ଗାଡ଼ି ପାର୍କିଂକୁ କେନ୍ଦ୍ରକରି ଗାଁର ଗୋଟିଏ ପରିବାରକୁ ନିଆଁପାଣି ବାସନ୍ଦ ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମିର୍ଦ୍ଧାପାଳି ଗାଁରେ ଅଭାବନୀୟ ଘଟଣା । ଶୁଲିଆ ଯାତ୍ରାରେ ଗାଡି ପାର୍କିଂକୁ କେନ୍ଦ୍ରକରି ଗାଁର ଗୋଟିଏ ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଗାଁ କମିଟି ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଥିବା ଅଭିଯୋଗ କରିଛନ୍ତି ପୀଡିତ ପରିବାର । ମିର୍ଦ୍ଧାପାଲି ଗାଁର ଶରତ କୁମାର ରାଉତ ଗାଁ କମିଟି କୋଷାଧ୍ୟକ୍ଷ ଥିଲେ । ଗାଁରେ ଶୁଲିଆ ଯାତ୍ରା ପାର୍କିଂକୁ ନେଇ ବୈଠକ ହୋଇଥିଲା ।

ଯାତ୍ରାର ପାର୍କିଂ ସ୍ଥାନରେ କୌଣସି ବ୍ୟକ୍ତି ମାଗଣାରେ ଗାଡି କିମ୍ବା ସାଇକେଲ ରଖି ପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ ଯାତ୍ରା ଦିନ ସରପଞ୍ଚ ପିଙ୍କୁ ପଟେଲଙ୍କ ଭାଇ ସେଠାରେ ଗାଡି ରଖି ଚାଲିଯାଇଥିଲେ । ଶରତ ତାହା ଦେଖି ନିଜେ ମଧ୍ୟ ତାଙ୍କ ଗାଡି ରଖିଥିଲେ । ଯାହାକୁ ନେଇ ପାର୍କିଂ ଦାୟିତ୍ବରେ ଥିବା କିଛି ଯୁବକ ବିରୋଧ କରିବା ସହ କଥା କଟାକଟି ହୋଇଥିଲା ।

ଏହାକୁ କେନ୍ଦ୍ରକରି ଗାଁରେ ଏକ ସଭା ଆୟୋଜନ ହୋଇଥିଲା । ସଭାକୁ ଶରତକୁ ଡାକି 50 ହଜାର ଟଙ୍କା ଜୋରିମାନା କରାଯାଇଥିଲା । ତେବେ ଶରତ ରାଜି ନହୋଇ ସଭାରୁ ଉଠିଆସିଥିଲେ । ପରେ ଗାଁ କମିଟି ତାଙ୍କୁ ପଦବୀରୁ ହଟାଇବା ସହ ଗାଁରେ ଡେଙ୍ଗୁରା ଦେଇ ନିଆଁପାଣି ବାସନ୍ଦ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଶରତ ଓ ତାଙ୍କ ଭାଇ ଅଶ୍ବିନୀ ସଦର୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।