ପୁଟିନଙ୍କ ପ୍ରତିଶୋଧ, ଘନ ଘନ ମିସାଇଲ ମାଡ଼ରେ ଥରିଲା ୟୁକ୍ରେନର ଅଧିକାଂଶ ସହର

କିଭ୍: ୟୁକ୍ରେନ ଉପରେ ପୁଣି ଜୋରଦାର ଆକ୍ରମଣ । ପଶ୍ଚିମ ୟୁକ୍ରେନ ସହରରେ ମିସାଇଲ ଓ ଡ୍ରୋନ୍ ଆକ୍ରମଣରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ରମଣରେ ସହର ଛାରଖାର ହୋଇଥିବା ବେଳେ ପ୍ରାୟ ୨୦ ଜଣ ସାଧାରଣ ଲୋକ ଗୁରୁତର ହୋଇଛନ୍ତି ବୋଲି ସୂଚନା ମିଳିଛି । ୟୁକ୍ରେନର ବିଭିନ୍ନ ଉର୍ଜା କ୍ଷେତ୍ରକୁ ଟାର୍ଗେଟ କରି ବୋମାମାଡ଼ କରିଛି ଋଷ । ଘନ ଘନ ଆକ୍ରମଣ ଯୋଗୁ ଅଧିକାଂଶ ପ୍ରାନ୍ତ ବ୍ଲାକଆଉଟ ହୋଇଛି । ବିଭିନ୍ନ ସହରରେ ଏୟାର ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ବଙ୍କର ଓ ମେଟ୍ରୋ ଷ୍ଟେସନରେ ଲୋକମାନେ ଲୁଚି ରହିଛନ୍ତି ।

ୟୁକ୍ରେନକୁ ଟାଙ୍କର ଯୋଗାଇବାକୁ ପଶ୍ଚିମୀ ରାଷ୍ଟ୍ରର ଘୋଷଣା ପରେ ଆକ୍ରମଣ ଜୋରଦାର କରିଛି ମସ୍କୋ । ଆମେରିକା, ଜର୍ମାନୀ ଓ କାନାଡ଼ା ଲିଓପାଡ ଟାଙ୍କ ଯୋଗାଣ କରିବାକୁ ଘୋଷଣା କରିଛନ୍ତି । ଋଷ ୟୁକ୍ରେନର ବିଭିନ୍ନ ସହରରେ ୫୫ଟି ମିସାଇଲ ପକାଇଥିବା ବେଳେ ସେଥିରୁ ପ୍ରାୟ ୪୭ଟିକୁ ନଷ୍ଟ କରିଦିଆଯାଇଛି ବୋଲି ୟୁକ୍ରେନ କହିଛି ।