ବଏଫ୍ରେଣ୍ଡ ପାଇଁ ସାଜିଥିଲେ ନକଲି ପରୀକ୍ଷାର୍ଥୀ, ଧରା ପଡିବାରୁ ଏମିତି କହିଲେ

ସୁରତ: ପ୍ରେମ ସମ୍ପର୍କରେ ଥାଇ କେତେବେଳେ ପ୍ରେମିକାକୁ ପ୍ରେମିକ ୩୨ ଖଣ୍ଡରେ କାଟିଲାଣି ତ ପୁଣି ବ୍ରେକ ଅପ୍‌ ପରେ ପ୍ରେମିକା ଆତ୍ମହତ୍ୟା କଲାଣି । କିନ୍ତୁ ଆମେ ଆପଣଙ୍କୁ ଏମିତି ପ୍ରେମ ସମ୍ପର୍କ ବିଷୟରେ କହିବୁ ଯେଉଁଠି ପ୍ରେମିକ ପାଇଁ କ୍ୟାରିଅରକୁ ବାଜିରେ ଲଗାଇଛି ପ୍ରେମିକା । ଛୁଟି କାଟିବାକୁ ଯାଇଛି ପ୍ରେମିକ  । ତା ପାଇଁ ଡମି ପ୍ରାର୍ଥୀ ହୋଇ ପରୀକ୍ଷା ଦେଇଛି ପ୍ରେମିକା । ନକଲି ପରୀକ୍ଷାର୍ଥୀଙ୍କୁ ଧରିଛନ୍ତି ପରୀକ୍ଷକ  ।

ଗୁଜୁରାଟର ସୁରତ ସ୍ଥିତ ନର୍ମଦା ଦକ୍ଷିଣ ଗୁଜୁରାଟ ବିଶ୍ବବିଦ୍ୟାଳୟରେ ଏଭଳି ଅଜବ ଘଟଣା ଦେଖିବାକୁ  ମିଳିଛି । ବଏଫ୍ରେଣ୍ଡ ପରୀକ୍ଷା ଦେବା ପରିବର୍ତ୍ତେ ଉତ୍ତରାଖଣ୍ଡ ଛୁଟି କାଟିବାକୁ ଯାଇଛି  । ସେଥିପାଇଁ ନିଜ ପ୍ରେମିକାକୁ ତା ସ୍ଥାନରେ ପରୀକ୍ଷା ଦେବାକୁ ପୁରୁଷ ବନ୍ଧୁ ବାଧ୍ୟ  କରିଥିଲା  । ପ୍ରେମର ପରୀକ୍ଷାରେ ପାସ୍‌ ହେବା ପାଇଁ ଗର୍ଲଫ୍ରେଣ୍ଡ ମଧ୍ୟ ପୁରୁଷ ବନ୍ଧୁଙ୍କ ପାଇଁ ନକଲି ପରୀକ୍ଷାର୍ଥୀ ହୋଇ ବସିବାକୁ ରାଜି ହୋଇଯାଇଥିଲା  ।

ବଏଫ୍ରେଣ୍ଡ ଯୁକ୍ତ ୩ ବାଣିଜ୍ୟ ଶେଷବର୍ଷର ଛାତ୍ର ହୋଇଥିବାବେଳେ ଗର୍ଲଫ୍ରେଣ୍ଡ ସରକାରୀ ଚାକିରି କରିଛନ୍ତି  । ଯୁବତୀ ଜଣକ ଆଡମିଟ୍‌ କାର୍ଡରୁ ପ୍ରେମିକଙ୍କ ଫଟୋ ହଟାଇ ନିଜ ଫଟୋ ଲଗାଇ ଦେଇଥିଲେ  । କିନ୍ତୁ ତାଙ୍କ ପଛରେ ବସିଥିବା ଆଉ ଜଣେ ପରୀକ୍ଷାର୍ଥୀଙ୍କ ଯୁବତୀଙ୍କ ଉପରେ ସନ୍ଦେହ ହୋଇଥିଲା  । କିଛି ଦିନ ପୂର୍ବରୁ ସେହି ସିଟ୍‌ରେ ବସି ଜଣେ ପୁରୁଷ ପରୀକ୍ଷା ଦେଇଥିବା ଅନ୍ୟ ପରୀକ୍ଷାର୍ଥୀ ମାନେ ପରୀକ୍ଷକଙ୍କୁ ଖବର ଦେଇଥିଲେ  ।

ଘଟଣା ସାମନାକୁ ଆସିବା ପରେ ଡମି ପ୍ରାର୍ଥୀ ସାଜିଥିବା ଯୁବତୀଙ୍କ ଡିଗ୍ରୀ ରଦ୍ଦ ହୋଇପାରେ  । ସେହିପରି ସରକାରୀ ଚାକିରୀ ବି ହରାଇ ପାରନ୍ତି ପ୍ରେମିକା  । ସେହିପରି ଅସଲ ଛାତ୍ର ତିନି ବର୍ଷ ଯାଏଁ ପରୀକ୍ଷାରୁ ବଞ୍ଚିତ ହୋଇପାରିବା ଭଳି ଦଣ୍ଡ ରହିଛି  ।