କ୍ବାଟର୍ସରୁ ବାଦ ପଡିବା ପରେ ଭାରତର ଦମଦାର ପ୍ରଦର୍ଶନ, ଜାପାନକୁ ୮-୦ ଗୋଲରେ ହରାଇଲା ଭାରତ

1 min read

ରାଉରକେଲା: ପୁରୁଷ ହକି ବିଶ୍ବକପରେ ଭାରତୀୟ ଦଳ କ୍ବାର୍ଟର ଫାଇନାଲରୁ ବାଦ୍ ପଡ଼ିବା ପରେ ନବମ ସ୍ଥାନ ପାଇଁ ଲଢ଼େଇ ଆରମ୍ଭ କରିଛି । ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା କ୍ଲାସିଫିକେସନ ମ୍ୟାଚରେ ଜାପାନକୁ ୮-୦ ଗୋଲରେ ହରାଇଛି ଭାରତ । ତେବେ ଭାରତୀୟ ଦଳ ଆସନ୍ତା ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳିବ। ଏହି ମ୍ୟାଚ୍କୁ ଜିତିଲେ ଭାରତ ନବମ ସ୍ଥାନରେ ରହିବ ।

ତେବେ ଆଜି ଖେଳାଯାଇଥିବା ମ୍ୟାଚରେ ଆରମ୍ଭରୁ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମ ଦୁଇଟି କ୍ୱାଟରରେ ଗୋଲ ଶୂନ୍ୟ ରହିଥିଲା । କିନ୍ତୁ ତୃତୀୟ କ୍ୱାଟର ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲା ଭାରତ । ତୃତୀୟ କ୍ୱାଟର ୪ଟି ଗୋଲ ସ୍କୋର କରିବା ସହ ଚତୁର୍ଥ କ୍ୱାଟରରେ ମଧ୍ୟ ୪ଟି ଗୋଲ୍ ସ୍କୋର କରିଥିଲା ଭାରତ । ଯାହାଫଳରେ ଏହି ମ୍ୟାଚକୁ ଭାରତ ୮-୦ରେ ନିଜ ନାମରେ କରିଥିଲା । ଏହି ମ୍ୟାଚରେ ଭାରତ ପକ୍ଷରୁ ଅଭିଷେକ ଓ ହରମନପ୍ରୀତ ସିଂ ଦୁଇଟି ଲେଖାଏଁ ଗୋଲ ସ୍କୋର କରିଥିବାବେଳେ ମନଦୀପ ସିଂ, ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ ଓ ସୁଖଜିତ୍ ସିଂ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ ।