ORHDC ଦୁର୍ନୀତି ମାମଲା: IAS ଅଫିସର ବିନୋଦ କୁମାରଙ୍କ ସମେତ ୬ଜଣଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ

1 min read

ଭୁବନେଶ୍ୱର: ବହୁଚର୍ଚ୍ଚିତ ORHDC ଦୁର୍ନୀତି ମାମଲା । IAS ଅଫିସର ବିନୋଦ କୁମାରଙ୍କ ସମେତ ୬ଜଣଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ । ଏହା ସହ ୫୦ହଜାର ଟଙ୍କା ଜରିମାନା ଓ ଅନାଦେୟ ଦେଲେ ୬ମାସ ଅଧିକ ଜେଲ ଦଣ୍ଡ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ଜାଲ କାଗଜପତ୍ର ମାଧ୍ୟମରେ ଋଣ ଦେବା ଘଟଣାରେ ଏହି ଜେଲଦଣ୍ଡାଦେଶ ହୋଇଛି ।

ବିନୋଦ କୁମାରଙ୍କ ସମେତ ସ୍ୱସ୍ତି ରଞ୍ଜନ ମହାପାତ୍ର, ପ୍ରଦୀପ ରାଉତ, ସତ୍ୟ ପ୍ରକାଶ ବେହେରା, ଜ୍ଞାନେନ୍ଦ୍ର ସ୍ୱାଇଁ ଓ ମନୋରଞ୍ଜନ ନାୟକଙ୍କୁ ଜେଲଦଣ୍ଡାଦେଶ ହୋଇଛି । ପୂର୍ବରୁ ଅନ୍ୟ ୫ଟି ମାମଲାରେ ବିନୋଦ କୁମାରଙ୍କ ବିରୋଧରେ ଦଣ୍ଡାଦେଶ ହୋଇସାରିଛି । ବିନୋଦ କୁମାର ୨୦୦୦ରି ୨୦୦୧ ଯାଏ ଥିଲେ ଓଡିଶା ରୁରାଲ ହାଉସିଂ ଡେଭଲେପମେଣ୍ଟ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ।

ସେହି ସମୟରେ ବିନୋଦ କୁମାର ମେସର୍ସ ରଶ୍ମୀ ମାସ୍ କନଷ୍ଟ୍ରକସନ ପ୍ରାଇଭେଟ ଲିମିଡେଟକୁ ୨୧ ଲକ୍ଷ ୩୫ ହଜାର ଟଙ୍କାର ଗୃହ ଋଣ ଯୋଗାଇଥିଲେ । ତେବେ ଏହି ଋଣ ମଞ୍ଜୁର ପ୍ରକ୍ରିୟାରେ ଜାଲିଆତି ହୋଇଥିବା ଧରା ପଡିଥିଲା । ଋଣ ପ୍ରକ୍ରିୟାରେ ଜାଲ ନଥି ଦାଖଲ କରାଯାଇଥିବାବେଳେ ଯେଉଁ ପ୍ରକଳ୍ପ ଲାଗି ଅର୍ଥ ମଞ୍ଜୁର ହୋଇଥିଲା ତା ବଦଳରେ ଅନ୍ୟ ଏକ ପ୍ରକଳ୍ପ କରାଯାଇଥିଲା ।