ଆସିକା ଥାନାକୁ ଦେଶର ଶ୍ରେଷ୍ଠ ଥାନା ପୁରସ୍କାର

1 min read

ଭୁବନେଶ୍ୱର: ଦେଶରେ ଶ୍ରେଷ୍ଠ ଥାନାର ପୁରସ୍କାର ନେଇ ଫେରିଲା ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ । ନୂଆଦିଲ୍ଲୀରେ ସମ୍ମାନିତ ହେବା ପରେ ଓଡ଼ିଶା ଫେରିଛନ୍ତି ଆଇଆଇସି । ଲଗାତର ଦୁଇବର୍ଷ ଧରି ଦେଶରେ ଶ୍ରେଷ୍ଠ ବିବେଚିତ ହୋଇଛି ଓଡ଼ିଶାର ଥାନା । ୨୦୨୨ବର୍ଷ ପାଇଁ ଆସିକା ଥାନାକୁ ଦେଶର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ନୂଆଦିଲ୍ଲୀ ଜାତୀୟ କୃଷି ବୈଜ୍ଞାନିକ ଭବନରେ ଆୟୋଜିତ ପୋଲିସ DG ଓ IG ସମ୍ମିଳନୀରେ ସମ୍ମାନଜନକ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଛନ୍ତି ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ । କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର.କେ ଶର୍ମା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ CID/CB ଅରୁଣ ବୋଥ୍ରା ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।