସନ କିଣିବାକୁ ପଡ଼ିବ । ଯାହାଫଳରେ ସେମାନେ ବ୍ଳୁ ଟିକ୍ ସହିତ ସ୍ୱତନ୍ତ୍ର ଫିଚର୍ସର ଲାଭ ଉଠାଇପାରିବେ । ଗତ ମାସରେ କମ୍ପାନୀ ଏହି ପ୍ରୟାସରେ ବିଫଳ ହୋଇଥିଲା । ଯାହାକୁ ପୁନଃ କାର୍ଯ୍ୟକାରୀ କରାଯାଉଛି । ପୂର୍ବରୁ ଏହି ବ୍ଲୁ ଚେକ୍ ମାର୍କ କମ୍ପାନୀ, ସେଲିବ୍ରିଟି, ସରକାରୀ ସଂସ୍ଥା ଏବଂ ସାମ୍ବାଦିକଙ୍କୁ ଦିଆଯାଉଥିଲା ।

ଅକ୍ଟୋବରରେ ୪୪ ବିଲିୟନ ଡଲାରରେ ଏଲନ ମସ୍କ ଟ୍ୱିଟର କିଣିବା ପରେ ଏଥିରେ ଅନେକ ପରିବର୍ତ୍ତନ କରିଥିଲେ । ଯେଉଁଥିରେ ୮ ଡଲାରରେ ଟ୍ୱିଟରର ବ୍ଲୁ ସବସ୍କ୍ରିପସନ କିଣିବା ନିଷ୍ପତ୍ତି ରହିଥିଲା । ଏଥିପାଇଁ ଓ୍ୱେବ୍ ୟୁଜର୍ସଙ୍କଠାରୁ ମାସିକ ୮ ଡଲାର ଏବଂ ଆଇଫୋନ୍ ୟୁଜର୍ସ ୧୧ ଡଲାର ଦେବାକୁ ପଡ଼ିବ । ଟ୍ୱିଟର କହିଛି ଏହି ଫିଚର ଦ୍ୱାରା ୟୁଜରଙ୍କୁ କମ୍ ବିଜ୍ଞାପନ ଦେଖିବାକୁ ମିଳିବ । ଏହା ସହ ୟୁଜର ଅଧିକ ସମୟର ଭିଡିଓ ସେୟାର କରିପାରିବେ ଏବଂ ସେମାନଙ୍କର ଟୁଇଟ୍ ଗୁଡିକ ଅଧିକ ପ୍ରାଧାନ୍ୟତାର ସହ ଦେଖାଯିବ।