spot_img
Home Blog Page 3739

ଅନଲାଇନ ଗେମ୍ ହାରି ପରିବାରର ୪ ଜଣଙ୍କୁ ହତ୍ୟା କଲା ନାବାଳକ ଛାତ୍ର

ତ୍ରିପୁରା: ଅନଲାଇନ ଗେମରେ ହାରି ପରିବାରର ୪ ଜଣଙ୍କୁ ହତ୍ୟା କଲା ନବମ ଶ୍ରେଣୀ ଛାତ୍ର । ମୋବାଇଲ ଅନଲାଇନ୍ ଗେମରେ ୪୦ ହଜାର ଟଙ୍କା ହାରିବା ପରେ ଘରେ ଟଙ୍କା ନଦେବାରୁ ନେଲା ଚରମ ପଦକ୍ଷେପ । ୪ ଜଣଙ୍କୁ ହତ୍ୟା କରି ମାଟିରେ ପୋତି ଦେଲା । ଅଭିଯୁକ୍ତ ନାବାଳକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ତ୍ରିପୁରା ଢଲାଇ ଜିଲ୍ଲା କମଳପୁର ନିକଟସ୍ଥ ଦୁବାଇ ଶିବପଡ଼ାରେ ।

ଏଠାରେ ରୁହନ୍ତି ଦେବନାଥ ଓ ତାଙ୍କ ପରିବାର । ରାତିରେ ପରିବାର ଝଗଡ଼ା ପରେ ସକାଳୁ କାହାରିକୁ ନଦେଖି ପୋଲିସରେ ଖବର ଦେଇଥିଲେ ପଡୋଶୀ । ପୋଲିସ୍ ପହଞ୍ଚି ଘରେ କେହି ନଥିବା ଜାଣିବା ପରେ ନାବାଳକଙ୍କୁ ପଚରାଉଚରା କରିଥିଲା । ପୋଲିସ ଭୟରେ ନାବାଳକ ଜଣକ ସବୁକିଛି ଖୋଲି କହିଥିଲା । ମୋବାଇଲରେ ଗେମକ ଖେଳି ୪୦ ହଜାର ଟଙ୍କା ହରାଇଥିଲା ଛାତ୍ର ଜଣକ । ଯାହାକୁ ସେ କରଜ କରି ଶୁଝିଥିଲା । କରଜଦାତା ବାରମ୍ବାର ଟଙ୍କା ମାଗିବାରୁ ପରିବାର ଲୋକଙ୍କୁ ଟଙ୍କା ଦେବାକୁ ଜିଦ୍ ଧରିଥିଲା । ତେବେ ଟଙ୍କା ନଦେବାରୁ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରି ଝଗଡ଼ା କରିଥିଲା । ପରେ ଜେଜେବାପା, ମା, ଭଉଣୀ ଓ ଜଣେ ସମ୍ପର୍କୀୟଙ୍କୁ ମାରିବା ପରେ ମାଟି ଖୋଳି ପୋତି ଦେଇଥିଲା । ଅଭିଯୁକ୍ତର ବୟାନ ଆଧାରରେ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ।

ବାବା ଧବଳେଶ୍ବରଙ୍କ ବଡ଼ସିଂହାର ବେଶ, କାଲି ଗଜଭୋଗ

ଆଠଗଡ଼: ଆଜି ବଡ଼ଓଷା । ଆଠଗଡ଼ ଧବଳେଶ୍ବରଙ୍କ ପୀଠରେ ପାଳନ ହେଉଛି ବିଶେଷ ରୀତିନୀତି । ବଡ଼ସିଂହାର ବେଶରେ ଦର୍ଶନ ଦେଇଛନ୍ତି ବାବା ଭୋଳାନାଥ । ଆଜି ମଧ୍ୟରାତ୍ରରେ ବାବାଙ୍କ ନିକଟରେ ଲାଗି ହେବ ଗଜଭୋଗ । ତ୍ରୟୋଦଶୀ ତିଥି ତୃତୀୟ ପ୍ରହର ଓ ଚତୁର୍ଦ୍ଦଶୀ ସନ୍ଧିକ୍ଷଣରେ ଗଜଭୋଗ ଲାଗି କରାଯିବ । ପ୍ରତ୍ୟେକ ପୂଜକ ପରିବାର ପକ୍ଷରୁ ଗଜଭୋଗ ପ୍ରସ୍ତୁତ କରାଯାଇଛି । ଆସନ୍ତାକାଲି ସକାଳୁ ଶ୍ରଦ୍ଧାଳୁଙ୍କୁ ଗଜଭୋଗ ବିତରଣ କରାଯିବ ।

ଆଜି ଭୋର ୪ଟାରୁ ପହଡ଼ ଖୋଲା ଯାଇ ମଙ୍ଗଳ ଆଳତି ପରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ପରେ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇଥିଲା । ହେଲେ ଖାଁ ଖାଁ ମନ୍ଦିର ପରିବେଶ । ପୀଠରେ ଜାରି ହୋଇଛି ୧୪୪ ଧାରା । ଏଥିପାଇଁ ମୁଖ୍ୟ ଫାଟକ ପାଖରେ ପରଦାରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ ।

ସେପଟେ ପଞ୍ଚକର ତୃତୀୟ ଦିନରେ ପୁରୀରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଶୁକ୍ଳପକ୍ଷ ତ୍ରୟୋଦଶୀରେ ତ୍ରିବିକ୍ରମ ବା ଆଡ଼କିଆ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜିଉ । ସକାଳୁ ଦୈନନ୍ଦିନ ନୀତିକାନ୍ତି ପରେ ପୁଷ୍ପାଳକ ସେବକଙ୍କ ଦ୍ବାରା ଶ୍ରୀଜିଉଙ୍କୁ ବେଶ କରାଯାଇଥିଲା । ଆଡ଼କିଆ ବେଶରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି କରାଯାଇଥାଏ । ଦେବୀ ସୁଭଦ୍ରାଙ୍କ ସମେତ ଦୁଇ ଭାଇଙ୍କ ମସ୍ତକର ଶୀର୍ଷଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ଖଞ୍ଜା ଯାଇଥାଏ । ଦୁଇବର୍ଷ ପରେ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି ଶ୍ରଦ୍ଧାଳୁ ବିମୋହିତ ହୋଇଥିଲେ ।

ବଦଳିଛି ଓଡ଼ିଶା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ କରିଛି ବିକାଶ: ସିନେ ଅଭିନେତା କବୀର ବେଦୀ

ଭୁବନେଶ୍ବର: ବଦଳିଛି ଓଡ଼ିଶା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନେତୃତ୍ବରେ ରାଜ୍ୟର ଅହେତୁକ ବିକାଶ ହୋଇଛି । ଓଡ଼ିଶାକୁ ବହୁବାର ପୂର୍ବରୁ ଆସିଥିଲେ ବି ୨୨ ବର୍ଷ ଭିତରେ ସବୁ କ୍ଷେତ୍ରରେ ରୂପାନ୍ତରଣ ଦେଖି ପ୍ରଶଂସା କରିଛନ୍ତି ବରିଷ୍ଠ ସିନେ ଅଭିନେତା କବୀର ବେଦୀ । ଦୈନିକ ଇଂରାଜୀ ଖବରକାଗଜ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ଦଶମ ସଂସ୍କରଣ ଲିଟେରାରୀ ଫେଷ୍ଟ୍ ‘ଅ’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏପରି କହି ଭୁରି ଭୁରି ପ୍ରଶଂସା କରିଛନ୍ତି । ଉଭୟ ବଲିଉଡ୍ ଓ ହଲିଉଡ୍ ସିନେମାରେ ପରିଚୟ ହାସଲ କରଥିବା କବୀରଙ୍କୁ ଓଡ଼ିଆ ଖାଦ୍ୟ ବେଶୀ ପସନ୍ଦ । କୋଣାର୍କ ଓ ଧଉଳି ଶାନ୍ତିସ୍ତୂପ ଅଦ୍ଭୁତ କାରିଗରୀ ବି ତାଙ୍କୁ ଅଭିଭୁତ କରିଛି ।

ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ କଲେଜ ବେଳର ବନ୍ଧୁ । ସେ ଜଣେ ଭଲ ଆତ୍ମାର ମଣିଷ । ବିକାଶ କରୁଛନ୍ତି, ଥରେ ନୁହେଁ ୫ ଥର ରାଜ୍ୟବାସୀ ତାଙ୍କୁ ନିର୍ବାଚିତ କରିଛନ୍ତି । ଦେଶର ଲମ୍ବା ଅବଧିର ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ନବୀନ । ନବୀନଙ୍କ ଭଳି ନେତା ଅଦ୍ବିତୀୟ । ଜନସେବା ଓ ଲୋକକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଅନ୍ୟମାନେ ଶିଖିବା ଦରକାର ।’ ଅତୀତରେ ବି କବୀର ଓଡ଼ିଶା ଆସିଥିଲେ । କିନ୍ତୁ ଏବେ ଶିକ୍ଷାଠାରୁ ସ୍ବାସ୍ଥ୍ୟ ସବୁ କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ହୋଇଛି । ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ବେଶ୍ ସମୃଦ୍ଧ । ଓଡ଼ିଶୀ କଳାରେ ଅନୁପ୍ରେରିତ ହୋଇ କବୀରଙ୍କ ପ୍ରଥମ ପତ୍ନୀ ପ୍ରତିମା ବେଦୀ ସ୍ବର୍ଗତଃ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିଖିଥିଲେ । ଧଉଳି ଶାନ୍ତିସ୍ତୁପ ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ଉପରେ ହୋଇଥିବା ଡକ୍ୟୁମେଣ୍ଟାରିରେ ପ୍ରଚ୍ଛତପଟ ସ୍ବର ଦେଇଛନ୍ତି କବୀର ।

ସାରା ବିଶ୍ବରେ ଆତଙ୍କ ଖେଳାଇଥିଲା କୋଭିଡ ମହାମାରୀ । ଲକଡାଉନ ଓ ସଟଡାଇନ ଯୋଗୁଁ ଅନେକ ମାନସିକ ଭାରସାମ୍ୟ ହରାଇଥିଲେ । କୋଭିଡ ସଂକ୍ରମଣରେ ଯେତିକି ଲୋକଙ୍କର ପ୍ରାଣହାନୀ ହୋଇଥିଲା, ତାଠୁ ଅଧିକ ଲୋକ କୋଭିଡରୁ ଭଲ ହେବା ପରେ ମାନସିକ ରୋଗର ଶିକାର ହୋଇଥିଲେ । ବଲିଉଡ୍ ବି ଏଥିରୁ ବାଦ ଯାଇନି । ଏହାକୁ ନେଇ ଏକ ବହି ଲେଖିଛନ୍ତି କବୀର । ‘ଷ୍ଟୋରିଜ୍ ଆଇ ମଷ୍ଟ୍ ଟେଲ୍’ ନାମକ ବହିରେ ଲୋକଙ୍କୁ ସେ ମାନସିକସ୍ତରରେ ଦୃଢ ରହିବା ନେଇ ପରାମର୍ଶ ଦେଇଛନ୍ତି । ହଲିଉଡର ଜେମ୍ସ ବଣ୍ଡ୍ ଫିଲ୍ମରେ ଭିଲେନ୍ ଚରିତ୍ର ଓ ବଲିଉଡ ଫିଲ୍ମ ଖୁନ୍ ଭରି ମାଙ୍ଗରେ ତାଙ୍କ ଭୂମିକା କବୀରଙ୍କ ପାଇଁ ନିଆରା ଅନୁଭୂତି ଆଣିଥିଲା । ସାଣ୍ଡୋକନ୍ ଭଳି ଟେଲି ଧାରାବାହିକରେ ଅଭିନୟ କରି ସାରା ୟୁରୋପରେ କବୀରଙ୍କୁ ମିଳିଛି ଅଜସ୍ର ପ୍ରଶଂସା । ସେଥିପାଇଁ ୨୦୧୦ ମସିହାରେ ଇଟାଲୀ ସରକାର ତାଙ୍କୁ ସର୍ବୋଚ୍ଚ ବେସାମରିକ କାଭେଲେରି ସମ୍ମାନରେ ସମ୍ମାନିତ କରିଛନ୍ତି ।

ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ବ କାଳ ହଲିଉଡ ସିନେମାରେ ଅଭିନୟ କରିଛନ୍ତି କବୀର । ରୋମ୍, ଲଣ୍ଡନ୍ ଓ ଲସ୍ ଏଞ୍ଜଲେସ୍ ସହରକୁ ଭଲ ପାଉଥିବା କବୀର ବେଦୀଙ୍କର କିନ୍ତୁ ଓଡ଼ିଆ ଖାଦ୍ୟ ବେଶୀ ପସନ୍ଦ।

କୋଭିଡ୍ ବେଳେ କେତେ ପଢ଼ିଛନ୍ତି ପିଲା ? ହେବ ପରୀକ୍ଷା…

ଭୁବନେଶ୍ବର: ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର କରାଯିବ ମିଡ୍ ଟର୍ମ ଆସେସମେଣ୍ଟ । ପରୀକ୍ଷାରେ କାହାକୁ ଫେଲ୍ କରାଯିବନି । ଅନ୍ୟ ସ୍କୁଲ ଶିକ୍ଷକ ମୂଲ୍ୟାୟନ କରିବା ସହ ଶିକ୍ଷାଦାନରେ ଆବଶ୍ୟକତା ନେଇ ସମୀକ୍ଷା କରିବେ । ଦୁର୍ବଳତା ପରଖି ସମାଧାନ ପାଇଁ ଖସଡ଼ା ପ୍ରସ୍ତୁତ କରିବେ । ଶିକ୍ଷାରେ ସଂସ୍କାର ଆଣିବାକୁ ଏପରି ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସେପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପିଜିଆଇ ରିପୋର୍ଟରେ ଓଡ଼ିଶା ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଉଲ୍ଲେଖ ରହିଛି ।

ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଫେଲ୍ କରାଯାଇ ପାରିବନାହିଁ । କ୍ଲାସରେ ସେମାନଙ୍କ ଶିକ୍ଷାଗତ ବିକାଶକୁ ସମୀକ୍ଷା କରିବାର ନିୟମ ରହିଛି । କୋଭିଡ ଯୋଗୁଁ ବାଧାପ୍ରାପ୍ତ ହୋଇଛି ଶିକ୍ଷାଦାନ । ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ନଥିବାରୁ ଅନଲାଇନ୍ କ୍ଲାସରେ ଶିକ୍ଷାଦାନରେ ସମସ୍ୟା ହୋଇଥିଲା । ଏବେ ପୁଣି ଟ୍ରାକକୁ ଫେରୁଛି ଶିକ୍ଷା ବ୍ୟବସ୍ଥା । ଗତ ଦୁଇବର୍ଷରେ କେତେ ପଢ଼ିଛନ୍ତି ପିଲା ? ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପରୀକ୍ଷା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପରୀକ୍ଷାକୁ ମିଡ ଟର୍ମ ଆସେସମେଣ୍ଟ ଭାବେ ସ୍କୁଲରେ କରାଯିବ । ହେଲେ ମୂଲ୍ୟାୟକ କରିବେ ଅନ୍ୟ ସ୍କୁଲ ଶିକ୍ଷକ । ଛାତ୍ରଛାତ୍ରୀଙ୍କ ବିକାଶ ଓ ଆବଶ୍ୟକତାକୁ ସମୀକ୍ଷା କରାଯିବ । ପରୀକ୍ଷାରେ କାହାକୁ ଫେଲ୍ ନକରି ସେମାନଙ୍କ ଦୁର୍ବଳତା ପରଖି ସୁଧାର ଆଣିବାକୁ ଖସଡ଼ା ପ୍ରସ୍ତୁତ କରାଯିବ ।

କୋଭିଡ ସମୟରେ ଶିକ୍ଷାଦାନରେ ହୋଇଥିବା କ୍ଷତିକୁ ଭରଣା ପାଇଁ ଲର୍ଣ୍ଣିଂ ରିକଭରି ପ୍ରୋସେସ ଆପଣେଇଛନ୍ତି ରାଜ୍ୟ ସରକାର । ସେପଟେ ଅଧିକରୁ ଅଧିକ ଯୋଗ୍ୟ ଶିକ୍ଷକଙ୍କୁ ବି ନିଯୁକ୍ତି ଦିଆଯାଉଛି । ସ୍କୁଲଗୁଡ଼ିକୁ ୫ଟି ଉପକ୍ରମରେ ରୂପାନ୍ତର କରି ଘରୋଇ ସ୍କୁଲ ଭଳି ନୂଆ ଜ୍ଞାନକୌଶଳରେ ଶିକ୍ଷା ଦିଆଯାଉଛି । ଶିକ୍ଷାର ବିକାଶରେ ଏହା ବଡ଼ ଭୂମିକା ନେଉଥିବା ଶିକ୍ଷକମାନେ ଅନୁଭବ କରିଛନ୍ତି ।

ଗୁଣାତ୍ମକ ଶିକ୍ଷା, ସୁଦୃଢ ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଓ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଢେର ଆଗେଇଥିବା ନେଇ କେନ୍ଦ୍ର ସରକାରଙ୍କ ପିଜିଆଇ ରିପୋର୍ଟ ମାର୍କିଂ କରିଛି । ଶିକ୍ଷାର ଏପରି ବିକାଶ ଯୋଗୁଁ ଦେଶର ଶ୍ରେଷ୍ଠ ୧୦ରାଜ୍ୟ ଭିତରେ ଓଡ଼ିଶାକୁ ସ୍ଥାନ ମିଳିଛି ।

ଜନମତକୁ ସମ୍ମାନ ଦେଉଛୁ, ୨୦୨୪ରେ ବିଜେଡି ରାଜ୍ୟରେ ସରକାର ଗଢ଼ିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଧାମନଗର ଉପନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । କହିଲେ- ବିଜୁ ଜନତା ଦଳ ସବୁ ବେଳେ ଜନମତକୁ ସମ୍ମାନ ଦେଇ ଆସିଛି, ଧାମନଗର ଜନମତକୁ ସମ୍ମାନ ଦେଉଛୁ ।

ସେ କହିଛନ୍ତି, ‘ଧାମନଗରରେ ପୂର୍ବତନ ବିଧାୟକ ଜଣେ ଜନପ୍ରିୟ ନେତା ଥିଲେ । ତାଙ୍କ ପୁଅକୁ ଟିକଟ୍ ଦିଆଯାଇଥବାରୁ ସେ ଜିତିଲେ । ଏଥିରେ ବିଜୁ ଜନତା ଦଳ ବିଚଳିତ ନୁହେଁ । ୨୦୨୪ ନିର୍ବାଚନର ବିଜେଡି ଜିତି ସରକାର କରିବ । କାହିଁକିନା ଆମେ ଲୋକଙ୍କ ସହ ଓ ସେମାନଙ୍କ ସୁବିଧା ଅସୁବିଧାରେ ରହିଛୁ ।’

ଇଣ୍ଡିଆନ ଏକ୍ସପ୍ରେସ ଦ୍ଵାରା  ଭୁବନେଶ୍ୱରରେ ଆୟୋଜିତ ଓଡିଶା ସାହିତ୍ୟ ଉତ୍ସବରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଧାମନଗର ଉପନିର୍ବାଚନ ଫଳାଫଳକୁ ନେଇ ଏମିତି କହିଛନ୍ତି । ଏହି ଅବସରରେ ପ୍ରଭୁ ଚାଓ୍ବଲା ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ୨୫ ବର୍ଷ ଶାସନ ରେକର୍ଡ ଭାଗିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ‘ଆମେ ଲୋକଙ୍କ ସହିତ ଅଛୁ । ଆଗାମୀ ୨୦୨୪ ନିର୍ବାଚନରେ ଜିତିବୁ । ଏଥିସହିତ ଶିକ୍ଷ, ସ୍ବାସ୍ଥ୍ୟ, କ୍ରିଡା ଓ ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ଅଗ୍ରଗତି କରିଛି । ୨୦୦୦ ମସିହାରେ ସରକାରକୁ ଆସିବା ବେଳେ ୫ ହଜାର କୋଟି ଟଙ୍କା ରାଜ୍ୟ ବଜେଟ ଥିଲା । ଏବେ ୨୦୨୨ରେ ଏହା ବୃଦ୍ଧି ପାଇ ୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଦେଖୁଥିବା ବେଳେ ଏହାକୁ ଆମେ ସାମ୍ନା କରି ସଫଳ ହୋଇଛୁ । ଓଡ଼ିଶାର ବିକାଶ ହିଁ ଆମର ଏକମାତ୍ର ଲକ୍ଷ୍ୟ ।’

୨୦୨୪ରେ ବିଜେଡିର କାହା ସହ ଲଢ଼େଇ ହେବା ନେଇ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘କିଛି ବର୍ଷ ହେବ ବିଜେପି ଦ୍ବିତୀୟ ବୃହତ ଦଳ ଭାବେ ଉଭା ହୋଇଛି । ଏଠାରେ କଂଗ୍ରେସର ମଧ୍ୟ ଭଲ ସ୍ଥିତି ରହିଛି ।’

ଧାମନଗର ଉପନିର୍ବାଚନ: ୯୮୮୧ ଭୋଟରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ

ଧାମନଗର: ଶେଷ ହେଲା ଧାମନଗର ଉପନିର୍ବାଚନ ଭୋଟ ଗଣତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯୮୮୧ ଭୋଟରେ ପରାସ୍ତ କରିଛନ୍ତି । ସୂର୍ଯ୍ୟବଂଶୀ ମୋଟ ୮୦ ହଜାର ୩୫୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଅବନ୍ତୀ ୭୦ ହଜାର ୪୭୦ ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ୩୫୬୧ ଖଣ୍ଡ ଏବଂ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୮୧୫୩ ଭୋଟ ପାଇଛନ୍ତି । ସେହିପରି ଅନ୍ୟତମ ସ୍ବାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୪୯୭ ଭୋଟ ପାଇଥିବା ବେଳେ ନୋଟାରେ ୬୫୦ ଭୋଟ ପଡ଼ିଥିଲା ।

ସରିଛି ଧାମନଗର ଭୋଟ ଗଣତି । ବିଜେପି ଆସନକୁ ନିଜ ପାଖରେ ରଖିବାରେ ସକ୍ଷମ ହୋଇଛି । ବିଜେଡ଼ି ଜନମତକୁ ସମ୍ମାନ ଦେବା ସହ ଧାମନଗରରେ ବିକାଶର ଧାରା ବଜାୟ ରହିବ ବୋଲି କହିଛି । କଂଗ୍ରେସର ପୁଣି ଥରେ ଶୋଚନୀୟ ଅବସ୍ଥା ଦେଖିବାକୁ ମିଳିଛି । ବ୍ରଜରାଜନଗର ଉପନିର୍ବାଚନ ପରେ ଉତ୍ସାହିତ ହୋଇଥିବା କଂଗ୍ରେସ ଧାମନଗରରେ ଶକ୍ତି ପ୍ରଦର୍ଶନ କରିଥିଲେ ମଧ୍ୟ ତାହା ଭୋଟରେ ରୁପାନ୍ତରିତ ହୋଇପାରିନାହିଁ । ଅନ୍ୟପଟେ ବିଜେଡ଼ିର ବିଦ୍ରୋହୀ ପ୍ରାର୍ଥୀ ହୋଇ ଦଳରୁ ବହିଷ୍କୃତ ହୋଇଥିବା ରାଜୁ ଦାସ ମଧ୍ୟ ସେମିତି କିଛି କରିସ୍ମା ଦେଖାଇପାରିନାହାନ୍ତି ।

ଉପନିର୍ବାଚନରେ ବିଜେପି ନିଜ ଆସନକୁ ବଜାୟ ରଖିବାରେ ସକ୍ଷମ ହୋଇଛି । ବିଜୟର ଶ୍ରେୟ ଧାମନଗର ବାସୀ ଏବଂ ଦଳୀୟ କର୍ମୀଙ୍କୁ ନେଇଛନ୍ତି ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜ । ଅନୁକମ୍ପା ଭୋଟ ହାତେଇବାରେ ସକ୍ଷମ ହୋଇଛି ବିଜେପି । ଧାମନଗର ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୮ହଜାରରୁ ଅଧିକ ଭୋଟ ହାତେଇବା ବିଜେଡ଼ି ପାଇଁ ସମସ୍ୟା ସୃଷ୍ଟି କରିଛି । ହେଲେ କଂଗ୍ରେସର ପ୍ରଦର୍ଶନ ପିସିସିର ନୂଆ ନେତୃତ୍ବ ପାଇଁ ଅନେକ ଆହ୍ବାନ ସୃଷ୍ଟି କରିଛି ।

ଧାମନଗର ଉପନିର୍ବାଚନକୁ ବିଜେପି କ୍ୟାମ୍ପ ଉତ୍ସାହିତ ହୋଇଥିବା ବେଳେ ଧାମନଗରର ବିକାଶ ପାଇଁ ବିଜେଡ଼ି ସଂକଳ୍ପବଦ୍ଧ । ଚୂଡ଼ାନ୍ତ ଫଳ ଅନୁସାରେ ବିଜେପି ପ୍ରାର୍ଥର ସୂର୍ଯ୍ୟବଂଶୀ ସୂରଜ ବିଜେଡ଼ି ଠାରୁ ୯ହଜାର ୮୮୧  ଅଧିକ ଭୋଟ ପାଇଛନ୍ତି ।

T20 ବିଶ୍ବକପ: ଜିମ୍ବାଓ୍ବେକୁ ୭୧ ରନରେ ହରାଇଲା ଭାରତ

ମେଲବର୍ଣ୍ଣ: ଟି୨୦ ବିଶ୍ବକପର ସୁପର-୧୨ ଗ୍ରୁପ୍ ବି ମ୍ୟାଚରେ ଭାରତର ଦମଦାର ବିଜୟ । ୭୧ ରନରେ ଜିମ୍ବାଓ୍ବେକୁ ହରାଇ ଗ୍ରୁପ ବିରୁ ଏକ ନମ୍ବର ଟିମ୍ ଭାବେ ଟିମ୍ ଇଣ୍ଡିଆ ସେମିଫାଇନାଲକୁ ଯାଉଛି । ୧୮୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାଓ୍ବେ ଟିମ୍ ୧୭.୨ ଓଗରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୧୧୫ ରନ୍ କରିବାକୁ ସକ୍ଷମ ହୋଇଥିଲା । ଜିମ୍ବାଓ୍ବେ ପକ୍ଷରୁ ଏସ. ରାଜ ୩୪ ଏବଂ ଆର. ବୁର୍ଲ ୩୫ ରନ୍ କରିଥିଲେ ବି ଏହା ବିଜୟ ପାଇଁ ଯଥେଷ୍ଟ ହୋଇ ନଥିଲା । ଜିମ୍ବାଓ୍ବେର ୬ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନଥିଲେ ।

ଭାରତ ତରଫରୁ ରବିଚନ୍ଦ୍ରଣ ଅଶ୍ବିନ ୩ଟି ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସାମୀ ଏବଂ ହାର୍ଦ୍ଦିକ ପାଣ୍ଡିଆ ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଭୁବନେଶ୍ବର କୁମାର, ଅର୍ଶଦୀପ ସିଂ ଏବଂ ଅକ୍ଷର ପଟେଲଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଥିଲା ।

ଭାରତ ଟିସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ ଆଜି ବି କିଛି ଖାସ କରିପାରି ନଥିଲା । ୧୩ ବଲରୁ ମାତ୍ର ୧୫ ରନ୍ କରି ରୋହିତ ଆଉଟ ହୋଇ ଯାଇଥିଲେ । ଅନ୍ୟପକ୍ଷେ ଅନ୍ୟତମ ଓପ୍ନର କେ ଏଲ ରାହୁଲ ୩୫ ବଲରୁ ୫୧ ରନ୍ କରିଥିଲେ । ଏଥିରେ ୩ ଚୌକା ଓ ୩ ଛକା ସାମିଲ ଥିଲା । ବିରାଟ କୋହଲି ୨୫ ବଲର ସମ୍ମୁଖୀନ ହୋଇ ୨ ଚୌକା ସହାୟତାରେ ୨୬ ରନ୍ କରିଥିଲେ । ତେବେ ସୂର୍ଯ୍ୟକୁମାର ଯାଦବଙ୍କଠାରୁ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ୨୫୪ ବଲ ଖେଳି ୬ ଚୌକା ଓ ୪ ବିଶାଳ ଛକା ସହାୟତାରେ ୬୧ ରନ କରିଥିଲେ ସୂର୍ଯ୍ୟକୁମାର । ଅନ୍ୟମାନଙ୍କ ମଧ୍ୟରେ ପନ୍ତ ୩ ରନ୍ କରିଥିବା ବେଳେ ପାଣ୍ଡିଆ ୧୮ ରନ୍ କରିଥିଲେ । ଟିମ୍ ଇଣ୍ଡିଆ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୮୬ ରନ୍ କରିଥିଲା ।

ଜିମ୍ବାଓ୍ବେ ପକ୍ଷରୁ ଓ୍ବିଲିୟମ୍ସ ୨ ଓଭର ବୋଲିଂ କରି ୨ଟି ଓ୍ବିକେଟ ନେଇଥିଲେ । ସେମି ଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ ।

ଧାମନଗର ଉପନିର୍ବାଚନ: ୧୪ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ୭୬୬୧ ଭୋଟରେ ଆଗୁଆ

ଧାମନଗର: ଚାଲିଛି ଧାମନଗର ଉପନିର୍ବାଚନ ଭୋଟ ଗଣତି । ୧୪ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୭୬୬୧ ଭୋଟରେ ଆଗୁଆ ଅଛନ୍ତି । ସୂର୍ଯ୍ୟବଂଶୀ ୧୪ ରାଉଣ୍ଡ ସୁଦ୍ଧା ୬୩୦୩୧ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଏହି ରାଉଣ୍ଡ ସୁଦ୍ଧା ୫୫୩୭୦ ଖଣ୍ଡ ଭୋଟ ମିଳିଛି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ୨୭୧୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୭ ହଜାର ୧୪୭ ଖଣ୍ଡ ଭୋଟ ପାଇଛନ୍ତି ।

ସୂଚନାଯୋଗ୍ୟ, ଧାମନଗର ଉପନିର୍ବାଚନରେ ଜାରି ରହିଛି ଭୋଟ ଗଣତି । ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯାଉଛି । ପ୍ରତି ରାଉଣ୍ଡ ପରେ ଘୋଷଣା ହେଉଛି ଫଳାଫଳ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବା ପରେ ଇଭିଏମ ଗଣତି ଚାଲିଛି ।

ଧାମନଗର ଉପନିର୍ବାଚନ: ଦ୍ୱାଦଶ ରାଉଣ୍ଡରେ ବିଜେପି ପ୍ରାର୍ଥୀ ୬୨୧୪ ଭୋଟରେ ଆଗୁଆ

ଧାମନଗର: ଧାମନଗର ଉପନିର୍ବାଚନରେ ଜାରି ରହିଛି ଭୋଟ ଗଣତି । ୧୪ଟି ଟେବୁଲରେ ୨୫୨ ବୁଥ ପାଇଁ ମୋଟ ୧୮ ରାଉଣ୍ଡ ଗଣତି କରାଯାଉଛି । ପ୍ରତି ରାଉଣ୍ଡ ପରେ ଘୋଷଣା ହେଉଛି ଫଳାଫଳ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବା ପରେ ଇଭିଏମ ଗଣତି ଚାଲିଛି । ଦ୍ୱାଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ୬୨୧୪ ଖଣ୍ଡ ଭୋଟରେ ଆଗୁଆ ରହିଛି ।

ବର୍ତ୍ତମାନ ସୁଦ୍ଧା ଦ୍ୱାଦଶ ରାଉଣ୍ଡ ଗଣତି ଶେଷ ହୋଇଛି । ଦ୍ୱାଦଶ ରାଉଣ୍ଡ ଶେଷ ହେବା ପରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ଦ୍ୱାଦଶ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ୫୪,୫୭୨ ଖଣ୍ଡ ଭୋଟ ପାଇଥିବାବେଳେ ବିଜେଡି ୪୮,୩୫୮ ଖଣ୍ଡ ଭୋଟ୍ ପାଇଛି । ସେହିପରି କଂଗ୍ରେସ ଖାତାକୁ ୨୨୦୦ ଖଣ୍ଡ ଭୋଟ୍ ଯାଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଖାତାକୁ ଯାଇଛି ୬୫୦୫ ଖଣ୍ଡ ଭୋଟ୍‌ ।

ଟି-୨୦ ବିଶ୍ୱକପ: ବାଂଲାଦେଶକୁ ହରାଇ ସେମିରେ ପାକିସ୍ତାନ

ଆଡିଲେଡ: ଅଷ୍ଟ୍ରେଲିଆରେ ଜାରି ରହିଥିବା ଟି-୨୦ ବିଶ୍ୱକପରେ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ପାକିସ୍ତାନ । ଗ୍ରୁପ୍-୨ରୁ ଭାରତ ପରେ ଦ୍ୱିତୀୟ ଦଳ ଭାବରେ ପାକିସ୍ତାନ ସେମିଫାଇନାଲରେ ତା’ର ସ୍ଥାନ ପକ୍କା କରିଛି । ବାଂଲାଦେଶକୁ ୫ ଓ୍ୱିକେଟରେ ପରାସ୍ତ କରି ସେମିରେ ପହଞ୍ଚିଛି ପାକ୍ ।

ଆଜି ସୁପର-୧୨ର ଗ୍ରୁପ-୨ରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ପାକିସ୍ତାନ ଓ ବାଂଲାଦେଶ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ବାଂଲାଦେଶର ଏହି ନିଷ୍ପତ୍ତିକୁ ଭୁଲ ସାବ୍ୟସ୍ତ କରିଥିଲା ପାକିସ୍ତାନ । ପାକିସ୍ତାନ ବୋଲିଂ ଲାଇନ ଆଗରେ ଅଧିକ ରନ କରିପାରିନଥିଲା ବାଂଲାଦେଶ । ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୨୭ ରନ କରିପାରିଥିଲା ବାଂଲାଦେଶ । ତେବେ ଏହାର ଜବାବରେ ପାକିସ୍ତାନ ଏହି ଲକ୍ଷ୍ୟକୁ ୫ ଓ୍ୱିକେଟରେ ହାସଲ କରିଥିଲା । ଯାହାଫଳରେ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଥିଲା ଦଳ । ତେବେ ଗ୍ରୁପ୍-୨ରୁ ଭାରତ, ପାକିସ୍ତାନ ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଥିବାବେଳେ ଗ୍ରୁପ-୧ରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ।