ବ୍ରିଜ ତଳକୁ ଖସିଲା ଟୁରିଷ୍ଟ ବସ୍, ବସରେ ଥିଲେ ୪୫ ଯାତ୍ରୀ

ଢେଙ୍କାନାଳ: ଢେଙ୍କାନାଳରେ ଅଭାବନୀୟ ଘଟଣା। ବିଳମ୍ବିତ ରାତିରେ ପଞ୍ଚୁପଟି ବ୍ରିଜ ଉପରୁ ତଳକୁ ଖସିଲା ଟୁରିଷ୍ଟ ବସ୍। କେନ୍ଦ୍ରାପଡ଼ା ଇଛାପୁରରୁ ହୀରାକୁଦର ସମ୍ବଲପୁର ବୁଲିବାକୁ ଯାଇଥିଲେ ୪୫ଜଣ ଯାତ୍ରୀ । ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ହିଁ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ରେଣୁବାଳା ସ୍ବାଇଁ ଓ ବିଜୟଲକ୍ଷ୍ମୀ ଜେନା ।

ଏହି ଦୁର୍ଘଟଣାରେ ୩୦ଜଣ ଆହତ ହୋଇଛନ୍ତି। ୫ ଜଣ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ୨୫ ଜଣଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଲୋକ ବସ୍‌ର କାଚ ଭାଙ୍ଗି ଲୋକଙ୍କୁ ଉଦ୍ଧାର କରିଥିଲେ। ଅଗ୍ନିଶମ ବାହିନୀ ଓ ସଦର ଥାନା ପୋଲିସ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ସମସ୍ତଯାତ୍ରୀଙ୍କୁ ଉଦ୍ଧାର କରାଯାଇସାରିଛି ।

ତେବେ ଘନ କୁହୁଡ଼ି ଓ ୫୫ନମ୍ବର ଜାତୀୟ ରାଜପଥର ଅବ୍ୟବସ୍ଥା ନେଇ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଦୁର୍ଘଟଣା ପ୍ରତିବାଦରେ ଏନଏଚ ୫୫ରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ ।