କୁଆଡେ ଗଲେ ରାଇଘର ତହସିଲ ରାଜସ୍ୱ ସୁପରଭାଇଜର, ଶନିବାର ରାତିରୁ ମିଳୁନି ଖୋଜ ଖବର

ନବରଙ୍ଗପୁର: କୁଆଡ଼େ ଗଲେ ନବରଙ୍ଗପୁର ରାଇଘର ତହସିଲ ରାଜସ୍ୱ ସୁପରଭାଇଜର ସପନ ସରକାର ଓ ତାଙ୍କ ପରିବାର । ଶନିବାର ରାତିରୁ ସପନଙ୍କ ସମେତ ତାଙ୍କ ସ୍ତ୍ରୀ ରୀତା ସରକାର, ଶଳା ବିଶୁ ଅଧିକାରୀ ଓ ଅନ୍ୟଜଣେ ବନ୍ଧୁ ହାଜାରୀ ଡାଲିଙ୍କ ପତ୍ତା ମିଳୁନି । ନିଖୋଜ ଘଟଣାକୁ ଦୁଇ ଦିନ ବିତିଥିଲେ ବି ବର୍ତ୍ତମାନ ପର୍ଯନ୍ତ କୌଣସି ଖୋଜ ଖବର ମିଳୁନି । ଛତିଶଗଡ଼ କାଙ୍କେରରେ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ । ବିବାହ ଭୋଜି ସାରି ଛତିଶଗଡ଼ କାଙ୍କେରରୁ ୪ ଜଣ କୋଣ୍ଡାଗାଁକୁ ଫେରୁଥିଲେ । ରାତିରେ ଏକ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ । ଯାହାର ସିସିଟିଭି ଫୁଟେଜ୍ ମିଳିଛି । ତେଲ ପକାଇବା ପରେ ସେଠାରୁ ବାହାରିଥିଲେ । କିଛି ବାଟ ଆସିବା ପରେ ସେମାନଙ୍କ ଫୋନ୍ ଲାଗି ନଥିଲା ।

ସପନ ଓ ଅନ୍ୟମାନେ ଘରେ ପହଞ୍ଚି ନଥିବା ବେଳେ ସମସ୍ତଙ୍କ ମୋବାଇଲ ମଧ୍ୟ ସୁଇଚ ଅଫ୍ ରହିଛି । ରବିବାର ସକାଳୁ ପରିବାର ଲୋକେ ବିଭିନ୍ନ ଆଡ଼େ ଖୋଜାଖୋଜି କରିଥିଲେ ବି ସେମାନଙ୍କ ପତ୍ତା ମିଳି ନଥିଲା । ୪ ଜଣ ଏକାଠି କାରରେ ବାହାରିଥିବା ବେଳେ କୁଆଡ଼େ ଗଲେ ତାକୁ ନେଇ ଆଶା ଆଶଙ୍କା ବଢ଼ିବାରେ ଲାଗିଛି । ସେମାନଙ୍କୁ ଅପହରଣ କରାଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ପରିବାର ପକ୍ଷରୁ କାଙ୍କେର କତୁଆଲି ଥାନାରେ ଏତଲା ଦିଆଯାଇଛି । କାଙ୍କେର ପୋଲିସ ଖୋଜା ଖୋଜି କରିଥିଲେ ବି ଏ ପର୍ଯ୍ୟନ୍ତ କୌଣସି ସନ୍ଧାନ ପାଇନି ପୋଲିସ ।