spot_img
Home Blog Page 3725

ଦେଶରେ ଅପରାହ୍ନ ୩ଟାରୁ ରାତି ୯ଟା ମଧ୍ୟରେ ଘଟୁଛି ସବୁଠୁ ଅଧିକ ଦୁର୍ଘଟଣା

ନୂଆଦିଲ୍ଲୀ: ଦେଶରେ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ । ଅପରାହ୍ଣ ୩ଟାରୁ ରାତି ୯ଟା ମଧ୍ୟରେ ସବୁଠାରୁ ଘଟୁଛି ବେଶୀ ଦୁର୍ଘଟଣା । ୨୦୨୧ରେ ଏହି ସମୟ ମଧ୍ୟରେ ଘଟିଛି ୪୦ ପ୍ରତିଶତ ଦୁର୍ଘଟଣା । ରାତି ୧୨ଟାରୁ ଭୋର୍ ୬ଟା ଯାଏ ସବୁଠାରୁ ନିରାପଦ । ଏହି ସମୟ ମଧ୍ୟରେ ମାତ୍ର ୧୦ ପ୍ରତିଶତ ଦୁର୍ଘଟଣା ଘଟିଥିଲା । ୨୦୨୧ରେ ଦେଶରେ ମୋଟ ୪ ଲକ୍ଷ ୧୨ ହଜାର ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଜନିତ ମୋଟ ମୃତ୍ୟୁ ସଂଖ୍ୟା ଥିଲା ୧ ଲକ୍ଷ ୫୧ ହଜାର ୯୭୧ ଯାହାକି ୨୦୧୧ ପରଠାରୁ ସର୍ବାଧିକ । ଏହାର ଅର୍ଥ ଦୈନିକ ୪୨୨ ଜଣ ତଥା ପ୍ରତି ଘଣ୍ଟାରେ ୧୮ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

୨୦୨୧ରେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ସଂଖ୍ୟା ଥିଲା ୩ ଲକ୍ଷ ୮୪ ହଜାର ୪୩୨ । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୧ରେ ଦେଶରେ ମୋଟ ୪ ଲକ୍ଷ ୧୨ ହଜାର ଦୁର୍ଘଟଣା ଘଟିଥିଲା । ସେଥିରୁ ୧ ଲକ୍ଷ ୫୮ ହଜାର ଦୁର୍ଘଟଣା ଘଟିଥିଲା ଅପରାହ୍ଣ ୩ଟାରୁ ରାତି ୯ ମଧ୍ୟରେ । ଅପରାହ୍ଣ ୩ରୁ ୬ ମଧ୍ୟରେ ୭୩ ହଜାର ୪୬୭ଟି ଦୁର୍ଘଟଣା ଘଟିଥିବାବେଳେ ସନ୍ଧ୍ଯା ୬ରୁ ୯ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୮୫ ହଜାର ୧୭୯ ।

ରାତି ୯ରୁ ୧୨ଟା ଯାଏ ଦୁର୍ଘଟଣା ସଂଖ୍ୟା ଥିଲା ୪୧ ହଜାର ୯୨ । ରାତି ୧୨ରୁ ଭୋର ୩ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୧୯ ହଜାର ୬୮୨ । ଭୋର ୩ଟାରୁ ସକାଳ ୬ଟା ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୨୦ ହଜାର ୧୨୦ । ସକାଳ ୬ଟାରୁ ସକାଳ ୯ ମଧ୍ୟରେ ଦୁର୍ଘଟଣା ସଂଖ୍ୟା ଥିଲା ୪୩ ହଜାର ୩୭୦ । ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଯାଏ ଏହି ସଂଖ୍ୟା ଥିଲା ୬୧ ହଜାର ୩୮୭ । ମଧ୍ୟାହ୍ନ ୧୨ରୁ ଅପରାହ୍ଣ ୩ଟା ଯାଏ ଦୁର୍ଘଟଣା ସଂଖ୍ୟା ଥିଲା ୬୩ ହଜାର ୧୩୯ ।

ଏହି ଧାରା ଗତି ୫ ବର୍ଷ ଧରି ପରିଲକ୍ଷିତ ହୋଇଛି । ୨୦୨୧ ଜାନୁଆରୀରେ ସର୍ବାଧିକ ଅର୍ଥାତ ୪୦ ହଜାର ୩୦୫ଟି ଦୁର୍ଘଟଣା ଘଟିଥିଲା । ଏହାପଛକୁ ଥିଲା ମାର୍ଚ୍ଚ ମାସର ଦୁର୍ଘଟଣା । ମାର୍ଚ୍ଚରେ ଦୁର୍ଘଟଣା ସଂଖ୍ୟା ଥିଲା ୩୯ହଜାର ୪୯୧ । ମାର୍ଚ୍ଚ ମାସରେ ସର୍ବାଧିକ ମୃତ୍ଯୁ ଅର୍ଥାତ ୧୪ ହଜାର ୫୭୯ ହୋଇଥିବାବେଳେ ଜାନୁଆରୀରେ ପ୍ରାଣ ହରାଇଥିଲେ ୧୪ ହଜାର ୫୭୫ ଜଣ । ସନ୍ଧ୍ଯା ୬ଟା ଓ ରାତି ୯ ମଧ୍ୟରେ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୧୪ ହଜାର ୪୧୬ ଦୁର୍ଘଟଣା ଘଟିଥିବାବେଳେ ମଧ୍ୟପ୍ରଦେଶରେ ୧୦ ହଜାର ୩୩୨ଟି ଦୁର୍ଘଟଣା ଘଟିଛି ।

ସ୍କ୍ରାପ ହେବନି ୫୦ବର୍ଷରୁ ଅଧିକ ବର୍ଷର କ୍ଲାସିକ ଯାନ, ଜାରି ହେବ ସ୍ୱତନ୍ତ୍ର ନମ୍ବର ପ୍ଲେଟ

ଭୁବନେଶ୍ୱର: ଭିଣ୍ଟେଜ ଯାନ ସଂଗ୍ରହକାରୀଙ୍କ ପାଇଁ ଖୁସି ଖବର । ସ୍କ୍ରାପ ହେବନି ୫୦ବର୍ଷରୁ ଅଧିକ ବର୍ଷର କ୍ଲାସିକ ଯାନ । ଏହାକୁ ସୁରକ୍ଷିତ ରଖିବାକୁ ଓଡ଼ିଶା ସରକାର ଆଣିଛନ୍ତି ନୂଆ ବ୍ୟବସ୍ଥା । ଏହି ଗୁଡ଼ିକ ପାଇଁ ଜାରିହେବ ସ୍ବତନ୍ତ୍ର ନମ୍ବର ପ୍ଲେଟ୍ । ଭିଣ୍ଟେଜ ଯାନ ଗୁଡ଼ିକର ଐତିହ୍ୟକୁ ସଂରକ୍ଷଣ ତଥା ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଭିଣ୍ଟେଜ ଯାନ ଗୁଡ଼ିକର ପଞ୍ଜିକରଣ ପାଇଁ ବ୍ୟବସ୍ଥା କରିଛି ।

ଏଭଳି ବ୍ୟବସ୍ଥା କରିବାରେ ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ । ସ୍କ୍ରାପ ନୀତିରେ ପୁରୁଣା ଗାଡ଼ିର ବ୍ୟବହାରକୁ ବନ୍ଦ କରାଯାଇଛି । ତେବେ ପୁରୁଣା ଯାନଗୁଡ଼ିକର ଐତିହ୍ୟ ସଂରକ୍ଷଣ ଏବଂ ଏହାକୁ ପ୍ରୋତ୍ସାହିତ କରିବା ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଭିଣ୍ଟେଜ ମୋଟର ଯାନ ଗୁଡ଼ିକର ପଞ୍ଜିକରଣକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ନିୟମ ଅନୁସାରେ ଗାଡ଼ିର ପ୍ରଥମ ପଞ୍ଜିକରଣର ୫୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ଭିଣ୍ଟେଜ ଭାବେ ଗ୍ରହଣ କରାଯିବ ।

ଏହାର ଚେଚିସ, ବଡିସେଲରରେ କୌଣସି ପରିବର୍ତ୍ତନ ହୋଇନଥିବ । ଇଞ୍ଜିନରେ କୌଣସି ପ୍ରମୁଖ ମରାମତି ହୋଇନଥିଲେ ତାହା ଭିଣ୍ଟେଜ ଭାବେ ଗ୍ରହଣ ହେବ । ଏହାକୁ ପୁନଃ ପଞ୍ଜିକରଣ ପାଇଁ ଆବେଦନ କରାଯିବ । ଗାଡ଼ିର ଫିଟନେସ ବୈଧ ଥିଲେ ପଞ୍ଜିକରଣ ପ୍ରମାଣପତ୍ର ପ୍ରଦାନ କରାଯିବ । ଭିଣ୍ଟେଜ ଯାନ ଅନୁମୋଦିତ ହେଲେ ଏହାକୁ ଏକ ନୂତନ ପଞ୍ଜିକରଣ ଚିହ୍ନ ଦିଆଯିବ ।

କଞ୍ଝାୱାଲା ଦୁର୍ଘଟଣା; ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଏକ ସ୍କୁଟିରେ ଆସୁଥିବା ଯୁବତୀଙ୍କୁ କାର ଧକ୍କା ଦେବା ସହ ପ୍ରାୟ ୧୨ କିଲୋମିଟର ଘୋଷାଡି ନେବା ଘଟଣାର ଗୋଟେ ଦିନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୋଲିସକୁ ମାମଲାରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ସେ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀ ଶାଳିନୀ ସିଂହଙ୍କୁ ଶୀଘ୍ର ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବା ସହ ଉଚିତ କାର୍ଯ୍ୟାନୁଷ୍ଠାନ କରିବା ଉପରେ ଜୋର ଦେଇଦେଇଛନ୍ତି । ଅନ୍ୟପକ୍ଷରେ ଆପ୍ ବିଜେପିକୁ ଲଗାତାର ଟାର୍ଗେଟ କରିଚାଲିଛି । ଅଭିଯୁକ୍ତମାନଙ୍କୁ ବିଜେପି ବଞ୍ଚାଉଥିବା ଅଭିଯୋଗ କରିଛି ଆପ୍ ।

ସୂଚନା ଅନୁଯାୟୀ, ଡିସେମ୍ବର ୩୧ ତାରିଖ ରାତିରେ ୫ ଜଣ ଯୁବକ ନୂଆବର୍ଷ ସେଲିବ୍ରେସନ କରି ନିସାଶକ୍ତ ଅବସ୍ଥାରେ ଫେରୁଥିବା ବେଳେ ସ୍କୁଟିରେ ଯାଉଥିବା ଯୁବତୀକୁ ଧକ୍କା ଦେବା ସହ ପ୍ରାୟ ୧୩ କିଲୋମିଟର କାରରେ ଘୋଷାଡି ନେଇଥିଲେ । ଘଟଣା ସ୍ଥଳରେ ଯୁବତୀର ମୃତ୍ୟୁ ହୋଇଥିବା ବେଳେ ଯୁବତୀ ଶରୀରର ସମସ୍ତ ହାଡ ଭାଙ୍ଗିଯିବା ସହ ଅନେକ କ୍ଷତ ଚିହ୍ନ ହୋଇଛି । ଏହାସହ ମୃତ ଯୁବତୀ ଦେହରେ କୌଣସି କପଡା ନଥିଲା ।

୬ଜିଲ୍ଲାରେ ଘନକୁହୁଡି ନେଇ ଆଲର୍ଟ ଜାରି କଲେ ଏସଆରସି

ଭୁବନେଶ୍ୱର: ରାଜ୍ୟର ୬ଜିଲ୍ଲାରେ ଘନକୁହୁଡି ନେଇ ଆଲର୍ଟ ଜାରି କଲେ ଏସଆରସି । ଅନୁଗୁଳ, ବଲାଙ୍ଗୀର, ଢେଙ୍କାନାଳ, କନ୍ଧମାଳ, ସୋନପୁର ଓ କଳାହାଣ୍ଡି ଜିଲ୍ଲାକୁ ଆଲର୍ଟ କରାଯାଇଛି । ପୋଲିସ ଡିଜି ଓ ପରିବହନ କମିଶନରଙ୍କୁ ଏସଆରସି ଚିଠି ଲେଖିଛନ୍ତି । ଜାତୀୟ ରାଜପଥରେ ଯାନବାହନ ଚଳାଚଳ ନିୟନ୍ତ୍ରଣ ନିର୍ଦ୍ଦେଶ ନେଇ ଚିଠି ଲେଖାଯାଇଛି । କୁହୁଡି ସମୟରେ ଦୁର୍ଘଟଣା ରୋକିବାକୁ ପଦକ୍ଷେପ ନେବାକୁ ଉଲ୍ଲେଖ କରାଯାଇଛି । ଚଳିତ ବର୍ଷ ଶୀତର ପ୍ରଭାବ ସେତେଟା ନଥିଲେ ମଧ୍ୟ କୁହୁଡି କିନ୍ତୁ ଜାରି ରହିଛି । ତେଣୁ କୁହୁଡ଼ି କାରଣରୁ ଦୁର୍ଘଟଣା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଭଲ ଖବର, କମ୍ ଦିନରେ ନେଇପାରିବେ ପେନସନ୍

ଭୁବନେଶ୍ୱର: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ବର୍ଷରେ ଭଲ ଖବର । ସହଜ ହେଲା ପେନ୍‌ସନ୍ ମଞ୍ଜୁରି ବ୍ୟବସ୍ଥା । ଏଣିକି ଅବସର ନେଇଥିବା କର୍ମଚାରୀ କମ୍‌ ଦିନରେ ପେନ୍‌ସନ୍‌ ପାଇ ପାରିବେ । କର୍ମଚାରୀ ଜଣଙ୍କ ଯେଉଁ ବିଭାଗରୁ ଅବସର ନେଇଥିବେ, ପେନ୍‌ସନ୍‌ ମଞ୍ଜୁରି ପାଇଁ ଏଣିକି କେବଳ ସେହି ବିଭାଗ ଅବସରପ୍ରାପ୍ତ କର୍ମଚାରୀ କିମ୍ବା ଅଧିକାରୀଙ୍କ ବର୍ଷକର ନୋ ଡିମାଣ୍ଡ ପ୍ରମାଣ ପତ୍ର ବା NDC ପ୍ରଦାନ କରିବ ।

ଏ ନେଇ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ବିଭାଗକୁ ଚିଠି ଲେଖିଛନ୍ତି । ଯଦି ଜଣେ କର୍ମଚାରୀ କିମ୍ବା ଅଧିକାରୀ ଅବସର ନେଇଥିବା ବିଭାଗରେ ୬ ମାସ କାମ କରିଥିବେ, ତାହେଲେ ବାକି ୬ ମାସର NDC କର୍ମଚାରୀ ଥିବା ପୂର୍ବ ବିଭାଗରୁ ଅଣାଯିବ । ଆଉ କର୍ମଚାରୀଙ୍କ ଚାକିରିକାଳ ଭିତରେ କାମ କରିଥିବା ସବୁ ବିଭାଗରୁ ଅଣାଯିବ ନାହିଁ । ଯାହା ଫଳରେ ଅତି କମ୍‌ ଦିନରେ ଅବସରପ୍ରାପ୍ତ କର୍ମଚାରୀଙ୍କ ଚୂଡ଼ାନ୍ତ ପେନ୍‌ସନ୍‌ ପେପର୍‌ ମହାଲେଖାକାରଙ୍କୁ ପ୍ରଦାନ କରାଗଲେ ସମ୍ପୃକ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ତତ୍‌କ୍ଷଣାତ ମଞ୍ଜୁର ହେବ ।

ଏ ନେଇ ୨୦୧୧ ଜୁଲାଇ ମାସରୁ ଅର୍ଥ ବିଭାଗ ପେନ୍‌ସନ୍‌ ଅଧିନିୟମ ୧୯୯୨ରେ ସଂଶୋଧନ କରିଥିଲେ ବି ଅଧିକାଂଶ ବିଭାଗ ଏ ନିୟମକୁ ଅଣଦେଖା କରୁଥିଲେ । ଅବସର ନେଇଥିବା କର୍ମଚାରୀ ଚାକିରିକାଳ ଭିତରେ ଯେତେ ବିଭାଗରେ କାମ କରୁଥିଲେ ସବୁ ବିଭାଗରୁ NDC ମଗାଯାଉଥିବାରୁ କର୍ମଚାରୀଙ୍କୁ ପେନ୍‌ସନ୍‌ ମିଳିବା ବହୁ ଦିନ ଲାଗୁଥିଲା । ଏବେ ଏହି ନିର୍ଦ୍ଦେଶନାମାକୁ କଡ଼ାକଡ଼ି ଅନୁପାଳନ କରିବାକୁ ସମସ୍ତ ବିଭାଗକୁ ତାଗିଦ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ସୁଧୁରିଲା ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା , ଆଇସିୟୁରୁ ବାହାରି ଆସିଲେ ୱାର୍ଡକୁ …

ଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର ଖେଳାଳୀ ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବାରେ ଲାଗିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ୱିକେଟ୍ କିପର ପନ୍ଥଙ୍କୁ ବର୍ତ୍ତମାନ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ତାଙ୍କୁ ଆଇସିୟୁରୁ ବାହାରକୁ ଅଣାଯିବା ପରେ ବର୍ତ୍ତମାନ ଡାକ୍ତରୀ ଟିମ୍ ଋଷଭଙ୍କର ସଂପୂର୍ଣ୍ଣ ଚିକିତ୍ସା ଚଲାଇଛନ୍ତି ।

ଡାକ୍ତରୀଟିମଙ୍କ ତରଫରୁ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାର ସୂଚନା ଗଣମାଧ୍ୟମକୁ ଦିଆଯାଉଛି । ଏଟାରେ ଋଷଭ ପନ୍ଥ ନିକଟରେ ଏକ ଭୟଙ୍କର କାର ଦୁର୍ଘଟଣାର ଶିକାର ହୋଇଥିଲେ । ଯେଉଁ ଦୁର୍ଘଟଣାରେ କି ବିଶେଷ କରି ଋଷଭଙ୍କ ମୁହଁ, ଗୋଡ, କାନ୍ଧ, ପିଠି ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଋଷଭଙ୍କର କାରଟି ପୁରାପୁରି ଜଳି ଯାଇଥିବାବେଳେ ତାଙ୍କ ଜୀବନ କିନ୍ତୁ ଅଳ୍ପକେ ବର୍ତ୍ତି ଯାାଇଥିଲା । ଏଭଳି ଦୁର୍ଘଟଣା ପରେ ତାଙ୍କ ଗୋଡର ପ୍ଲାଷ୍ଟିକ ସର୍ଜରୀ କରାଯିବା ନେଇ କୁହାଯାଉଥିଲା । ଏହା ସହିତ ତାଙ୍କ ମୁହଁର କ୍ଷତକୁୁ ଡାକ୍ତର ପ୍ଲାଷ୍ଟିକ ସର୍ଜରୀ କରିଥିବା ଜଣାପଡିଛି । ସୂଚନା ଅନୁସାରେ ପନ୍ଥ ବର୍ତ୍ତମାନ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ପରେ ପ୍ରଥମେ ଋଷଭଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଉଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡେରାଡୁନର ମ୍ୟକ୍ସକୁ ସ୍ଥାନାନ୍ତର କରାଗଲା ।

ଡାକ୍ତରୀ ଟିମଙ୍କ ସୂଚନା ଅନୁଯାୟୀ ଏବେ ଋଷଭ ପନ୍ଥଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ନଜିର ଆସିଛି । ଏମଆରଆଇ ରିପୋର୍ଟ ଅନୁସାରେ ତାଙ୍କ ମେରୁଦଣ୍ଡ,ମସ୍ତିଷ୍କର ଅବସ୍ଥା ଠିକ୍ ଥିବା ପରିଲକ୍ଷିତ ହୋଇଛି । ଦୁର୍ଘଟଣାରେ ପନ୍ଥଙ୍କ ଗୋଡର ଲିଗାମେଣ୍ଟର ଅବସ୍ଥା ସାଂଘାତିକ ରହିଥିବା ନେଇ କୁହାଯାଉଛି, ଏପରି ସ୍ଥଳେ ପନ୍ଥଙ୍କୁ ସଂପୂର୍ଣ୍ଣ ଠିକ ହେବା ପାଇଁ ୫ ରୁ ୬ ମାସ ସମୟ ଲାଗିବା ନେଇ କୁହାଯାଉଛି । ଏଭଳି ସ୍ଥଳେ ପୁରାପୁରି ସୁସ୍ଥ ନହେବା ପର୍ଯ୍ୟନ୍ତ ପନ୍ତଙ୍କୁ କ୍ରିକେଟ୍ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।ଋଷଭଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବା ନେଇ ଖବର ମିଳିବା ପରେ ତାଙ୍କ ପ୍ରଶଂସକଙ୍କୁ ଆଶ୍ୱସ୍ତି ମିଳିଥିବା ନେଇ ଆଶା କରାଯାଉଛି । କାରଣ ପନ୍ତଙ୍କ ଦୁର୍ଘଟଣାର ଖବର ତାଙ୍କ ପରିବାର ବର୍ଗଙ୍କ ସହ ଫ୍ୟାନ୍ସଙ୍କୁ ମଧ୍ୟ ବ୍ୟଥିତ କରିଥିଲା ।

ଛତିଶଗଡ଼ରେ ଧର୍ମାନ୍ତରଣକୁ ନେଇ ହିଂସାକାଣ୍ଡ, ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଫାଟିଲା ଏସପିଙ୍କ ମୁଣ୍ଡ

ନାରାୟଣପୁର: ଛତିଶଗଡ଼ର ନାରାୟଣପୁରରରେ ଧର୍ମାନ୍ତରଣକୁ ନେଇ ସୋମବାର ଗଣ୍ଡଗୋଳ ଦେଖାଯାଇଛି । ଦୁଇ ପକ୍ଷ ମଧ୍ୟରେ ତୀବ୍ର ସଂଘର୍ଷ ହୋଇଛି । ଏହି ସମୟରେ ଏକତ୍ରିତ ଭିଡ଼ ଏକ ଚର୍ଚ୍ଚରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ପୋଲିସ ଉତ୍ତେଜନା ବୃଦ୍ଧିକୁ ଦେଖି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହି ଅବସରରେ ଏସପି ସଦାନନ୍ଦ କୁମାରଙ୍କ ଉପରେ ଆକ୍ରମଣ କରିଦେଇଥିଲେ ଉତ୍ୟକ୍ତ ଲୋକେ । ତାଙ୍କ ମୁଣ୍ଡ ଫାଟିଯାଇଛି । ସେହିପରି ପଥରମାଡ଼ରେ ଥାନା ଅଧିକାରୀ ସମେତ ଅନେକ ପୋଲିସକର୍ମୀ ଆହତ ହୋଇଛନ୍ତି ।

ଥାନା ଅଧିକାରୀଙ୍କୁ ଜଗଦଲପୁର ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ, ଗ୍ରାମ ପଞ୍ଚାୟତ ଏଡକାର ଆଶ୍ରିତ ଗାଁରେ ଥିବା ଗୀର୍ଜାରେ ରବିବାର ଇସାଇ ମିଶନାରୀର ଲୋକମାନେ ବୈଠକ କରୁଥିଲେ । ଏହି ସମୟରେ ଆଦିବାସୀ ଗୋଷ୍ଠୀଙ୍କ ସହ ଧର୍ମାନ୍ତରଣକୁ ନେଇ ତାଙ୍କର ବିବାଦ ହୋଇ ଯାଇଥିଲା । ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା । ପୋଲିସ କର୍ମଚାରୀ ପହଞ୍ଚିବା ପରେ ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଏହାକୁ ନେଇ ଆଦିବାସୀ ଗୋଷ୍ଠୀ ବନ୍ଦ ଡାକରା ଦେଇଥିଲା । ସୁରକ୍ଷା ବ୍ୟବସ୍ଥାରେ ସକାଳୁ ହିଁ ପୋଲିସ ଫୋର୍ସ ଅଞ୍ଚଳରେ ନିୟୋଜିତ ଥିଲେ ।

ଏସପି ଏବଂ ଜିଲ୍ଲାପାଳ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । କୁହାଯାଉଛି ଯେ ଅଚାନକ ଆନ୍ଦୋଳନ କରୁଥିବା ଭିଡ଼ ଉଗ୍ର ହୋଇ ଚର୍ଚ୍ଚ ଉପରେ ଆକ୍ରମଣ କରିଥିଲା । ଚର୍ଚ୍ଚରେ ଭଙ୍ଗାରୁଜା କରିଥିଲେ ଲୋକେ । ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଦେଖାଯାଇଥିଲା । ଏହା ଦେଖି ଉପସ୍ଥିତ ପୋଲିସ କର୍ମୀ ସେମାନଙ୍କୁ ବୁଝାଇବା ପାଇଁ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ଏକତ୍ରିତ ଭିଡ଼ ପୋଲିସ ଉପରେ ଆକ୍ରମଣ କରି ଦେଇଥିଲା । ଏହି ସମୟରେ ପଥମାଡ଼ କରାଯାଇଥିଲା ଏବଂ ଲାଠି ଚଲାଯାଇଥିଲା ।

ଏଥିରେ ଏସପି ସଦାନନ୍ଦ କୁମାର ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ସେହିପରି ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିବା କୁହାଯାଉଛି । ଘଟଣା ପରେ ବିପୁଳ ମାତ୍ରାରେ ପୋଲିସ ଫୋର୍ସ ଅଞ୍ଚଳେ ନିୟୋଜିତ ହୋଇଛନ୍ତି । ସେହିପରି ଆଦିବାସୀମାନେ ଅଭିଯୋଗ କରିଛନ୍ତି ଯେ ବଳପୂର୍ବକ ଆଦିବାସୀମାନଙ୍କ ଧର୍ମ ପରିବର୍ତ୍ତନ କରାଯାଉଛି ।

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରୁ ମିଳିଲା ଅଫୁଟା ବୋମା

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ବାସଭବନ ନିକଟରୁ ମିଳିଲା ଅଫୁଟା ବୋମା। ଚଣ୍ଡିଗଡର କଂସଲ ଗାଁରେ ଥିବା ଏକ ଆମ୍ବ ତୋଟାରୁ ଅଫୁଟା ବୋମା ଜବତ ହୋଇଛି। ଯେଉଁଠାରେ ବୋମା ମିଳିଛି ସେଠାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଏବଂ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଘର ପାଖାପାଖି ୨ କିଲୋମିଟର ଦୂରରେ ଅବସ୍ଥିତ। ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ୍ ଠାରୁ ଏହି ସ୍ଥାନ ମାତ୍ର ୧ କିଲୋମିଟର ଦୂରରେ ଅବସ୍ଥିତ। ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଅଞ୍ଚଳକୁ ସିଲ୍ କରି ଛାନଭିନ୍ ଆରମ୍ଭ କରିଛି। ବୋମାକୁ ନିଷ୍କ୍ରିୟ କରାଯିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ କରାଯାଉଛି। ଘଟଣା ସ୍ଥଳରେ ସୁରକ୍ଷା କର୍ମୀ, ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ନିଷ୍କ୍ରିୟ କରିବା ପାଇଁ ଲାଗିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି କିଏ ଏବଂ କାହିଁକି ଏଠି ବୋମା ରଖିଛି ? ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ପୋଲିସ ଓ ସୁରକ୍ଷା କର୍ମୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ସୁରକ୍ଷା ଦେଉଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବିସିସିଆଇକୁ ଏମିତି ଚେତାବନୀ ଦେଲେ ଇର୍ଫାନ ପଠାନ୍..

ଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଖେଳାଳୀ ଇର୍ଫାନ ପଠାନ ଦେଲେ ଚେତାବନୀ । ଦ୍ରୁତ ବୋଲର ଇର୍ଫାନ ପଠାନ ବିସିସିଆଇ ସାମ୍ନାରେ ନିଜର ଚେତାବନୀ ରଖିଛନ୍ତି । ଭାରତ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବାକୁ ଥିବା ବେଳେ ଯାହାର ପ୍ରଥମ ମ୍ୟାଚ ଜାନୁୟାରୀ ୩ରେ ଖେଳାଯିବ । ଏଠାରେ ସବୁଠାରୁ ବଡ କଥା ରହିଛି ଏହି ଟି୨୦ ସିରିଜ୍ ପାଇଁ ଦଳର ଷ୍ଟାର ଖେଲାଳୀଙ୍କୁ ଦିଆଯାଇଛି ବିଶ୍ରାମ । ତାଙ୍କ ମଧ୍ୟରେ ରହିଛନ୍ତି, ଷ୍ଟାର ଖେଳାଳୀ ବିରାଟ କୋହଲି, ରୋହିତ ଶର୍ମା ଏବଂ କେ.ଏଲ ରାହୁଲ । ଏହି ସନିୟର ଖେଳାଳୀଙ୍କ ବିଶ୍ରାମ ପରେ ବିସିସିଆଇ ନେଇ ଏକ ବଡ ନିଷ୍ପତ୍ତି ।

ବର୍ତମାନର ଏହି ଭାରତ ଶ୍ରୀଲଙ୍କା ଟି-୨୦ ସିରିଜ ପାଇଁ ଅଧିନାୟକ ପଦର ଭାର ସମ୍ଭାଳିବାକୁ ଯାଉଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ପାଣ୍ଡ୍ୟାଙ୍କ ହାତରେ ବିସିସିଆଇ ଦେଇଛି ଟିମ ଇଣ୍ଡିଆର ଦାୟିତ୍ୱ ଭାର । ବିସିସିଆଇର ଏଭଳି ଏକ ନିଷ୍ପତ୍ତିରେ ଅରାଜି ଅଛନ୍ତି ଭାରତୀୟ ପୂର୍ବତନ ଦ୍ରୁତ ବୋଲର ଇରଫାନ ପଠାନ । ଅନ୍ୟପଟେ ଇରଫାନ ରଖିଲେ ନିଜର ବ୍ୟକ୍ତିଗତ ମନ୍ତବ୍ୟ । ସିଧାସଳଖ ଇରଫାନ ଚେତାବନୀ ଦେଇଛନ୍ତି ଭାରତୀୟ କ୍ରିକେଟ କଣ୍ଟୋ୍ରାଲ ବୋର୍ଡକୁ ।

ଇରଫାନ ଅଧିନାୟକ ପଦ ପାଇଁ ନୁହେଁ ବରଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିନନେସ୍କୁ ନେଇ ବ୍ୟସ୍ତ ହୋଇଯାଇଛନ୍ତି । ଇରଫାନ କହିଲେ, ଚୟନକର୍ତାମାନେ ଧ୍ୟାନ ରଖିବା ଉଚିତ । ଏହା ସହିତ ସେ କହିଲେ, ଆଇପିଏଲରେ ଗୁଜୁରାଟ ଟାଇଟାନ୍ସର ଅଧିନାୟକତ୍ୱ କରିଥିବା ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଖୁବ ଭଲ ରହିଥିଲା । ସେ ଖୁବ ଫିଟ ମଧ୍ୟ ନଜିର ଆସିଥିଲେ । ଏହା ସହି ଇରଫାନ ନିଜେ ମଧ୍ୟ ପାଣ୍ଡ୍ୟାଙ୍କ ପ୍ରଦର୍ଶନରେ ଅଧିକ ପ୍ରଭାବିତ ହୋଇଥିଲେ । ପାଣ୍ଡ୍ୟାଙ୍କ ଅଧିନାୟକତ୍ୱର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ଇରଫାନ ।

କିନ୍ତୁ ବିସିସିଆଇ ତାଙ୍କୁ ଏତେ ସମୟ ପାଇଁ ଯଦି ଅଧିନାୟକ ପଦ ଦେବାକୁ ଯାଉଛି , ପ୍ରଥମେ ପାଣ୍ଡ୍ୟାଙ୍କ ଫିଟନେସ୍ କଥା ଭାବିବା ଜରୁରୀ ରହିଛି । କାହିଁକି ନା ନିକଟରେ ପାଣ୍ଡ୍ୟା ନିଜ ପିଠି ସର୍ଜରୀ କରି ସୁସ୍ଥ ହୋଇ କମବ୍ୟାକ କରିଛନ୍ତି । ଏମିତିରେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଏତେ ବଡ ରିକ୍ସ ନେବା ଖୁବ ଭୟଙ୍କର ମଧ୍ୟ ହୋଇପାରେ । ପୁଣି ଥରେ ପାଣ୍ଡ୍ୟାଙ୍କ ପିଠି ସମସ୍ୟା ତାଙ୍କୁ ହଇରାଣରେ ପକାଇପାରେ । ହାର୍ଦ୍ଦିକଙ୍କ ଉପରେ ଏତେ ଚାପ ପକାଇବା ପୂର୍ବରୁ ବିସିସିଆଇକୁ ଆଉ ଥରେ ଚିନ୍ତା କରିବା ଆବଶ୍ୟକ ବୋଲି କହିଲେ ଇରଫାନ ।

ହଳଦୀ କଫିର ଚମତ୍କାରିତା, ମିଳିବ ଏସବୁ ଫାଇଦା

ଭୁବନେଶ୍ବର: ଆଜିକାଲି କଫି କାହାକୁ ପସନ୍ଦ ନୂହେଁ । ବିନା କଫିରେ କିଛି ଲୋକ ବିଛଣା ଛାଡିନଥାନ୍ତି ବୋଲି କହିବା ମଧ୍ୟ କିଛି ଭୁଲ ହେବ ନାହିଁ । ଅଧିକାଂଶ ଲୋକଙ୍କର ଦିନ କଫିରେ ଆରମ୍ଭ ହୋଇଥିବା ବେଳେ ଅନ୍ୟ କିଛି କଫି ପିଇ ନିଜକୁ ସତେଜ ଅନୁଭବ କରିଥାନ୍ତି । ତେବ କିଛି ବିଶେଷଜ୍ଞଙ୍କ ମତାନୁସାରେ ଖାଲି ପେଟରେ କଫି ସେବନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ତଥ୍ୟ ଦେଇଛନ୍ତି । କଫିରେ ଅତ୍ୟାଧିକ କାଫିନ ରହିଥିବାରୁ ଏହାକୁ ଅଧିକ ସେବନ କଲେ ବିପଦ ବୋଲି କୁହାଯାଇଥାଏ ।

ତେବେ ଆପଣଙ୍କୁ ଯଦି କଫି ପସନ୍ଦ ତାହାଲେ କଫି ପିଇବା ପୂର୍ବରୁ ଏକ ବିଶେଷ କଥା ଜାଣିନିଅନ୍ତୁ । କଫିକୁ ସ୍ବାସ୍ଥ୍ୟକାରୀ ବନାଇବା ପାଇଁ ଏଥିରେ ହଳଦୀର ଉପେଯାଗ କରିପାରନ୍ତି । ଏହା ସ୍ବାସ୍ଥ୍ୟ ପାଇଁ ଉପେଯାଗୀ ହୋଇଥିବା ବେଳେ ଏଥିରୁ ଆମକୁ ଭରପୁର ଆଣ୍ଟି-ଅକ୍ସିଡାଣ୍ଟ ଓ ଇନଫ୍ଲେମେଟାରୀ ଗୁଣ ମିଳିଥାଏ ।
ଏବଂ ହଳଦୀ କଫି ପିଇବା ଦ୍ବାରା ଏହା ଆମ ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ସହିତ ପ୍ରତିରୋଧ ଶକ୍ତିକୁ ବଢାଇଥାଏ । ଏହା ସହିତ ଏଥିରୁ ଅନେକ ଫାଇଦା ମଧ୍ୟ ମିଳିଥାଏ ଯେପରିକି ଏସିଡିଟି, ହାଡରେ ଯନ୍ତ୍ରଣା ହେଉଥିଲେ ମଧ୍ୟ ଏହା ଦୂର କରିଥାଏ ।

ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ କପ ପାତ୍ରରେ କଫି ଗୁଣ୍ଡକୁ ଫେଣ୍ଟି ଦିଅନ୍ତୁ । ଆଉ ଏକ ପାତ୍ରରେ ୧କପ କ୍ଷୀର ନେଇ ୧ଚାମଚ ହଳଦୀ ମିଶାଇ ଦିଅନ୍ତୁ । ଏହାପରେ ମିଶ୍ରଣକୁ ଏକାଠି କରି ଗ୍ୟାସେର କିଛି ସମୟ ଫୁଟାଇ ଦେବା ପରେ କଫି ଗୁଣ୍ଡ ମିଶାଇ ଆଉ କିଛି ସମୟ ଫୁଟାନ୍ତୁ । ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ହଳଦୀ କଫି ।