ଆଜି ମୁମ୍ବାଇରେ ହେବ ତୁନିଷାଙ୍କ ଶେଷକୃତ୍ୟ

ମୁମ୍ବାଇ : ତୁନିଷା ଶର୍ମା ଆତ୍ମହତ୍ୟା ମାମଲା । ଆଜି ମୁମ୍ବାଇରେ ତୁନିଷାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । କେତେକ ସମ୍ପର୍କୀୟ ଇଂଲଣ୍ଡରୁ ଫେରିବା ପରେ ତାଙ୍କର ହେବ ଶେଷକୃତ୍ୟ । ସେପଟେ ପୋଲିସ ହେପାଜତରେ ଥିବା ସହଅଭିନେତା ସେଜାନ ମହମ୍ମଦ ଖାଁଙ୍କୁ ମାରାଥନ ଜେରା କରୁଛି ପୋଲିସ ।

ଆସନ୍ତାକାଲି ସେଜାନଙ୍କ ରିମାଣ୍ଡ ଅବଧି ଶେଷ ହେବ । ତାଙ୍କ ବିରୋଧରେ ଲାଗିଛି ଆଇପିସିର ଧାରା ୩୦୬ । ବ୍ରେକ ଅପ୍ ମୂଳରେ ଶ୍ରଦ୍ଧା ଓ୍ବାକର ମର୍ଡର ଏପିସୋଡ କାରଣ ଥିଲା ବୋଲି ପୋଲିସ ନିକଟରେ କହିଥିଲେ ସେଜାନ । ଶ୍ରଦ୍ଧାଙ୍କ ସହ ଭିନ୍ନ ଧର୍ମର ଅଫତାବ ସମ୍ପର୍କ ରକ୍ଷା କରିଆସିଥିଲା । ମାତ୍ର ଶେଷରେ ଯେପରି ଭାବେ ଏହା ହତ୍ୟାର ରୂପ ନେଲା, ସେଥିରେ ବ୍ୟତିବ୍ୟସ୍ତ ହୋଇପଡିଥିଲେ ସେଜାନ । ସେହିପରି ତୁନିଷାଙ୍କ ବୟସ ୨୦ ଏବଂ ସେଜାନଙ୍କ ବୟସ ୨୮ ବର୍ଷ ହୋଇଥିବାରୁ ଏହାକୁ ନେଇ ଚିନ୍ତିତ ଥିଲେ ସେଜାନ । ଏହି କାରଣରୁ ତୁନିଷାଙ୍କ ସହ ବ୍ରେକ ଅପ କରିବା ଲାଗି ନିଷ୍ପତ୍ତି ନେଲେ ବୋଲି ସେଜାନ କହିଛନ୍ତି ।

ଶ୍ରଦ୍ଧା ଓ୍ବାକରଙ୍କୁ ଅଫତାବ ହତ୍ୟା ଘଟଣାରେ କେତେକ ମହଲ ଲଭ ଜିହାଦ ପ୍ରସଙ୍ଗ ଉଠାଇ ଆସୁଛନ୍ତି । ବ୍ରେକ ଅପ ପରେ ତୁନିଷା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଏବଂ ସେ ତାଙ୍କୁ ବଞ୍ଚାଇ ଥିଲେ । ତୁନିଷାଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ତାଙ୍କ ମା’ଙ୍କୁ କହିଥିଲେ ବୋଲି ପୋଲିସ ନିକଟରେ କହିଛନ୍ତି ସେଜାନ । ପୋଲିସ ତୁନିଷା ଓ ସେଜାନଙ୍କ ମୋବାଇଲ ଜବତ କରି ଫରେନସିକ ଲାବରେଟୋରିକୁ ପଠାଇଛି ।