ପୁରୀ: ଆଜି ଚତୁର୍ଦ୍ଧା ମୂରତିଙ୍କୁ ପୁରୀ ଗସ୍ତ କରି ଦର୍ଶନ କରିଛନ୍ତି 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ । ବେଢା ପରିକ୍ରମା କରିବା ସହ ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର ଓ ପାର୍ଶ୍ୱ ଦେବାଦେବୀ ମନ୍ଦିରରେ ଦର୍ଶନ କରିଛନ୍ତି । ତେବେ 5T ସଚିବଙ୍କ ସହ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ମଧ୍ୟ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଥିବା ସୂଚନା ମିଳିଛି ।
ଏଣିକି ଅଣଧାନ ଚାଷକୁ ଦିଆଯିବ ଗୁରୁତ୍ବ, ଆସିବ ନୂଆ ବନ୍ଦର ନୀତି
ଭୁବନେଶ୍ବର: ଏଣିକି ଧାନ ଚାଷ ବଦଳରେ ଅଣଧାନ ଚାଷକୁ ଦିଆଯିବ ଗୁରୁତ୍ବ । ବିବିଧ ଫସଲ ଚାଷ ପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି । ଏଥିପାଇଁ ଆସନ୍ତା ତିନି ବର୍ଷରେ ଖର୍ଚ୍ଚ ହେବ ୯୩୦ କୋଟି ଟଙ୍କା । ଧାନ ଚାଷ ହେଉଥିବା ୩ଲକ୍ଷ ୭୦ ହଜାର ହେକ୍ଟର ଜମିରେ ଅର୍ଥକାରୀ ଓ ଡାଲିଜାତୀୟ ଫସଲ ଚାଷ ପାଇଁ ଯୋଜନା କରାଯାଇଛି ।
ଦେଢ ଲକ୍ଷ ହେକ୍ଟର ଜମିରେ ଅଣଧାନ ସମେତ ତୈଳବୀଜ, ୫୦ ହଜାର ହେକ୍ଟର ଜମିରେ ଦେଶୀୟ ବାସ୍ନା ଚାଉଳ ଚାଷ ପାଇଁ ପ୍ରୋତ୍ସାହନ ଦିଆଯିବ । କୃଷି ବିଭାଗର ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି ।
ସେହିପରି ବାଲି, ମୋରମ ପରି ଲଘୁ ଖଣିଜ ପଦାର୍ଥ ନିଲାମ ବା ସୈରାତ ଆଉ ରାଜସ୍ବ ବିଭାଗ କରିବ ନାହିଁ । ଇସ୍ପାତ ଓ ଖଣି ବିଭାଗ ଏସବୁ ଲଘୁ ଖଣିଜ ପଦାର୍ଥର ନିଲାମୀ କରିବ । ଅନ୍ତର୍ଦେଶୀୟ ଜଳ ପରିବହନ ପାଇଁ ୨୦୦୪ର ବନ୍ଦର ନୀତି ବଦଳରେ ଆସିବ ନୂଆ ବନ୍ଦର ନୀତି-୨୦୨୨ । ରାଜ୍ୟରେ ନିଜସ୍ବ ବିଦ୍ୟୁତ ଶକ୍ତି ଉତ୍ପାଦନ କରୁଥିବା ସଂସ୍ଥାର ବକେୟା ବିଦ୍ୟୁତ ଶୁଳ୍କ ଏକକାଳୀନ ପୈଠ ପାଇଁ କ୍ୟାବିନେଟ ନିଷ୍ପତ୍ତି ହୋଇଛି । ଏଥିରେ ରାଜ୍ୟ ସରକାର ଦେଢ ହଜାର କୋଟି ଟଙ୍କା ରାଜସ୍ବ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।
କଟକ ଜିଲ୍ଲା ନରସିଂହପୁର, ତିଗିରିଆ ଓ ବଡମ୍ବା ବ୍ଲକରେ ହାଡୁଆ ମଧ୍ୟମ ଜଳସେଚନ ପ୍ରକଳ୍ପ ଡ୍ୟାମ ନିର୍ମାଣ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ ମଂଜୁରୀ ଦେଇଛି । ୨୨୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ କାମ ଅଢେଇ ବର୍ଷ ମଧ୍ୟରେ ଶେଷ ହେବ । ୬ହଜାର ୬୦୦ ହେକ୍ଟର ଜମି ଜଳସେଚିତ ହେବା ସହ ୩ଲକ୍ଷରୁ ଅଧିକ ଲୋକଙ୍କୁ ପାନୀୟ ଜଳ ସୁବିଧା ମିଳିପାରିବ ।
ବ୍ରାହ୍ମଣୀ ବାମପଟ କେନାଲ ବନ୍ଧର ମୁଖ୍ୟ କେନାଲ କାମ ପାଇଁ ୨୯୭ କୋଟିର ଟେଣ୍ଡରକୁ କ୍ୟାବିନେଟ ମଂଜୁରୀ ଦେଇଛି । ଏହି କାମ ୩୬ମାସରେ ଶେଷ ହେବ । ଏଥିରେ କୋରେଇ, କେନ୍ଦୁଝର, ବରପଦା ଓ ରାମଚନ୍ଦ୍ର ବ୍ଲକରେ ୧୯ହଜାର ୮୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିପାରିବ । ଏହାସହ ଆନନ୍ଦପୁର ବ୍ୟାରେଜକୁ ମଧ୍ୟ ପାଣି ମିଳିପାରିବ ।
ଅବପାତର ରୂପ ନେବ ଲଘୁଚାପ, ଆଭ୍ୟନ୍ତରୀଣ ଓଡିଶାରେ ବଢିବ ଶୀତ
ଭୁବନେଶ୍ବର: ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଶୁଖିଲା ପାଗ । ୨୧ ତାରିଖରୁ ବଦଳିବ ପାଗ । ଆକାଶ ମେଘାଛନ୍ନ ରହିବା ସହ କିଛି ଜିଲ୍ଲାରେ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ଶୀତ । ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଉ କିଛି ଘଣ୍ଟା ମଧ୍ୟରେ ଅବପାତର ପରିଣତ ହେବ । ପ୍ରଭାବରେ ୨୧ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୧ ତାରିଖ ସକାଳ ସାଢେ ଆଠଟାରୁ ୨୨ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ମାଲକାନଗିରି ଏବଂ କୋରାପୁଟରେ ଘଡିଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ବର୍ଷା ପରେ ଶୀତ କମିବା ସହ ରାତ୍ରିର ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ ।
ମେକ୍ ଇନ୍ ଓଡ଼ିଶା କନକ୍ଲେଭ କାର୍ଯ୍ୟକ୍ରମକୁ ଗଣମାଧ୍ୟମରେ ପ୍ରଚାର ପ୍ରସାର ନିମନ୍ତେ ବୈଠକ
ଭୁବନେଶ୍ୱର: ମେକ୍ ଇନ ଓଡ଼ିଶା ୨୦୧୬ ଏବଂ ୨୦୧୮ ସଫଳତା ପରେ ଏହାର ତୃତୀୟ ସଂସ୍କରଣ ଆଗାମୀ ନଭେମ୍ବର ୩୦ ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବ । ଏଥିରେ ଦେଶ ବିଦେଶରୁ ଶିଳ୍ପପତିମାନେ ଯୋଗଦେଇ ଆମ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ରହିଥିବା ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ଆଲୋଚନା କରିବେ । ଏଥି ନିମନ୍ତେ ବ୍ୟବସାୟିକ ନେତୃତ୍ୱ ସମ୍ପର୍କିତ ପାରସ୍ପରିକ ଆଲୋଚନା ସହ ଶିଳ୍ପର ଅଭିବୃଦ୍ଧି ନିମନ୍ତେ ବୈଷୟିକ ଜ୍ଞାନକୌଶଳରେ ଅଭିନବତ୍ୱ ଆଣିବା, ସିଲ୍ଡ ଇନ ଓଡ଼ିଶା, ଷ୍ଟାର୍ଟ ଅପ୍ ଓଡ଼ିଶା, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା, ଓଡ଼ିଶାର ଶିଳ୍ପ ବିକାଶର ଦକ୍ଷତା ଓ ପୁଞ୍ଜି ନିବେଶ ପରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ ।
ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବାର ରହିଛି । ମେକ୍ ଇନ ଇଣ୍ଡିଆ କନକ୍ଲେଭକୁ ସଫଳତାର ସହିତ ଆୟୋଜନ କରିବାକୁ ରାଜ୍ୟ ଶିଳ୍ପ ବିଭାଗ, ଫିକି, ଇପିକଲ ସହିତ ପିଡବ୍ଲୁସି, ଲାନିୟାର୍ଡସ, ଜେନେସିସ୍ ଆଦି ସଂସ୍ଥା ସହଯୋଗ କରୁଛନ୍ତି । ଏହି ବୃହତ ଶିଳ୍ପ ମହାକୁମ୍ଭରେ ଅନୁଷ୍ଠିତ ହେବାକୁ ଥିବା ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସୁବିଧାରେ ପ୍ରଚାର ପ୍ରସାର ନିମନ୍ତେ ଭୁବନେଶ୍ୱର ସ୍ଥିତ ଇଡକୋ ସମ୍ମିଳନୀ କକ୍ଷରେ ଗଣମାଧ୍ୟମ ପରିଚାଳନା ସମ୍ପର୍କରେ ବିଶଦ୍ ଆଲୋଚନା ହୋଇଥିଲା ।
ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଇଡକୋର ଅଧ୍ୟକ୍ଷ ହେମନ୍ତ କୁମାର ଶର୍ମା ଯୋଗ ଦେଇ ଏହି କନକ୍ଲେଭ ନେଇ ମିଡିଆ ପ୍ଲାନିଂ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିଶଦ୍ ଭାବେ ସୂଚନା ଦେଇଥିଲେ ଏବଂ ସେମାନଙ୍କଠାରୁ ଦିଆଯାଇଥିବା ପ୍ରସ୍ତାବକୁ ବିଚାରକୁ ନେଇଥିଲେ । ଏହି ବୈଠକରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଯୋଗ ଦେଇ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆବ୍ୟକ ସୂଚନା ପ୍ରଦାନ କରାଯିବା ସହ କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାର ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅଧିକାରୀମାନେ ମଧ୍ୟ ସରକାରଙ୍କ ସମ୍ପୃକ୍ତ ବିଭିନ୍ନ ବିଭାଗରୁ ସୂଚନା ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯୋଗାଇ ଦେବା ପାଇଁ ତତନୁସାରେ ଯୋଜନା ପ୍ରସ୍ତୁତ ହୋଇଥିବା ଶ୍ରୀ ସିଂ ପ୍ରକାଶ କହିଥିଲେ । ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ାଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀ, ବିଭିନ୍ନ ବୈଦ୍ୟୁତିକ ଓ ମୁଦ୍ରଣ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମର ସିଧା ପ୍ରସାରଣ, ବିଭିନ୍ନ ବୈଦୁତିକ ଚ୍ୟାନେଲଗୁଡ଼ିକ ଦ୍ୱାରା ଟିଭି କଭରେଜ, ଫଟୋ କଭରେଜ, ଓବି ଭ୍ୟାନର ଅବସ୍ଥାନ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଭିନ୍ନ ଗଣମାଧ୍ୟମ ସଂସ୍ଥାରୁ ବିଜନେସ୍ ରିପୋର୍ଟିଂ ପ୍ରତିନିଧି ଭାବେ ଏଣ୍ଟ୍ରି ପାସ୍ ପାଇବାକୁ ଥିବା ପ୍ରତିନିଧିମାନଙ୍କୁ ଗେଟ୍ ନଂ-୩ ଦେଇ ପ୍ରବେଶ ଅନୁମତି ରହିବ । କନକ୍ଲେଭର ଉପଲବ୍ଧ ସ୍ଥାନକୁ ଦୃଷ୍ଟି ଦେବା ସହିତ ଗଣମାଧ୍ୟ ପ୍ରତିନିଧିମାନେ ଯେପରି ସୁବିଧାରେ କାର୍ଯ୍ୟକ୍ରମର ପ୍ରସାରଣ ବା ପ୍ରକାଶନର ସୁବିଧା ପାଇବେ, ସେ ସମ୍ପର୍କରେ ଗୁରୁତ୍ୱ ଦିଆଯାଇ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବା ବୋଲିଂ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶର୍ମା ପ୍ରକାଶ କହିଛନ୍ତି ।

