ରାଜଧାନୀରେ ଅଭିନବ ଢଙ୍ଗରେ ଲୁଟ୍ ଉଦ୍ୟମ, ମାଲିକଙ୍କ ସମ୍ପର୍କୀୟ କହି କାଟିଲେ ଅନ୍ୟ ଘର ତାଲା

1 min read

ଭୁବନେଶ୍ୱର: ରାଜଧାନୀରେ ଅଭିନବ ଉପାୟରେ ଲୁଟ ଉଦ୍ୟମ । ଜଣେ ଘର ମାଲିକଙ୍କ ସମ୍ପର୍କୀୟ ପରିଚୟ ଦେଇ ଆଉ ଜଣଙ୍କ ଘରେ ପଶିବାକୁ ଉଦ୍ୟମ । ଧାରୁଆ ଅସ୍ତ୍ର ସାହାଯ୍ୟରେ କାଟିଲେ ତାଲା । ରାଜଧାନୀରେ ଦିନ ପ୍ରାୟ ୯ ଟା ସମୟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ବେଶଭୂଷାରେ ସମ୍ଭ୍ରାନ୍ତ, ପେଶାରେ ଚୋର । ଗଙ୍ଗନଗର ଛକରେ ଲୁଟେରାଙ୍କ ହଲ୍ଲାବୋଲ । ଜଣଙ୍କ ନାଁ ନେଇ ପଶିଲେ, ଆଉ ଜଣଙ୍କ ତାଲା କାଟିଲେ । ଏୟାରପୋର୍ଟ ଥାନାରେ ଏତଲା, କାର୍ଯ୍ୟାନୁଷ୍ଠାନ ଶୂନ । ଗଙ୍ଗନଗର ଛକରେ ଥିବା ଭବାନୀ ଅଶୋକ ଇନକ୍ଲେଭ ଆପାର୍ଟମେଣ୍ଟରେ ଘଟିଛି ଘଟଣା ।

୨୬ ତାରିଖ ସକାଳ ୯ ଟାରେ ବେଶ ସରଳ ଦିଶୁଥିବା ୩ ଯୁବକ ଗେଟ ନିକଟରେ ପହଞ୍ଚି ଥିଲେ । ଦ୍ବିତୀୟ ମହଲା B- 102 ରେ ରହୁଥିବା ପଟ୍ଟନାୟକ ବାବୁଙ୍କୁ ଭେଟିବେ ବୋଲି ମିଛ କହିଥିଲେ । ସିକ୍ୟୁରିଟିଙ୍କ ବିଶ୍ବାସ ଜନ୍ମାଇବା ପରେ ପ୍ରଥମ ମହଲରେ ଥିବା A-102କୁ ଟାର୍ଗେଟ କରିଥିଲେ । ଫ୍ଲାଟ ର ମାଲିକାଣି ସୁଦେଷ୍ଣା ଦାସ ଜଣେ ଅଡିଟ ଅଫିସର । ସେ କିଛିଦିନ ପାଇଁ ମୁମ୍ବାଇ ଯାଇଛନ୍ତି । ଏହାର ସୁଯୋଗରେ ଲୁଟେରା ତାଲା କାଟିବାଥିଲେ । ତେବେ ସିସିଟିଭିରେ ତାଙ୍କ ଚେହେରା କଏଦ ହୋଇଯିବା ଭୟରେ ଫେରାର ହୋଇଯାଇଛନ୍ତି ।

ମାଲିକାଣୀ ରହୁନଥିବାରୁ ୨୭ ତାରିଖରେ ତାଙ୍କ ଝିଅ ଆପାର୍ଟମେଣ୍ଟକୁ ଆସି ସବୁକଥା ଜାଣିବାକୁ ପାଇଛନ୍ତି । ସିସିଟିଭି ଫୁଟେଜ ଆଧାରରେ ଏୟାରପୋର୍ଟ ଥାନା କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଆସି ଛାନଭିନ୍ନ କରିଛନ୍ତି । ପ୍ରଶ୍ନ ଉଠୁଛି, ଉପର ମହଲାର ଜଣେ ବାସିନ୍ଦାଙ୍କୁ କେମିତି ଚିହ୍ନିଲେ ଏହି ଦୁର୍ବୃତ୍ତ ? ଇଣ୍ଟରକମ୍ ନଥିବାରୁ ସୁରକ୍ଷାରେ ତ୍ରୁଟି ଘଟିଲାନି ତ ? ଗଙ୍ଗନଗର ଛକରେ ଥିବା ସିସିଟିଭି କାମ କରୁନଥିବାରୁ ଅଭିଯୁକ୍ତଙ୍କ ଗତିବିଧି ଏଯାଏଁ ଜାଣିପାରିନାହିଁ ପୋଲିସ ।