ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍: ଭାରତର ଫାଇନାଲ ଟିକେଟ୍ ପକ୍କା

1 min read

ନୂଆଦିଲ୍ଲୀ: ବାଂଲାଦେଶକୁ ଟେଷ୍ଟ ସିରିଜ ୨-୦ରେ ହରାଇବା ପରେ ଭାରତ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଖେଳିବା ଏକ ପ୍ରକାର ପକ୍କା ହୋଇଯାଇଛି । ସିରିଜ ଜିତିବା ସହ ଭାରତ ଏବେ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିଛି । ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ଦ୍ବିତୀୟରୁ ତୃତୀୟ ସ୍ଥାନକୁ ଖସି ଆସିଛି ।

ଭାରତ ତା’ର ପରବର୍ତ୍ତି ଟେଷ୍ଟ ସିରିଜ୍ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । ଉଭୟ ଦଳ ମଧ୍ୟରେ ୪ଟି ଟେଷ୍ଟ ମ୍ୟାଚ୍ ଖେଳାଯିବାର ଅଛି । ଏମିତି ସ୍ଥିତିରେ ଭାରତ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ଖେଳିବା ପ୍ରାୟତଃ ନିଶ୍ଚିତ ହୋଇଯାଇଛି ।

ପଏଣ୍ଟ ଟେବୁଲ

ସୂଚନାଯୋଗ୍ୟ, ଭାରତ ବାଂଲାଦେଶ ବିରୋଧରେ ପ୍ରଥମ ଟେଷ୍ଟ ଜିତିବା ବେଳେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ଥିଲା । ଦ୍ବିତୀୟ ଟେଷ୍ଟ ଜିତି ଭାରତ ସିରିଜ ଜିତିଛି । ସେପଟେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍ ହାରି ଯାଇଛି । ଫଳରେ ଦକ୍ଷିଣ ଆଫ୍ରିକାର ତୃତୀୟ ସ୍ଥାନକୁ ଖସି ଆସିଥିବା ବେଳେ ଭାରତ ଟେବୁଲରେ ଦ୍ବିତୀୟ ସ୍ଥାନକୁ ଉଠିବାକୁ ସକ୍ଷମ ହୋଇଛି । ବର୍ତ୍ତମାନ ଭାରତର ବିଜୟ ୫୮.୯୩ ପ୍ରତିଶତ ଥିବା ବେଳେ ଦକ୍ଷିଣ ଆଫ୍ରିକାର ବିଜୟ ୫୪.୫୫ ପ୍ରତିଶତ ରହିଛି ।

ଓ୍ବାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପରେ ଭାରତ ୮ଟି ମ୍ୟାଚ୍ ଜିତିଥିବା ବେଳେ ୪ଟିରେ ପରାଜିତ ହୋଇଛି । ସେହିପରି ୨ଟି ମ୍ୟାଚ୍ ଡ୍ର ରଖିବାକୁ ସକ୍ଷମ ହୋଇଛି । ଅନ୍ୟପକ୍ଷରେ ପେନାଲ୍ଟିରେ ୫ ପଏଣ୍ଟ ବି ଭାରତ ହରାଇଛି ।

କେମିତି ଫାଇନାଲକୁ ଯିବ ଟିମ୍ ଇଣ୍ଡିଆ ?

ପଏଣ୍ଟ ଟେବୁଲର ପ୍ରଥମ ଦୁଇଟି ସ୍ଥାନରେ ଥିବା ଟିମ୍ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମ୍ୟାଚ ହୋଇଥାଏ । ବର୍ତ୍ତମାନ ଅଷ୍ଟ୍ରେଲିଆ ଓ ଭାରତ ଏହି ସ୍ଥାନରେ ଥିଲେ ବି ଭାରତ ଫାଇନାଲକୁ ଯିବା ଏତେ ସହଜ ନୁହେଁ । କାରଣ ଦକ୍ଷିଣ ଆଫ୍ରିକା ଭାରତକୁ କଡା ଟକ୍କର ଦେଉଛି । ଏମିତି ସ୍ଥିତିରେ ଭାରତକୁ ଆଷ୍ଟ୍ରେଲିଆ ବିପକ୍ଷ ୪ ଟିକିଆ ସିରିଜରେ ଅତିକମରେ ୩ଟି ମ୍ୟାଚ୍ ଜିତିବାକୁ ପଡ଼ିବ । ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୩ କିମ୍ବା ୪ଟି ଯାକ ଟେଷ୍ଟ ମ୍ୟାଚ୍ ଜିତିବା କାଠିକର ପାଠ । ଏମିତି ସ୍ଥିତିରେ ଭାରତକୁ ପୂରା ଜାନ୍ ଲଗାଇ ଖେଳିବାକୁ ପଡ଼ିବ ।