ନୂଆପଡ଼ା ଗସ୍ତରେ ଯାଇ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍ ତ୍ରିପାଠୀ

ଭୁବନେଶ୍ୱର: ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ କୁମାର ତ୍ରିପାଠୀ ଦିନିକିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମୀକ୍ଷାରେ ସେ ଉଦ୍ୟୋଗଗୁଡ଼ିକୁ କୃଷି କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ, ଉଦ୍ୟାନକୃଷି, ପିସିକଲଚର, ପଶୁପାଳନ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର, ଦକ୍ଷତା ବିକାଶରେ ଓର୍‌ମାସ୍‌ ଓ ମିଶନ ଶକ୍ତି କାର୍ଯ୍ୟ କରିବା ଏବଂ ପାରମ୍ପରିକ ବ୍ୟାଙ୍କ ଋଣ ସହାୟତାରୁ ଦୂରେଇ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରୁ ଲାଭ ଉଠାଇବାକୁ ସେ ଗୁରୁତ୍ୱ ଆରୋପ କରିଥିଲେ ।

ନିକଟରେ ଆୟୋଜିତ ହୋଇଥିବା ମେକ୍‌ ଇନ୍‌ ଓଡ଼ିଶାର ନୂଆ ଶିଳ୍ପ ସଂକଳ୍ପ ଅନୁଯାୟୀ କାମ କରିବା ଉପରେ ସେ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରବର୍ତ୍ତାଇଥିଲେ । ଏହି ସମୀକ୍ଷା ବୈଠକରେ ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ନୂଆପଡ଼ା ଜିଲ୍ଲାପାଳ ହେମ କାନ୍ତ ସଏ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିବାହୀ ଅଜିତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଶ୍ରୀ ତ୍ରିପାଠୀ ସମସ୍ତ ଅଧିକାରୀମାନଙ୍କୁ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ପରାମର୍ଶ ଦେଇ ଏହା ଦ୍ୱାରା ଜିଲ୍ଲାର ଦୃତ ବିକାଶ ସମ୍ଭବ ହୋଇପାରିବ ବୋଲି କହିଥିଲେ ।

ସମସ୍ତେ ଏକାକୀ କାର୍ଯ୍ୟ ନକରି ଏକ କ୍ଲଷ୍ଟର ଆପ୍ରୋଚରେ ବିଭିନ୍ନ ବିଭାଗ ମିଳିତ ଭାବେ କାର୍ଯ୍ୟ କଲେ ତା’ର ପ୍ରଭାବ ଅର୍ଥନୈତିକ ବିକାଶରେ ପ୍ରତିଫଳିତ ହେବ । ବିଶେଷ ଭାବେ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ’ ର ଫାଇଦା ଉଠାଇବା ଏବଂ କ ଷୃିଭିତ୍ତିକ ଉଦ୍ୟୋଗ ପ୍ରତି ଅଧିକ ଆକୃଷ୍ଟ ହେବାକୁ ଜନସାଧାରଣଙ୍କୁ ବୁଝାଇବା ପାଇଁ ଅଧିକାରୀମାନଙ୍କୁ କହିଥିଲେ ।

ସେ ଏସବୁ କାର୍ଯ୍ୟରେ ସ୍ଥାନୀୟ ଜନପ୍ରତିନିଧି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ସଂସ୍ଥାଗୁଡ଼ିକୁ ସାମିଲ କରିବାକୁ ପରାମର୍ଶ ଦେିଥିଲେ । ସେ କୋମନା ବ୍ଲକ୍‌ର ଇଚ୍ଛାପୁରଠାରେ କରାଯାଇଥିବା ମିଲେଟ୍‌ ପ୍ରକ୍ରିୟାକରଣ ୟୁନିଟ୍‌, ଯାହା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରଦତ୍ତ ଆର୍ଥିକ ସହାୟତାରେ ଗଢ଼ିଉଠିଛି, ତା’ର ଉଦାହରଣ ଦେଇ ନୂଆପଡ଼ା ଜିଲ୍ଲା କୃଷି ଉଦ୍ୟୋଗ କ୍ଷେତ୍ରରେ ଯଥେଷ୍ଟ ସମ୍ଭାବନା ଥିବା ପ୍ରସଙ୍ଗ ଉତ୍ଥାପନ କରିଥିଲେ । ପରେ ସେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ଜନପ୍ରତିନିଧିମାନଙ୍କ ସହ ବାର୍ତ୍ତାଳାପ କରିଥିଲେ ।