ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ପୁଷ୍ପ କମଲ, ୨୦୨୫ ଯାଏଁ ନେବେ ଦାୟିତ୍ବ

1 min read

କାଠମାଣ୍ଡୁ: ନେପାଳରେ ପୁଣି ପ୍ରଚଣ୍ଡ ସରକାର । ସିପିଏମନି ନେତା ପୁଷ୍ପ କମଲ ଦହଲଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ବିଭିନ୍ନ ଦଳର ସମର୍ଥନ । ରାଷ୍ଟ୍ରପତି ତାଙ୍କ ନାଁକୁ ଗ୍ରହଣ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍ପ କମଲ। ଚୁକ୍ତି ଅନୁସାରେ ୨୦୨୫ ଯାଏଁ ରହିବେ ପିଏମ । ବାକି କାର୍ଯ୍ୟକାଳ ସମ୍ଭାଳିବେ ୟୁଏମଏଲ ନେତା କେପି ଶର୍ମା ଓଲି । ପୂର୍ବରୁ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ପ୍ରଚଣ୍ଡ । ତୃତୀୟ ଥର ପାଇଁ ସେ ପ୍ରଧାନମନ୍ତ୍ରୀ ହେବେ ।

ବାଲୁଓ୍ବାତାରାସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଘନ ଘନ ବୈଠକ ପରେ ପୁଷ୍ପଙ୍କ ନାରେ ବିପୁଳ ସମର୍ଥନ ମିଳିଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଧ୍ୟ ସମର୍ଥନ କରିଥିଲେ । କାମଚଳା ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ମାଓଇଷ୍ଟ ସେଣ୍ଟର ଅଧ୍ୟକ୍ଷ ପୁଷ୍ପ କୁମାର ଦହଲ-ପ୍ରଚଣ୍ଡଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀତ୍ବ ନେଇ ନିଜ ଜିଦରେ ନେପାଳ କଂଗ୍ରେସ ଓ ମାଓଇଷ୍ଟ ସେଣ୍ଟର ଅଟଳ ଥିବାରୁ ସରକାର ଗଠନରେ ଅଚଳାବସ୍ଥା ଦେଖାଦେଇଥିଲା ।

ତୁରନ୍ତ ସରକାର ଗଠନ କରିବା ଲାଗି ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ସମସ୍ତ ଦଳକୁ ନିର୍ଦ୍ଦେଶ ଦେଇଥିଲେ । ସମ୍ବିଧାନର ଧାରା ୭୬-୨ ଅନୁସାରେ ସହମତି ଭିତ୍ତିରେ ପ୍ରଧାନମନ୍ତ୍ରୀ ଚୟନ ଲାଗି ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥିଲେ । ୨୭୫ ସଦସ୍ୟ ବିଶିଷ୍ଟ ନେପାଳ ସଂସଦରେ ନେପାଳୀ କଂଗ୍ରେସର ୮୯, କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ-ୟୁଏମଏଲର ୭୮, କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ-ଏମସିର ୩୨, ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟିର ୨୦, ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟିର ୧୪, ପିପୁଲସ ସୋସିଆଲ ପାର୍ଟିର ୧୨, ସିପିଏନ-ୟୁଏସର ୧୦, ଜନମତର ୬ ଜଣ ସଦସ୍ୟ ଅଛନ୍ତି ।