ଟଲିଉଡର ଷ୍ଟାର୍ ଖଳନାୟକ ଓ ହାସ୍ୟ ଅଭିନେତା ଚଲପତି ରାଓଙ୍କ ପରଲୋକ

ନୂଆଦିଲ୍ଲୀ: ଟଲିଉଡ଼ ଷ୍ଟାର ଚଲପତି ରାଓଙ୍କ ପରଲୋକ । ଘରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଶନିବାର ରାତିରେ ତାଙ୍କ ପରଲୋକ ଘଟିଥିବା ବେଳେ ଏନେଇ ପରିବାର ଲୋକେ ରବିବାର ସୂଚନା ଦେଇଥିଲେ ।

ତେଲଗୁ ଫିଲ୍ମ ଜଗତରେ ସେ ଜଣେ ଜଣାଶୁଣା ନାଁ ଥିଲେ । ୬୦୦ରୁ ଅଧିକ ଫିଲ୍ମରେ ସେ ତାଙ୍କ ଅଭିନୟ ଯାଦୁ ଦେଖାଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ସ୍ବାସ୍ଥ୍ୟ ସମସ୍ୟା କାରଣରୁ ସେ ଅଭିନୟରୁ ଦୂରେଇ ରହିଥିଲେ ।

ରାଓଙ୍କ ପରଲୋକ ଖବର ଜଣାପଡ଼ିବା ପରେ ଶୋକର ଛାୟା ଖେଳି ଯାଇଛି । କେବଳ ଟଲିଉଡ଼ ନୁହେଁ ଦେଶ, ବିଦେଶରେ ଥିବା ତାଙ୍କ ପ୍ରଶଂସକ ଭାଙ୍ଗି ପଡ଼ିଛନ୍ତି । ତେଲଗୁ ସିନେମା ଜଗତକୁ ଚଲପତିଙ୍କ ପରଲୋକ ଏକ ଅପୂରଣୀୟ କ୍ଷତି ବୋଲି ବହୁ ଲୋକ କହିଛନ୍ତି । ବିଭିନ୍ନ ମହଲରୁ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରାଯାଉଛି ।

ତେଲଗୁ ସିନେମା ଇଣ୍ଡଷ୍ଟ୍ରିରେ ଚଲପତି ରାଓ ହାସ୍ୟ ଅଭିନେତା ଓ ଖଳନାୟକ ଭୂମିକାରେ ଦର୍ଶକଙ୍କ ପାଖରେ ବେଶ ଆଦୃତ ହୋଇପାରିଥିଲେ । ଏନଟି ରାମାରାଓ, କୃଷ୍ଣା, ନାଗାର୍ଜୁନ, ଚିରଞ୍ଜୀବ ଓ ଭେଙ୍କଟେଶଙ୍କ ପରି ବଡ଼ କଳାକାରଙ୍କ ସହ କାମ କରିଛନ୍ତି ଚଲପତି ।