spot_img
Home Blog Page 3811

ଅପରାଜିତାଙ୍କ ବିରୋଧରେ ତୀବ୍ର ହେଲା ଦଳୀୟ ଆନ୍ଦୋଳନ

ଖୋର୍ଦ୍ଧା: ଭୁବନେଶ୍ବର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ବିରୋଧରେ ଦଳୀୟ କର୍ମକର୍ତ୍ତାଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମକର୍ତ୍ତା ଅପରାଜିତାଙ୍କ ବିରୋଧରେ ଦେଇଛନ୍ତି ଯୁଦ୍ଧଂ ଦେହୀ ଡାକରା । ଅସନ୍ତୋଷର ନିଆଁ ଫ୍ୟାକ୍ସ ଓ ସ୍ପଡ ପୋଷ୍ଟ ମାଧ୍ୟମରେ ପହଞ୍ଚୁଛି ଦିଲ୍ଲୀ ଦରବାରରେ ।

ସୂଚନା ଅନୁସାରେ ସାଂସଦଙ୍କ ବିରୋଧରେ ବେଗୁନିଆ ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ଦଳୀୟ କର୍ମକର୍ତ୍ତା ଆନ୍ଦୋଳନକୁ ଜୋରଦାର କରିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କଠାରୁ ଆରମ୍ଭ କରି ସମସ୍ତ କେନ୍ଦ୍ର ନେତୃବର୍ଗଙ୍କୁ ଫ୍ୟାକ୍ସ ଓ ସ୍ପିଡ ପୋଷ୍ଟ ଯୋଗେ ଅଭିଯୋଗ ପତ୍ର ପଠାଇଛନ୍ତି । ଚାରି ପୃଷ୍ଠା ସମ୍ବଳିତ ଏହି ଅଭିଯୋଗ ପତ୍ରରେ ଅପରାଜିତାଙ୍କ ଯୋଗୁଁ ଦଳର ଅଧପତନ ହେବାରେ ଲାଗିଛି । ସଂଗଠନ ଦିନକୁ ଦିନ ଭୁଶୁଡ଼ିବାରେ ଲାଗିଥିବା ଉଲ୍ଲେଖ କରାଯାଇଛି । କେନ୍ଦ୍ର ନେତୃବୃନ୍ଦ ଏସଂପର୍କରେ ଅବଗତ ହୋଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଥିରେ ଦାବି କରାଯାଇଛି ।

ଧାମନଗର ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ

ଧାମନଗର: ବିଜେପି ପରେ ଧାମନଗର ମୈଦାନକୁ ଓହ୍ଲାଇଲେ କଂଗ୍ରେସ ଯୋଦ୍ଧା । ଉପନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କ ନାଁ ଘୋଷଣା କରିଛି । ହରେକୃଷ୍ଣଙ୍କ ପ୍ରାର୍ଥିତ୍ବକୁ ଏଆଇସିସି ମୋହର ମାରିଛି ।

୨୦୧୯ ଧାମନଗର ଏନଏସିରୁ ପ୍ରାର୍ଥୀ ହୋଇଥିଲେ ହରେକୃଷ୍ଣ । କଂଗ୍ରେସର ହରେକୃଷ୍ଣ ଜଣେ ସକ୍ରିୟ ନେତା । ରାଜୀବ ଗାନ୍ଧୀ ଫୋରମର ସଂଯୋଜକ ଥିଲେ ହରେକୃଷ୍ଣ । ଧାମନଗରରେ ହରେକୃଷ୍ଣଙ୍କ ଘର । ପେସାରେ ହରେକୃଷ୍ଣ ଜଣେ ଆଇନଜୀବୀ । ନିଜ ନାଁ ଘୋଷଣା ପରେ ଧାମନଗରବାସୀଙ୍କ ସହଯୋଗ କାମନା କରିଛନ୍ତି ହରେକୃଷ୍ଣ ।

ପୂର୍ବରୁ ବିଜେପି ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି । ଗତକାଲି ସେ ବାପାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ନାମାଙ୍କନପତ୍ର ଦାଖଲ କରିଥିଲେ ।

ସେହିପରି ଆଜି ବିଜେଡି ମଧ୍ୟ ନିଜ ଯୋଦ୍ଧାଙ୍କୁ ମୈଦାନକୁ ଓହ୍ଲାଇବ । ତେବେ କିଏ ହେବ ବିଜେଡିର ପ୍ରାର୍ଥୀ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହା ନାଁରେ ମୋହର ମାରିବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ନିର୍ବାଚନ ତାରିଖ ଘୋଷଣା ପରଠାରୁ ତିନି ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ଜନ ସମ୍ପର୍କ ପଦଯାତ୍ରାରେ ବିଜେଡି ନେତାମାନେ ଘରକୁ ଘର ଯାଇ ଲୋକଙ୍କୁ ନବୀନ ସରକାରର ଜନହିତକର ଯୋଜନା ସମ୍ପର୍କରେ ବୁଝାଉଛନ୍ତି । ବିଜେଡି ପ୍ରଚାରରେ ଆଗରେ ରହିଛି । ୨୦୧୯ରେ ଅଳ୍ପ ବ୍ୟବଧାନରେ ପରାଜିତ ହୋଇଥିବା ବିଜେଡି ଚଳିତ ଉପନିର୍ବାଚନରେ ବହୁ ଭୋଟ ବ୍ୟବଧାନରେ ଜିତିବ ବୋଲି ଦାବି କରିଛି । ଅନ୍ୟପକ୍ଷରେ ଧାମନଗର ଗଡ଼ ଜିତିଥିବା ବିଜେପିକୁ ପଛରେ ପକାଇ ଦ୍ବିତୀୟ ଦଳ ଭାବେ ଉଭା ହେବାକୁ କଂଗ୍ରେସ ସଜବାଜ୍ଜ ହେଉଛି ।

ଅସଲି ଆଖି ତାଡି ନେଇ କାଚବାଟି ଲଗାଇ ଦେଲେ ଡାକ୍ତର

ଜମସେଦପୁର: ରୋଗୀଙ୍କ ଆଖି ତାଡି ନେଲେ ଡାକ୍ତର । ଆଉ ଲଗାଇ ଦେଲେ ପିଲାମାନେ ଖେଳୁଥିବା କାଚବାଟି  । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଅଭିଯୋଗ ଆସିଛି  ଝାଡଖଣ୍ଡର ଜାମସେଦପୁରରୁ  । ଘଟଣା ପରେ ହସ୍ପିଟାଲରେ ଚାଞ୍ଚଲ୍ୟ ଖେଳିଯାଇଛି  । ପିଡିତ ଆଦିବାସୀ ଗଙ୍ଗାଧର ସିଂ କେସିସି ହସ୍ପିଟାଲ କର୍ତ୍ତୃପକ୍ଷ ଓ ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି  ।

 

ଜମସେଦପୁରରୁ ପାଖାପାଖି ୬୦ କିଲୋମିଟର ଦୂରରେ ରହିଛି ଏକ ଆଦିବାସୀ ଗାଁ  । ପାଖାପାଖି ୧୫ ପରିବାର ରହୁଥିବା ଏହି ଗାଁରେ ରୁହନ୍ତି ଗଙ୍ଗାଧର  । ଆଖି ସମସ୍ୟା ନେଇ ଗାଁର ଜଣେ ମହିଳାଙ୍କ ସହ କଥା ହୋଇଥିଲେ ଗଙ୍ଗାଧର   । ଯାହା ପରେ ମହିଳା ଜଣକ ମଧ୍ୟ ତାଙ୍କୁ ଏକ ଏନଜିଓ ସହ କଥା କରାଇ ଦେଇଥିଲେ ।

 

ଗତବର୍ଷ ନଭେମ୍ବରରେ ତାଙ୍କୁ ହସ୍ପିଟାଲକୁ ଆଣି ଉକ୍ତ ଏନଜିଓ ଅସ୍ତ୍ରୋପଚାରର ବ୍ୟବସ୍ଥା କରିଥିଲା  । ଗଙ୍ଗାଧରଙ୍କ ସହ ଗାଁର ଆଉ କିଛି ଗ୍ରାମବାସୀ ମଧ୍ୟ ଆଖି ଅସ୍ତ୍ରୋପଚାର କରିଥିଲେ  । ଏହାର କିଛି ଦିନ ପରେ ଗଙ୍ଗାଧରଙ୍କ ଆଖି କୁଣ୍ଡାଇ ହେବାକୁ ଲାଗିଥିଲା  । ଏହାପରେ ପୁଣି ଥରେ ତାଙ୍କୁ ଜମସେଦପୁର, ରାଞ୍ଚି ଓ କୋଲକାତା ନେଇ ପରିବାର ଲୋକେ ଚିକିତ୍ସା କରାଇଥିଲେ  । ତଥାପି ତାଙ୍କ ସମସ୍ୟାର କୌଣସି ସମାଧାନ ହୋଇନଥିଲା  ।

 

ଦିନେ ଆଖିରେ ଜଳାପୋଡା ସମ୍ଭାଳି ନ ପାରି ଦୁଇ ଆଖିରେ ପାଣି ଢାଳି ଦେଇଥିଲେ ଗଙ୍ଗାଧର  । ଆଉ ଏହାର କିଛି ସମୟରେ ହିଁ ତାଙ୍କ ଆଖିର ଡୋଳା ବାହାରକୁ ବାହାରି ଆସିଥିଲା  । ଯାହା ଦେଖି ଡରି ଯାଇଥିଲେ ଗଙ୍ଗାଧର  । ସେ ତୁରନ୍ତ ଆଇବଲ୍‌ ଧରି ହସ୍ପିଟାଲରେ ପହଞ୍ଚିଥିଲେ  । ସେଠାରେ ଯାଞ୍ଚ ପରେ ଡାକ୍ତରଙ୍କ କେଳେଙ୍କାରୀ ପଦାରେ ପଡିଥିଲା  ।

ଗଙ୍ଗାଧରଙ୍କ ଅସଲି ଆଖି ତାଡି ନକଲି କାଚବାଟି ଡାକ୍ତର ଲଗାଇଥିବା ସେ ଜାଣିବାକୁ ପାଇଥିଲେ  । ଏହି ଘଟଣାରେ ଅପରେସନ କରିଥିବା ଡାକ୍ତର ଓ ଉକ୍ତ ମହିଳାଙ୍କୁ ଖୋଜୁଛି ପୋଲିସ  ।

 

ହିଜାବ୍‌ ବିରୋଧରେ ଅଭିନେତ୍ରୀଙ୍କ ଅଜବ କାରନାମା, ଅନ୍‌ କ୍ୟାମେରା ହେଲେ ଉଲଗ୍ନ

ମୁମ୍ବାଇ: ଇରାନ ହିଜାବ ନିଆଁ ଏବେ ଭାରତରେ ପହଞ୍ଚିଛି । ହିଜାବ ନିଆଁକୁ ଡେଇଁଛନ୍ତି ଅଭିନେତ୍ରୀ ଏଲନାଜ ନୋରୌଜୀ  । ଇରାନ ମହିଳାଙ୍କ ସମର୍ଥନରେ ପୋଷାକ ଖୋଲିଛନ୍ତି ଅଭିନେତ୍ରୀ । ନିଜ ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓ ସେୟାର କରି ଚର୍ଚ୍ଚାରେ ଏଲନାଜ । ନେଟଫ୍ଲିକ୍ସର ହିଟ୍‌ ସିରିଜ ସେକ୍ରେଡ ଗେମ୍ସରେ କାମ କରିଥିବା ଏହି ଅଭିନେତ୍ରୀ ଏବେ ହିଜାବ ସମର୍ଥନରେ  ।

 

ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ଭିଡିଓରେ ଏଲନାଜ ପିନ୍ଧିଥିବା ହିଜାବ ଓ ବୁର୍ଖା ଖୋଲୁଥିବା ଦେଖିବାକୁ ମିଳିଛି  । ବୁର୍ଖା ଖୋଲିବା ସହ ଗୋଟିଏ ପରେ ଗୋଟିଏ ପରେ ପୋଷାକ ବି ଖୋଲିଛନ୍ତି ଏଲନାଜ । ଭିଡିଓ ସେୟାର କରି ‘ମାଇଁ ବଡି, ମାଇଁ ଚଏସ୍‌’ ଟ୍ୟାଗ୍‌ ଦେଇଛନ୍ତି ଏହି ଅଭିନେତ୍ରୀ ।

 

‘ପ୍ରତି ମଣିଷର ଭିନ୍ନ ବିଚାର ଓ ବିଶ୍ବାସ ରହିଛି । ଏଥିପାଇଁ ସମସ୍ତଙ୍କୁ ସମ୍ମାନ କରିବା ଦରକାର  । ଗଣତନ୍ତ୍ରର ଅର୍ଥ ନିର୍ଣ୍ଣୟ ନେବାର ଶକ୍ତି  । ପ୍ରତ୍ୟେକ ମହିଳା ନିଜ ଶରୀରକୁ ନେଇ ନିର୍ଣ୍ଣୟ ନେବାର ଶକ୍ତି ରହିବା ଉଚିତ  । ମୁଁ ନଗ୍ନତାକୁ ପ୍ରସୟ ଦେଉନି  । କିନ୍ତୁ ନିଜ ପସନ୍ଦରେ ସ୍ବାଧୀନତା ରହିବା ଆବଶ୍ୟକ ବୋଲି ଭିଡିଓ ସେୟାର କରି କହିଛନ୍ତି ଏଲନାଜ‘  । ସେପଟେ ଏଲନାଜଙ୍କ ଏଭଳି ପୋଷ୍ଟ ପରେ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି ୟୁଜର  ।

 

ଇରାନର ମୂଳ ବାସିନ୍ଦା ଏଲନାଜ ପାଖାପାଖି ୧୦ ବର୍ଷ ଅନ୍ତର୍ଜାତୀୟ ମଡେଲ ରୂପେ କ୍ୟାରିଅର ଆରମ୍ଭ କରିବା ପରେ ଏବେ ଭାରତରେ ଭାଗ୍ୟ ପରୀକ୍ଷା କରୁଛନ୍ତି  । ଅନେକ ନାମୀଦାମୀ ବ୍ରାଣ୍ତସ ଥମସ ଅପ, ଟାଇଟାନ ରାଗା, ମିତ୍ରା, କ୍ୟାନନ, ସ୍ୟାମସଙ୍ଗ, ବିଙ୍ଗ ହ୍ୟୁମାନ, ଫିଆମା ଡି ୱିଲ୍ସ ବିଜ୍ଞାପନରେ ଏଲନାଜଙ୍କୁ ଦେଖିବାକୁ ମିଳିଛି । ହେଲେ ଏବେ ନୋରୌଜୀ ଭାରତରେ ଅଭିନୟ କ୍ୟାରିଅର ମଜବୁତ କରିବା ପାଇଁ କଥକ ମଧ୍ୟ ଶିଖୁଛନ୍ତି । କିନ୍ତୁ ପର୍ସିଆନ ନୃତ୍ୟଶିଳ୍ପୀ ଭାବେ ବେଶ ଜଣାଶୁଣା ନୋରୌଜୀ  ।

 

କଣ ଥିଲା ହିଜାବ ବିବାଦ ?

ଗତ ସେପ୍ଟେମ୍ବରରେ ଇରାନରେ ଭୁଲ ଢଙ୍ଗରେ ହିଜାବ ପିନ୍ଧିବା ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖିଥିଲା ପୋଲିସ  । ଯାହାର ତିନି ଦିନ ପରେ ପୋଲିସ ହେପାଜତରେ ଅମିନିଙ୍କ ମୃତ୍ୟୁ ଘଟିଥିଲା  । ଅମିନିଙ୍କ ମୃତ୍ୟୁକୁ ବିରୋଧ କରି ଦେଶରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା  । ଧୀରେଧୀରେ ହିଜାବ ନିଆଁ ଇରାନରୁ ଟପି ଅନ୍ୟ ରାଷ୍ଟ୍ରକୁ ମଧ୍ୟ ବ୍ୟାପିଥିଲା  ।

 

ବଲିଉଡ ମଧ୍ୟ ଧୀରେ ଧୀରେ ହିଜାବ ବିରୋଧୀ ସମର୍ଥନରେ ସାମନାକୁ ଆସିଥିଲା  । ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଇରାନୀ ମହିଳାଙ୍କ ସମର୍ଥନରେ ଏକ ପୋଷ୍ଟ ଜାରି କରିଥିଲେ  । ଇରାନ ମହିଳାଙ୍କ ସାହାସକୁ ପ୍ରଂଶସା କରିଥିଲେ ପିସି ।

ନିଜ ଜୀବନକୁ ବାଜି ଲଗାଇ ଇରାନ ମହିଳା ମାନେ ଯେପରି ଶକ୍ତି ପ୍ରଦର୍ଶନ କରିଛନ୍ତି ତାହା ସ୍ବାଗତଯୋଗ୍ୟ  । ମୁଁ ତୁମ ମାନଙ୍କ ସାଥୀରେ ଅଛି ଲେଖି ଇନଷ୍ଟାରେ ପୋଷ୍ଟ କରି୍ଛନ୍ତି ପ୍ରିୟଙ୍କା  ।

 

ଗୋଆ ସମୁଦ୍ରରେ ଖସି ପଡିଲା ମିଗ୍‌, ଅଲ୍ପକେ ବର୍ତ୍ତିଲେ ପାଇଲଟ୍‌

ପାଣାଜୀ: ଗୋଆରେ ମିଗ୍‌ ବିମାନ କ୍ରାସ୍ । ଭାରତୀୟ ନୌସେନାର ମିଗ୍ -29K ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଆ ସମୁଦ୍ର ତଟରେ ନିୟମିତ ଉଡାଣ ବେଳେ ସମୁଦ୍ରକୁ ଖସି ପଡ଼ିଲା ମିଗ୍ ବିମାନ । ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ବୈଷୟିକ ତ୍ରୁଟି ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।

ଭାରତୀୟ ନୌସେନା ପକ୍ଷରୁ ଏ ନେଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାୟୁସେନାରେ ପ୍ରାୟ ୭୦ ମିଗ୍ ବିମାନ ରହିଛି । ବାୟୁସେନା ସହ ନୌସେନାରେ ବି ମିଗ୍ ବିମାନର ବ୍ୟବହାର କରାଯାଇଥାଏ । ଗତ ଜୁଲାଇରେ ରାଜସ୍ଥାନରେ ପରୀକ୍ଷଣ ବେଳେ ମିଗ୍ ବିମାନ ଦୁର୍ଘଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ବିମାନରେ ଥିବା ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା ।

ଚିରସବୁଜ ରହିବାକୁ ମଣିଷ ମାଂସ ରାନ୍ଧି ଖାଇଲେ କେରଳ ଦମ୍ପତି

ଥିରୁଅନନ୍ତପୁରମ: ଭାଗ୍ୟ ପରିବର୍ତ୍ତନ ଲାଗି ଦୁଇ ମହିଳାଙ୍କୁ ବଳି । ପ୍ରଥମେ ଅପହରଣ ଓ ହତ୍ୟା ପରେ ମହିଳାଙ୍କ ମାଂସ ରାନ୍ଧି ଖାଇଥିଲେ ଅଭିଯୁକ୍ତ  । କେରଳରେ ଘଟିଥିବା ଏହି ଲୋମହର୍ଷକ ଘଟଣା ଚର୍ଚ୍ଚାର କାରଣ ପାଲଟିଛି । ଜଣେ ତଥାକଥିତ ବାବା ସେମାନଙ୍କୁ ବଳି ଦେଇଥିବା ସୂଚନା ମିଳିଛି । କେରଳ ଥିରୁଭାଲା ପଠାନମିଥିଟାର ଏଲାନଥୁରରେ ଘଟିଥିବା ଏହି ଲୋମହର୍ଷକ ଘଟଣାରେ ମହମ୍ମଦ ସାଫି ଓରଫ ରସିଦ, ଭାଗାବେଲ ସିଂ ଓ ତାଙ୍କ ପତ୍ନୀ ଲୈଲା ସାମଲି ଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ଯରୁ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୨ଜଣଙ୍କୁ ଅଟକ ରଖାଯାଇଛି ।

ଅଭିଯୁକ୍ତମାନେ ଦୁଇ ମହିଳାଙ୍କୁ ଅପହରଣ କରି ଅତି କ୍ରୂର ଉପାୟରେ ସେମାନଙ୍କ ମୁଣ୍ଡକାଟି ପୋତିଦେଇଥିଲେ ବୋଲି କହିଛନ୍ତି କୋଚି ସିଟି ପୋଲିସ କମିଶନର ସି.ଏଚ. ନାଗାରାଜୁ । ଦୁଇ ମହିଳାଙ୍କ ମୃତଦେହକୁ ପଠାନମିଥିଟାର ଏଲାନଥୁରରୁ ଉଦ୍ଧାର କରାଯାଇଛି । ଗତ ଜୁନ ମାସରେ ରୋଜଲିନ ଓ ସେପ୍ଟେମ୍ବରରେ ପଦ୍ମା ନାମ୍ନୀ ମହିଳା ନିଖୋଜ ହୋଇଯାଇଥିଲେ । ପରେ ବିଭିନ୍ନ ତଦନ୍ତରୁ ସ୍ପଷ୍ଟ ହୋଇଥିଲା ସେମାନଙ୍କୁ ଅପହରଣ କରିନିଆଯାଇ ବଳି ଦିଆଯାଇଥିଲା ।

ସବୁଦିନ ଚିରସବୁଜ ରହିବା ପାଇଁ ଏହି ଦମ୍ପତିଙ୍କୁ ମଣିଷ ମାଂସ ଖାଇବାକୁ ପ୍ରବର୍ତ୍ତାଇଥିଲା ତଥାକଥିତ ବାବା ସାଫି । ସେହିପରି କିଛି ଦିନ ପରେ ଭାଗାବେଲ ସିଂ ଓ ତାଙ୍କ ପତ୍ନୀ ଲୈଲା ଆର୍ଥିକ ଦୁଃସ୍ଥିତିରୁ ରକ୍ଷା ପାଇବା ଲାଗି ମହମ୍ମଦ ସାଫି ତାଙ୍କୁ ପରାମର୍ଶ ଦେଇଥିଲା  । ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ଏଭଳି ଘୃଣ୍ୟ କାର୍ଯ୍ୟ ଆପଣାଇଥିଲେ ଦମ୍ପତି ।

ପାକିସ୍ତାନରେ ମାତିଛନ୍ତି ମଶା, ଭାରତର ସାହାଯ୍ୟ ଲୋଡିଲା ପଡୋଶୀ ଦେଶ

ଇସଲାମାବାଦ: ଡେଙ୍ଗୁ, ମ୍ୟାଲେରିଆ କବଳରେ ପାକିସ୍ତାନ । ବନ୍ୟା ବିତ୍ପାତ ପରେ ମାଡୁଛି ସଂକ୍ରମଣ ଜନିତ ରୋଗ । ୩୨ ଜିଲ୍ଲାରେ ପ୍ରାୟ ୨୭ଲକ୍ଷ ମାମଲା ସାମ୍ନାକୁ ଆସିବା ପରେ ଭାରତକୁ ସହାୟତା ମାଗିଛି ପଡୋଶୀ ରାଷ୍ଟ୍ର । ଭାରତରୁ ୬୦ ଲକ୍ଷ ମଶାରୀ କିଣିବା ପାଇଁ ଅନୁମତି ନେଇଛି ପାକିସ୍ତାନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଗ୍ଲୋବାଲ ଫଣ୍ଡ ବ୍ୟବହାର କରି ଭାରତରୁ ମଶାରୀ କିଣିବ । ଓ୍ବାଘା ବର୍ଡର ଦେଇ ପାକିସ୍ତାନକୁ ଭାରତ ମଶାରୀ ପଠାଇବ । ଆସନ୍ତା ମାସ ସୁଦ୍ଧା ମଶାରୀ ପାକିସ୍ତାନରେ ପହଞ୍ଚିବ ବୋଲି WHO ପକ୍ଷରୁ କୁହାଯାଇଛି । ଜୁନରେ ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା ଯୋଗୁ ପ୍ରାୟ ୧୭ଶହ ଲୋକଙ୍କ ମୃତ୍ୟୁ ହାଇଥିଲା । ପ୍ରାୟ ସାଢ଼େ ୩ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ ।

ଏହାପରେ ମ୍ୟାଲେରିଆ, ଡେଙ୍ଗୁ ଭଳି ଜଳବାହିତ ରୋଗ ମଧ୍ୟ ବଢ଼ିବା ନେଇ ଆଶଙ୍କା ବ୍ୟକ୍ତ କରିଥିଲା WHO । ସିନ୍ଧ, ପଞ୍ଜାବ, ବାଲୁଚିସ୍ତାନ ସମେତ ୩୨ଟି ବନ୍ୟାଗ୍ରସ୍ତ ଜିଲ୍ଲାରେ ପ୍ରାୟ ୨୭ ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜଧାନୀରେ ପ୍ରତିଘରେ ଲାଗିବ କ୍ୟୁଆର୍ କୋଡ୍, ଟ୍ରାକ୍ କରିବ ‘ସଫା ଆପ୍’

ଭୁବନେଶ୍ବର: ଅଳିଆ ଗାଡ଼ି ଟ୍ରାକ କରିବ ସଫା ଆପ୍ । ସ୍ବଚ୍ଛତା ଅଭିଯାନକୁ ଅଧିକ ବ୍ୟବସ୍ଥିତ ଓ କ୍ରିୟାଶୀଳ କରିବାକୁ ବିଏମସି ପକ୍ଷରୁ ସଫା ଆପର ଟ୍ରାଏଲ ରନ୍ ଆରମ୍ଭ ହୋଇଛି । ପ୍ରତି ଘରେ ଲାଗିବ କ୍ୟୁଆର୍ କୋଡ । ଜିପିଏସ ଯୋଗେ ଏହା ଅଳିଆ ଗାଡ଼ି ବା ମୁଁ ସଫେଇବାଲା ଗାଡ଼ିକୁ ଟ୍ରାକ କରିବ  ।

ବିଏମସି ୱାର୍ଡ ନମ୍ବର 40 ଅଧୀନ ୟୁନିଟ-1 ସରକାରୀ କଲୋନୀରୁ ପରୀକ୍ଷାମୂଳକ ଭାବେ ଏହି ସଫା ଆପ୍ ଡେମୋ ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ଭୁବନେଶ୍ୱରର ସହରରେ ସବୁ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ ସଫା ଆପ୍ କ୍ୟୁ-ଆର୍ କୋଡ ।

ଏହି ଆପ୍ ଯୋଗେ ଲୋକେ ବିଏମସି ବିଭିନ୍ନ ସେବା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ସହ ଅଭିଯୋଗ ମଧ୍ୟ କରିପାରିବେ । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ସଫା ଆପ୍‌ର ଡେମୋ ଆରମ୍ଭ ହୋଇଛି ।

ଋଷକୁ ଘେରିଲେ ଜି୭ ରାଷ୍ଟ୍ର, ବହୁମୂଲ୍ୟ ଦେବାକୁ ଚେତାବନୀ

କିଭ୍‌: ଜି୭ ବୈଠକରେ ଋଷ ଉପରେ ହମ୍‌ଲା । ୟୁକ୍ରେନର ବିଭିନ୍ନ ସହର ଉପରେ ଋଷ୍‌ ମିସାଇଲ ଆକ୍ରମଣ ଜାରି ରଖିଥିବାବେଳେ ଋଷର ଏହି ନୀତିକୁ ବିରୋଧ କରିଛନ୍ତି ଜି୭ ରାଷ୍ଟ୍ର । ଏହି ଆକ୍ରମଣ ଲାଗି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଦାୟୀ କରାଯାଇଥିବାବେଳେ ଏଥିଲାଗି ପୁଟିନଙ୍କୁ ବହୁ ମୂଲ୍ୟ ଦେବାକୁ କହିଛନ୍ତି ରାଷ୍ଟ୍ରଗୋଷ୍ଠୀ ।

ଏହାସହ ୟୁକ୍ରେନକୁ ସାମରିକ ସହାୟତା ଦେବା ଲାଗି ନିଷ୍ପତ୍ତି ନିଆଯାଇଛି । ଋଷର ଆକ୍ରମଣକୁ ପ୍ରତିହତ କରିବା ଲାଗି ତୁରନ୍ତ ୟୁକ୍ରେନକୁ ମିସାଇଲ ଡିଫେନ୍ସ ସିଷ୍ଟମ ଦେବାଲାଗି ଅନୁରୋଧ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଜେଲେନସ୍କି କହିଛନ୍ତି ୟୁକ୍ରେନର ୧୫ ପ୍ରତିଶତ ଅଞ୍ଚଳକୁ ଋଷ ନିଜ ଦେଶରେ ମିଶାଇ ସାରିଥିବାବେଳେ ଆଣବିକ ଅସ୍ତ୍ର ପ୍ରୟୋଗ ପାଇଁ ଧମକ ଦେବାରେ ଲାଗିଛି ।

ଯଦି ୟୁକ୍ରେନ ବିରୋଧରେ ପୁଟିନ ଆଣବିକ ଅସ୍ତ୍ର ପ୍ରୟୋଗ କରନ୍ତି ତେବେ ଏଥିଲାଗି ଋଷକୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଧମକ ଦେଇଛନ୍ତି ଜି୭ ରାଷ୍ଟ୍ର ଗୋଷ୍ଠୀ । ଗ୍ରୁପ-୭ର ସଦସ୍ୟ ରାଷ୍ଟ୍ର ଅଛନ୍ତି କାନାଡା, ଫ୍ରାନସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନଓ ଆମେରିକା । ସେପଟେ ୟୁକ୍ରେନର ଖେରସନ ଓ ଜେପୋରିଜିୟାରେ ପୁଣି ୫ ଟି ବଡ ଧରଣର ବିସ୍ଫୋରଣ ସୂଚନା ମିଳିଛି ।

ଓଡିଶାକୁ ନାହିଁ ବାତ୍ୟା ଭୟ, ଗୁଜବ ଠୁ ଦୂରେଇ ରହିବାକୁ ପରାମର୍ଶ

ଭୁବନେଶ୍ବର: ଓଡ଼ିଶାରେ ନାହିଁ ବାତ୍ୟା ଭୟ । ଏହା ଏକ ଗୁଜବ । ବାତ୍ୟା ଗୁଜବ ଠାରୁ ଦୂରେଇ ରହିବାକୁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ବାତ୍ୟା ସମ୍ପର୍କରେ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇନାହିଁ ।

ଆହୁରି ମଧ୍ୟ କୌଣସି ପାଣିପାଗ ଘଟଣା ସମ୍ପର୍କରେ ୭ ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ପାଣିପାଗ ସହ ଜଡିତ ସଠିକ୍ ସୂଚନା ଦେବା ପାଇଁ ଆଇଏମଡି ୨୪ ଘଣ୍ଟା କାର୍ଯ୍ୟରତ ରହିଛି । ତେଣୁ କୌଣସି ଗୁଜବ ଠାରୁ ଦୂରେଇ ରହିବାକୁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି ।