ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ୪୮ ତମ ଜିଏସ୍‌ଟି ପରିଷଦ ବୈଠକ

ନୂଆଦିଲ୍ଲୀ: ଶନିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ୪୮ ତମ ଜିଏସ୍‌ଟି ପରିଷଦ ବୈଠକ । ପୂର୍ବାହ୍ନ ୧୧ଟାରେ ଏହି ବୈଠକ ଭର୍ଚୁଆଲ ଯୋଗେ ଅନୁଷ୍ଠିତ ହେବ । ଏଥିରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସାମିଲ ହେବେ । ଲୋକସେବା ଭବନରୁ ପୂର୍ବାହ୍ନ ୧୧ଟାରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୈଠକରେ ଯୋଗଦେବେ । କେନ୍ଦୁପତ୍ର ଉପରୁ ଜିଏସ୍‌ଟି ସମ୍ପୂର୍ଣ୍ଣ ଉଚ୍ଛେଦ ନେଇ ଓଡିଶା ଦାବି କରିଆସୁଛି ।

ଜିଏସ୍‌ଟି ପରିଷଦ ବୈଠକରେ ଏ ସମ୍ପର୍କୀତ ଆଲୋଚନା ପାଇଁ ପ୍ରସ୍ତାବ ନଥିଲେ ବି ନିରଂଜନ କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସ୍‌ଟି ସମ୍ପୂର୍ଣ୍ଣ ଉଠାଇବାକୁ ଦାବି କରିବେ । କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ଥର କେନ୍ଦ୍ରକୁ ଚିଠି ଲେଖିଛନ୍ତି । ଏହାସହିତ ସଂସଦରେ ବିଜେଡି ସାଂସଦମାନେ ବି ସ୍ବର ଉଠାଇଛନ୍ତି । କିନ୍ତୁ କେନ୍ଦ୍ର ଏ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦାବି ନେଇ କର୍ଣ୍ଣପାତ କରିନାହିଁ ।