ଭାରତ ସରକାରଙ୍କ ଆଗୁଆ ପ୍ରସ୍ତୁତି : ସବୁ କୋଭିଡ ହସ୍ପିଟାଲରେ ହେବ ମକଡ୍ରିଲ୍

ନୂଆଦିଲ୍ଲୀ : କୋଭିଡ ମୁକାବିଲା ଲାଗି ଆଲର୍ଟରେ ଦେଶ । ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ତଥା ସ୍ବାସ୍ଥ୍ୟସଂକ୍ରାନ୍ତ ଭିତ୍ତିଭୂମି ଗୁଡିକରେ ଆଜି ହେବ ମକଡ୍ରିଲ । ମକଡ୍ରିଲ କରିବା ଲାଗି ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଥିଲେ କେନ୍ଦ୍ର ସରକାର । ଶଯ୍ୟା, ମାନବସମ୍ବଳ, ଲଜିଷ୍ଟିକ୍ସ, ମେଡିକାଲ ଅକ୍ସିଜେନର ସପ୍ଲାଏ ଚେନ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦିଆଯାଇଛି । ଦେଶରେ ଦ୍ବିତୀୟ ଲହରରେ ଭୟଙ୍କର ସଙ୍କଟ ସୃଷ୍ଟି ହୋଇଥିବାବେଳେ ମେଡିକାଲ ଅକ୍ସିଜେନ ଅଭାବରୁ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା । ସେପରି ଅବସ୍ଥା ଆସିବା ପୂର୍ବରୁ ସତର୍କ ରହିବା ଲାଗି କୁହାଯାଇଛି ।

ସାରା ଦେଶରେ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ର ତଥା କୋଭିଡର ଉତ୍ସର୍ଗୀକୃତ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ମକଡ୍ରିଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଆଇସୋଲେସନ ଶଯ୍ୟା, ଆଇସିୟୁ, ଭେଣ୍ଟିଲେଟର ବ୍ୟବସ୍ଥା ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ । ମକଡ୍ରିଲ କାଳରେ ଡାକ୍ତର ନର୍ସ, ପାରାମେଡିକ ଷ୍ଟାଫ ସଂଖ୍ୟା ଉପରେ ବି ଗୁରୁତ୍ବ ଦିଆଯିବ । ଏହା ସହ ଆୟୁଷ ଡାକ୍ତର, ଛାମୁଆ ସ୍ବାସ୍ଥ୍ୟକର୍ମୀ, ଅଙ୍ଗନଓ୍ବାଡି କର୍ମୀଙ୍କ ସଂଖ୍ୟା ଉପରେ ଗୁରୁତ୍ବ ଦିଆଯିବ । ସେହିପରି କୋଭିଡ ଟେଷ୍ଟିଂ ସାମର୍ଥ୍ୟ, ଆରଟିପିସିଆର ଟେଷ୍ଟ, ରାପିଡ ଆଣ୍ଟିଜେନ କିଟ ନେଇ ବି ମକଡ୍ରିଲ କରାଯିବ । ଅକ୍ସିଜେନ କନସେଣ୍ଟ୍ରେଟର, ଅକ୍ସିଜେନ ସିଲିଣ୍ଡର, ପିଏସଏ ପ୍ଲାଣ୍ଟ, ଲିକ୍ୟୁଇଡି ମେଡିକାଲ ଅକ୍ସିଜେନ ଷ୍ଟୋରେଜ ଟ୍ୟାଙ୍କ, ମେଡିକାଲ ଗ୍ୟାସ ପାଇପଲାଇନ ସିଷ୍ଟମ ଉପରେ ବି ଗୁରୁତ୍ବ ଦିଆଯିବ ।