ଦୁନିଆର ସବୁଠୁ କମ୍ ଉଚ୍ଚତା ବିଶିଷ୍ଟ ପୁରୁଷ! ମୋବାଇଲ୍ ବି ଚଳାଇପାରନ୍ତିନି

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଛୋଟ ପୁରୁଷ ଭାବେ ରେକର୍ଡ କରିଛନ୍ତି ୨୦ ବର୍ଷୀୟ ଯୁବକ ଅଫସିନ୍ ଇସ୍ମାଇଲ୍ ଘାଦେରଜାଦେହ । ନିକଟରେ ଗିନିଜ ୱାର୍ଲ୍ଡ ରେକର୍ଡ ହାତେଇଛନ୍ତି ଅଫସିନ୍ । ୨ ଫୁଟ୍ ୧ ଇଞ୍ଚ ବିଶିଷ୍ଟ ଏହି ଇରାନର ଯୁବକଙ୍କ ଶରୀର ଅତ୍ୟନ୍ତ ଦୁର୍ବଳ । ଯାହା ଫଳରେ ସେ ମୋବାଇଲ୍ ମଧ୍ୟ ବ୍ୟବହାର କରିପାରନ୍ତି ନାହିଁ । ଏପରିକି ନିଜ ମାପର ଡ୍ରେସ୍ ପାଉନଥିବାରୁ ସେ ୩ ବର୍ଷ ପିଲାଙ୍କ ଡ୍ରେସ୍ ପିନ୍ଧିଥାନ୍ତି ।

ଅଫସିନ ଇରାନର ୱେଷ୍ଟ ଅଜରବେଜାନର ବୁକାନ କାଉଣ୍ଟିର ବାସିନ୍ଦା। ଜନ୍ମ ବେଳେ ତାଙ୍କର ଓଜନ ମାତ୍ର ୭୦୦ ଗ୍ରାମ ଥିଲ । ଗିନିଜ ରେକର୍ଡ କରିବା ପରେ ଅଫସିନ୍ କୁହନ୍ତି, ଏବେ ଲୋକମାନେ ତାଙ୍କୁ ଜାଣିବେ ଏବଂ ସହଯୋଗ ମଧ୍ୟ କରିବେ । ତାଙ୍କର ସବୁ ସ୍ୱପ୍ନ ପୂରଣ ହେବ ବୋଲି ଆଶା ରଖିଛନ୍ତି ।

ଅଫସିନଙ୍କ ପିତାଙ୍କ କହିବାନୁଯାୟୀ, ପୁଅର ଶରୀର ଖୁବ୍ ଦୁର୍ବଳ । ଯେଉଁଥିପାଇଁ ସେ ସ୍କୁଲକୁ ଯାଇ ପାଠ ପଢିପାରିଲା ନାହିଁ । ଏପରିକି ମୋବାଇଲ୍ ପରି ଛୋଟ ଜିନିଷ ମଧ୍ୟ ସେ ବ୍ୟବହାର କରିପାରେ ନାହିଁ । ତେବେ ତା’ ଶରୀର ଦୁର୍ବଳ ଥିଲେ ମଧ୍ୟ ମାନସିକ ସ୍ତରରେ ସେ ସୁସ୍ଥ । ସେ ନିକଟ ଅତୀତରେ ନିଜ ନାମ ଲେଖିବା ଶିଖିଛନ୍ତି ।

ସେ କାର୍ଟୁନ ଦେଖିବାକୁ ଭଲ ପାଉଥିବା ବେଳେ ତାଙ୍କର ଫେବରେଟ୍ କାର୍ଟୁନ ହେଉଛି ଟମ୍ ଆଣ୍ଡ୍ ଜେରୀ । ଆଉ ତାଙ୍କର ସ୍ୱପ୍ନ ରହିଛି ଦୁବାଇର ବୁର୍ଜ ଖଲିଫା ଅଟ୍ଟାଳିକାର ଟପକୁ ଯିବାପାଇଁ ।

କୋଲମ୍ବିଆର ୨.୭ ଇଞ୍ଚ ବିଶିଷ୍ଟ ୩୬ ବର୍ଷୀୟ ଇଡୱାର୍ଡଙ୍କ ରେକର୍ଡ ଭାଙ୍ଗିଛନ୍ତି । ତେବେ ଏନେଇ ଗିନିଜ ୱାର୍ଲ୍ଡ ରେକର୍ଡର ଏଡିଟର୍ ଇନ୍ ଚିଫ୍ କ୍ରେଗ୍ ଗ୍ଲେଣ୍ଡେ କୁହନ୍ତି, ଅଫସିନ୍ ଏବେ ଜଣେ ସେଲିବ୍ରିଟି ଭାବେ ଜୀବନ ଅତିବାହିତ କରିବେ ।