ସ୍କୁଲରେ ଅନୁପସ୍ଥିତ ରହିବା ପଡିଲା ମହଙ୍ଗା, ୯୬ଜଣ କନିଷ୍ଠ ଶିକ୍ଷକ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର: ଦୀର୍ଘଦିନ ଧରି ସ୍କୁଲରେ ଅନୁପସ୍ଥିତ ଥିବା ୨୬ ଜଣ ପ୍ରାଥମିକ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ୧୫୪ ଜଣ ପ୍ରାଥମିକ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି । ସେହିପରି ଅନୁପସ୍ଥିତ ରହୁଥିବା ୯୬ ଜଣ ପ୍ରାଥମିକ ବର୍ଗରେ କନିଷ୍ଠ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଗୁରୁତ୍ବ ଦେଇ ଆସୁଛି ।

ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରିବା ସହ ସମସ୍ତ ବ୍ଲକ ଓ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାଦାନ ଉପରେ ଗୁରୁତ୍ବ ଦିଆଯାଇଛି । ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଏସବୁ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ବିଭାଗ ପକ୍ଷରୁ ସେଣ୍ଟ୍ରାର ଜୋନର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଇଁ ଦୁଇଦିନିଆ କର୍ମଶାଳା ଓ ସମୀକ୍ଷା ଅନୁଷ୍ଠିତ ହୋଇଥିଲା ।

ଏଥିରେ ଶିକ୍ଷମାନେ ଦୀର୍ଘଦିନ ଧରି ଅନୁପସ୍ଥିତ ରହୁଥିବା ନଜରକୁ ଆସିଛି । ତେଣୁ ଅନୁପସ୍ଥିତ ରହୁଥିବା ଶିକ୍ଷକଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଗାମୀ ଦିନରେ ଏହି ସମୀକ୍ଷା ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।