ଟ୍ବିଟର କିଣିବା ପରେ ଖରାପ ସମୟ ଦେଇ ଗତି କରୁଛନ୍ତି ଏଲନ୍ ମସ୍କ

1 min read

ଓ୍ୱାଶିଂଟନ: ଟ୍ବିଟର କିଣିବା ପରେ ଟେସ୍‌ଲା ମୁଖ୍ୟ ଏଲନ୍ ମସ୍କ ଖରାପ ସମୟ ଦେଇ ଗତି କରୁଛନ୍ତି । ଟ୍ୱିଟର ଏବଂ ତାଙ୍କ ଇଲେକ୍‌ଟ୍ରିକ୍‌ କାର କମ୍ପାନୀ ଟେସଲାର ସେୟାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଏଲନ୍‌ ମସ୍କ ଏବଂ ତାଙ୍କର ନୂତନ ସଂସ୍ଥା ଟ୍ବିଟରକୁ ନେଇ ଚାଲିଥିବା ହାଇଡ୍ରାମା ମଧ୍ୟରେ ମସ୍କ ପୁଣି ଟ୍ବିଟରରେ ଏକ ସର୍ଭେ କରିଥିଲେ ।

ସେ ଟ୍ବିଟର ମୁଖ୍ୟ ରହିବେ ନା ନାହିଁ ୟୁଜରଙ୍କୁ ମସ୍କ ପ୍ରଶ୍ନ କରିଥିଲେ । ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଟ୍ବିଟର ଉପଭୋକ୍ତା ଚାହାନ୍ତି ନାହିଁ ମସ୍କ ଟ୍ବିଟର ମୁଖ୍ୟପଦରେ ରୁହନ୍ତୁ । ମସ୍କ ନିଜର ଟ୍ବିଟର ହାଣ୍ଡେଲକୁ ଯାଇ ଉପଭୋକ୍ତାମାନଙ୍କୁ ପଚାରିଥିଲେ ଯେ, ସେ କମ୍ପାନିର ମୁଖ୍ୟ ପଦରୁ ଇସ୍ତଫା ଦେବା ଉଚିତ କି ନୁହେଁ ? ଏବଂ ହଁ-ନା ବିକଳ୍ପ ସହିତ ଏକ ମତାମତ ପୋଲ୍‌ ବା ସର୍ଭେ ସୃଷ୍ଟି କରି ଟ୍ବିଟର ବ୍ୟବହାରଙ୍କୁ ମତଦାନ କରିବାକୁ କହିଥିଲେ ।

ପ୍ରାୟ ୫୭.୫ ପ୍ରତିଶତ ଟ୍ବିଟର ଉପଭୋକ୍ତା ମସ୍କଙ୍କ ପଦ ଛାଡିବା ନେଇ ମତ ଦେଇଥିବା ବେଳେ ୪୨.୫ ପ୍ରତିଶତ ତଥାପି ଚାହୁଁଛନ୍ତି ଯେ ସେ କମ୍ପାନିର ମୁଖ୍ୟ ରୁହନ୍ତୁ । ୧.୭ କୋଟିରୁ ଅଧିକ ଟ୍ବିଟର ଉପଭୋକ୍ତା ଏହି ସର୍ଭେରେ ସେମାନଙ୍କର ମତାମତ ଦେଇଥିଲେ ।

ମସ୍କ କିଛି ସପ୍ତାହ ତଳେ ୪୪ ବିଲିୟନ ଡଲାର ମୂଲ୍ୟର ଡିଲରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର କିଣିଥିଲେ । ସେବେଠାରୁ ଟ୍ୱିଟରରେ ବହୁ ପରିବର୍ତ୍ତନ ହୋଇଛି । କମ୍ପାନୀର ବହୁ ସଂଖ୍ୟକ କର୍ମଚାରୀଙ୍କୁ ବିଦା କରାଯିବା ସହିତ ଟ୍ୱିଟରର ନୀତି ଏବଂ ବ୍ୟବସାୟରେ ପରିବର୍ତ୍ତନ ଜାରି ରହିଛି ।